ମଣିଷର ମାରକ ଦଶା ବାୟୁ ପ୍ରଦୂଷଣ

ମଣିଷର ମାରକ ଦଶା ବାୟୁ ପ୍ରଦୂଷଣ

Share :

ପ୍ରତି ବର୍ଷ ମରୁଛନ୍ତି ୫୫ ଲକ୍ଷ   ଘର ଭିତର ଓ ଘର ବାହାର ବାୟୁ ପ୍ରଦୂଷଣ ଯୋଗୁଁ ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୫୫ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଏହାର ୫୫ ପ୍ରତିଶତ ମୃତ୍ୟୁ କେବଳ ଭାରତ ଓ ଚୀନ ଦୁଇଟି ଦେଶରେ ଘଟୁଛି । ଆମେରିକା ଆସୋସିଏସନ ଫର ଆଡାଭାନ୍ସମେଣ୍ଟ ଅଫ ସାଇନ୍ସ ବା ଆସ ତରଫରୁ ପ୍ରକାଶ ପାଇଥିବା ଏକ ଗବେଷଣା ନିବନ୍ଧରେ ଏହି ତଥ୍ୟ ପରିବେଷିତ ହୋଇଛି । ରିପୋର୍ଟ ଅନୁସାହାରେ ୨୦୧୩ ମସିହାରେ ଚୀନରେ ୧୬ ଲକ୍ଷ ଏବଂ ଭାରତରେ ୧୪ ଲକ୍ଷ ଲୋକ ବାୟୁ ପ୍ରଦୂଷଣ କାରଣରୁ ଅକାଳ ମୃତ୍ୟୁ ମୁଖରେ ପଡ଼ିଥିଲେ । ଏହି ଗବେଷଣାରେ ଆମେରିକା ଓ କାନାଡ଼ା ସମେତ ଭାରତ ଓ ଚୀନର ଗବେଷକମାନେ ସାମିଲ ଥିଲେ । ସେମାନଙ୍କ ମତରେ ସଂପ୍ରତି ବାୟୁ ପ୍ରଦୂଷଣ ରୋକିବାକୁ ଅନ୍ତର୍ଜାତୀୟ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଆସନ୍ତା ଦୁଇ ଦଶନ୍ଧି ଯାଏଁ ଏହି କାରଣରୁ ଆହୁରି ଅଧିକ ଲୋକଙ୍କର ଅକାଳ ବିୟୋଗ ହେବାର ଆଶଙ୍କା ରହିଛି । ବାୟୁ ପ୍ରଦୂଷଣର ମୁକାବିଲା କରିବାକୁ ବିଶ୍ବ ସ୍ତରରେ ଯଦି ଅଧିକ ଆକ୍ରମଣାତ୍ମକ ପଦକ୍ଷେପ ନିଆ ନଯାଏ ତେବେ ସାଂପ୍ରତିକ ସ୍ଥିତିରେ ବିଶେଷ କୌଣସି ପରିବର୍ତ୍ତନ ଘଟିବାର ସମ୍ଭାବନା ନାହିଁ । କାନାଡ଼ାର ଭାଙ୍କୋଭର ସ୍ଥିତ ବ୍ରିଟିଶ କଲମ୍ବିଆର ପ୍ରଫେସର ମାଇକେଲ ବ୍ରାର କହିଛନ୍ତି ଯେ ବାୟୁ ପ୍ରଦୂଷଣ ହେଉଛି ପୃଥିବୀର ମୃତ୍ୟୁ ବିପଦର ଚତୁର୍ଥ ବୃହତ୍ତମ କାରଣ । ଏହା ହେଉଛି ରୋଗବ୍ୟାଧିର ପ୍ରମୁଖ କାରଣ । ସମଗ୍ର ପୃଥିବୀରେ ଲୋକମାନଙ୍କୁ ସୁସ୍ଥ ଓ ନିରାମୟ ରଖିବା ଦିଗରେ ଅଧିକ ଅନୁପାତରେ ବାୟୁ ପ୍ରଦୂଷଣ କମାଇବାର ଜରୁରୀ ଆବଶ୍ୟକତା ରହିଛି । ତାପଜ ବିଦ୍ୟୁତ କେନ୍ଦ୍ର, ଉତ୍ପାଦନ ଭିତ୍ତିକ ଶିଳ୍ପ, ମୋଟର ଗାଡ଼ି ଧୂଆଁ ଓ କୋଇଲା ଏବଂ କାଠ ପରି ଜାଳେଣୀ ଇନ୍ଧନ ଯୋଗୁଁ ସମଗ୍ର ବିଶ୍ବରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଛି । ଏସବୁଥିରୁ ନିର୍ଗତ ହେଉଥିବା ଧୂଆଁ ଓ ସେଥିରେ ମିଶି ରହିଥିବା ଅନେକ ବିଷାକ୍ତ କଣିକା ମଣିଷ ଓ ଜୀବଜନ୍ତୁଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଅନେକ କ୍ଷେତ୍ରରେ ଏହା ମୃତ୍ୟୁକୁ ଡାକି ଆଣିଥାଏ । ଭାରତବର୍ଷରେ ବାୟୁ ପ୍ରଦୂଷଣର ଅନେକ କାରଣ ମଧ୍ୟରେ ରୋଷେଇ ପାଇଁ କାଠ, କୋଇଲା, ପତ୍ର ଓ ଗୋବର ଘସି ଆଦି ଜାଳିବା ପ୍ରମୁଖ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଭାରତର କୋଟିକୋଟି ଗରିବ ଲୋକ ରୋଷେଇ ପାଇଁ ଏସବୁ ଜାଳେଣୀର ବ୍ୟବହାର କରି ଘର ଭିତର ବାୟୁକୁ ପ୍ରଦୂଷିତ କରିଥାନ୍ତି ଏବଂ ତା’ ପ୍ରଭାବରେ ବ୍ୟାଧିଗ୍ରସ୍ତ ହୋଇଥାନ୍ତି । ବମ୍ବେ ଆଇଆଇଟିର ପ୍ରଫେସର ଚନ୍ଦ୍ର ଭେଙ୍କଟରମଣନ କୁହନ୍ତି, ଭାରତରେ ବାୟୁ ପ୍ରଦୂଷଣ ରୋକିବାକୁ ହେଲେ ତିନିଟି କ୍ଷେତ୍ରରେ ଏହାର ମୁକାବିଲା କରିବାକୁ ହେବ । ଏହି ତିନିଟି କ୍ଷେତ୍ର ହେଉଛି ଶିଳ୍ପ, କୃଷି ଓ ଘରୋଇ ଇନ୍ଧନ । ଚୀନରେ ବାୟୁ ପ୍ରଦୂଷଣର ପ୍ରମୁଖ କାରଣ ହେଉଛି କୋଇଲା ବବହାର । ବେଜିଂର ଶିଙ୍ଗୁଆ ବିଶ୍ବବିଦାଳୟର ପିଏଚଡି ଗବେଷକ କିଆଓ ମା କୁହନ୍ତି କୋଇଲା ଜଳନ ଯୋଗୁଁ ସୃଷ୍ଟି ହୋଇଥିବା ଘର ବାହାର ବାୟୁ ପ୍ରଦୂଷଣ ପାଇଁ ୨୦୧୩ ମସିହାରେ ଚୀନରେ ୩.୬୬ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହାର ଦ୍ରୁତ ଓ ଦୃଢ଼ ମୁକାବିଲା କରା ନଗଲେ ୨୦୩୦ ବେଳକୁ ଚୀନରେ ୯.୯୦ ଲକ୍ଷରୁ ୧୩ ଲକ୍ଷ ଲୋକଙ୍କର ଏହି କାରଣରୁ ମୃତ୍ୟୁ ହେଉଥିବ ବୋଲି ଏହି ମହିଳା ଗବେଷିକା କହିଛନ୍ତି । ସେଥିପାଇଁ ସରକାର ଓ ସମାଜ ବାୟୁ ପ୍ରଦୂଷଣ ଦ୍ରୁତ ହ୍ରାସ କରିବା ଦିଗରେ ଆକ୍ରମଣାତ୍ମକ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି କିଆଓ ମା ମତ ଦେଇଛନ୍ତି । ଉଆଶିଂଟନରେ ଆୟୋଜିତ ଆସର ବାଷିର୍କ ବୈଠକରେ ଏହି ଗବେଷଣା ସନ୍ଦର୍ଭ ଉପସ୍ଥାପିତ ହୋଇଛି ।

Share :