ଓଡ଼ିଶା ରାଜନୀତିରେ ନବୀନଙ୍କର ପ୍ରଥମ ପରାଜୟ!

ଓଡ଼ିଶା ରାଜନୀତିରେ ନବୀନଙ୍କର ପ୍ରଥମ ପରାଜୟ!

Share :

ଓଡ଼ିଆରେ ଗୋଟେ କଥା ଅଛି: ଯେ ପାଂଚେ ପର ମନ୍ଦ, ତା’ ମନ୍ଦ ପାଂଚନ୍ତି ଗୋବିନ୍ଦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏଇ କଥାଟି ଏବେ ପ୍ରତ୍ୟକ୍ଷରେ ଫଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଭାରତୀୟ ଜନତା ପାର୍ଟିକୁ ପଛକୁ ଠେଲି ନିଜେ ସମସ୍ତ ନାଁ ନେବାକୁ ସେ ଯେଉଁ ଷଡ଼ଯନ୍ତ୍ର କରିଥିଲେ ତାହା ଭଣ୍ଡୁର ହେବା ସହିତ ବୁମେରାଂ ହୋଇଛି । ଖଣି ଓ ଶିଳ୍ପ କ୍ଷେତ୍ରରୁ ଚାନ୍ଦା ଉଠାଇବା ପାଇଁ ଜମି ଆସୁଥିବା ବିଜେଡି-ବିଜେପି ବନ୍ଧୁତାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି । ଅବସ୍ଥା ଏଭଳି ହୋଇଛି ଯେ ବିଜେପିର ଯେଉଁ ଜାତୀୟ ସ୍ତରର ନେତାମାନେ ନବୀନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟତର କରାଇଥିଲେ ସେମାନେ ମଧ୍ୟ ଆଉ ରିସ୍କ ନେବାକୁ ଚାହୁଁ ନାହାନ୍ତି । ନବୀନ ଏବେ ବାସ୍ତବରେ କଠିନ ସମୟର ସମ୍ମୁଖୀନ ହେବାକୁ ଯାଉଛନ୍ତି । ଭାରତୀୟ ତୈଳ ନିଗମର ପାରାଦୀପ ବିଶୋଧନାଗାର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ । ଫେବୃଆରୀ ୭ ତାରିଖରେ ପାରାଦୀପରେ ତୈଳ ବିଶୋଧନାଗାରର ଉଦଘାଟନ ଉତ୍ସବ ଆୟୋଜିତ ହୋଇଥିଲା । ଏହା ଭାରତୀୟ ତୈଳ ନିଗମର କାର୍ଯ୍ୟକ୍ରମ ହୋଇଥିବାରୁ ସଭାର ଆୟୋଜନ, ପରିଚାଳନା ଓ ପ୍ରଚାର କାର୍ଯ୍ୟ ସ୍ବାଭାବିକ ଭାବେ ଆଇଓସିଏଳ ହିଁ କରିବା କଥା । ତାହା ହିଁ ହୋଇଥିଲା । ଆଇଓସିଏଲ ସଭା ଓ ପ୍ରଚାର ଖର୍ଚ୍ଚ ବହନ କରିଥିଲା । ଏହି ଖର୍ଚ୍ଚରେ ତୈଳ ଓ ପ୍ରାକୃତିଗ ବାଷ୍ଫ ମନ୍ତ୍ରଣାଳୟର ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଅଧିକ ପ୍ରଚାର ହେଲା ତାହା ଅଲଗା କଥା । ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିବା ସହିତ ନିଜ ପ୍ରଚାର ପାଇଁ ଧର୍ମେନ୍ଦ୍ର ଏପରି ଉଦ୍ୟମ କରିଥିବା କଥା କାହାକୁ ଅଛପା ନାହିଁ । ତେବେ ଏଥିରେ ବଳେ ପଶିଥିଲା ବିଜେଡି । କିଛି ଦରକାର ନଥିଲା । ପ୍ରଧାନମନ୍ତ୍ରୀଙ୍କ ସଭାରେ ଲୋକ ହୁଅନ୍ତୁ ନହୁଅନ୍ତୁ ସେଥିରେ ବିଜେଡିର ଯାଉଥିଲା କେତେ ନା ଆସୁଥିଲା କେତେ? ଏହା ତ’ ଏକ ରାଜନୀତିକ ସଭା ନଥିଲା, ଥିଲା ଏକ ଜାତୀୟ ପ୍ରକଳ୍ପର ଉଦଘାଟନ ଉତ୍ସବ । ଏହି ଉତ୍ସବକୁ ଶିଳ୍ପ, ଉଦ୍ୟୋଗ ଓ ବ୍ୟବସାୟ ଜଗତର ବରିଷ୍ଠ ବ୍ୟକ୍ତିତ୍ବମାନଙ୍କୁ ଡକାଯିବା କଥା । ଏଭଳି ଅନେକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀମାନେ ଯୋଗ ଦେଇଥାନ୍ତି । ଏଭଳି ଅନେକ ସଭାରେ ୫୦୦-୧୦୦୦ ଲୋକ ବି ନଥାନ୍ତି । ସିଆଇଆଇ, ଫିକ୍କି, ଆସୋଚାମ ପରି ଶିଳ୍ପ ସଂଘର ଉତ୍ସବରେ କେତେ ଲୋକ ଥାଆନ୍ତି? ବିଜ୍ଞାନ ଓ ବୈଷୟିକ ଅନୁଷ୍ଠାନଗୁଡ଼ିକର ଏଭଳି ଉତ୍ସବ ପାଇଁ କ’ଣ ଦଳୀୟ ଲୋକଙ୍କୁ ପାସ୍ ମିଳେ? ଓଡ଼ିଶାରେ କିନ୍ତୁ ତାହା ହିଁ ହେଲା । ନିଜକୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରୁଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଆଇଓସିଏଲର ଉଦଘାଟନ ଉତ୍ସବ ଭାବେ ସୀମୀତ ନରଖି ଏହାକୁ ଭାରତୀୟ ଜନତା ପାର୍ଟିର ଏକ ରାଜନୀତିକ ସଭାରେ ପରିଣତ କରିବା ପାଇଁ ମୂଳରୁ ଯୋଜନା କରିଥିଲେ । ଏହା ଜାଣିବା ପରେ ଓଡ଼ିଶାର ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଏବଂ ଏହାର ମୁଖ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭବତଃ ଈର୍ଷା ଓ ଅସୂୟାରେ ଜଳିପୋଡ଼ି ଯାଇଥିବେ । ଓଡ଼ିଶାରେ ଅନ୍ୟ କୌଣସି ନେତାଙ୍କ ପ୍ରଚାର ଓ ପ୍ରଗତିକୁ ଗଲା ଦୁଇ ଦଶନ୍ଧି ଧରି ସହ୍ୟ କରିପାରି ନଥିବା ନବୀନ ଧର୍ମେନ୍ଦ୍ରଙ୍କର ଏପରି ଉଦ୍ୟମକୁ ଭଣ୍ଡୁର କରିବା ପାଇଁ ନିଜର ଅମଲା-ଅମାତ୍ୟଙ୍କ ବୁଦ୍ଧିରୁ ଗୋଟାଏ କୌଶଳ ବାହାର କଲେ । ସଭାରେ ବିଜେପି ତୁଳନାରେ ଅଧିକ ବିଜେଡି କର୍ମୀଙ୍କୁ ରୁଣ୍ଡ କରାଇ ତଦ୍ବାରା ପ୍ରଧାନମନ୍ତ୍ରୀଙ୍କୁ ଖୁସ୍ କରିହେବ । ମୋଗାମ୍ବୋ ଖୁସ୍ ହେଲେ ନବୀନଙ୍କ ଉପରେ ଝୁଲୁଥିବା ସିବିଆଇର ଅନେକ ଖଣ୍ଡା ଖୋଳ ଭିତରକୁ ପଶିଯାଇ ପାରନ୍ତି । ଏହି ଉଦ୍ଦେଶ୍ୟରେ ତାଙ୍କ ଚେଲାଚାମୁଣ୍ଡା କଂଚା ବୁଦ୍ଧିଆ ମନ୍ତ୍ରୀ ଓ ବିଧାୟକମାନେ ଲାଗି ପଡ଼ିଲେ ଓ ଆଇଓସିଏଲ ଉଦଘାଟନ ଉତ୍ସବରେ ଅଧିକ ସଂଖ୍ୟକ ବିଜେଡି କର୍ମୀ, ଦଳୀୟ ପତାକା ଓ ପୋଷ୍ଟର ଆଦିର ସମଷ୍ଟି ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ କୋଟିକୋଟି ଟଙ୍କାର ଆୟୋଜନ କଲେ । ଏ ଦୁଇ ଦଳର ଏପରି ଆୟୋଜନ ଏମିତି ରାଜନୀତିକ ରୂପ ନେଲା ଯେ ଆଇଓସିଏଲ କାର୍ଯ୍ୟକ୍ରମ ରାଜନୀତିକ ସଭାରେ ପରିଣତ ହେଲା । ଉଭୟ ଦଳ ଭିତରେ ବାଟଘାଟରେ ଟକ୍କରାଟକ୍କରି ଓ ମାଡ଼ଫୌଦାରୀ ହେଲା । ପ୍ରତିପକ୍ଷ ଦଳର କର୍ମୀଙ୍କୁ ସଭାସ୍ଥଳକୁ ନଛାଡ଼ିବା ପାଇଁ ଉଭୟ ପଟରୁ ଉଦ୍ୟମ ହେଲା । ଏହି ଛକାପଂଝା ଭିତରେ ବିଜେଡିର ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ଅତି ଲଜ୍ଜାକର ଭାବେ ବିଜେପି ଟୋପି ପିନ୍ଧିବାକୁ ହେଲା । ତିର୍ତ୍ତୋଲ ଥାନାରେ ଭଙ୍ଗାରୁଜା ହେଲା । ସଭାସ୍ଥଳରେ ବିଜେପି-ବିଜେଡି ଖଣ୍ଡଯୁଦ୍ଧ ଲାଗିଲା । ବିଜେଡି ମନ୍ତ୍ରୀମାନେ ଯେମିତି ଧସେଇ ପଶିବାକୁ ଚାହିଁଲେ ସେଥିରୁ ସେମାନଙ୍କର ରାଜନୀତିକ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଗଲା । କିନ୍ତୁ ଏହି ପ୍ରକ୍ରିୟା ପଛରେ ଥିବା ହୀନ ରାଜନୀତିକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରି ଚତୁର ନେତା ବୋଧହୁଏ ବୁଝିଗଲେ । ପାରାଦୀପ ଆଇଓସିଏଲ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ତାଙ୍କର ହାବଭାବ ଯାହା ଥିଲା ସେଥିରୁ ଏଭଳି ଆଭାସ ମିଳୁଥିଲା । ସେହିପରି ସେହି ସଭାରେ ନବୀନଙ୍କ ବିଷ୍ଣର୍ଣ୍ଣ ବଦନ ମଧ୍ୟ ଅନେକ କଥା କହୁଥିଲା । ଏହି ସଭା ପରେ ମଧ୍ୟ ଉଭୟ ଦଳର ବିବାଦ ତୁଟିବାର ନାଁ ଧରୁନି । କେଇ ଦିନ ଆଗରୁ ପରସ୍ପରର ଅତି ନିକଟତର ହୋଇଯାଇଥିବା ବିଜେଡି ଓ ବିଜେପ ମଧ୍ୟରେ ଏବେ ଗୋଟେ ବଡ଼ ଫାଙ୍କ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି । ଉଭୟ ଦଳ ତରଫରୁ ଉଭୟ ଦଳର ନେତା ଓ କର୍ମୀଙ୍କ ବିରୋଧରେ ଏତଲା ଦିଆଯାଇଛି । ଏପରିକି ବିଜେପି ନେତା ବିଜୟ ମହାପାତ୍ର ତାଙ୍କର ଫେସବୁକ୍ ଆକାଉଣ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ବିଜେଡି ଯୋଜନା କରିଥିଲା ବୋଲି ପରୋକ୍ଷରେ ଆଭାସ ଦେଇଛନ୍ତି । ଏସପିଜି ସୁରକ୍ଷା କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କୁ ଜଗି ନଥିଲେ ବିଜେଡି କର୍ମୀମାନେ ତାଙ୍କୁ ଅକ୍ଷତ ଛାଡ଼ି ନଥାନ୍ତେ ବୋଲି ସେ ଉଲ୍ଲେଖ କରିଛନ୍ତି । ଏ କଥା ମୋଦି, ଶାହା ଓ ଜେଟଲୀଙ୍କ ଯାଏଁ ପହଂଚିଗଲେ ନବୀନଙ୍କ ଦିଲ୍ଲୀ ଚେର କଟିଯିବ । ଏଇ ଆଶଙ୍କାରେ ଉବୁଟୁବୁ ହେଉଥିବା ନବୀନବାବୁ ସଂପର୍କରେ କିଛିଟା ସଂଶୋଧନ କରିବା ପାଇଁ କଳାହାଣ୍ଡି କେସିଙ୍ଗାରେ ଦଳର ଏକ ପ୍ରସ୍ତାବିତ କୃଷକ ସମାବେଶକୁ ବାତିଲ କରି ଶାନ୍ତିର ସନ୍ଦେଶ ପଠାଇଛନ୍ତି । ଫେବୃଆରୀ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବରଗଡ଼ ଆସୁଛନ୍ତି । ସେଠାରେ ସେ ବିଜେପିର ଏକ ବିଶାଳ କୃଷକ ସମାବେଶରେ ଉଦବୋଧନ ଦେବେ । କିନ୍ତୁ ତା’ ପୂର୍ବରୁ ବିଜେଡି ତରଫରୁ କେସିଙ୍ଗାରେ ଏକ ବଡ଼ ଧରଣର କୃଷକ ସମାବେଶର ଆୟୋଜନ ତାଲିଛି । ରାଜନୀତିକ ମହଲରେ ଏହା ଅନ୍ୟ ଏକ ରାଜନୀତିକ ଟକ୍କରର ରୂପ ନେବା ପରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଦଳର କୃଷକ ସମାବେଶ କାର୍ଯ୍ୟକ୍ରମ ନାହିଁ ବୋଲି ସଫେଇ ଦେଇଛନ୍ତି । ତେବେ ଯାହା ଜଣାପଡ଼ୁଛି, ଆଇଓସିଏଲ ଉଦଘାଟନ ଉତ୍ସବକୁ ନେଇ ଘଟିଥିବା ରାଜନୀତି ନବୀନଙ୍କ ଗଳାରେ କଣ୍ଟା ହୋଇଯାଇଛି । ଏହାକୁ ସେ ଅନେକ ଦିନ ଯାଏଁ ଗିଳି ପାରିବେ ନାହିଁ କି ଓଗାଳି ପାରିବେ ନାହିଁ ।

Share :