ନାଗରୀର ଓଠ କଣରେ ହସ

ନାଗରୀର ଓଠ କଣରେ ହସ

Share :

ଦନାଇ ବଚନ -୧   ୧. ଓଟକୁ ଚରା, ପଣ୍ଡାକୁ ଖରା ଆମ୍ବକୁ କରା, ବୁଢ଼ୀକୁ ଥରା ଛୋଟିକୁ ଗରା, ଦିନକୁ ତରା ଶୁଆକୁ ଧରା, ବୋଲେ ଦନାଇ ଏ ଅତି ନାକରା ।। ୨. ଓଦା ପିନ୍ଧେ ଯା’ର ଯାଦୁରା କଟି ଠକି ଖାଏ ଯେହୁ ଧନ୍ଦା ନଖଟି ହାତେ ପାଣି ପିଏ ଥାଉଣୁ ଘଟି ସଂଜରେ ବାଟୋଇ ନଧରେ ଚଟି ଗୁରୁଜନଙ୍କୁ ଯେ ମାରଇ ପଟି ନାରୀଙ୍କ ନାମେ ଯେ କହଇ ଜଟି କାମ ବେଳକୁ ପଛେ ରହେ ହଟି ଚକ୍ରଛେଉଣ୍ଡା ଏ ଦନାଇ ରଟି ।। ୩. ଓସ୍ତ ଗଛକୁ କେବେ ନକାଟ ଗୁରୁନିନ୍ଦା କେବେ ନକର ଚାଟ ଏକଲା ହୋଇ ନଚାଲିବ ବାଟ ଗୋରୁ ପାଖେ ଗଲେ ଧରିବ ଛାଟ ଦାନ୍ତ ନଘସିବ ଗାଧୁଆ ଘାଟ  ଗଡ଼ିଆ କୂଳରୁ ଆମ୍ବଡ଼ା କାଟ ବୋଲେ ଦନାଇ ଏ କଥା ନିରାଟ ।। ୪. ଓସାର ଘନିଆ ବନ୍ଧକୁ, ଚିକିଟା ଗୁଡ଼ କନ୍ଦକୁ କାଳିମୁଣ୍ଡ ପୋକ ଖନ୍ଦକୁ, ମଇଳା ଦୋସଡ଼ା କାନ୍ଧକୁ କୋହଳ ପଥର ନନ୍ଦକୁ, ଖାଲଢିପ ବାଟ ଅନ୍ଧକୁ ବୋଲେ ଦନାଇ, ବାଆଁ ଆଖି ଡିଆଁ ପୁରୁଷର ସିନା ମନ୍ଦକୁ ।। ୫. ଓଲିଆ ହୋଇଣ ଯେବଣ ଗାଈ ଅଣ୍ଟା ମୋଟୁଆ ହୋଇ ଯେଉଁ ମାଈ ହାତ ତୁଣ୍ଡ ଖର ଯେବଣ ଭାଇ କୁକୁର ଯେବେ ହୋଇଯାଏ ବାଇ ବୋଲେ ଦନାଇ, ଆଖିରୁ ଅନ୍ତର କରିବ ନାହିଁ ।। ୬. ଓଲମା ହୋଇ ଯେବେ କରେ ଚୋରୀ ଗରିବ ମାଇପ ହେଲେ ସୁନ୍ଦରୀ ବାଡ଼ି ଦୁଆରେ ଗହୀରା ପୋଖରୀ ଠକଙ୍କୁ କାଳି ଯେ ଦିଏ ବେପାରୀ ଭୃତ୍ୟ ଯଦି ନୁହଇଁ ଆଜ୍ଞାକାରୀ ରମଣ ଇଚ୍ଛଇ ଯେ ବ୍ରହ୍ମଚାରୀ ସହି ବସଇ ଦେଖିଣ ଥୋବରୀ ବାଙ୍ଗର ଗଛେ ବସା କଲେ ସାରୀ ଧାନ ଆତ୍ମସାତ କଲେ ଖମାରୀ ଯୁବତୀ ଦେହର ବଡ଼ ବେମାରୀ ବୋଲେ ଦନାଇ ଏ ହୁଅନ୍ତି ଘାରି ।। ୭. ଏକାଦଶୀରେ ଯେଉଁ ଉପବାସ ରଙ୍ଗରହସ୍ୟକୁ ଏକାନ୍ତ ବାସ ସାଧୁ ଲୋକଙ୍କର ବରିବା ପାଶ ଏକଚକିଆ ହୋଇ ଯେଉଁ ଚାଷ ଦୁହାଁଳ ଗାଈକୁ ଯେ ଦୁବଘାସ ବରଷା ହୋଇଲେ ବୈଶାଖ ମାସ ନାଗରୀର ଓଠ କଣରେ ହସ ଭଲ ବୋଲି କହେ ଦନାଇ ଦାସ ।। (ସୌଜନ୍ୟ: ଆର୍ଯ୍ୟ ଯଜ୍ଞଦତ୍ତ)

Share :