ଧଳସାମନ୍ତ ଓ ଦଳ ସାମନ୍ତ- ଏକା କଥା!

ଧଳସାମନ୍ତ ଓ ଦଳ ସାମନ୍ତ- ଏକା କଥା!

Share :

ସହସ୍ରାଧିକ କୋଟି ଟଙ୍କାର ଅପରାଧ ସାମ୍ରାଜ୍ୟର ଅଧିପତି ହୋଇଥିବା ସୁଶୀଳ ଓ ସୁଶାନ୍ତ ଧଳସାମନ୍ତଙ୍କ ସହିତ ବିଜୁ ଜନତା ଦଳର ନିଘନ ସଂପର୍କ ନେଇ ଆଉ କିଛି ତଥ୍ୟ ପଦାକୁ ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସନ୍ଧ୍ୟାର ସାଥୀ ଭାବେ ତାଙ୍କର ଅତି ନିକଟତର ହୋଇଥିବା କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସହିତ ସୁଶୀଳ ଧଳସାମନ୍ତଙ୍କ ଘନିଷ୍ଟତା ଥିବା ନେଇ ଫଟୋ ପ୍ରମାଣ ସାର୍ବଜନୀନ ହୋଇଛି । ଏହା ସହିତ ସେ ଯେ ବିଜୁ ଜନତା ଦଳର ଜଣେ ଆଗ ଧାଡ଼ିର କର୍ମୀ ତାହା ମଧ୍ୟ ପ୍ରମାଣିତ ହୋଇଛି । ଏବେ ଗଣମାଧ୍ୟମରେ ଦୁଇଟି ଚାଞ୍ଚଲ୍ୟକର ଫଟୋ ପ୍ରସାରିତ ହୋଇଛି । ଦୁଇଟି ଯାକ ଫଟୋରେ ସୁଶୀଳ ଧଳସାମନ୍ତ ଓ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ କଟକ ନଗର ବିଜୁ ଜନତା ଦଳର କେତେ ଜଣ ବରିଷ୍ଠ କର୍ମକର୍ତ୍ତା ରହିଛନ୍ତି । କଟକ ସିଡିଏ ଅଂଚଳରେ ୨୦୧୬ ଅକ୍ଟୋବର ମାସରେ ବିଜୁ ଜନତା ଦଳର ଜନ ସଂପର୍କ ଯାତ୍ରା ଆୟାଜନ ନେଇ ହୋଇଥିବା ପ୍ରସ୍ତୁତି ବୈଠକ ସମୟରେ ଏହି ଫଟୋ ଉଠିଥିଲା । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ବିଜୁ ଜନତା ଦଳର ଜଣେ ବରିଷ୍ଠ କର୍ମୀ ହେଉଛି ସୁଶୀଳ ଧଳସାମନ୍ତ । ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମର୍ଥନ ଓ ପ୍ରୋତ୍ସାହନରେ ସେ ନିଜର ରାଜନୀତିକ ଓ ଅପରାଧିକ ଆଧିପତ୍ୟ ବିସ୍ତାର କରି ଚାଲିଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି । କଟକ ନଗରରେ ବିଜୁ ଜନତା ଦଳର ଅନେକ କାର୍ଯ୍ୟକ୍ରମ ଆୟୋଜନର ଦାୟିତ୍ବ ବିଧାୟକ ଦେବାଶିଷ ସାମନ୍ତରାୟ ତାଙ୍କର ଘନିଷ୍ଟ ସହଯୋଗୀ ସୁଶୀଳ ଧଳସାମନ୍ତଙ୍କ ଉପରେ ନ୍ୟସ୍ତ କରିବା ଘଟଣାରୁ ପ୍ରମାଣିତ ହୋଇଯାଇଛି ଯେ ଧଳସାମନ୍ତଙ୍କ ଆର୍ଥିକ ଶକ୍ତି ଓ ତାହାର ସୂତ୍ର ବିଷୟରେ ଦେବାଶିଷ ନିଶ୍ଚୟ ଅବଗତ ଥିଲେ । ଏଭଳି ଜଣେ ଅପରାଧୀଙ୍କୁ ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କର ସଂପୂର୍ଣ୍ଣ ଅଗୋଚରରେ ବିଜେଡି ଦାୟିତ୍ବ ଦିଆଯିବା ଘଟଣା ଅସମ୍ଭବ ବ୍ୟାପାର । ବିଶେଷକରି ନବୀନ ପଟ୍ଟନାୟକ ଯେତେବେଳେ ରାଜନୀତିକ, ପ୍ରାଶାସନିକ ଓ ବ୍ୟାକ୍ତିଗତ ନିର୍ମଳତାର ସ୍ଲୋଗାନ ଦେଉଛନ୍ତି ସେତେବେଳେ ଜଣେ ଏତେ ବଡ଼ ଅପରାଧୀ ତାଙ୍କ ଦଳର ଜଣେ ମୁଣ୍ଡିଆଳ ହେବା ତାଙ୍କ ସହମତି ବିନା ସମ୍ଭବ ଲାଗୁନି । ନବୀନ ପଟ୍ଟନାୟକ ଓ ତାଙ୍କର ବିଜୁ ଜନତା ଦଳ ୨୦୦୦ ମସିହାରୁ ରାଜ୍ୟ କ୍ଷମତାରେ ଅଛନ୍ତି । ଏହି ଦୀର୍ଘ ସମୟ ଭିତରେ ହିଁ ଧଳସାମନ୍ତର ଅପରାଧିକ ସାମ୍ରାଜ୍ୟ ବିସ୍ତାର ଲାଭ କରିଛି । ଏହି ସମୟ ମଧ୍ୟରେ ସେ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରିଛି । ଏହି ସମୟ ମଧ୍ୟରେ ସେ ବିଭିନ୍ନ ପ୍ରକାର ବେଆଇନ କାର୍ଯ୍ୟ ଜରିଆରେ ହଜାର ହଜାର କୋଟି ଟଙ୍କାର ଚାନ୍ଦା ଓ ବଟି ଆଦାୟ କରିଛି । ଏହି ସମୟ ମଧ୍ୟରେ ସେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ମାରଣାସ୍ତ୍ର ସଂଗ୍ରହ କରିଛି । ତା’ ଘରୁ ମିଳିଥିବା ଅନେକ ପ୍ରକାର ବନ୍ଧୁକ ଭିତରେର ପ୍ରତିରକ୍ଷା ବିଭାଗରେ ବ୍ୟବହୃତ ହେଉଥିବା କେତେକ ବନ୍ଧୁକ ମଧ୍ୟ ଅନ୍ତର୍ଭକ୍ତ । କଟକ ମହାନଗର ନିଗମ ଓ ଭୁବନେଶ୍ବର ମହାନଗର ନିଗମର ଅଳିଆ ଉଠା କାର୍ଯ୍ୟର ଠିକା ନେଇଥିବା ରାମକୀ ନାମକ ଏକ ଅଣଓଡ଼ିଆ ସଂସ୍ଥାକୁ ସବୁ ପ୍ରକାର ବ୍ୟାବସାୟିକ, ରାଜନୀତିକ ଓ ପ୍ରାଶାସନିକ ସୁରକ୍ଷା ଓ ପ୍ରୋତ୍ସାହନ ଯୋଗାଉଥିବା ଧଳସାମନ୍ତ ଭ୍ରାତା ଏହି ଦୁଇ ମହାନଗର ନିଗମର ରାଜନୀତିକ ଓ ଅମଲାାନ୍ତ୍ରିକ କର୍ମକର୍ତ୍ତାଙ୍କ ବିନା ସହଯୋଗରେ ଏପରି କରିବା କ’ଣ ସମ୍ଭବ ? ଉଭୟ କଟକ ଓ ଭୁବନେଶ୍ବର ମହାନଗର ନିଗମରେ ଆରମ୍ଭରୁ ବିଜୁ ଜନତା ଦଳ କ୍ଷମତାସୀନ ରହିଛି । ଏ ଦୁଇ ନିଗମର ଅଳିଆ ଉଠା ଠିକା ନେଇଥିବା ରାମକୀ କମ୍ପାନୀ ସେହି କାର୍ଯ୍ୟକୁ ଅନ୍ୟ ଏକ ସଂସ୍ଥାକୁ ସବ୍ ଲେଟ୍ କରିଦେଇଛି । ସେହି କମ୍ପାନୀ ନାଁ ହେଉଛି ପ୍ରାଉଜି । ଏହା ଏକ ଅବୈଧ କାରବାର । ଉଭୟ ରାମକୀ ଓ ପ୍ରାଉଜି କମ୍ପାନୀଙ୍କର ମୁଖ୍ୟ କାର୍ଯ୍ୟାଳୟ ହେଉଛି ହାଇଦ୍ରାବାଦ । ହାଇଦ୍ରାବାଦ ଓ ବିଶାଖାପାଟଣା ସହିତ ଧଳସାମନ୍ତଙ୍କ ଲିଙ୍କ ଆଉ କାହାକୁ ଅଛପା ନାହିଁ । ଉଭୟ ସହର ସହିତ ବିଜୁ ଜନତା ଦଳର କେତେକ ପ୍ରଭାବଶଳୀ ନେତାଙ୍କର ମଧ୍ୟ ବ୍ୟବସାୟ ଓ ସଂପତ୍ତିଗତ ସଂପର୍କ ରହିଛି । ଧଳସାମନ୍ତ ଭ୍ରାତା ଦେବାଶିଷ ସାମନ୍ତରାୟ, ଧର୍ମେନ୍ଦ୍ର ପ୍ରଧାନ, ସମୀର ଦେ, ଲୁଲୁ ମହାପାତ୍ର, ସୁରେଶ ମହାପାତ୍ର, ଭକ୍ତ ଦାସ, ଜଷ୍ଟିସ ବୀର କିଶୋର ମିଶ୍ର, ଏଏସ ନାଇଡ଼ୁ, ପୂର୍ବତନ ପୁଲିସ ଡିଜି ଗୋପାଳ ନନ୍ଦଙ୍କ ପରି ବଡ଼ବଡ଼ ନେତା, ବାବୁ, ବ୍ୟବସାୟୀ ଓ ବିଚାରପତିଙ୍କ ସହିତ ସଂପୃକ୍ତ ରହିବା ସହିତ ବେଆଇନ ଭାବେ ପ୍ରତିରକ୍ଷା ପାଇଁ ଉଦ୍ଦିଷ୍ଟ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିଥିଲେ । ଏହା ଜାତୀୟ ନିରାପତ୍ତା ସଂପୃକ୍ତ ଏକ ବିଷୟ । ତେଣୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଦାବିରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଏହି ମାମଲା ଦାଏର କରିଛନ୍ତି । ତାଙ୍କ ପୂର୍ବରୁ ଅନ୍ୟତମ ସୂଚନା ଅଧିକାରୀ କର୍ମୀ ଜୟନ୍ତ ଦାସ ଏ ସଂପର୍କରେ ଫେସବୁକ୍ ପରି ସୋସିଆଲ ମିଡିଆରେ ଜନଚେତନା ଜାଗ୍ରତ କରିବାକୁ ଏହି ଦାବି ଉଠାଇବା ସହିତ ଅନେକ ତଥ୍ୟ ଉପସ୍ଥାପଦ କରିଥିଲେ । କିନ୍ତୁ ଓଡ଼ିଶା ହାଇକୋର୍ଟ ଏହି ମାମଲାର ତୁରନ୍ତ ବିଚାର କରି ରାୟ ପ୍ରଦାନ କରିବେ କି ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି ମାମଲା ପରି ତାରିଖ ଗଡ଼େଇ ଗଡ଼େଇ ଚୂଡ଼ାନ୍ତ ଶୁଣାଣୀ ପରେ ରାୟ ପ୍ରକାଶ ନକରି ମାମଲାର ବୈଚାରିକ ହତ୍ୟାକାରୀ ସାଜିବେ ତାହା ଦେଖିବା କଥା ।

Share :