ପାଶ୍ବାନ-ପଟ୍ଟନାୟକ ଚା ଭୋଜିର ରହସ୍ୟ କ’ଣ?

ପାଶ୍ବାନ-ପଟ୍ଟନାୟକ ଚା ଭୋଜିର ରହସ୍ୟ କ’ଣ?

Share :

  ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଦୁର୍ନୀତି ଓ ବାଟମାରଣା ରୋକିବାକୁ କେନ୍ଦ୍ରର କିଛି କ୍ଷମତା ନାହିଁ ବୋଲି ଫେବୃଆରୀ ୧୨ ତାରିଖ ସରସ୍ବତୀ ପୂଜା ଦିନ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କେନ୍ଦ୍ର ଖାଉଟି କଲ୍ୟାଣ ଓ ଖାଦ୍ୟ ଉତ୍ପାଦନ ମନ୍ତ୍ରୀ ରାମ ବିଳାସ ପାଶ୍ବାନ । ଏହା ପୂର୍ବରୁ ଅବଶ୍ୟ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଯାଇଁ ଚା’ ଖାଇ ଫେରିଥିଲେ । ଗତ କିଛି ବର୍ଷ ହେଲାଣି ଦେଖାଯାଉଛି କେନ୍ଦ୍ରରୁ ଓଡ଼ିଶା ଆସୁଥିବା ଅନେକ ମନ୍ତ୍ରୀ ନବୀନ ନିବାସ ନଯାଇ ଗସ୍ତ କାର୍ଯ୍ୟକ୍ରମ ଶେଷ କରୁ ନାହାନ୍ତି । ସେ ନୀତିତ ଗଡ଼କରୀ ହୁଅନ୍ତୁ ବା ରାମ ବିଳାସ ପାଶ୍ବାନ- ନବୀନ ନିବାସ ନଗଲେ କେନ୍ଦ୍ର ମନ୍ତ୍ରୀମାନଙ୍କର ଯେମିତି ଭାତ ହଜମ ହୁଏନି ! ଏ ପ୍ରଥା ଆରମ୍ଭ ହୋଇଥିଲା ବାଜପେୟୀଙ୍କ ଏନଡିଏ ସରକାର ସମୟରେ । ମନମୋହନ ସିଂହଙ୍କ ଉପା ଅମଳରେ ଏହା ଅବ୍ୟାହତ ଥିଲା । ଏବେ ମୋଦିଙ୍କ ଏନଡିଏ ସରକାର ସମୟରେ ମଧ୍ୟ ଏହି ଧାରା ଅବ୍ୟାହତ ରହିଛି । ଏହି ଧାରା ଅନୁସାରେ କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଉତ୍ପାଦନ ତଥା ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ବାନ ନବୀନ ନିବାସ ଯାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କ’ଣ କଥା ହେଲା ତାହା କେହି କହିଲେ ନାହିଁ । କହିବାକୁ ପଡ଼ିଥିଲେ ଯେ କେହି ସତ କହିଥାନ୍ତେ ତାହା ବି ବିଶ୍ବାସଯୋଗ୍ୟ ନୁହେଁ । କେନ୍ଦ୍ରମନ୍ତ୍ରୀମାନେ ଯଦି ସରକାରୀ କାର୍ଯ୍ୟରେ ଓଡ଼ିଶା ଆସିଥାନ୍ତି ତେବେ ସେମାନଙ୍କର କୌଣସି କାମ ନବୀନ ନିବାସରେ ନଥାଏ । ଓଡ଼ିଶା ସଚିବାଳୟ ହେଉଛି ଓଡ଼ିଶା ସରକାରଙ୍କ ହେଡ଼କ୍ବାର୍ଟର ବା ମୁଖ୍ୟାଳୟ । କେନ୍ଦ୍ରୀୟ ମନ୍ତ୍ରୀମାନେ ସେଇଠି ବସି କେନ୍ଦ୍ରୀୟ ଯୋଜନା ସଂପର୍କରେ ଓଡ଼ିଶା ସରକାରଙ୍କଠାରୁ ଟକିନିଖି ହିସାବ ଆଦାୟ କରିପାରିବେ ଓ ସେହି ଅନୁସାରେ ତାଗିଦ ଓ ନିର୍ଦ୍ଦେଶ ଜାରି କରିପାରିବେ । ନବୀନ ନିବାସ ହେଉଛି ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ଘର । ଏହା ସେ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କଠାରୁ ଉତ୍ତରାଧିକାରୀ ଭାବେ ପାଇଛନ୍ତି । ସଂଯୋଗ ବଶତଃ ନବୀନ ଏବେ ମୁଖ୍ୟମନ୍ତ୍ରୀ ଓ ସରକାରୀ ଘର ନନେଇ ନିଜ ଘରେ ରହୁଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ନବୀନ ନିବାସ ହେଉଛି ଓଡ଼ିଶା ସରକାରଙ୍କ କାର୍ଯ୍ୟାଳୟ । ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ବନ୍ଧୁ, ପାରିବାରିକ ବନ୍ଧୁ ଓ ରାଜନୀତିକ ବନ୍ଧୁ ତଥା ସାମ୍ବାଦିକମାନେ ସେଠାକୁ ଯିବାରେ କିଛି ଅସୁବିଧା ନାହିଁ କି ତାହାକୁ ନେଇ କେହି ପ୍ରଶ୍ନ ଉଠାଇବା ଉଚିତ ନୁହେଁ । କିନ୍ତୁ ପ୍ରତିପକ୍ଷ ଦଳର ରାଜନେତାମାନେ କୌଣସି କାର୍ଯ୍ୟ ନଥାଇ ସେଠାକୁ ଯିବା ଓ ନବୀନଙ୍କ ସହିତ ନିଭୃତ ସମୟ କଟାଇବା ନିଶ୍ଚୟ ସନ୍ଦେହର କାରଣ ହୋଇପାରେ । ନବୀନ ନିବାସରେ ଯଦି କାହାର ବାହାଘର ସାଘର ହେଉଥାନ୍ତା, କାହାର ଜନ୍ମଦିନ କି ଶ୍ରାଦ୍ଧ ପାଳନ କରାଯାଉଥାନ୍ତା ତେବେ ନିମନ୍ତ୍ରିତ ଅତିଥି ଭାବେ ବିରୋଧୀ ରାଜନେତାମାନେ ସେଠାକୁ ଯିବାରେ ମନା ନାହିଁ । ତାହା ନିଶ୍ଚୟ ସାମାଜିକ ଓ ସୌଜନ୍ୟମୂଳକ ବ୍ୟବହାର । କିନ୍ତୁ କେନ୍ଦ୍ର ମନ୍ତ୍ରୀ କାହିଁକି ନବୀନ ନିବାସ ଯିବେ ? ଯିବେ ତ’ ଯିବେ, ବାହାରିଲା ପରେ କହିବେ, ସଂଘୀୟ ଗଣତନ୍ତ୍ର ଦୃଷ୍ଟିରୁ ଓଡ଼ିଶା ସରକାର ଉପରେ କେନ୍ଦ୍ର ସରକାରର କୌଣସି ନିୟନ୍ତ୍ରଣ ନାହିଁ ! ଏହା କେମିତିକା କଥା ! ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି କେନ୍ଦ୍ର ସରକାର । ଏହା ଓଡ଼ିଶା ବିଧାନସଭାରେ ନୁହେଁ ଜାତୀୟ ସଂସଦରେ ଗୃହୀତ ହୋଇଛି । ଏଥିପାଇଁ କେନ୍ଦ୍ର ସରକାର ୯୧ ପ୍ରତିଶତ ଆର୍ଥିକ ଅନୁଦାନ ଦେଉଛନ୍ତି ବୋଲି ନିଜେ ପାଶ୍ବାନ ଘୋଷଣା କରିଛନ୍ତି । ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଓଡ଼ିଶାରେ ଏହି ଯୋଜନାର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ନେଥ ଅଭିଯୋଗ ରହିଛି । କିନ୍ତୁ ସେସବୁ ଅଭିଯୋଗ ସଂପର୍କରେ କେନ୍ଦ୍ର ସରକାର କିଛି କରିପାରିବେନି । ଯାହା କରିବେ ରାଜ୍ୟ ସରକାର । ଏହା କିପରି କଥା ? ଯିଏ ଟଙ୍କା ଦେବ ତା’ର କ’ଣ ହିସାବ ମାଗିବାର କ୍ଷମତା ନାହିଁ ? କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା ପାଇଁ ୯୧ ପ୍ରତିଶତ ଆର୍ଥିକ ବୋଝ ବହନ କରୁଛନ୍ତି ଯଦି ସେହି ଅର୍ଥ ଠିକ ଭାବେ ବିନିଯୁକ୍ତ ହେଉଛି କି ନାହିଁ, ଉପଯୁକ୍ତ ହିତାଧିକାରୀମାନେ ସେଥିରୁ ଉପକୃତ ହେଉଛନ୍ତି କି ନାହିଁ, ତାହା ବୁଝିବା କ’ଣ କେନ୍ଦ୍ରର ଦାୟିତ୍ବ ନୁହେଁ ? କେନ୍ଦ୍ର ସରକାର ଏଭଳି ଦାୟିତ୍ବଶୂନ୍ୟ ଭାବେ ସର୍ବସାଧାରଣଙ୍କ ଟିକସ ଅର୍ଥ ଖର୍ଚ୍ଚ କରିବା କ’ଣ ଗଣତନ୍ତ୍ର ? ଏହିପରି ଭାବରେ ଓଡ଼ିଶାର ଖଣି ଦୁର୍ନୀତିର ସିବିଆଇ ତଦନ୍ତ ହୋଇନାହିଁ । କେନ୍ଦ୍ରର ଏକାଧିକ ଖଣିମନ୍ତ୍ରୀ ନବୀନ ନିବାସରୁ ଆପ୍ୟାୟିତ ହୋଇ ଫେରିଛନ୍ତି । ଜଳସଂପଦ ବିଭାଗରେ ଦୁର୍ନତି ଅଭିଯୋଗ ହୋଇଛି । ସିବିଆଇ ତଦନ୍ତ ଅଧାରୁ ବନ୍ଦ ହୋଇଯାଇଛି । ଜଙ୍ଗଲ ଓ ପରିବେଶ ବିଭାଗରେ ଦୁର୍ନୀତି ହୋଇଛି, ସେ ଖବର କେନ୍ଦ୍ର ରଖିନାହିଁ । ଚିଟ୍ ଫଣ୍ଡ ଦୁର୍ନୀତି ହୋଇଛି, ସିବିଆଇ ତଦନ୍ତ ଠିକ ଚାଲିନି ବୋଲି ଅନ୍ୟ ଜଣେ କେନ୍ଦ୍ର ମନ୍ତ୍ରୀ ଜୁଆଲ ଓରାମ ମନ୍ତବ୍ୟ ଦେଇଛନ୍ତି । ଏହିପରି ଭାବେ କୃଷି ଦୁର୍ନୀତି, ଡାଲି ଦୁର୍ନୀତି, ମଧ୍ୟାହ୍ନ ଭୋଜନ ଦୁର୍ନୀତି, ଔଷଧ ଦୁର୍ନୀତି, ଆମ୍ବଲାନ୍ସ ଦୁର୍ନୀତି ଓ ଆହୁରି କେତେ । ନବୀନ ନିବାସରୁ ଫୁଲତୋଡ଼ା ନେଇ ଓ ଚା ପିଇ ଫେରିଲା ପରେ ଭାରତବର୍ଷର ହାବାଲା ନେଟବାର୍କଗୁଡ଼ିକ ପୂର୍ବ ପରି ସକ୍ରିୟ ଥାଏ । ସେ ବାଟରେ ହଜାର ହଜାର ଲକ୍ଷଲକ୍ଷ କୋଟି ଟଙ୍କାର କଳାଟଙ୍କା କାରବାର ହୁଏ ବୋଲି ସମସ୍ତେ ଜାଣନ୍ତି ।

Share :