କାରିଗରୀ ଜ୍ଞାନର ଉନ୍ନତି

କାରିଗରୀ ଜ୍ଞାନର ଉନ୍ନତି

Share :

ବିନ୍ଦୁବିସର୍ଗ/ମୃଣାଳ   ଶୀର୍ଷକକୁ ଦେଖି ଆପଣମାନେ ଭାବୁଥିବେ ମୁଁ ଏଠି ବିଜ୍ଞାନ ଓ କାରିଗରୀ ଜ୍ଞାନର ଉନ୍ନତି ଏବଂ ମାନବ ସମାଜ ଉପରେ ତା’ର ପ୍ରଭାବ-ଏଭଳି କିଛି ଗୁରୁ ଗମ୍ଭୀର ପ୍ରବନ୍ଧ ଆପଣମାନଙ୍କୁ ପଢ଼େଇବାର ଯୋଜନା କରିଛି । ନା ! ଡରନ୍ତୁନି ! ସେମିତି କୌଣସି ଯୋଜନା ମୋର ନାହିଁ । ସେଭଳି ତାତ୍ତ୍ବିକ ବ୍ୟାପରରେ ଖେଳାଇବା ପରି ମୁଣ୍ଡ ବି ମୋର ନୁହେଁ । ତଥାପି ଯଦି ଭୟ ଯାଉନି, ତେବେ ତାହା ଦୂର କରିବା ପାଇଁ ମୂଳରୁ ଆପଣମାନଙ୍କୁ ଗୋଟେ ଯୋଡ଼େ ଗୁଲି ଶୁଣେଇ ଦିଏ । ଏ ଗୁଲିଗୁଡ଼ିକ ମୁଁ ଫେସବୁକରୁ ସଂଗ୍ରହ କରିଛି । ଫେସବୁକ କ’ଣ ତାହା ଆଜିକାଲି ବୁକ୍ ଧରି ନଥିବା ପିଲା ବି ଜାଣନ୍ତି । ଆଉ ବିଡ଼ମ୍ବନା ହେଲା, ବୁକ୍ ଧରିଥିବା ଅଧିକାଂଶ ପିଲା ବୁକ୍ ଛାଡ଼ି ଫେସବୁକରେ ଲାଗି ରହୁଛନ୍ତି । ଯେଉଁମାନେ ନିହାତି ଧେଡ଼ମେଡ଼ ହୋଇ ରହି ଯାଇଛନ୍ତି- ଜାଣି ନାହାନ୍ତି, ସେମାନଙ୍କ ପାଁ କହିଦିଏ- ଏହା ଏକ ସୋସିଆଲ ମିଡିଆ ସାଇଟ୍ । ଇଣ୍ଟର୍ନେଟ ଜରିଆରେ ଏଥିରେ ଆପଣ ସଭ୍ୟ ହେବେ । ସଭ୍ୟ ହେଲା ପରେ ଏଥିରେ ଯେଉଁମାନେ ସାମିଲ ଅଛନ୍ତି ସେମାନଙ୍କ ସହିତ ଗପସପ ହୋଇପାରିବେ । ଫଟୋଭିଡ଼ିଓ ପଠେଇପାରିବେ । ଗେମ ଖେଳି ପାରିବେ । ଆହୁରି ବାର କଥା କରିପାରିବେ । ପୃଥିବୀରେ ୬୦୦ କୋଟି ଲୋକ ଅଛନ୍ତି । ଫେସବୁକରେ କୁଆଡ଼େ ୧୦୦ କୋଟି ସଦସ୍ୟ ଅଛନ୍ତି । ଅର୍ଥାତ ଫେସବୁକ ଯଦି ଗୋଟେ ଦେଶ ହୋଇଥାନ୍ତା ଚୀନ ଆଉ ଭାରତ ପଛକୁ ଏହା ତୃତୀୟ ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ଦେଶ ହୋଇଥାନ୍ତା । ଛାଡ଼ନ୍ତୁ, ଏସବୁ ତଥ୍ୟ ଆଉ ପରିସଂଖ୍ୟାନ ! ଏବେ ଗୁଲି ନମ୍ବର-୧ ଭିକାରି: (ବାଟରେ ଯାଉଥିବା ମହିଳାଙ୍କୁ) ମ୍ୟାଡାମ, ଟଙ୍କାଏ ଦେଇ ଯାଅ, ଏ ମ୍ୟାଡାମ, ଏ ମା...! ମହିଳା: ଆରେ ତୋ ଚେହେରାଟା କେମିତି ଚିହ୍ନାଚିହ୍ନା ଲାଗୁଛି । ଭିକାରି: ଲାଗିବନି କେମିତି ! ଆମେ ପରା ଫେସବୁକରେ ଫ୍ରେଣ୍ଡ ! ଗୁଲି ନମ୍ବର-୨ ଭିକାରୀ: ମା’ ଦି’ପଟ ରୁଟି ଦିଅ ମା ! ମା’: ଏଯାଏଁ ରୁଟି ତିଆରି କରିନି । ଆଉ କିଛି ସମୟ ପରେ ଆସିବୁ ଯା, ନବୁ । ଭିକାରି: କେତେ ସମୟ ପରେ ଆସିବି ? ମା’: ମୁଁ କ’ଣ ସେମିତି ତୋତେ ଟାଇମ୍ ଦେଇ ପାରିବି ? ଭିକାରି: ତାହେଲେ ମା, ମୋ ମୋବାଇଲ୍ ନମ୍ବରଟା ରଖିଥାଅ, ରୁଟି ହୋଇଗଲେ ମୋତେ ଗୋଟେ କଲ୍ କରିଦେବ- ମୁଁ ଆସି ନେଇଯିବି । ମା’: ଆଚ୍ଛା ! ରୁଟି ହୋଇଗଲେ ମୁଁ ତୋତେ କଲ୍ କରିବି ! ଏ ଶୁଣ ! ମୋ ମୋବାଇଲରେ ବାଲାନ୍ସ କମ ଅଛି । ମୁଁ ତୋତେ କଲଫଲ କରି ପାରିବିନି । ରୁଟି ହୋଇଗଲା ପରେ ମୋ ଫେସବୁକ୍ ପେଜ୍ ରେ ଷ୍ଟାଟସ୍ ଅପ୍ ଡେଟ୍ କରିଦେବି । ଚେକ୍ କରୁଥିବୁ । ଅପ୍ ଡେଟ୍ ଦେଖି ଚାଲି ଆସିବୁ । ଏସବୁ କଥା ଆପଣଙ୍କୁ ଏବେ ଅବିଶ୍ବାସ୍ୟ ଲାଗୁଥିବ । ହେଲେ ବିଶ୍ବାସ କରନ୍ତୁ । ଆଉ ଅଳ୍ପ ଦିନ ଭିତରେର ଏପରି କଥା ହେବାକୁ ଯାଉଛି । କାରିଗରୀ ଜ୍ଞାନ ଆମ ଜୀବନର ସବୁ ଦିଗକୁ ପ୍ରଭାବିତ କଲାଣି । ଆଗକୁ ଆହୁରି କରିବ । ମୁଁ ଯେଉଁଠି ପାଠ ପଢ଼ାଏ, ସେଠି ଆଗରୁ ପିଲାମାନଙ୍କୁ ହୋମଟାକ୍ସ ଦିଆଗଲେ ସେମାନେ ଖାତାରେ ଲେଖି ଆଣି ଖାତା ଜମା ଦେଉଥିଲେ । ତାପରେ କୁହାଗଲା କଂପ୍ୟୁଟରରେ ଲେଖିବ । ସେମାନେ ପେନ୍ ଡ୍ରାଇଭ ଜମା ଦେଉଥିଲେ । ଶିକ୍ଷକମାନଙ୍କୁ ଯେତେବେଳେ ସମୟ ହେଉଥିଲା ତାଙ୍କ କଂପ୍ୟୁଟରରେ ଦେଖୁଥିଲେ । ଏବେ ସମସ୍ତଙ୍କୁ କୁହାଯାଉଛି ହୋମଟାସ୍କ ଶିକ୍ଷକଙ୍କ ପାଖକୁ ଇ-ମେଲ ଯୋଗେ ପଠାଇବ । ଶିକ୍ଷକ ଇ-ମେଲରେ ଜବାବ ଦେବେ । ଆଗରୁ ପାଠ ପଚାରିବାର ଥିଲେ ଛାତ୍ର ଶିକ୍ଷକଙ୍କ ପାଖକୁ ଆସୁଥିଲା । ଏବେ ଛାତ୍ର ତା’ ଘରେ ଥାଇ ଶିକ୍ଷକଙ୍କୁ ଭିଡ଼ିଓ କଲ୍ କରିବ ଆଉ ଶିକ୍ଷକ ଘରେ ଥାଇ ପିଲାକୁ ପାଠ ବୁଝେଇଦେବେ । ବିଜ୍ଞାନର ଅଗ୍ରଗତି ସହିତ କାରିଗରୀ ଜ୍ଞାନର ଉନ୍ନତି ହେବ । ଏଟା ଉଆନ୍ ଉଏ ଟ୍ରାଫିକ୍ । ଏହାକୁ କେହି ରୋକି ପାରିବେନି । ହେଲେ ଏ ଅଗ୍ରଗତିର ଆମ ଜୀବନ ଉପରେ କଣ ପ୍ରଭାବ ପଡ଼ୁଛି-ସେଟା ଆମେ ଲକ୍ଷ୍ୟ କରିବା କଥା । ଏସବୁ ଯନ୍ତ୍ରପାତି ବାହାରିଲା ପରେ ଦେଖାଯାଉଛି ପିଲାମାନଙ୍କ ଖେଳିବା, ବୁଲିବା କମି ଗଲାଣି । ପିଲା ଆଉ ଅପରାହ୍ଣରେ ପଡ଼ିଆକୁ ଖେଳିବାକୁ ଯାଉନି । କଂପ୍ୟୁଟରରେ ଭିଡ଼ିଓ ଗେମ୍ ଖେଳୁଛି । ପିଲା ଆଉ ହାତରେ ଚିଠି ଲେଖୁନି । କଂପ୍ୟୁଟରରେ ଇ-ମେଲ୍ ଲେଖୁଛି । ମୋବାଇଲରେ ମେସେଜ କରିଦଉଛି । ଯୋଗାଯୋଗ କ୍ଷେତ୍ରରେ କାରିଗରୀ ଜ୍ଞାନର ଅଗ୍ରଗତି ମାନବିକ ସଂପର୍କ, ମଣିଷ ମଣିଷ ଭିତରେ ବାସ୍ତବ ଯୋଗାଯୋଗଟା କମେଇ ଦଉଛି କି ? ଲୋକର ପଡ଼ିଶା ଘର ସହିତ ସଂପର୍କ ନାହିଁ, ବିଦେଶରେ ଏମିତି ବନ୍ଧୁ ସହିତ ଘଣ୍ଟାଘଣ୍ଟା ସମୟ କଟଉଛି, ଯାହାକୁ ସେ କେବେ ଚାକ୍ଷୁସ ଦେଖିନି । ସେ ବନ୍ଧୁର ପରିଚୟ ବି ଭଲ କରି ଜାଣିନି । ଏକ ଅଧା କଳ୍ପନା, ଅଧା ବାସ୍ତବ ଦୁନିଆରେ ରହି-ବାସ୍ତବ ଦୁନିଆ ସହ ସଂପର୍କ କମି ଯାଉଛି ଆମର । କାରିଗରୀ ଜ୍ଞାନରେ ଉନ୍ନତି ହୋଇ ଆମର ଭଲ ହୋଇଛି କି ଖରାପ ଇଛି- ଏହାର ଉତ୍ତର ଦେବାକୁ ସତରେ ବଡ଼ କଷ୍ଟ ହଲାଣି । ସଂଚାର ମାର୍ଗ, ଢେଙ୍କାନାଳ-୭୫୯୦୦୧

Share :