ଦେବେନ୍ଦ୍ର ପୃଷ୍ଟି ଜାତୀୟ ରାଜଧାନୀ ଦିଲ୍ଲୀ- ଏକ ପୂର୍ଣ୍ଣ ସହର, ଅପୂର୍ଣ୍ଣ ରାଜ୍ୟ। ଏହି ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆଉ ଏହାର ଫଳାଫଳ ପ୍ରକାଶ ପାଇବା ପରେ ବୋଧହୁଏ ଶେଷ ହୋଇପାରେ ଦୁଇଟି ଦଳର ଦୁଇ ରାଜନେତାଙ୍କ ମଧ୍ୟରୁ କାହାର ଜଣକର ଅହଂକାର ଓ ଉତ୍ଥାନ। ସେ କିଏ ତାହା ଦିଲ୍ଲୀର ଜନତା ନିଷ୍ପତ୍ତି ନେଇସାରିଛନ୍ତି। ସେମାନଙ୍କ ରାୟ ଇଭିଏମ ଚିପ୍ସରେ ରେକର୍ଡ ଅଛି। ଫେବୃଆରୀ ୧୧ ତାରିଖରେ ତାହା ପ୍ରକାଶ ପାଇବ। ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଶାସକ ଆମ୍ ଆଦମୀ ପାର୍ଟି ବା ଆପ୍ ଓ ବିରୋଧୀ ଭାରତୀୟ ଜନତା ପାର୍ଟି ବା ବିଜେପି। ୨୦୧୫ ବିଧାନସଭା ନିର୍ବାଚନରେ ଆପ୍ ୬୭ ଆସନ ଜିତି କ୍ରମାଗତ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲା। ବିଜେପି ପାଇଥିଲା ମାତ୍ର ୩ଟି ଆସନ। କଂଗ୍ରେସ ମୂଳପୋଛ ହୋଇଯାଇଥିଲା ୨୦୧୩ ବିଧାନସଭା ନିର୍ବାଚନରେ ଆପ୍ ପ୍ରଥମ ଥର ପାଇଁ ଲଢ଼େଇ କରି ୨୮ ଆସନ ପାଇଥିଲା। ସେଥର ବିଜେପି ୩୧ ଓ କଂଗ୍ରେସ ୮ ଆସନ ହାସଲ କରିଥିଲେ। ଜେଡିୟୁ, ଅକାଳୀ ଦଳ ଓ ସ୍ୱାଧନ ପ୍ରାର୍ଥୀ ପାଇଥିଲେ ଗୋଟିଏ ଲେଖାଏଁ ଆସନ। କ୍ରମାଗତ ଦୁଇଟି ବିଧାନସଭା ନିର୍ବାଚନରେ ଆପ୍ ସଫଳତା ହାସଲ କରିଥିଲେ ମଧ୍ୟ ଏହି ସମୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଟି ଯାକ ଲୋକସଭା ନିର୍ବାଚନରେ ଏହି ଦଳ ଗୋଟିଏ ବି ଆସନ ଜିତିବାକୁ ସମର୍ଥ ହୋଇନଥିଲ। ଉଭୟ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଯାକ ଆସନ ଜିତି ନେଇଥିଲା। ତେଣୁ ଲୋକେ ଦିଲ୍ଲୀରେ ଆପ୍ ଓ ନୂଆଦିଲ୍ଲୀରେ ବିଜେପିକୁ ବାଛିଛନ୍ତି ବୋଲି କୁହାଯାଉଥିଲା। ଦିଲ୍ଲୀର ସରକାରୀ ନାମ ହେଉଛି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ। ଏହା ଏକ ରାଜ୍ୟ। ନୂଆଦିଲ୍ଲୀ ହେଉଛି ଜାତୀୟ ରାଜଧାନୀ। ଏହା ଦିଲ୍ଲୀ ରାଜ୍ୟର ଏକ ସହରୀ ଜିଲ୍ଲା। ଗତ ନିର୍ବାଚନଗୁଡ଼ିକର ଫଳ ଏପରି ହୋଇଥିବାବେଳେ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ କ’ଣ ହେବ ତା’ ଉପରେ ସାରା ଦେଶର ନଜର ରହିଛି। କାରଣ ଏହି ନିର୍ବାଚନରେ ଦିଲ୍ଲୀର ବିକାଶକୁ ଆପ୍ ପ୍ରସଙ୍ଗ କରିଥିଲାବେଳେ ସିଏଏ/ଏନଆରସିକୁ ଅସ୍ତ୍ର କରି ବିଜେପି ଆପ୍କୁ ହରେଇବାକୁ ଯତପରୋନାସ୍ତି ଉଦ୍ୟମ କରିଛି। ଯଦି ନିର୍ବାଚନରେ ଆପ୍ ପରାଜିତ ହୁଏ ତେବେ ଏହା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍ ପାଇଁ ଅସ୍ତିତ୍ୱ ସଂକଟ ସୃଷ୍ଟି କରିପାରେ। ଯଦି ବିଜେପି ପୂର୍ବ ପରି ଖରାପ ଫଳାଫଳ ହାସଲ କରେ ତେବେ ତାହା ସିଧାସଳଖ ଭାବେ ବିଜେପି ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ପ୍ରତି ଏକ ପ୍ରଶ୍ନବାଚୀ ସୃଷ୍ଟି ନକରି ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ସାମର୍ଥ୍ୟ ଉପରେ ସନ୍ଦେହ ସୃଷ୍ଟି କରିବ। କାରଣ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ହିଁ ଦିଲ୍ଲୀ ନିର୍ବାଚନ ଲଢ଼ୁଥିଲା। ଏକଦା ଅରବିନ୍ଦ କେଜ୍ରିୱାଲ୍ ତାଙ୍କ ଆମ୍ ଆଦମୀ ପାର୍ଟିକୁ ଦେଶର ତୃତୀୟ ବୃହତ୍ତମ ଜାତୀୟ ଦଳ ଭାବେ ଗଢ଼ି ତୋଳିବାର ସ୍ୱପ୍ନ ଦେଖିଥିଲେ ଓ ଜାତୀୟ ସ୍ତରରେ ଏକ ଭରସାଯୋଗ୍ୟ ବିକଳ୍ପ ଚାହୁଁଥିବା ଅନେକ ଲୋକଙ୍କୁ ଦେଖାଇଥିଲେ। କିନ୍ତୁ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଭାରତ ଆନ୍ଦୋଳନରୁ ଜନ୍ମ ନେଇଥିବା ଏହି ଦଳ ୨୦୧୩ ନିର୍ବାଚନରେ ୨୮ ଆସନ ଜିତିବା ପରେ କେଜ୍ରିୱାଲଙ୍କ ମହତ୍ୱାକାଙ୍କ୍ଷା ବଢ଼ି ଯାଇଥିଲା। ସେ ଦିଲ୍ଲୀ ଶାସନରେ ନିଜ ସାମର୍ଥ୍ୟ ଓ ନେତୃତ୍ୱର ପ୍ରମାଣ ଦେବା ପୂର୍ବରୁ ଇସ୍ତଫା ଦେଲେ ଏବଂ ୨୦୧୪ ସାଧାରଣ ନିର୍ବାଚନରେ ଶକ୍ତି ଓ ସଂଗଠନ ନଥାଇ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଉତ୍ଥାନ ରୋକିବାକୁ ସାରା ଦେଶରେ ପ୍ରାର୍ଥୀ ଦେଲେ। ଫଳାଫଳ ନୈରାଶ୍ୟଜନକ ହେଲା। କେବଳ ପଞ୍ଜାବରେ ଆପ୍ ୪ଟି ଆସନ ଜିତିଲା, ଦିଲ୍ଲୀରେ ସଫା ହୋଇଗଲା। ଏହା ପରେ କିନ୍ତୁ ୨୦୧୫ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିୱାଲ୍ଙ୍କ ନେତୃତ୍ୱରେ ଆପ୍ ପୂର୍ବାପେକ୍ଷା ଅଧିକ ସଫଳତା ହାସଲ କଲା ଏବଂ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ପ୍ରତିହତ କରି ୭୦ରୁ ୬୭ ଆସନ ପୋଛି ନେଲା। ମାତ୍ର, ୨୦୧୯ ଲୋସଭା ନିର୍ବାଚନରେ ଦିଲ୍ଲୀବାସୀ ପୁଣି ଥରେ ଆପ୍କୁ ନିରାଶ କରି ବିଜେପି ସପକ୍ଷରେ ଭୋଟ ଦେଲେ। ସେହି ନିର୍ବାଚନରେ ମଧ୍ୟ ଆପ୍ ଜାତୀୟ ସ୍ତରରେ ଅଧିକ ନୈରାଶ୍ୟଜନକ ପ୍ରଦର୍ଶନ କଲା। ଦଳ ପଞ୍ଜାବରେ ମାତ୍ର ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏବେ ଏହି ଦଳ ମୁଖ୍ୟତଃ ଦିଲ୍ଳୀର ଏକ ଦଳ ଭାବେ ସୀମୀତ ହୋଇଯାଇଛି। ଇତିମଧ୍ୟରେ ଦଳର ବହୁ ପ୍ରତିଷ୍ଠାତା ତୁଙ୍ଗ ନେତା ଆପ୍ ଛାଡ଼ିଛନ୍ତି ବା ଆପ୍ ସେମାନଙ୍କୁ ବହିଷ୍କାର କରିଛି। ସେମାନଙ୍କ ବିହୁନେ ଆପ୍ ମଧ୍ୟ ଦେଶର ଅନ୍ୟ ବହୁ ଆଞ୍ଚଳିକ ଦଳ ପରି ଏକକ-ନେତୃତ୍ୱ ଦଳରେ ପରିଣତ ହୋଇଛି। ଏବେ ଏହି ନିର୍ବାଚନରେ ଯଦି ଆପ୍ ପରାସ୍ତ ହୁଏ ତେବେ ଦଳରେ କେଜ୍ରିୱାଲ୍ଙ୍କ ନେତୃତ୍ୱ ଓ ସାମର୍ଥ୍ୟ ନେଇ ଯେତେ ପ୍ରଶ୍ନ ଉଠିବ ତା’ଠାରୁ ଅଧିକ ଦଳର ଅସ୍ତିତ୍ୱ ଚିନ୍ତା ଘାରିବ। କାରଣ ବିଜେପି ଥରେ ଦିଲ୍ଲୀରେ କ୍ଷମତା ଲାଭ କଲେ ଆପ୍ ବିରୋଧରେ ନାନା ଫନ୍ଦିଫିକର ଆରମ୍ଭ ହୋଇପାରେ। ଆପ୍ ନେତାମାନେ ସେହିସବୁ ଫନ୍ଦିଫିକରରୁ ମୁକୁଳିବା ଚେଷ୍ଟାରେ ବ୍ୟସ୍ତ ରହିବେ। ତା’ ଭିତରେ ଜାତୀୟ ସ୍ତରର ବିକଳ୍ପ ସ୍ୱପ୍ନ ହଜିଯିବା ସୁନିଶ୍ଚିତ। ଯଦି ବିଭିନ୍ନ ବୁଥ୍ ବାହୁଡ଼ା ଜନମତ ସତ ହୁଏ ଏବଂ ଆପ୍ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଠନ କରେ ତେବେ ତାହାର ପ୍ରଭାବ ବିଜେପିର ଆଭ୍ୟନ୍ତରୀଣ ରାଜନୀତି ଉପରେ ପଡ଼ିପାରେ। ଏହି ପରାଜୟ ପାଇଁ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କରିବେ ନାହିଁ। ମାତ୍ର, କେହି କିଛି ନକହିଲେ ମଧ୍ୟ ଅମିତ ଶାହାଙ୍କ ରଣକୌଶଳ ଉପରେ ଦଳର ଭରସା ତୁଟିଯାଇପାରେ। କାରଣ ଏହା ପୂର୍ବରୁ ଦଳର ଚାଣକ୍ୟ ଭାବେ ଉପସ୍ଥାପିତ ଶାହାଙ୍କ ସମସ୍ତ ପ୍ରକାର କୌଶଳ ଓ ଉଦ୍ୟମ ସତ୍ତ୍ୱେ ବିଜେପି ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ପରାଜୟ ବରଣ କରିସାରିଛି। ବିହାର ନିର୍ବାଚନ ପୂର୍ବରୁ ଦିଲ୍ଳୀ ପରାଜୟ ନିଶ୍ଚୟ ତାଙ୍କର ଦକ୍ଷତା ଓ କୌଶଳ ଉପରେ ପ୍ରଶ୍ନଚିହ୍ନ ଆଙ୍କିପାରେ। କେହି କେହି କହିପାରନ୍ତି ଏବେ ଶାହା ନୁହନ୍ତି ନଡ୍ଡା ହେଉଛନ୍ତି ବିଜେପି ସଭାପତି ଓ ମୋଦୀ ହେଉଛନ୍ତି ଦଳର ସର୍ବମାନ୍ୟ ନେତା। ତେବେ, ଏକଥା ମିଛ ନୁହେଁ ଯେ ଦିଲ୍ଲୀ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ହିଁ ନଡ୍ଡା ଦଳର ପୂର୍ଣ୍ଣ ଦାୟିତ୍ୱ ପାଇଛନ୍ତି। ସେ ଯାଏଁ ଶାହା ହିଁ ଦଳର ସଭାପତି ଥିଲେ। ତା’ଛଡ଼ା ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ମାତ୍ର ଦୁଇଟି ରାଲିରେ ସୀମୀତ ରହିଛି। ଶାହା ହିଁ ପ୍ରତ୍ୟକ୍ଷ ଭାବେ ଦଳର ନିର୍ବାଚନ ପରିଚାଳନା କରୁଥିଲେ। ସେ ଦଳର ୧୧ ମୁଖ୍ୟମନ୍ତ୍ରୀ ଓ ୨୪୦ ସାଂସଦଙ୍କୁ ଦିଲ୍ଲୀ ଡକାଇ ଗଳି ଗଳିରେ ବୁଲାଇଛନ୍ତି, ନିଜେ ମଧ୍ୟ ଅନେକ ଗଳିରେ ବୁଲିଛନ୍ତି। ତାଙ୍କ କୌଶଳ ଅନୁସାରେ ଦଳ ବିକାଶ ଉପରେ ପ୍ରାଧାନ୍ୟ ନଦେଇ ନାଗରିକତା ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକା, ଅନୁପ୍ରବେଶକାରୀ, ଆତଙ୍କବାଦ, ପାକିସ୍ତାନ, ମୁସଲମାନ, କମ୍ୟୁନିଷ୍ଟ, ଟୁକଡ଼େ ଟୁକଡେ ଗ୍ୟାଙ୍ଗ, ଦେଶଦ୍ରୋହୀ, ଜେଏନୟୁ, ଜାମିଆ ଆଦିକୁ ନିର୍ବାଚନୀ ପ୍ରସଙ୍ଗରେ ପରିଣତ କରିଥିଲା। ଦିଲ୍ଲୀରେ ଦେଶପ୍ରେମ ଓ ରାଷ୍ଟ୍ରବାଦ ରାଜନୀତିକୁ ଆଧାର କରି ଦଳ ନିର୍ବାଚନ ଜିତିବାକୁ ଯେଉଁ ଉଦ୍ୟମ କରିଛି ତାହା ଯଦି ଫସରଫାଟି ଯାଏ ଏବଂ ଦଳ ସେହି ଅନୁସାରେ ସଫଳତା ହାସଲ ନକରେ ତେବେ ନିଶ୍ଚୟ ଏହା ଦଳ ଭିତରେ କିଛି ଲୋକଙ୍କ ପାଇଁ ଅମିତ ଶାହାଙ୍କ ବିଫଳତା ଭାବେ ଗୃହୀତ ହେବ। ଯଦି, ବାହୁଡ଼ା ଜନମତ ସତ ହୁଏ ଏବଂ ବିଜେପିର ଆସନ ସଂଖ୍ୟା ୨୦ ଭିତରେ ସୀମୀତ ରହେ ତଥା ଆପ୍ର ଆସନ ସଂଖ୍ୟା ୫୦ ଟପେ ତେବେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କର ଆଦର୍ଶ-ଶିକ୍ଷା କେନ୍ଦ୍ର ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ ଏବଂ ବିଜେପି ଓ ସଂଘର ଅନ୍ୟ ସମସ୍ତ ନେତା ଏକାଠି ବସି ଦଳର ପାକିସ୍ତାନ ଓ ମୁସଲମାନ କୈନ୍ଦ୍ରିକ ନୀତି ଓ ଆଦର୍ଶ ପରିବର୍ତ୍ତନ କରିବାକୁ ବିଚାର ବିମର୍ଶ କରିବା ଜରୁରୀ। ଦିଲ୍ଲୀ ହେଉଛି ଭାରତବର୍ଷର ରାଜଧାନୀ। ସେଠାରେ ସବୁଠୁ ଅଧିକ ଶିକ୍ଷିତ ଓ ସଚେତନ ଲୋକ ବସବାସ କରନ୍ତି। ଏବେ ସେଠାରେ ଦଳର ୩୦୦ ଉପରେ ସାଂସଦ, ୧୦୦ ପରେ କର୍ମକର୍ତ୍ତାଙ୍କ ସମେତ ସଙ୍ଘ ଓ ବିଜେପି ଆଦର୍ଶରେ ଅନୁପ୍ରାଣୀତ ସହସ୍ରାଧିକ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ଲୋକ ରହୁଛନ୍ତି। ଦିଲ୍ଲୀର ଅଧା ସରକାର ମଧ୍ୟ ମୋଦୀ ସରକାରଙ୍କ ଅଧୀନରେ କାମ କରୁଛି। କାରଣ ଏଯାଏଁ ଦିଲ୍ଲୀ ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ନୁହେଁ, ଏହାର ପୁଲିସ ବଳ ଏବେ ବି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ କାମ କରୁଛି। ଏବେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ହେଉଛନ୍ତି ଅମିତ ଶାହା। ଠିକ ସେହିପରି ଦିଲ୍ଲୀ ମହାନଗର ନିଗମରେ ମଧ୍ୟ ବିଜେପିର ରାଜ୍ ଚାଲିଛି। ଏହା ସତ୍ତ୍ୱେ ଯଦି ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ପାକିସ୍ତାନ ଓ ମୁସଲମାନ କୈନ୍ଦ୍ରିକ ରାଜନୀତି ପରାସ୍ତ ହୁଏ ତେବେ ଆଗକୁ ଦଳ ସେହି ନୀତି ଓ କୌଶଳ ପରିବର୍ତ୍ତନ କରି ୨୦୧୪ ନିର୍ବାଚନ ସମୟର ବିକାଶ ଓ ସମୃଦ୍ଧି ରାଜନୀତି ବା ସବ୍ କା ସାଥ୍ ସବ୍ କା ବିକାଶ୍ର ବାଟ ଧରିବା ଉଚିତ। (ସୌ- ଓଡ଼ିଶା ରିପୋର୍ଟର)