ଚିଲିକାର ଶିଶୁମାର ସୁରକ୍ଷା ଜରୁରୀ

ଚିଲିକାର ଶିଶୁମାର ସୁରକ୍ଷା ଜରୁରୀ

Share :

ସସ୍ମିତା ଲେଙ୍କା ଅତିରିକ୍ତ କାର୍ଯ୍ୟନିର୍ବାହୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ   ଚିଲିକା ଓଡିଶାର ଅମୂଲ୍ୟ ବିଭବ | ଏସିଆ ଭୂଖଣ୍ଡର ଶ୍ରେଷ୍ଟ ‘ଲବଣାକ୍ତ ହ୍ରଦ‘ | କବିବର  ରାଧାନାଥ ଚିଲିକା ହ୍ରଦକୁ ଉତ୍କଳ ଲକ୍ଷ୍ମୀଙ୍କର ରମଣୀୟ ପୁଷ୍କରଣୀ ବୋଲି ଦର୍ଶାଇଛନ୍ତି | ଉନ୍ନବିଂଶ ଶତାଦ୍ଦୀରେ ରଚିତ ଏହି କବିଙ୍କର ଚିଲିକାର ଦୃଶ୍ୟ ନୈତିକ ଅନୁଭବ୍ୟ ବୋଲି କବି ବର୍ଣ୍ଣନା କରିଛନ୍ତି |  ଚିଲିକାର ଦୃଶ୍ୟ ଭାବକୁ ଭାଷାରେ ରୂପ ଦେବା କେବଳ କଠିନ ନୁହେଁ ବରଂ ଅସମ୍ଭବ ବୋଲି ସେ ମତ ଦେଇଛନ୍ତି | ସମୟକ୍ରମେ ଚିଲିକାର ସ୍ବରୂପରେ ପରିବର୍ତନ ହୋଇଛି | ପୂରୀ, ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ସୀମା ସରହଦ ମଧ୍ୟରେ ଥିବା ସର୍ବାଧିକ ୧୧୬୫ ବର୍ଗ କିଲୋମିଟର ବ୍ୟାପ୍ତ ଏହି ହ୍ରଦ ସମୁଦ୍ର ସହ ସଂଲଗ୍ନ | ପୂର୍ବେ ପ୍ରାକୃତିକ ଅରଖକୁଦା ମୁହାଣ କ୍ରମେ ପୋତି ହୋଇ ଆସିବାରୁ ସରକାରୀ ଉଦ୍ୟମରେ ଚିଲିକା ଉନ୍ନୟନ କର୍ତୁପକ୍ଷଙ୍କ ଦ୍ବାରା ଶିପକୁଦା ଠାରେ ଏକ କୃତ୍ରିମ ମୁହାଣ ସୃଷ୍ଟି କରାଯାଇଛି | ସମଗ୍ର ଚିଲିକାର ଉନ୍ନତି ଲକ୍ଷ୍ୟରେ ଖୋଳାଯାଇଥିବା ଏହି ନୁଆ ମୁହାଣ ଏବେ ତା ସାମନାରେ ଥିବା ସିପକୁଦା ଓ ଗବକୁଣ୍ଡ ଗାଁ ପାଇଁ ବିପଦର ଆଶଙ୍କା ସୃଷ୍ଟି କରିଛି | ଏହି ହ୍ରଦ ଭିତରେ ମୋଟ ୨୨୩ ବର୍ଗ କିଲୋମିଟର ପରିବ୍ୟାପ୍ତ ଦ୍ବୀପାଂଚଳରେ ମୋଟରେ ୧୩୨ଟି ଧୀବର ଗ୍ରାମ ଅଛି | ଏବେ ପ୍ରାୟ ସବୁ ଦ୍ବୀପ ମଧ୍ୟରେ ଗମନାଗମନ ସମ୍ଭବ ହୋଇପାରିଛି | ଚିଲିକା ନିଶ୍ଚିତ ରୂପେ ଏକ ମନୋରମ ଦର୍ଶନୀୟ ସ୍ଥାନ | ଏହାର ଜୈବବିବିଧତା ପୃଥିବୀ  ପ୍ରସିଦ୍ଧ | ଆଗେ  ଚିଲିକାର ନଳବଣ ବିଦେଶୀ ପକ୍ଷୀଙ୍କର କାକଳୀରେ ପୂର୍ଣ୍ଣ ହେବା ସହ ଦେଶୀ  ବିଦେଶୀ ଦର୍ଶକଙ୍କ ଭିଡ, ଶୀତ ଋତୁରେ ଦେଶ ପାଇଁ ବୈଦେଶିକ ମୁଦ୍ରା ଓ ସ୍ଥାନୀୟ ଲୋକଙ୍କ ପାଇଁ ସୁଗମ ଅର୍ଥଲାଭ ପନ୍ଥା ରୂପେ ଗୃହୀତ ହେଉଥିଲା | ଏବେ କିନ୍ତୁ ଚିଲିକା ବର୍ଷକ ବାର ମାସ ଡଲଫିନ୍ ପାଇଁ ପିସିଦ୍ଧି ଅର୍ଜନ କରିଛି | ରାଜ୍ୟ ବାହାରର ଦର୍ଶକମାନଙ୍କୁ  ଆକର୍ଷଣ କରିବା ପାଇଁ ଆମର ଦିଗଦର୍ଶକମାନେ ଆଉ ସମ୍ପୂର୍ଣ୍ଣ ଚିଲିକା କଥା ବଖାଣିବା ଦରକାର ହେଲାନାହିଁ | କେବଳ ଡଲଫିନ୍ ଦେଖିବାର ଲୋଭରେ ହିଁ ଅଧିକାଂଶ ଦର୍ଶକ ଚିଲିକା ମୁହାଁ  ହେଉଛନ୍ତି | ସୁଖର କଥା ଯେ ଏହି ଡଲଫିନମାନେ ଚିଲିକାର ଏକ ନିର୍ଦ୍ଦିଷ୍ଟ ଅଂଚଳରେ (ସାତପଡା ନିକଟବର୍ତୀ ଅଂଚଳ) ଅଧିକ ଦେଖାଯାଉଛନ୍ତି | ବିଶ୍ବପ୍ରସିଦ୍ଧ ପୁରୀ ବେଳାଭୂମୀ ନିକଟବର୍ତୀ ହୋଇଥିବାରୁ, ଏବେ ସାତପଡାର ଡଲଫିନ୍ ହିଁ ପ୍ରଧାନ ଆକର୍ଷଣ ଭାବେ ସବୁ ବର୍ଗର ପରିଦର୍ଶକଙ୍କୁ ଆକର୍ଷିତ କରି ପାରୁଛି | ପୂର୍ବେ, ପ୍ରାୟ ତିରିଶ ବର୍ଷ ତଳେ ଚିଲିକା ଦର୍ଶନାର୍ଥୀ, ଗମନାଗମନ ଓ  ରହିବା ଇତ୍ୟାଦି ସୁବିଧା ପାଇଁ ବାଲୁଗାଁ କିମ୍ବା ରମ୍ଭା ପଟୁ ଚିଲିକା ଦେଖୁଥିଲେ | ଏବେ  ଡଲଫିନ୍ ଯୋଗୁ ସାତପଡା ଯାଉଛନ୍ତି | ସାତପଡାକୁ ଭଲ ରାସ୍ତା  ଓ ଉନ୍ନତ ମାନର ଯାତ୍ରୀ  ନିବାସ ହୋଇଯିବା  ଫଳରେ ଯାତ୍ରୀ ଅତିଥିଙ୍କ ସଂଖ୍ୟା ଆଶାତୀତଭାବେ ବୃଦ୍ଧି ପାଇଛି |   ୧୯୬୪ରେ ପ୍ରକାଶିତ ବିଶ୍ବନାଥ ଅଭିଧାନ କୁହେ ‘ଡଲଫିନ୍‘ ହେଉଛି ଶିଶୁ ପରି ମାଛଟିଏ | ଏହି ମାଛଟି  ସ୍ତନ୍ୟପାୟୀ, ଚାରି ବା ପାଂଚ ଫୁଟ ବା ତଦୁର୍ଦ୍ଧ୍ବ ଲମ୍ବ, ସୁଦୃଶ୍ୟ, ମୁହଁ ଗୋଲିଆ | ରାଧାନାଥ ରାୟ ଚିଲିକାର ବର୍ଣ୍ଣନା କରିଥିବା ’ଶିଶୁମାର’ ମାଛ ହିଁ ଡଲଫିନ୍ | ସ୍ଥାନୀୟଭାବେ  କେତେକ ତାହାକୁ ‘ଭୂଆସୁଣୀ‘ ବୋଲି  କହିଥାଆନ୍ତି | ଏହା ଏକ  ସ୍ତନ୍ୟପାୟୀ ପ୍ରାଣୀ  ହୋଇଥିବାରୁ  ବୋଧହୁଏ ମଣିଷ ପ୍ରତି ଏହାର ଆକର୍ଷଣ ଅଛି | ମଣିଷ ମଧ୍ୟ ଏହା ମଧ୍ୟରେ ମଣିଷତ୍ବର ଗନ୍ଧ ପାଇ ଏହାକୁ  ଶିଶୁଭଳି, ଯୁବତୀ (ଭୂଆସୁଣୀ) ଭଳି ଭାବି ଆସିଛି | ଏହି ମାଛର ମଣିଷ ପ୍ରତି ଦରଦୀ ଭାବକୁ ନେଇ ଚିଲିକା  ମଝିରେ କେବଳ ନୁହେଁ କୂଳବର୍ତୀ ଗ୍ରାମମାନଙ୍କରେ ମଧ୍ୟ ଅନେକ ଲୋକକଥା ରହିଛି | ପଥିକ ପାଇଁ ହାତି ବା ବଳିଆ କୁକୁର ଯେମିତି ଦେବଦୂତ ଭଳି ସହାୟତା ଦେଇ ଥାଆନ୍ତି, ଶିଶୁମାର ବା ଡଲଫିନ୍ ସେମିତି ଚିଲିକା ମଧ୍ୟରେ ପଥଭ୍ରଷ୍ଟ ନାବିକକୁ ଅବେଳରେ ସହାୟତା ଦେଇଥାନ୍ତି | ପ୍ରାୟ ୧୯୧୫ରେ ପ୍ରଥମ ଥର ପାଇଁ ଇରାବାଡ଼ି ଡଲଫିନ୍ ଚିଲିକା ମଧ୍ୟରେ ଦୃଶ୍ୟମାନ ହୋଇଥିଲା | ମାତ୍ର ଆନୁଷ୍ଠାନିକ ରୂପେ ୨୦୦୨ ରେ ୯୮ଟି ଡଲଫିନ୍ ଗଣନା କରାଯାଇଥିଲା ଏବଂ ପରବର୍ତୀ ସମୟର ଗଣନାରୁ ଜଣାପଡିଲା ଯେ ଏହା କ୍ରମସଃ ବୃଦ୍ଧିପାଇ ୨୦୦୬ରେ ୧୩୧, ୨୦୦୭ରେ ୧୩୫  ଏବଂ ୨୦୦୮ରେ ୧୩୮ରେ ପହଂଚିଥିଲା | ଡଲଫିନ୍ ମାଛ ପ୍ରବଳ ବେଗରେ ପହଁରି ପାରେ | ଉପରକୁ ମୁହଁ କରି କୁଦା ମାରି ପାରେ | ପାଣି ଉପରେ ଡେଉଁଥିବା ଚିକ୍କଣ ଓ ସୁନ୍ଦର ପିଠିରେ ଡଲଫିନ୍ ଦେଖିବା ପାଇଁ ଦର୍ଶକମାନଙ୍କ ମଧ୍ୟରେ ଅତ୍ୟଧିକ ଲୋଭ ଦେଖାଦେବା ସ୍ବାଭାବିକ | ସ୍ଥାନୀୟ ନାବିକମାନେ ମଧ୍ୟ ପରିଦର୍ଶକମାନଙ୍କୁ  ଆନନ୍ଦ ଦେବା ପାଇଁ ମଟର ଲଗା ଡଙ୍ଗାରେ ଡଲଫିନ୍ ଅନୁଧାବନ କରନ୍ତି | ତେବେ ଦର୍ଶକମାନଙ୍କ ପାଇଁ ଯାହା ଖେଳ ଡଲଫିନ୍ଙ୍କ ପାଇଁ ତାହା କାଳ ବା ବିପଦ ଭାବରେ ଦେଖା ଦେଇଛି | ଫଳତଃ ନିମ୍ନ ପ୍ରକାର ଅସୁବିଧାରେ ଡଲଫିନମାନେ କାଳ କାଟିବାକୁ ବାଧ୍ୟ ହେଉଛନ୍ତି |   ୧. ଅଧିକ ଦର୍ଶକ ଯୋଗୁଁ ସେମାନଙ୍କ ଶାନ୍ତି ବ୍ୟାହତ ହେଉଛି | ୨ .ଅତ୍ୟଧିକ ମଟର ଡଙ୍ଗା ଚାଲୁଥିବାରୁ ଶଦ୍ଦ ପ୍ରଦୂଷଣ ହେଉଛି | ୩. ଡଙ୍ଗାର ଚକ୍ରି, ମଂଗ ଓ ଲଙ୍ଗର ଦ୍ବାରା ସେମାନେ ଆଘାତଗ୍ରସ୍ତ ହେଉଛନ୍ତି | ୪. ଦର୍ଶକଙ୍କ ଦ୍ବାରା ବର୍ଜ୍ୟ ପଲିଥିନ୍ ଇତ୍ୟାଦି କେବଳ ଚିଲିକା ପାଣିକୁ ନୁହେଁ ବରଂ  ଡଲଫିନ୍  ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି | ଏତଦ୍ ବ୍ୟତୀତ- ୧. ଚିଲାକା ମଧ୍ୟରେ ହୋଟେଲ ନିର୍ମାଣ ପାଇଁ ଜଳକୁ ସ୍ଥଳ ଭାଗରେ ପରିଣତ କରିବା ଦ୍ବାରା ଜଳଭାଗ କମ୍ ହୋଇ ଯାଉଛି ଅର୍ଥାତ୍ ଡଲଫିନ୍  ଭାଗରେ ଥିବା ଜଳଭାଗ ବା ତା ବଂଚିବା  ଅଂଚଳର ସୀମା କମି ଯାଉଛି | ୨. ଚିଙ୍ଗୁଡିଘେରୀ  ଚିଲିକା ପାଇଁ ସବୁଠାରୁ ବିପଦ | ଯଦି କେବେ ଚିଲିକା ନଷ୍ଟଭ୍ରଷ୍ଟ ହୋଇଯାଏ  ତେବେ ତାହାର ମୁଖ୍ୟ କାରଣ ହେବ  ଲୋଭୀ ମଣିଷର ଚିଙ୍ଗୁଡି ଘେରୀ | ଚିଙ୍ଗୁଡି ଘେରି ଯୋଗୁଁ ଡଲଫିନ ସ୍ଥାନ କେବଳ ସଂକୁଚିତ ହୋଇନାହିଁ ବରଂ ତା’ର ସ୍ବାଧୀନ ବିବରଣରେ ବାଧା ପଂହଚିଛି | ଭଲରେ ଖେଳିବୁଲି ନ ପାରିଲେ ସେ କି ’ଶିଶୁ’ କି ’ଯୁବତୀ’ ? ଡଲଫିନ୍  ନିକଟରେ ’ଶିଶୁର’ ଚଂଚଳତା  ଓ ’ଯୁବତୀ’ ର ରମଣୀୟତା ଦେଖିବା ପାଇଁ ଚାହୁଁଥିବା ଆମେ ମଣିଷମାନେ ସେମାନଙ୍କ ସୁଖ ସ୍ବାଚ୍ଛନ୍ଦ୍ୟ ପ୍ରତି ନଜର ଦେବାକୁ ହେବ | ସେମାନଙ୍କର ବଂଚି ରହିବାର ଅଧିକାର ନ ରହିଲେ ଆମମାନଙ୍କର ଆନନ୍ଦ ପାଇବା ବ୍ୟାହତ ହେବ | ଦର୍ଶକ କେବଳ ଆନନ୍ଦ ପାଇବେ ନାହିଁ, ତାହା ନୁହେଁ, ପରିଦର୍ଶକଙ୍କୁ ଆଧାର କରି ଜୀବନ ଜିଉଁଥିବା ସ୍ଥାନୀୟ ଜନସାଧାରଣ ମଧ୍ୟ କ୍ଷତିଗ୍ରସ୍ତ ହେବେ | ସେଥିପାଇଁ  ଦାୟିତ୍ବ କେବଳ ସରକାର ବା ସରକାରୀ କଳ ହାତରେ ଛାଡିଦେଲେ ହେବନାହିଁ |  ଆମକୁ ହିଁ ସତର୍କ ହେବାକୁ ହେବ | ଆମ ଜୀବନ ଜୀବିକା ସହ ଜଡିତ ଥିବାରୁ ଡଲଫିନ୍କୁ ବଂଚାଇ ରଖିବା ଦାୟିତ୍ବ ଆମର | ନିମ୍ନ ପ୍ରସ୍ତାବ ଗୁଡିକ ପ୍ରତି ଦୃଷ୍ଟି ଦେଇ କାର୍ଯକଲେ ଆମ ଡଲଫିନ ସୁରକ୍ଷିତ ରହିପାରିବେ | ୧. ଡଲଫିନ  ବାସ କରୁଥିବା ଅଂଚଳକୁ ଚିହ୍ନିତ କରି ସଂରକ୍ଷିତ କରାଯାଇପାରିବ | ୨. ଦୈନିକ ଯାତ୍ରୀ ସଂଖ୍ୟାକୁ  ସିମୀତ ରଖାଗଲେ ଭଲ, ଏହା ଏକ କଷ୍ଟକର କାମ କିନ୍ତୁ ଅସମ୍ଭବ ନୁହେଁ | ୩. ଡଲଫିନ୍ ପାଇଁ ସଂରକ୍ଷିତ ଅଂଚଳରେ କାତ ବା ଆହୁଲା ଚାଳିତ ଡଙ୍ଗା ବ୍ୟବହାର କରାଯାଉ | କୈାଣସି ପରିସ୍ଥିତିରେ ମଟର ଚାଳିତ ଡଙ୍ଗା ବ୍ୟବହାର ହେବା ଅନୁଚିତ୍ | ୪. ଦର୍ଶକମାନେ ବ୍ୟବହାର କରୁଥିବା ଅପଚ୍ୟ ବର୍ଜ୍ୟବସ୍ତୁ ଯେପରି ଚିଲିକା ପାଣି ବା କୂଳରେ ନ ପଡେ ତାହା ନିଶ୍ଚିତ କରିବା ଆବଶ୍ୟକ | ୫. ଡଲଫିନ୍ ପାଇଁ ଚିହ୍ନିତ ଅଂଚଳ ସୀମା ଭିତରେ ବା ନିକଟରେ ଉଚ୍ଚ ସ୍ଥଳଭାଗ ନିର୍ମାଣ କରି ହୋଟେଲ ବା ସେହିଭଳି କୌଣସି ମନୋରଂଜନକାରୀ ପ୍ରତିଷ୍ଠାନ ନିର୍ମାଶ କରାନଯାଉ |

Share :