କଟକର ଘଟଣା, ପୁରୀ ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ !

କଟକର ଘଟଣା, ପୁରୀ ଏସପିଙ୍କୁ ତଦନ୍ତ ନିର୍ଦ୍ଦେଶ !

Share :

  ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଆଶାରେ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥାନ୍ତି | ପୁଣି ଇ-ଅଭିଯୋଗ ବ୍ୟବସ୍ଥା ହେବା ପରେ ଅଭିଯୋଗ ଉପରେ ତ୍ବରିତ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଉଥିଲା | କିନ୍ତୁ ରାଜ୍ୟରେ ତାହା ପରିଲକ୍ଷିତ ହେଉନାହିଁ | ବଂର ସମସ୍ୟା ସମାଧାନ କରିବାକୁ ଥିବା ଉପଯୁକ୍ତ ଅଧିକାରୀଙ୍କ ନିକଟକୁ ନିର୍ଦ୍ଦେଶନାମା ପଠାଇବା ପରିବର୍ତେ ବିଭାଗୀୟ ଅଧିକାରୀମାନେ ଭୁଲ୍ ଅଧିକାରୀଙ୍କ ନିକଟକୁ ଚିଠି ପଠାଇ ମାମଲାର ଅବଧିକୁ ବଢାଇଚାଲୁଛନ୍ତି | ନିକଟରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି | ୨୦୧୪ ଜାନୁୟାରୀରେ ଜଣେ ସାମ୍ବାଦିକଙ୍କୁ ଗିରଫ ଘଟଣାକୁ ବେଆଇନ ବୋଲି ଦର୍ଶାଇ ମାନବାଧିକାର କର୍ମୀ ଅଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇ-ଅଭିଯୋଗ କରିଥିଲେ | ଅଖଣ୍ଡଙ୍କ ପିଟିସନ୍ର ବିଚାର ପାଇଁ ଗୃହ ବିଭାଗ ସଚିବଙ୍କୁ ପଠାଗଲା | ଏହା ଭିତରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ବି ଅଭିଯୋଗ ଉପରେ କି ପଦକ୍ଷେପ ନିଆଯାଇଛି, ଜଣାପଡିଲା ନାହିଁ | ଅଭିଯୋଗ ଇଂଟରନେଟ୍ ପୋର୍ଟାଲ୍ ରେ ମଧ୍ୟ କୌଣସି ଅଧିକ ତଥ୍ୟ ମିଳିଲା ନାହିଁ | ତେବେ ଗତ ୮ ତାରିଖ ଦିନ ପୁଲିସ୍ ମୁଖ୍ୟାଳୟରୁ ପୁରୀ ଏସପିଙ୍କ ନିକଟକୁ ପଠାଯାଇଥିବା ଏକ ଚିଠିର ନକଲ ତାଙ୍କ ପାଖରେ ପହଁଚିଛି | ଏଥିରେ ପୁଲିସ୍ ମୁଖ୍ୟାଳୟର ଅତିରିକ୍ତ ଆଇଜିଙ୍କ ନିର୍ଦ୍ଦେଶନାମା ରହିଛି | ଆବେଦନକାରୀଙ୍କ ପିଟିସନ ଉପରେ ତଦନ୍ତ କରି ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୁରୀ ଏସ୍.ପି.ଙ୍କୁ କୁହାଯାଇଛି | କାର୍ଯ୍ୟାନୁଷ୍ଠାନ ପରେ ଯେତେ ଶୀଘ୍ର ସମ୍ଭବ ଆବେଦନକାରୀ ଓ ଗୃହ ବିଭାଗକୁ ଜଣାଇବା ଲାଗି ମଧ୍ୟ ଏହି ଚିଠିରେ ଏସ୍.ପି.ଙ୍କୁ କୁହାଯାଇଛି | କଟକରେ ହୋଇଥିବା ଘଟଣାର ତଦନ୍ତ ପୁରୀ ଏସ୍.ପି. କରିବେ କିପରି ? ଏଥିରୁ ସ୍ପଷ୍ଟ ଜଣାପଡୁଛି, ଦୁଇ ବର୍ଷ ଭିତରେ ଆବେଦନକାରୀଙ୍କ ପିଟିସନକୁ କେହି ଭଲ ଭାବେ ପଢିନାହାନ୍ତି | ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଲା ଗୃହ ବିଭାଗ ସଚିବଙ୍କ ନିକଟକୁ | ପୁଣି ସେଠାରୁ ପିଟିସନଟି ଆସିଲା କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟକୁ | ସେଠାରେ ଏହାର ତର୍ଜମା କରାଯିବା କଥା | କିନ୍ତୁ ଜଣେ ଅତିରିକ୍ତ ଆଇଜି ପାହ୍ୟା ଅଧିକାରୀଙ୍କ ଜରିଆରେ ଏହା ପୁରୀ ଏସ୍.ପି.ଙ୍କ ନିକଟକୁ ପଠାଗଲା | ଏହାର ଏକ କପି କେନ୍ଦ୍ରୀୟ ରେଂଜ୍ ପୁଲିସ୍ ଆଇ.ଜିଙ୍କ ନିକଟକୁ ମଧ୍ୟ ପଠାଯାଇଛି | ପୁରୀ ଏସ୍.ପି. ଯେପରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତାହା ସୁନିଶ୍ଚିତ କରିବା ଲାଗି ତାଙ୍କୁ କହାଯାଇଛି | ଦୁଇ ବର୍ଷ ବିତିଗଲା ପରେ ବି ସମସ୍ୟାର ସମାଧାନ କଥା ଛାଡ, ଏହାକୁ ଆହୁରି ଲମ୍ବାଇବାକୁ ଚେଷ୍ଟା କରୁଛନ୍ତି | ଅଧିକାରୀ ସମୂହ ଓ ବ୍ୟବସ୍ଥା | ତେଣୁ ଇ-ଅଭିଯୋଗ କେବଳ ପୋଷ୍ଟ ଅଫିସ୍ ଭଳି କାମ କରୁଛି ବୋଲି ଅନେକ ଅଭିଯୋଗ କରନ୍ତି |

Share :