ଦୁର୍ନୀତି ପାଇଁ ଏନ୍ଆରଇଜିଏରେ ହେଉନି ଅମ୍ବୁଦସମ୍ୟାନ ବ୍ୟବସ୍ଥା

ଦୁର୍ନୀତି ପାଇଁ ଏନ୍ଆରଇଜିଏରେ ହେଉନି ଅମ୍ବୁଦସମ୍ୟାନ ବ୍ୟବସ୍ଥା

Share :

ପ୍ରଦୀପ ପ୍ରଧାନ   ପଞ୍ଚାୟତିରାଜ ବିଭାଗ ଏବଂ ବିଭିନ୍ନ ଜିଲ୍ଲାପାଳଙ୍କ ଦପ୍ତରରୁ ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ସମଗ୍ର ରାଜ୍ୟରେ ୨୦୧୩ ମସିହାରୁ ଅମ୍ବୁଦସମ୍ୟାନ ବ୍ୟବସ୍ଥା ଭୁଷୁଡ଼ି ପଡିଛି । ଅମ୍ବୁଦସମ୍ୟାନ ପଦବୀ ପାଇଁ ଜିଲ୍ଲାପାଳମାନେ ବିଭିନ୍ନ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥିଲେ ମଧ୍ୟ ରାଜ୍ୟ ସରକାର ଦୀର୍ଘ  ତିନିବର୍ଷ ମଧ୍ୟରେ କୌଣସି ଜିଲ୍ଲାରେ ଅମ୍ବୁସମ୍ୟାନ୍ ନିଯୁକ୍ତ କରି ନାହାନ୍ତି । ଫଳରେ ଜାତୀୟ ଗ୍ରାମାଞ୍ଚଳ କର୍ମନିଯୁକ୍ତି ଗ୍ୟାରେଣ୍ଟି ଆଇନର କାର୍ଯ୍ୟକାରିତା ଏବଂ ଏହା ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦେଖା ଦେଉଥିବା ଦୁର୍ନୀତି ଏବଂ ଅନିୟମିତତାର ତଦନ୍ତ ପାଇଁ ପ୍ରତି ଜିଲ୍ଲାରେ ଗଠିତ ଅମ୍ବୁସମ୍ୟାନ ବ୍ୟବସ୍ଥା ସ୍ଥାଣୁ ହୋଇ ପଡ଼ି ରହିଛି । ବାସ୍ତବରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ କର୍ମ ନିଯୁକ୍ତି ଗ୍ୟାରେଣ୍ଟି ଆଇନ୍ ଅଧୀନରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ବ୍ୟାପକ ଦୁର୍ନୀତ ଏବଂ ଅନିୟମିତତା ହେବା, ରାଜ୍ୟରେ ୭୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗର ଶୁଣାଣୀ କରି ସୁପ୍ରିମକୋର୍ଟ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମାନ୍ୟବର ଅଦାଲତ କେନ୍ଦ୍ର ସରକାରଙ୍କୁ ଏନ୍.ଆର.ଇ.ଜି.ଏ କାମର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବାଧୀନ ନିରପେକ୍ଷ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏନ.ଆର.ଇ.ଜି.ଏ ଆଇନର ଧାରା ୨୭ ଆଧାରରେ କେନ୍ଦ୍ର ସରକାର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ଅମ୍ବୁସମ୍ୟାନ ଗଠନ ପାଇଁ ସେପ୍ଟେମ୍ବର, ୨୦୦୯ରେ ନିର୍ଦ୍ଦେଶ ଦେଇ ଗଠନ ସମ୍ପର୍କରେ ଏକ ଗାଇଡ଼ଲାଇନ୍ ପଠାଇଥିଲେ । ଏହି ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତି ଜିଲ୍ଲାରେ ସର୍ବାଧିକ ତିନିଜଣ ବ୍ୟକ୍ତିଙ୍କୁ ନେଇ ଅମ୍ବୁସମ୍ୟାନ୍ ଗଠନ କରାଯିବ । ବିଭିନ୍ନ କ୍ଷେତ୍ର ଯଥା ପ୍ରଶାସନ, ନ୍ୟାୟ, ସାମାଜିକ କାର୍ଯ୍ୟ, ମ୍ୟାନେଜମେଣ୍ଟ ବା ପରିଚାଳନା  ଇତ୍ୟାଦି କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିଥିବା ଏବଂ ୨୦ ବର୍ଷର ଅଭିଜ୍ଞତା ଥିବା ବ୍ୟକ୍ତିମାନଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯିବାର ନିୟମ ରହିଛି । ଏହି ଅମ୍ବୁସମ୍ୟାନଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ ଏବଂ ସରକାର ଚାହିଁଲେ ତାଙ୍କର କାର୍ଯ୍ୟକାଳ ଆଉ ଏକବର୍ଷ ପାଇଁ ବୃଦ୍ଧି କରାଇ ପାରିବେ । ଅମ୍ବୁସମ୍ୟାନ୍ ଏକ ସ୍ବାଧୀନ ଓ ନିରପେକ୍ଷ ବ୍ୟବସ୍ଥା ଭାବରେ କାମ କରିବା ସହିତ ଏନ୍.ଆର.ଇ.ଜି.ଏ ଯୋଜନାରେ ହେଉଥିବା ଦୁର୍ନୀତି ଏବଂ ଅନିୟମିତତା ସମ୍ପର୍କିତ ଅଭିଯୋଗର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଅଭିଯୋଗକାରୀ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ କରିବ । ଏହି ବ୍ୟବସ୍ଥା କରିବାର ଉଦ୍ଦେଶ୍ୟ ହେଉଛି ଏନ୍.ଆର.ଇ.ଜି.ଏ କାମରେ ହେଉଥିବା ବ୍ୟାପକ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ, କାମରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ରହିବ ଏବଂ ଅଭିଯୋଗକାରୀଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରାଯାଇପାରିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ୨୦୧୦ ମସିହାରେ ବିଭିନ୍ନ ଜିଲ୍ଲାରେ ଅମ୍ବୁସମ୍ୟାନ ଗଠନ କଲେ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତ ଅମ୍ବୁସମ୍ୟାନମାନଙ୍କ କାର୍ଯ୍ୟକାଳ ୨୦୧୨ ଏବଂ ୨୦୧୩ରେ ସରିଗଲା ପରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ଜିଲ୍ଲାରେ ନିଯୁକ୍ତି ଦେଇନାହାନ୍ତି । ଅମ୍ବୁସସମ୍ୟାନ୍ ମାନଙ୍କ ପାଇଁ ଅଫିସ୍ ବ୍ୟବସ୍ଥା ନ କରିବା, ଅଭିଯୋଗର ତଦନ୍ତ ପାଇଁ କ୍ଷେତ୍ର ପରିଦର୍ଶନର ସୁବିଧା ନ କରିବା, ଆବଶ୍ୟକ କର୍ମଚାରୀ ନ ଦେବା ଇତ୍ୟାଦି ଯୋଗୁଁ ସେମାନେ ସ୍ବାଧୀନ ଭାବେ କାମ କରିପାରି ନାହାନ୍ତି ଏବଂ ବସ୍ତୁତ ବିଭିନ୍ନ କ୍ଷେତ୍ରରେ ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ।   ଏହାର ଏକ ସ୍ବତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲାରେ । ଅବସରପ୍ରାପ୍ତ ପ୍ରଶାସକ ଏସ୍. ସଦାନନ୍ଦ ରାଓଙ୍କୁ ରାଜ୍ୟ ସରକାର ୨୦୧୩ ମସିହାରେ ଅମ୍ବୁସମ୍ୟାନ୍ ପଦବୀରେ ନିଯୁକ୍ତି ଦେଲେ । କିନ୍ତୁ ଶ୍ରୀ ରାଓଙ୍କୁ ସ୍ବାଧୀନ ଭାବେ କାମ କରିବା ପାଇଁ ଅଫିସ୍, କର୍ମଚାରୀ, ବୈଠକ ଫିସ୍, ତଦନ୍ତ ଓ କ୍ଷେତ୍ର ପରିଦର୍ଶନ ପାଇଁ ଯାତାୟତ ବ୍ୟବସ୍ଥା କରାଗଲା ନାହିଁ । ଜିଲ୍ଲାପାଳ ଏବଂ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅସହଯୋଗ ଯୋଗୁଁ ସ୍ବାଧୀନଭାବେ କାର୍ଯ୍ୟ କରିବାରେ ବିଫଳ ହେଲା ପରେ ଜୁନ୍ ୨୦୧୪ ମସିହାରେ ଶ୍ରୀ ରାଓ ନ୍ୟାୟ ପାଇବା ଅର୍ଥାତ୍ ତାଙ୍କୁ ଆବଶ୍ୟକ କର୍ମଚାରୀ, ବୈଠକ ଭତ୍ତା ଏବଂ ଯାତାୟାତ ଖର୍ଚ୍ଚ ଯୋଗାଇ ଦେବାକୁ ପ୍ରାର୍ଥନା କରି ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କଲେ । ମାନବାଧିକାର କମିଶନ ତାଙ୍କ ଅଭିଯୋଗକୁ ଗ୍ରହଣ କରି ମୁଖ୍ୟ ଶାସନ ସଚିବଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ । କିନ୍ତୁ ମୁଖ୍ୟ ଶାସନ ସଚିବ କୌଣସି ଉତ୍ତର ରଖିଲେ ନାହିଁ । ଇତି ମଧ୍ୟରେ ମାନବାଧିକାର କମିଶନ ଜବାବ ଦାଖଲ ପାଇଁ ଛଅଥର ଚିଠି କରିଥିଲେ ମଧ୍ୟ ମୁଖ୍ୟ ଶାସନ ସଚିବ କୌଣସି ଉତ୍ତର ଦେଇନାହାଁନ୍ତି । ଏହାପରେ ଲେଖକ ନିଜେ ଜାତୀୟ ମାନବାଧିକାର କମିଶନଙ୍କ ଉପଦେଷ୍ଟା ହୋଇଥିବାରୁ ଶ୍ରୀ ରାଓଙ୍କୁ ମାନବାଧିକାର ସୁରକ୍ଷା ଏବଂ ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ କମିଶନଙ୍କୁ ଜଣାଇଥିଲେ । କମିଶନ ମଧ୍ୟ ଏହାକୁ ଗ୍ରହଣ କରି ତା ୨୭.୧୧.୧୫ ରିଖରେ ୬ ସପ୍ତାହ ଅର୍ଥାତ୍ ଜାନୁୟାରୀ ୧୦, ୨୦୧୬ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ମୁଖ୍ୟ ଶାସନ ସଚିବ ତାଙ୍କର ଜବାବ ଦାଖଲ ଏପର୍ଯ୍ୟନ୍ତ କରିନାହାଁନ୍ତି । ଏପଟେ ଅମ୍ବୁସମ୍ୟାନ ଶ୍ରୀ ରାଓ ଗଂଜାମ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ଅସହଯୋଗ ଯୋଗୁଁ ଦୀର୍ଘ ଦୁଇବର୍ଷ ଧରି କୌଣସି କାମ ନ କରିପାରି ଅତ୍ୟନ୍ତ‘ ଦୁଃଖର ସହିତ ଗତ ଡ଼ିସେମ୍ବର ୨୦୧୫ରେ ଉକ୍ତ ପଦବୀରୁ ବିଦାୟ ନେଇଛନ୍ତି ।  ରାଜ୍ୟ ସରକାରଙ୍କ ତରଫରୁ ତାଙ୍କର କାର୍ଯ୍ୟକାଳ ସରିଲା ବୋଲି ଚିଠି ମଧ୍ୟ ଦିଆଗଲା ନାହିଁ । ଜିଲ୍ଲାପାଳଙ୍କ ମୌଖିକ ନିର୍ଦ୍ଦେଶରେ ଶ୍ରୀ ରାଓ ବିଭିନ୍ନ ବାବଦରେ ପାଇବାକୁ ଥିବା ଲକ୍ଷାଧିକ ଟଙ୍କା ନ ପାଇ ଉକ୍ତ ପଦବୀ ପରିତ୍ୟାଗ କରିଛନ୍ତି । ମନରେ ସ୍ବତଃ ପ୍ରଶ୍ନ ଉଠେ, ରାଜ୍ୟରେ ଅମ୍ବୁସମ୍ୟାନ ବ୍ୟବସ୍ଥାକୁ ଏପରି ଅକାମୀ କରି ରଖିବା ପଛରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ କ’ଣ ? ପୁଣି ଯେଉଁ କେତେ ଜଣ ସଚ୍ଚୋଟ ବ୍ୟକ୍ତି ଉକ୍ତ ପଦବୀରେ ନିଯୁକ୍ତି ପାଇଛନ୍ତି ପ୍ରଶାସନିକ ଅଧିକାରୀମାନଙ୍କୁ ଲଗାଇ ଏହି ଅମ୍ବୁସମ୍ୟାମାନଙ୍କୁ ଅପମାନିତ ଏବଂ ହଇରାଣ କରାଯାଉଛି କାହିଁକି? ଏହାର ଉତ୍ତର ଅତ୍ୟନ୍ତ  ସ୍ପଷ୍ଟ । ବର୍ତ୍ତମାନ ରାଜ୍ୟରେ ସମସ୍ତ ଆଇନକାନୁନ ଏବଂ ନୀତିନିୟମକୁ ଉଲଘଂନ କରି ଏନ୍.ଆର.ଇ.ଜି.ଏ କାମରେ ବ୍ୟାପକ ଅନିୟମିତତା ଏବଂ ହରିଲୁଟ୍ ଚାଲିଛି । ଆଇନ ବ୍ୟବସ୍ଥାର ବିରୋଧାଚରଣ କରି କାମରେ ଠିକାଦାର ନିଯୁକ୍ତି କରିବା, ମେସିନ୍ ଲଗାଇ କାମ କରିବା, ମାସ ମାସ ଧରି ଶ୍ରମିକମାନଙ୍କ ମଜୁରୀ ନଦେବା, ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା ଇତ୍ୟାଦି ନିତିଦିନିଆ ଘଟଣା ହୋଇଯାଇଛି । ଏହା ବିରୁଦ୍ଧରେ ଲୋକମାନେ ବି.ଡ଼ି.ଓ. ଓ ଜିଲ୍ଳାପାଳଙ୍କୁ ଅଭିଯୋଗ କଲେ ମଧ୍ୟ ମାସ ମାସ ଧରି ସେମାନେ ଅଭିଯୋଗର ତଦନ୍ତ କରନ୍ତି ନାହିଁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ । ଏହିସବୁ ଦୁର୍ନୀତି ଏବଂ ଅନିୟମିତତାକୁ ରୋକିବା ପାଇଁ ହିଁ ଅମ୍ବୁସମ୍ୟାନ୍ ବ୍ୟବସ୍ଥା କରାଯାଇଥିଲା । ଅମ୍ବୁସମ୍ୟାନ୍ ବ୍ୟବସ୍ଥା ଏକ ସ୍ବାଧୀନ ସଂସ୍ଥା ହୋଇଥିବାରୁ ଲୋକମାନେ ନ୍ୟାୟ ପାଇବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଅମ୍ବୁସମ୍ୟାନ୍ ପଦବୀରେ ନିଯୁକ୍ତ ଶ୍ରୀ ରାଓଙ୍କ କହିବା ଅନୁଯାୟୀ ଗଂଜାମ ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ଏନ୍.ଆର.ଇ.ଜି.ଏ. କାମରେ ବ୍ୟାପକ ଦୁର୍ନୀତି ହେଉଛି । ତେଣୁ ଏହି ଦୁର୍ନୀତିକୁ ଚାପିଦେଇ ପ୍ରଶାସନିକ ଅଧିକାରୀମାନେ ମିଥ୍ୟା ତଥ୍ୟ ଦେଇ ଏନ୍.ଆର.ଇ.ଜି.ଏ. କାମ୍ ଠିକ୍ ଚାଲିଛି ବୋଲି କହି ପୁରସ୍କାର ପାଇଛନ୍ତି । ତେଣୁ ଦୁର୍ନୀତିକୁ ଚାପି ଦେବା ପାଇଁ ଚକ୍ରାନ୍ତ କରି ଅମ୍ବୁସମ୍ୟାନ ବ୍ୟବସ୍ଥାକୁ ସ୍ଥାଣୁ କରି ରଖାଯାଇଛି ବୋଲି କୁହାଯାଇପାରେ । ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ପ୍ରଶାସନିକ ଚଞ୍ଚକତା କରାଯାଇ ମିଥ୍ୟା ପ୍ରଚାର କରି ସବୁ ଠିକଠାକ ଚାଲିଛି ବୋଲି ଗଣମାଧ୍ୟମରେ ପ୍ରଚାର ଚାଲିଛି । ଏହିପରି ଭାବେ ରାଜ୍ୟରେ ଅଭିଯୋଗ ମିମାଂସା ବ୍ୟବସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି । ତେଣୁ ରାଜ୍ୟରେ ସମସ୍ତ ସ୍ତରରେ ଏକ ସ୍ବାଧୀନ ଓ ନିରପେକ୍ଷ ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ରହିବା ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜନସାଧାରଣଙ୍କର ଅଭିଯୋଗର ଶୁଣାଣୀ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣର ବ୍ୟବସ୍ଥା ରହିବା ଅତ୍ୟନ୍ତ‘ ଜରୁରୀ । ଏହିସବୁ ପଦବୀଗୁଡ଼ିକରେ ସ୍ବଚ୍ଛତା ଅବଲମ୍ବନ କରି ନିଷ୍ଠାବାନ ଏବଂ ଅଭିଜ୍ଞସମ୍ପନ୍ନ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ଆବଶ୍ୟକ । ଏହିସବୁ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବ୍ୟାପକ ଜନଆନ୍ଦୋଳନର ଆବଶ୍ୟକତା ରହିଛି । ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ

Share :