ଭଣ୍ଡାର ରକ୍ଷକ ଭିକାରୀ, ସିନ୍ଧିଚୋର ମାଲେମାଲ୍‌!

ଭଣ୍ଡାର ରକ୍ଷକ ଭିକାରୀ, ସିନ୍ଧିଚୋର ମାଲେମାଲ୍‌!

କେନ୍ଦୁଝର ପ୍ରତିନିଧି ଲକ୍ଷ୍ମୀଙ୍କ ଗନ୍ତାଘରିଆ ଭିକ ମାଗିବ ଆଉ ସିନ୍ଧିଚୋର ଧନପତି ହେବ! ୨୦୧୯ ଅଗଷ୍ଟ ୯ ତାରିଖରେ କେନ୍ଦୁଝର ନଗର ଭବନରେ ଅନୁଷ୍ଠିତ ‘ଜିଲ୍ଲା ଖଣିଜ ପାଣ୍ଠି’ ଶୀର୍ଷକ ଜାତୀୟ ଆଲୋଚନାରେ ଭାଗ ନେଇଥିବା ବକ୍ତାମାନେ ପ୍ରାୟତଃ ଏଇ ମର୍ମରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଖଣି ଅଞ୍ଚଳର ପ୍ରଭାବିତ ଲୋକମାନଙ୍କର କ୍ରୋଧ ଓ କ୍ଷୋଭର ପ୍ରଶ୍ନ ମଧ୍ୟରେ ବାରି ହୋଇପଡ଼ୁଥିଲା ଅସମାନ ଆର୍ଥିକ ସମୃଦ୍ଧିର ଧାରା, ଶୋଷଣ ଓ କଷଣର ବିକାଶର ମାୟାଜାଲ। ତେବେ ଖଣି ପ୍ରଭାବିତ ଅଞ୍ଚଳର ଦୁଃଖ ଦୁର୍ଦ୍ଦଶା ଦୂର କରିବା ସଙ୍ଗେ ସଙ୍ଗେ ଲୋକମାନଙ୍କର ଜୀବନର ମାନ ଉନ୍ନତ କରିବା କ୍ଷେତ୍ରରେ ଜିଲ୍ଲା ଖଣିଜ ପାଣ୍ଠିର ଯୋଜନାବଦ୍ଧ ସଦୁପଯୋଗ ସହାୟତା କରିପାରେ ବୋଲି ମଧ୍ୟ ବକ୍ତାମାନେ ମତ ଉପସ୍ଥାପନ କରିଥିଲେ। ଏହି ଜାତୀୟ ଆଲୋଚନା ଚକ୍ରର ଉଦଘାଟନ କରିଥିଲେ ଜିଲ୍ଲାପାଳ ଆଶିଷ ଠାକରେ। ସମ୍ମାନୀତ ବକ୍ତା ଥିଲେ ଧାନବାଦ ଆଇଆଇଟିର ଅଧ୍ୟକ୍ଷ ପ୍ରଫେସର ଡିଡି ମିଶ୍ର। ବିଶେଷଜ୍ଞ ବକ୍ତାଭାବେ ଖଣିଜ ପାଣ୍ଠି ପରିଚାଳନାର ବିଭିନ୍ନ ଦିଗ ତଥା ଖଣି ଅଞ୍ଚଳର ବିଭିନ୍ନ ସମସ୍ୟାର ଉପରେ ଆଲୋକପାତ କରିଥିଲେ ବିଶେଷଜ୍ଞ ପୁଣେସ୍ଥିତ ବୈକୁଣ୍ଠ ମେହେଟା ନ୍ୟସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କୋ-ଅପରେଟିଭ ମ୍ୟାନେଜମେଣ୍ଟର ପ୍ରଫେସର ଡକ୍ଟର ସ୍ନେହା କୁମାରୀ, ନୂଅଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନଭିରନମେଣ୍ଟର ଡେପୁଟି ପ୍ରୋଗ୍ରାମ ମ୍ୟାନେଜର ଚିନ୍ମୟୀ ଶଲ୍ୟ, ସାମାନ୍ୟକଥନ.କମ୍‌ର ସଂପାଦକ ଦେବେନ୍ଦ୍ର ପୃଷ୍ଟି ଏବଂ ଦକ୍ଷିଣ ଏସିଆ ପାଇଁ ଏଡ୍‌ ଆଟ୍‌ ଆକ୍ସନର ପ୍ରବାସ ଓ ଶିକ୍ଷା ନିର୍ଦ୍ଦେଶକ ଉମି ଡାନିଏଲ୍। ଭୂମି ଦ ମଦର ଆର୍ଥ ତରଫରୁ ଅୟୋଜିତ ଏହି ଆଲୋଚନାଚକ୍ରରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଡକ୍ଟର ସରିତା ନାୟକ, ଉଦ୍ଦେଶ୍ୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଡକ୍ଟର ରୀନା ରାଉତରାୟ, ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସତ୍ୟବ୍ରତ ପଣ୍ଡା, ଆଲୋଚନା ଚକ୍ର ସଂଚାଳନ କରିଥିଲେ ଡକ୍ଟର ଅସୀମା ସାହୁ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ମୂରଲୀ ଶର୍ମା। ଆଲୋଚନା ଚକ୍ରର ଶେଷ ଭାଗରେ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନେ ସେମାନଙ୍କର ଦୁଃଖଦୁର୍ଦ୍ଦଶା ଓ ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ। ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରିବା ପରେ ଉଦଘାଟକ ଜିଲ୍ଲାପାଳ ଆଶିଷ ଠାକରେ ଜିଲ୍ଲା ଖଣିଜ ପାଣ୍ଠିରେ କେନ୍ଦୁଝର ଜିଲ୍ଲାରେ କେଉଁ କେଉଁ କ୍ଷେତ୍ରରେ କି କି ପ୍ରକାର ଯୋଜନା ଓ ପ୍ରକଳ୍ପମାନ ହାତକୁ ନିଅଯାଇଛି ତାହା ବର୍ଣ୍ଣନା କରିଥିଲେ। ଦୀର୍ଘ ଏକ ଘଣ୍ଟା କାଳ ସେ ଜିଲ୍ଲା ଖଣିଜ ପାଣ୍ଠିରେ ହେଉଥିବା କାର୍ଯ୍ୟକ୍ରମ ସଂପର୍କରେ ସ୍ଲାଇଡ୍‌ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ। ଏମଏମଡିଆର ସଂଶୋଧନ ଆଇନ ଏବଂ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାରେ ଥିବା ନିର୍ଦ୍ଦେଶିକା ମୁତାବକ ଉଚ୍ଚ ଅଗ୍ରାଧିକାର ପାଉଥିବା ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ଜୀବିକା, ମହିଳା ଓ ଶିଶୁ କଲ୍ୟାଣ, ପରିବେଶ ଓ ଭିତ୍ତିଭୂମି ନିର୍ମାଣ ଆଦି କ୍ଷେତ୍ରରେ ଅନେକ ପ୍ରକଳ୍ପ ହାତକୁ ନିଆଯାଇଥିବା ସୂଚାଇଥିଲେ। ତାଙ୍କ ସୂଚନା ଅନୁସାରେ ୨୦୧୫ ମସିହାରୁ ଇତିମଧ୍ୟରେ ଜିଲ୍ଲାରେ ଖଣିଜ ପାଣ୍ଠି ବାବଦରୁ ୩୩୯୦ କୋଟି ଟଙ୍କା ଆଦାୟ ହୋଇଛି। ସେଥିରୁ ୭୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଭିନ୍ନ ପ୍ରକଳ୍ପ ପାଇଁ ୨୪୮୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରଫେସର ଡିଡି ମିଶ୍ର ଖଣିଜ ପାଣ୍ଠିରେ ସ୍ଥାନୀୟ ଅଞ୍ଚଳର ବିକାଶ ନେଇ ଆଶା ପ୍ରକଟ କରିଥିଲେ ହେଁ କଙ୍ଗୋ ଓ ଭେନେଜୁଆଲା ଉଦାହରଣ ନେଇ ପ୍ରାକୃତିକ ସଂପଦ ଶେଷ ହୋଇଗଲେ ଦେଶର ଅବସ୍ଥା କ’ଣ ହୁଏ ସେ ସଂପର୍କରେ ପରୋକ୍ଷରେ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଖଣି ଏକ ଅସରନ୍ତି ଭଣ୍ଡାର ନୁହେଁ। ଏହା ଶେଷ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ସମୃଦ୍ଧ ଓ ସ୍ବାବଲମ୍ବୀ ହେବା ଜରୁରୀ। ଡକ୍ଟର ସ୍ନେହା କୁମାରୀ କହିଥିଲେ ଯେ ଭାରତବର୍ଷର ଅନ୍ୟତମ ଖଣିଜ ସମୃଦ୍ଧ ଜିଲ୍ଲା ହେଉଛି କେନ୍ଦୁଝର। ଏହି ଜିଲ୍ଲାର ଖଣିଜ ପଦାର୍ଥ ବ୍ୟବହାର କରି ବହୁ ଶିଳ୍ପଗୋଷ୍ଠୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି। କିନ୍ତୁ ଏହି ଜିଲ୍ଲାର ସାକ୍ଷରତା ହାର, ପୁଷ୍ଟି ପରିସ୍ଥିତି, ଶିଶୁ ଓ ମାତୃ ମୃତ୍ୟୁହାର, ଜୀବନର ମାନ ଆଦି ଅତ୍ୟନ୍ତ ନୈରାଶ୍ୟଜନକ। ଜିଲ୍ଲାର ମାନବ ବିକାଶ ସୂଚକାଙ୍କ ଭାରତର ବହୁ ଉନ୍ନତ ଓ ବିକଶିତ ଜିଲ୍ଲାର ତୁଳନାରେ ଢେର ତଳେ। ଡକ୍ଟର ଚିନ୍ମୟୀ ଶଲ୍ୟ ଜିଲ୍ଲା ଖଣିଜ ପାଣ୍ଠିର ଉତ୍ପତ୍ତି, ପରିଚାଳନା, ଯୋଜନା ଓ ଜନ ସହଭାଗୀତା ସଂପର୍କରେ ତଥ୍ୟପୂର୍ଣ୍ଣ ଉପସ୍ଥାପନ କରିଥିଲେ। ସେ ମଧ୍ୟ ପ୍ରଚୁର ଖଣିଜ ସଂପଦ ଓ ରାଜସ୍ବ ଆଦାୟ ସତ୍ତ୍ବେ କେନ୍ଦୁଝରର ଖଣି ପ୍ରଭାବିତ ଲୋକମାନଙ୍କର ଜୀବନଜୀବିକାର ମାନ ଏତେ ତଳେ ରହିବା କ୍ଷୋଭର ବିଷୟ ବୋଲି କହିଥିଲେ। ଦେବେନ୍ଦ୍ର ପୃଷ୍ଟି କହିଥିଲେ ଯେ ଶାସନ ଓ ପ୍ରଶାସନ ଦୁର୍ନୀତିମୂଳକ ଅଭିସନ୍ଧି ଓ ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ନହୋଇ ସ୍ବଚ୍ଛ ମନ ଓ ବ୍ୟବସ୍ଥାରେ ଖଣିଜ ପାଣ୍ଠିର ସଦବିନିଯୋଗ କଲେ ଲୋକଙ୍କ ଜୀବନ ଧାରଣ ମାନରେ ଅନେକ ଉନ୍ନତି ଆସିବ। ଜିଲ୍ଲାରେ ୨୬୦୦ କୋଟି ଟଙ୍କା ଉପରେ ଖଣିଜ ପାଣ୍ଠି ଖର୍ଚ୍ଚ ହେବାକୁ ବାକି ଥିବାବେଳେ ଜିଲ୍ଲାର ୨୧୦୦ ଗାଁରେ ଯଦି ଏହି ଟଙ୍କା ବାଣ୍ଟି ଦିଆଯାଏ ତେବେ ପ୍ରତି ଗାଁ ୧ କୋଟିରୁ ଅଧିକ ଟଙ୍କା ପାଇବେ॥ ଏହି ଟଙ୍କାରେ ପ୍ରତି ଗାଁର ମୌଳିକ ଅସୁବିଧା ଦୂର ହୋଇପାରିବ। ପ୍ରତି ଗାଁରେ ଶୁଦ୍ଧ ପାନୀୟ ଜଳ, ଉନ୍ନତ ମାନର ଶିକ୍ଷା ଓ ସ୍ବାସ୍ଥ୍ୟ ସୁବିଧା ସାଙ୍ଗକୁ ଗ୍ରାମ ଅର୍ଥନୀତିକୁ ସ୍ବାବଲମ୍ବୀ କରାଯାଇ ପାରିବ ବୋଲି ସେ ମତ ଦେଇଥିଲେ। ଉମି ଡାନିଏଲ କହିଥିଲେ ଯେ ଏତେ ବର୍ଷର ଖଣିଜ ବ୍ୟବସାୟ ସତ୍ତ୍ବେ କେନ୍ଦୁଝରରୁ ଦେଶାନ୍ତରୀ ଶ୍ରମିକ ସମସ୍ୟା ଦୂର ହୋଇନାହିଁ। ଜିଲ୍ଲାର ଲୋକମାନଙ୍କୁ ଯଦି ସ୍ଥାନୀୟ ଅଞ୍ଚଳରେ ଅଧିକ ବେତନ ବା ପାରିଶ୍ରମିକ ଯୁକ୍ତ ନିଯୁକ୍ତି ସୁଯୋଗ ମିଳୁଥାନ୍ତା ତେବେ ସେମାନେ ଗାଁ ଛାଡ଼ି ଦୂରଦେଶକୁ ରୋଜଗାର ଧନ୍ଦାରେ ଯିବାକୁ ପସନ୍ଦ କରନ୍ତେ ନାହିଁ। ଖଣିଜ ପାଣ୍ଠିରେ ସ୍ଥାୟୀ ନିଯୁକ୍ତି ଓ ରୋଜଗାର ସୁଯୋଗ ସହିତ ସ୍ଥାନୀୟ ଲୋକମାନଙ୍କର ଦକ୍ଷତା ବିକାଶ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଶେଷ ଅଧିବେଶନରେ କିରଣ କୁମାର ସାହୁ, ସତ୍ୟନାରାୟଣ ମିଶ୍ର, ଜ୍ଞାନରଂଜନ ମିଶ୍ର, ହିମାଂଶୁ କୁଅଁର, ଦୁଷ୍କର ବାରିକ, ସୁରେଶ ପଟ୍ଟନାୟକ, ଆଲୋକ ମିଶ୍ର, ବିପ୍ଳବ ମିଶ୍ର, ବିରଜା ମିଶ୍ର, ଭକ୍ତବତ୍ସଳ ମହାନ୍ତି, ସସ୍ମିତା ପ୍ରଧାନ, କୁଇରା ପ୍ରଧାନ, ମହେନ୍ଦ୍ର ଗିରି, ଶିରିଷ ଚନ୍ଦ୍ର ମହାନ୍ତି, ପ୍ରକାଶ ମହାନ୍ତି, ଦିଲ୍ଲୀପ ମିଶ୍ର, ପ୍ରସାଦ ଘଣା ଓ ରାମନାରାୟଣ ଦ୍ବିବେଦୀ ପ୍ରମୁଖ ଅଂଶଗ୍ରହଣ କରି ଖଣି ଅଞ୍ଚଳର ବିଭିନ୍ନ ସମସ୍ୟା ସଂପର୍କରେ ବର୍ଣ୍ଣନା କରିବା ସହିତ ପ୍ରାଶାସନିକ ପ୍ରାଧାନ୍ୟ ଖଣିଜ କ୍ଷେତ୍ରର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି ମତ ଦେଇଥିଲେ।

Share :