ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର

ବଜରଙ୍ଗ ପୁନିଆ ଓ ଦୀପା ମଲିକଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର

Share :

ଚଳିତ ବର୍ଷ ପାଇଁ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥ୍‌ଲେଟକ୍ସ ପାଇଁ ଦୀପା ମଲିକଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପ୍ରଦାନ କରାଯିବ। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇବେ ବ୍ୟାଡ଼ମିଣ୍ଟନ କୋଚ ବିମଳ କୁମାର, ଟେବଲ ଟେନିସ କୋଚ ସନ୍ଦୀପ ଗୁପ୍ତା ଏବଂ ଆଥଲେଟିକ୍ସ କୋଚ ମହୀନ୍ଦର ସିଂହ ଧିଲନ। ଅର୍ଜୁନ ପୁରସ୍କାର ବିଜେତାଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତଙ୍କ ସମେତ ୧୯ ଜଣ କ୍ରୀଡ଼ାବିତ। କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତାକୁ ମାନ୍ୟତା ପ୍ରଦାନ କରିବା ଏବଂ କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରିବା ଲାଗି ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରତ୍ୟେକ ବର୍ଷ ଦିଆଯାଇଥାଏ। ରାଜୀବ ଗାନ୍ଧୀ କ୍ରୀଡ଼ା ରତ୍ନ ପୁରସ୍କାର ଚାରି ବର୍ଷର ଅବଧି ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ସର୍ବଶ୍ରେଷ୍ଠ ତଥା ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା କ୍ରୀଡ଼ାବିତଙ୍କୁ ଦିଆଯାଇଥାଏ। ଅର୍ଜୁନ ପୁରସ୍କାର ଲଗାତାର ଚାରି ବର୍ଷ ପର୍ଯ୍ୟନ୍ତ ଉତ୍କୃଷ୍ଟ ପ୍ରଦର୍ଶନ ଲାଗି ଦିଆଯାଏ। ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ବିଜେତାଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚଙ୍କୁ ଦିଆଯାଇଥାଏ। କ୍ରୀଡ଼ାର ବିକାଶ କ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ଲାଗି ଧ୍ୟାନଚାନ୍ଦ ପୁରସ୍କାର ଦିଆଯାଇଥାଏ। କର୍ପୋରେଟ ସଂସ୍ଥା (ଘରୋଇ ଏବଂ ରାଷ୍ଟ୍ରାୟତ କ୍ଷେତ୍ର) ଏବଂ ସେହି ବ୍ୟକ୍ତିମାନଙ୍କୁ ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ଦିଆଯାଇଥାଏ ଯେଉଁମାନେ କ୍ରୀଡ଼ାର ପ୍ରୋତ୍ସାହନ ଏବଂ ବିକାଶ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ବିଶ୍ୱବିଦ୍ୟାଳୟକୁ ମୌଲାନା ଅବୁଲ କଲାମା ଆଜାଦ ଟ୍ରଫି ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପୁରସ୍କାର ଲାଗି ବହୁସଂଖ୍ୟାରେ ନାମାଙ୍କନ ମିଳିଥିଲା। ପୂର୍ବତନ ଅର୍ଜୁନ ପୁରସ୍କାର ବିଜେତା, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା, କ୍ରୀଡ଼ା ସାମ୍ୱାଦିକ/ବିଶେଷଜ୍ଞ/ଭାଷ୍ୟକାର ଓ କ୍ରୀଡ଼ା ପ୍ରଶଂସକମାନଙ୍କୁ ନେଇ ଚୟନ ସମିତି ଏସବୁର ବିଚାର କରିଥିଲେ। କ୍ରୀଡ଼ା ପୁରସ୍କାର ୨୦୧୯ ଲାଗି ଗଠିତ ଚୟନ ସମିତିର ଅଧ୍ୟକ୍ଷ ଥିଲେ ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ନ୍ୟାୟମୂର୍ତି ମୁକୁନ୍ଦକମ ଶର୍ମା। ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ଭବନ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଏହି ପୁରସ୍କାର ପ୍ରଦାନ କରିବେ। ରାଜୀବ ଗାନ୍ଧୀ ଖେଳରତ୍ନ ବିଜେତାଙ୍କୁ ୭.୫ ଲକ୍ଷ ଏବଂ ଅଜୁର୍ନ, ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ସହିତ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯିବ।

Share :