ନବୀନଙ୍କ ବିଭାଗରେ ସର୍ବାଧିକ ଦୁର୍ନୀତି !

ନବୀନଙ୍କ ବିଭାଗରେ ସର୍ବାଧିକ ଦୁର୍ନୀତି !

Share :

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଥିବା ଭିଜିଲାନ୍ସ ସେଲ୍‌ ଅକାମୀ ହୋଇ ପଡ଼ିଛି। ଫଳରେ କନିଷ୍ଠ ଯନ୍ତୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଯନ୍ତ୍ରୀମାନେ ଦୁର୍ନୀତିରେ ବୁଡ଼ି ରହୁଛନ୍ତି। ବିଭିନ୍ନ ଠିକାଦାରୀ କାମରେ ଯନ୍ତ୍ରୀମାନେ ମିଳିମିଶି ପିସି(ପର୍ସେଣ୍ଟେଜ୍‌ ଭାଗ) ନେଉଛନ୍ତି। ଯେଉଁ କାରଣରୁ ଯନ୍ତ୍ରୀମାନେ ଲାଞ୍ଚୁଆ ହୋଇଯାଇଛନ୍ତି। ଫଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବା କାମରେ ଶତ ପ୍ରତିଶତ ଟଙ୍କା ଖର୍ଚ ହେଉ ନାହିଁ। ନିମ୍ନମାନର କାମ ହେଉଛି। ତେଣୁ ଯନ୍ତ୍ରୀମାନେ ନେଉଥିବା ଏଭଳି ପିସି କାରବାରକୁ ବନ୍ଦ କରିବାକୁ ଉଦ୍ୟମ କରାଯିବ। ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ନେଇ ଭିଜିଲାନ୍ସ ପକ୍ଷରୁ ଚିଠି କରାଯିବ। ଗଣମାଧ୍ୟମକୁଏଭଳି ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ଗଣମାଧ୍ୟମକୁ ସେ ନକହି ନକହି ଯାହା କହିଛନ୍ତି ତାହା ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦକ୍ଷିତା ଓ ସ୍ବଚ୍ଛତା ନେଇ ସନ୍ଦେହ ସୃଷ୍ଟି କରିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ହାତରେ ଜଳସଂପଦ ଓ ପୂର୍ତ୍ତ ବିଭାଗ ରଖିଛନ୍ତି | ଏହି ଦୁଇଟି ବିଭାଗରେ ସର୍ବାଧିକ ଯନ୍ତ୍ରୀ କାର୍ଯ୍ୟ କରନ୍ତି ଓ ସର୍ବାଧିକ ଠିକା କାମ ହୋଇଥାଏ | ଏହି ବିଭାଗର ଯନ୍ତ୍ରୀମାନେ ହିଁ ଦୁର୍ନୀତି ଅଭିଯୋଗରେ ବେଶି ଧରାପଡ଼ୁଛନ୍ତି | ଏହାର ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ସବୁଠୁ ଅଧିକ ଦୁର୍ନୀତି ହେଉଛି | ଏହା ନିୟନ୍ତ୍ରଣ କରିବାକୁ ତାଙ୍କର ଦକ୍ଷତା ନାହିଁ | କିମ୍ବା ସେ ନିଜେ ଦୁର୍ନୀତି କରିବାକୁ ଏହି ଯନ୍ତ୍ରୀମାନଙ୍କୁ ଉତ୍ସାହିତ କରୁଥିବେ ଓ ସେମାନଙ୍କ ଜରିଆରେ ଠିକା କାମରୁ କୋଟିକୋଟି ଟଙ୍କାର ଚାନ୍ଦା ଉଠାଉଥିବେ | କାମ ସରିଗଲେ ଭିଜିଲାନ୍ସ ଜରିଆରେ ଯନ୍ତ୍ରୀଙ୍କୁ ବଦନାମ କରି ନିଜର ଭାବମୂର୍ତ୍ତି ସଜାଡ଼ି ନେଉଥିବେ | ଯାନ୍ତ୍ରିକ ବିଭାଗ ଅଧୀନରେ ହେଉଥିବା ଦୁର୍ନୀତି ପ୍ରସଙ୍ଗରେ ଗଭୀର ଉଦ୍‌ବେଗ ପ୍ରକାଶ କରି ଶ୍ରୀ ଶର୍ମା କହିଛନ୍ତି, ଯନ୍ତ୍ରୀମାନଙ୍କ ବିରୋଧରେ ଗଦାଗଦା ଅଭିଯୋଗ ଭିଜିଲାନ୍ସର ବିଭିନ୍ନ କାର୍ଯ୍ୟାଳୟରେ ପଡ଼ି ରହିଛି। ସେହି ସବୁ ଫାଇଲ୍‌ ଏବେ ଖୋଲା ଯାଉଛି। ଯେଉଁ ଯନ୍ତ୍ରୀମାନଙ୍କ ନାମରେ ଅଭିଯୋଗ ଆସିଛି, ସେସବୁର ତର୍ଜମା କରାଯାଉଛି। ବିଭିନ୍ନ ବିଭାଗର ଯନ୍ତ୍ରୀମାନଙ୍କର ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରାଯାଇଛି। ଅତ୍ୟନ୍ତ ଗୋପନରେ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଉଛି। କେତେ ବର୍ଷ ଧରି ସେମାନେ ଚାକିରି କଲେଣି? କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ? ସେସବୁର ହିସାବ ନିକାଶ କରାଯାଉଛି। ପରେ ସେମାନଙ୍କ ଉପରେ ଚଢ଼ାଉ କରାଯିବ। ଏହାଛଡ଼ା ଏକାଧିକ ଯନ୍ତ୍ରୀ ସେମାନଙ୍କ ତଳିଆ କର୍ମଚାରୀମାନଙ୍କ ମାଧ୍ୟମରେ ଲାଞ୍ଚ ମାଗୁଥିବା ଭିଜିଲାନ୍ସ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ଭିଜିଲାନ୍ସ ଡିଜି ଭାବେ ଯୋଗ ଦେବା ପରେ ଶ୍ରୀ ଶର୍ମା ଯନ୍ତ୍ରୀମାନଙ୍କ ବିରୋଧରେ ନିଜର ଆଭିମୁଖ୍ୟ କଡ଼ା କରିଛନ୍ତି। ପ୍ରାୟ ସପ୍ତାହେ ହେଲା ଭିଜିଲାନ୍ସ ଅପରେସନ୍‌ ଆରମ୍ଭ ହୋଇଯାଇଛି। ଗତ ସପ୍ତାହେ ମଧ୍ୟରେ ବଲାଙ୍ଗୀର ଦେଓଗାଁ ବ୍ଲକ୍‌ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ, ବିଶୋଇ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ରମେଶଚନ୍ଦ୍ର ମହାନ୍ତି, ବାଲୁଗାଁ ଏନ୍‌ଏସି କନିଷ୍ଠ କିରାଣି ବିପ୍ଳବ ରଂଜନ ସ୍ଵାଇଁ ଓ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ସାରିଛି। ପ୍ରତ୍ୟେକ ଯନ୍ତ୍ରୀଙ୍କର ଅଧକୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାହୋଇଛି। ପୁଳାପୁଳା ସୁନାରୁପା ଗହଣା, ବ୍ୟାଙ୍କ୍‌ରେ ଲକ୍ଷାଧିକ ଟଙ୍କାର ଜମା, ବିଭିନ୍ନ ସ୍ଥାନରେ ଜମି, ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ସହରରେ ଘର, ଫାର୍ମହାଉସ୍‌, ଦାମୀ କାର୍‌ ଠାବ ହେଉଛି। ଆଗାମୀ ଦିନରେ ଅଭିଯୋଗ ଥିବା ଯନ୍ତ୍ର୍ରୀମାନଙ୍କ ବିରୋଧରେ ଏଭଳି ଚଢ଼ାଉକୁ ଅଧିକ ଜୋରଦାର କରାଯିବ। ଏହା ସହିତ ଯନ୍ତ୍ରୀମାନଙ୍କ ବିରୋଧରେ ଏକ ଗୁପ୍ତ ରିପୋର୍ଟ ବିଭାଗୀୟ ମୁଖ୍ୟ, ବିଭାଗୀୟ ସଚିବ, ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ। ଭିଜିଲାନ୍ସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ ବିଭିନ୍ନ ବିଭାଗରେ ଯନ୍ତ୍ରୀମାନେ ପାଖାପାଖି ୨୦ରୁ ୩୦ ପ୍ରତିଶତ ପିସି ନେଉଛନ୍ତି। ଏହାଛଡ଼ା ଠିକାଦାରମାନେ ବିଲ୍‌ ପାଇବା ଲାଗି ଦପ୍ତରରେ ତଳିଆ କର୍ମଚାରୀମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାକୁ ପଡୁଛି। ଯାହା ଫଳରେ ନିର୍ଧାରିତ ହୋଇଥିବା ଟଙ୍କା ଶତ ପ୍ରତିଶତ କାମରେ ଲାଗୁ ନାହିଁ। ନିମ୍ନମାନର କାମ ହେଉଛି। କିଛି ବର୍ଷ ନଯାଉଣୁ, ବିଭିନ୍ନ ଆଳ ଦେଖାଇ ପୁଣି ଥରେ ସେହି କାମ ପାଇଁ ଟେଣ୍ଡର କରାଯାଉଛି। କିଛି କାମର ଗୁପ୍ତ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଛି। ଖୁବ୍‌ ଶୀଘ୍ର ଆଉ କିଛି ଯନ୍ତ୍ରୀଙ୍କୁ ଭିଜିଲାନ୍ସ କାବୁ କରାଯିବ ।

Share :