ଡିଏମଏଫ- ଦୁର୍ନୀତି ଓ ବେଆଇନ କାମ ପାଇଁ ସାହାଣ ମେଲା!

ଡିଏମଏଫ- ଦୁର୍ନୀତି ଓ ବେଆଇନ କାମ ପାଇଁ ସାହାଣ ମେଲା!

ସ୍ବତନ୍ତ୍ର ପ୍ରତିନିଧି କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠିରେ ଦୁର୍ନୀତି ଓ ବେଆଇନ କାମ ପାଇଁ ସାହାର ମେଲା ରଖିଛନ୍ତି ରାଜ୍ୟର ବିଜେଡି ସରକାର। ଏହି ପାଣ୍ଠି ପରିଚାଳନା କ୍ଷେତ୍ରରେ ୨୦୧୫ ଏମଏମଡିଆର ସଂଶୋଧନ ଆଇନ ଓ ତତସଂପର୍କୀତ ନିର୍ଦ୍ଦେଶାବଳିର ଅନେକ ବ୍ୟବସ୍ଥା ଉଲ୍ଲଙ୍ଘନ କରାଯାଉଛି। ତୃଣମୂଳ ସ୍ତରର ଯୋଜନା ବିନା ମଧ୍ୟ ଖର୍ଚ୍ଚ କରାଯାଉଛି କୋଟିକୋଟି ଟଙ୍କା। କେନ୍ଦୁଝରରେ ଅଗଷ୍ଟ ୯ ତାରିଖରେ ଆୟୋଜିତ ଏକ ଦିନିକିଆ ଜାତୀୟ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିବା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ମତ ପ୍ରକାଶ କରିଛନ୍ତି। ଆଲୋଚନା ଶେଷରେ ଆୟୋଜକ ଭୂମି ଦ ମଦର ଆର୍ଥ ନାମକ ଆର୍ଥ-ସାମାଜିକ ପତ୍ରିକା ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପ୍ରଶାସନକୁ ଏ ସଂପର୍କରେ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ନେଇଛି। ଏହି ସ୍ମାରକପତ୍ରରେ ଜିଲ୍ଲା ଖଣିଜ ପାଣ୍ଠି ପରିଚାଳନାରେ ରହିଥିବା ଅସଙ୍ଗତି ଓ ଅନିୟମିତତା ସଂପର୍କରେ ଉଲ୍ଲେଖ କରାଯିବା ସହିତ ଏହି ପାଣ୍ଠିରେ ଜିଲ୍ଲାରୁ ଦାରିଦ୍ର୍ୟ ଓ ଅନଗ୍ରସରତା ଦୂର କରିବାକୁ କେତେକ ସକାରାତ୍ମକ ପ୍ରସ୍ତାବ ମଧ୍ୟ ଦିଆଯିବ। ଆଲୋଚନା ନିଷ୍କର୍ଷରୁ ଜଣାପଡ଼େ ଯେ ଖଣି କ୍ଷତିଗ୍ରସ୍ତ ଲୋକମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ସହିତ ପ୍ରଭାବିତ ଅଞ୍ଚଳର ଅନଗ୍ରସରତା ଦୂର କରିବା ଲକ୍ଷ୍ୟରେ ୨୦୧୫ ମସିହାରେ କେନ୍ଦ୍ର ସରକାର ଏମଏମଡିଆର ଆଇନରେ ସଂଶୋଧନ କରି ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବସ୍ଥା କରିଥିଲେ। ଖଣି ପଟ୍ଟାଦାରମାନେ ଅଳ୍ପ ପୁଞ୍ଜିରେ ଅର୍ଜନ କରୁଥିବା ଅଧିକ ଲାଭର କିଛି ଅଂଶ ଖଣିଜ ପାଣ୍ଠିକୁ ଦେବେ ଓ ଏହି ପାଣ୍ଠିରେ ଖଣି ପ୍ରଭାବିତ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ। ଏହି ଆଇନର ୯-ଖ ଓ ୧୫-କ ଧାରାରେ ଖଣିଜ ପାଣ୍ଠି ବ୍ୟବସ୍ଥା ରହିଛି। ଏହି ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାର ଚାହିଁଲେ ଉଭୟ ଗୁରୁ ଓ ଲଘୁ ଖଣିଜ ପଦାର୍ଥର ବିପଣନ ଉପରୁ ଖଣିଜ ପାଣ୍ଠିକୁ ଅର୍ଥ ଆଦାୟ କରିପାରିବେ। ଅର୍ଥାତ ସରକାର ଚାହିଁଲେ ଲୁହା ପଥର, ମାଙ୍ଗାନିଜ, କ୍ରୋମ, ବକ୍ସାଇଟ ଓ କୋଇଲା ଇତ୍ୟାଦି ଗୁରୁ ଖଣିଜ ପଦାର୍ଥ ସହିତ ବାଲି, ବଜୁରୀ, ମୋରମ ଓ ମାଙ୍କଡ଼ା ପଥର ଉପରୁ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି ପାଇଁ ଅର୍ଥ ଆଦାୟ କରିପାରିବେ। ଏହି ଆଇନରେ ରହିଥିବା ବ୍ୟବସ୍ଥା ଅନୁସାରେ ଜିଲ୍ଲା ସ୍ତରରେ ପାଣ୍ଠିର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଠିତ ହେବ। ଟ୍ରଷ୍ଟ କେବଳ ପଂଜୀକୃତ ହେଲେ ହିଁ ଗଠିତ ହେଲା ବୋଲି ଆଇନଗତ ବ୍ୟବସ୍ଥା ରହିଛି। କିନ୍ତୁ କେନ୍ଦୁଝର ଡିଏମଏଫ ଟ୍ରଷ୍ଟ ଏଯାଏଁ ପଂଜୀକୃତ ହୋଇନାହିଁ। ତେଣୁ ଏହା ବେଆଇନ। ଏହି ବେଆଇନ ଟ୍ରଷ୍ଟ ଇତିମଧ୍ୟରେ ୨୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲାଣି। ଏମଏମଡିଆର ଆଇନର ବ୍ୟବସ୍ଥା ଅନୁସାରେ ଟ୍ରଷ୍ଟ ପରିଚାଳନା ପାଇଁ ଦୁଇଟି କମିଟି ରହିବ। ଗୋଟିଏ ଗବର୍ଣ୍ଣିଂ କାଉନସିଲ ଓ ଅନ୍ୟଟି ମ୍ୟାନେଜିଂ କମିଟି। ଗବର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ରହିବେ ସଂପୃକ୍ତି ଜିଲ୍ଲାର ସାଂସଦ। ଜିଲ୍ଲାରେ ଏକାଧିକ ସାଂଦଦ ଥିଲେ ବରିଷ୍ଠ ସାଂସଦଙ୍କୁ ଏହି ପଦ ମିଳିବା କଥା। ଚିନ୍ତାମଣି ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କୋଇଲା ଓ ଇସ୍ପାତ ମନ୍ତ୍ରଣାଳୟର ସ୍ଥାୟୀ ସଂସଦୀୟ କମିଟି ୨୦୧୮ ଡିସେମ୍ବର ୨୭ ତାରିଖରେ ପ୍ରଦାନ କରିଥିବା ରିପୋର୍ଟ ଅନୁସାରେ ଜିଲ୍ଲା ଖଣିଜ ପାଣ୍ଠିର ୬୦ ପ୍ରତିଶତ ଅର୍ଥ ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କର ଉନ୍ନତି ପାଇଁ ବିନିଯୋଗ କରାଯିବା କଥା। ଏମଏମଡିଆର ଆଇନ ଅନୁସାରେ ୬୦ ପ୍ରତିଶତ ଅର୍ଥ ଉଚ୍ଚ ଅଗ୍ରାଧିକାର କ୍ଷେତ୍ରରେ ଖର୍ଚ୍ଚ କରାଯିବ। ଉଚ୍ଚ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ହେଉଛି ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ମହିଳା ଓ ଶିଶୁ କଲ୍ୟାଣ, ପରିବେଶ ଓ ଭିତ୍ତିଭୂମି ନିର୍ମାଣ। ତେବେ ଏସବୁ କ୍ଷେତ୍ର ପାଇଁ ସରକାରଙ୍କର ଅନେକ ଯୋଜନା କାର୍ଯ୍ୟ କରୁଥିବାରୁ ଗୋଟିଏ କାମ ପାଇଁ ସରକାରୀ ଯୋଜନା ଓ ଖଣିଜ ପାଣ୍ଠି ଉଭୟର ଟଙ୍କା ଖର୍ଚ୍ଚ ହେଲେ ଦୁର୍ନୀତି ହେବାର ସମସ୍ତ ସମ୍ଭାବନା ରହିଛି। ସରକାରୀ ଯୋଜନା ବାହାରେ ଏହି ଅର୍ଥ ଖର୍ଚ୍ଚ କରାଗଲେ ଲୋକମାନେ ଉଭୟ ପାଣ୍ଠିରୁ ଉପକୃତ ହୋଇପାରିବେ। ଏହ ପାଣ୍ଠିରେ କି କି କାମ କେଉଁଠି ହେବ ସେନେଇ ତୃଣମୂଳ ସ୍ତରୀୟ ଲୋକ ପ୍ରତିନିଧିମାନଙ୍କ ପରାମର୍ଶ ନିଆଯିବ। ସେଇ ସ୍ତରରେ ମଧ୍ୟ ଯୋଜନା ଚୂଡ଼ାନ୍ତ ହେବ। କିନ୍ତୁ କେନ୍ଦୁଝରରେ ଏଭଳି ହେଉନାହିଁ। ଯୋଜନା ଉପରୁ ଅର୍ଥାତ ଅଫିସର ସ୍ତରରେ ହେଉଛି। ଜନମତକୁ ଗୁରୁତ୍ବ ଦିଆଯାଉ ନାହିଁ। କେନ୍ଦୁଝରରେ ଡିଏମଏଫ ପାଣ୍ଠି ପରିଚାଳନା ପାଇଁ ବିଧିବଦ୍ଧ ଭାବେ ଗବର୍ଣ୍ଣିଂ କାଉନସିଲ ଓ ମ୍ୟାନେଜିଂ କମିଟି ଗଠିତ ହୋଇନାହିଁ। ପାଣ୍ଠି ପରିଚାଳନା ପାଇଁ ମାତ୍ର ଜଣେ ସରକାରୀ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି। ତାଙ୍କ ହାତରେ ୩ ହଜାର କୋଟି ଟଙ୍କାର ହିସାବ ରହିବ। ଖର୍ଚ୍ଚରେ ସ୍ବଚ୍ଛତା ରହୁନାହିଁ। ଆଇନ ଅନୁସାରେ ନିୟମିତ ଅଡ଼ିଟ ହେବା କଥା। ହେଉନାହିଁ। ତେଣୁ ପ୍ରକୃତରେ ଟଙ୍କାର ସଦବିନିଯୋଗ ହୋଇଛି କି ଅଫିସରମାନେ ଦୁର୍ନୀତି ଓ ଅନିୟମିତତା କରି ଟଙ୍କା ହଡ଼ପ କରିଛନ୍ତି ତାହା ଜଣାପଡ଼ୁନାହିଁ। ଆଲୋଚନାଚକ୍ରରେ ସାମାଜିକ ଅଡ଼ିଟ ପାଇଁ ସଂଖ୍ୟାଧିକ ମତ ଉଠିଥିଲା। କେନ୍ଦୁଝରରେ ପିଲାଙ୍କ ପୁଷ୍ଟିହୀନତା ଦୂର କରିବାକୁ ୨.୩ ଲକ୍ଷ ପିଲାଙ୍କୁ ଦୈନିକ ଅଣ୍ଡା ଦିଆଯାଉଛି। ଅଣ୍ଡା କିଣାରେ କମିଶନି କାରବାର ହେଉଥିବା ଅସମ୍ଭବ କି ଅସ୍ବାଭାବିକ ନୁହେଁ। ପୁଷ୍ଟିହୀନତାର ଶିକାର ପରିବାରକୁ ଦେଶୀ କୁକୁଡ଼ା ଚାଷ ପାଇଁ ଆର୍ଥିକ ସହାୟତା ଦେଲେ ସେଥିରେ ପରିବାରର ପୁଷ୍ଟି ଆବଶ୍ୟକତା ପୂରଣ ହେବା ସହିତ ଆର୍ଥିକ ଉନ୍ନତି ସମ୍ଭବ ହେବ। ସେହିପରି ଖଣି କ୍ଷତିଗ୍ରସ୍ତ ଅଞ୍ଚଳରେ ଲୋକମାନଙ୍କର ପାରମ୍ପାରିକ ଜୀବିକା ସହିତ ଆଧୁନିକ ଜୀବିକାର ଭିତ୍ତିଭୂମି ସୃଷ୍ଟି ଉପରେ ଅଧିକ ପାଣ୍ଠି ବିନିଯୋଗ ହେଲେ ଲୋକମାନେ ବର୍ଷ ସାରା ରୋଜଗାର ସୁଯୋଗ ପାଇବେ। ଏନଆରଇଜିଏ ଯୋଜନାରେ ଶ୍ରମିକମାନଙ୍କୁ ସର୍ବନିମ୍ନ ୧୦୦ ଦିନର କର୍ମନିଯୁକ୍ତି ଦିଆଯାଉଛି। ଜିଲ୍ଲା ଖଣିଜ ପାଣ୍ଠିରେ ସ୍ଥାୟୀ ଆୟସୂତ୍ର ସୃଷ୍ଟି କରାଯିବା ଦରକାର। ଜଙ୍ଗଲ ହେଉଛି ବନବାସୀ, ଦଳିତ ଓ ପଛୁଆ ବର୍ଗର ସ୍ଥାୟୀ ଆୟସୂତ୍ର। ଖଣି କାମ ଯୋଗୁଁ ଜଙ୍ଗଲ ଧ୍ବଂସ ହେଉଛି। ତେଣୁ ସେହି ପାଣ୍ଠିରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହେବା ଦରକାର। ସେହିପରି ଅନ୍ୟାନ୍ୟ ପାରମ୍ପାରିକ ତଥା ଆବରଶ୍ୟକତା ଭିତ୍ତିକ ବୃତ୍ତି ଓ ବେଉସା ପାଇଁ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା କଥା। ରାସ୍ତା, ପୋଲ, ସ୍କୁଲ ଘର, ଡାକ୍ତରଖାନା ଆଦି ନିର୍ମାଣ ପାଇଁ ସରକାରଙ୍କର ଅନ୍ୟ ବହୁ ଯୋଜନା ରହିଛି। ସଂପୃକ୍ତ ବିଭାଗ ଜରିଆରେ ସେସବୁ କାମ ନକରି ଜିଲ୍ଲା ଖଣିଜ ପାଣ୍ଠିରେ ସେହି କାମ କରାଯିବା ଧର୍ମକୁ ଆଖିଠାର ମାରିବା ଭଳି। ଖଣି ଓ ଶିଳ୍ପାଞ୍ଚଳର ପାରିପାର୍ଶ୍ବିକ ବିକାଶ ଦାୟିତ୍ବ ସଂପୃକ୍ତ ଲାଭ ଅର୍ଜନକାରୀ କମ୍ପାନୀମାନଙ୍କର। ସେଥିପାଇଁ ସରକାର ଶିଳ୍ପ ଓ ଖଣିକୁ ପ୍ରୋତ୍ସାହିତ କରିଥାନ୍ତି। ତା’ଛଡ଼ା ସେମାନଙ୍କ ଲାଭର କିଛି ଅଂଶ ପାରିପାର୍ଶ୍ବିକ ବିକାଶରେ ବିନିଯୋଗ କରିବା ପାଇଁ କେନ୍ଦ୍ର ସରକାର କର୍ପୋରେଟ୍‌ ସୋସିଆଲ ରେସ୍‌ପନ୍‌ସିବିଲିଟି ବା ସିଏସ୍‌ଆର୍‌ ବ୍ୟବସ୍ଥା କରିଛନ୍ତି। ଖଣ ଅଞ୍ଚଳରେ ରାସ୍ତା, ସ୍କୁଲ ଓ ଡାକ୍ତରଖାନା ଇତ୍ୟାଦି କମ୍ପାନୀଗୁଡ଼ିକ କରିବା କଥା। ସେ ବାବଦରେ ଡିଏମଏଫ ଟଙ୍କା ଖର୍ଚ୍ଚ କରାଯିବା ଅର୍ଥ ସିଏସଆର ପାଣ୍ଠି ଓ ସରକାରୀ ଯୋଜନାର ଅର୍ଥ ଅନ୍ୟ କାମରେ ଲାଗିବା ବା ହଡ଼ପ ହେବା ପାଇଁ ସୁଯୋଗ ଓ ସୁବିଧା ସୃଷ୍ଟି କରିବା ସହିତ ସମାନ।

Share :