ଜୈବ ଇନ୍ଧନ ଉତ୍ପାଦନ ଓ ବ୍ୟବହାର ଉପରେ ଗୁରୁତ୍ବ

ଜୈବ ଇନ୍ଧନ ଉତ୍ପାଦନ ଓ ବ୍ୟବହାର ଉପରେ ଗୁରୁତ୍ବ

ପିଆଇବି ପ୍ରତି ବର୍ଷ ଅଗଷ୍ଟ ୧୦ ତାରିଖରେ ବିଶ୍ୱ ଜୈବଇନ୍ଧନ ଦିବସ ପାଳନ କରାଯାଉଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କୁ ଅଣ ଜୀବାସ୍ମରୁ ଉତ୍ପାଦିତ ତୈଳ ତଥା ଜୈବ ଇନ୍ଧନର ଉପକାରିତା ବିଷୟରେ ସଚେତନ କରାଇବା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜୈବଇନ୍ଧନ ଉତ୍ପାଦନ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରାଯିବ। ଗତ ୪ ବର୍ଷ ହେଲା ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବିଶ୍ୱ ଜୈବଇନ୍ଧନ ଦିବସ ପାଳନ କରିଆସୁଛି। ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ରନ୍ଧନ ତୈଳରୁ ଜୈବଇନ୍ଧନର ଉତ୍ପାଦନ। ଜୈବଇନ୍ଧନ ଉତ୍ପାଦନ ଦ୍ୱାରା ତୈଳ ଆମଦାନୀ ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ, ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ହେବ ଓ କୃଷକମାନଙ୍କର ଆୟ ବଢିବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜୈବଇନ୍ଧନ କାର୍ଯ୍ୟକ୍ରମ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରୋତ୍ସାହିତ କରେ, ଯଥା ମେକ ଇନ ଇଣ୍ଡିଆ, ସ୍ୱଚ୍ଛ ଭାରତ ଏବଂ କୃଷକଙ୍କ ଆୟ ବୃଦ୍ଧି। ଜୈବଇନ୍ଧନ ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ୨୦୧୪ରୁ ଅନେକ ପଦକ୍ଷେପ ନିଆଯାଇଛି। ଭାରତରେ ରନ୍ଧା ତେଲ ବଳିଯାଇଥିଲେ ଏହାକୁ ପୁଣି ଥରେ ଛଣାଛଣି ପାଇଁ ବ୍ୟବହାର କରାଯାଏ, ଯାହା ସ୍ୱାସ୍ଥ୍ୟ ପ୍ରତି ହାନୀକାରକ। ଏହି ଛଣା ତେଲରୁ ବାହାରୁଥିବା ଯୌଗିକ, ଉଚ୍ଚ ରକ୍ତଚାପ, ଧମନୀ କାଠିନ୍ୟ, ଆଲଜୈମର ରୋଗ, ଯକୃତ ଜନୀତ ରୋଗ ଭଳି ଅନେକ ରୋଗର କାରଣ ହୋଇପାରେ। ଏହି ବଳକା ତେଲ ଯଦି ବାହାରେ ଫୋପାଡି ଦିଆଯାଏ ତାହା ପରିବେଶ ପାଇଁ କ୍ଷତିକାରକ ହେବା ସହ ନାଳ ଏବଂ ସ୍ୱେରେଜ ଲାଇନକୁ ରୁଦ୍ଧ କରିଦିଏ। ଜୈବଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ମସିହାରେ କେନ୍ଦ୍ର ସରକାର ଏକ ଜାତୀୟ ନିୟମ ଲାଗୁ କରିଥିଲେ। ବଳକା ରନ୍ଧନ ତୈଳର ଅପବ୍ୟବହାରକୁ ରୋକିବା ସହ ଏହି ତେଲରୁ ଜୈବଇନ୍ଧନ ଉତ୍ପାଦନ କରିବା ପାଇଁ ଏଫ୍.ଏସ୍.ଏସ୍.ଏ.ଆଇ (ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ) ବିଭିନ୍ନ ନୀତି ଅବଲମ୍ୱନ କରୁଛି। ଏହି ପ୍ରକ୍ରିଆ ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ବଳକା ତେଲର ପୁନଃ ବ୍ୟବହାରକୁ ରୋକାଯାଇପାରିବ, କାର୍ଯ୍ୟ ନିଯୁକ୍ତି ସୁଯୋଗ ବଢିବ, ଗ୍ରାମ୍ୟ ସ୍ତରରେ ଭିତ୍ତିଭୂମି ସ୍ଥାପନ ପାଇଁ ପୁଞିନିବେଶ ବୃଦ୍ଧି ପାଇବ ଏବଂ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା କମିବା ସହ ପରିବେଶ ସ୍ୱଚ୍ଛ ରହିବ ବର୍ତ୍ତମାନ ସମୟରେ ଭାରତରେ ମାସିକ ୮୫୦ କୋଟି ଲିଟର ତୀବ୍ର ଗତି ଡିଜେଲ ବ୍ୟବହାର କରାଯାଉଛି। ଜୈବଇନ୍ଧନ ପାଇଁ ହୋଇଥିବା ଜାତୀୟ ନିୟମ ଦ୍ୱାରା ୨୦୩୦ ସୁଦ୍ଧା ଜୈବଇନ୍ଧନରୁ ୫% ଇନ୍ଧନ ତୀବ୍ର ଗତି ଡିଜେଲ ଉତ୍ପାଦନରେ ବ୍ୟବହୃତ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଲକ୍ଷ୍ୟ ପୂରଣ ପାଇଁ ପ୍ରତି ବର୍ଷ ୫୦୦ କୋଟି ଲିଟର ଜୈବଇନ୍ଧନର ଆବଶ୍ୟକତା ରହିଛି। ଭାରତରେ ବର୍ଷକୁ ୨୭୦୦ କୋଟି ଲିଟର ରନ୍ଧନ ତୈଳ ବ୍ୟବହାର କରାଯାଉଛି, ଯେଉଁଥିରୁ ୧୪୦ କୋଟି ଲିଟର ତେଲ ହୋଟେଲ, ରେଷ୍ଟୁରାଣ୍ଟ, କ୍ୟାଣ୍ଟିନ ଆଦିରୁ ଆଦାୟ କରାଯାଇ ପାରିବ ଏବଂ ଏଥିରୁ ବର୍ଷକୁ ପାଖାପାଖି ୧୧୦ କୋଟି ଲିଟର ଜୈବଇନ୍ଧନ ଉତ୍ପାଦନ ହୋଇପାରିବ। ବର୍ତ୍ତମାନ ସମୟରେ ଏହି ଯୋଜନାକୁ ସୁଚାରୁରୂପେ କାର୍ଯ୍ୟକାରୀ କରିବା ପାଇଁ କୌଣ଼ସି ପଦକ୍ଷେପ ନିଆଯାଇନାହିଁ। ଏଥି ପାଇଁ ପଦକ୍ଷେପ ନିଆଗଲେ ଜୈବଇନ୍ଧନ ଉତ୍ପାଦନ ପ୍ରକ୍ରିୟା ବହୁମାତ୍ରାରେ ସଫଳ ହୋଇପାରିବ। ଏହି ଅବସରରେ ରାଜ୍ୟସଭା ଏମପି ତଥା ପଦ୍ମ ବିଭୁଷଣ ଶ୍ରୀ ରଘୁନାଥ ମହାପାତ୍ର ଉପସ୍ଥିତ ରହି ମଂଚର ଶୋଭା ବଢାଇଲେ। ସେ ନିଜର ଅଭିଭାଷଣରେ ଓଡିଶାର କଳାପ୍ରାପ୍ୟର ପୂନରଉଦ୍ଧାରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଚାକୁ ଅଶେଷ ପ୍ରଶଂସା କଲେ। ମଂଚରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆଇଓସିଏଲର ସିଜିଏମ୍ ଶ୍ରୀ ଶୁଭଜିତ ଘୋଷ, ଏସ୍.ବି.ଆଇ ଓଡିଶାର ସିଜିଏମ୍ ଶ୍ରୀମତି ପ୍ରବୀଣା କଳା, ଗେଲ୍‌ର ସିଜିଏମ୍ ଶ୍ରୀ ଦିନବନ୍ଧୁ ସୋରେନ, ଏଚ୍.ପି.ସି.ଏଲର ଡିଜିଏମ ଶ୍ରୀ ଅଭ୍ୟଙ୍କର ଦାସ ଆଦି ଉପସ୍ଥିତ ଥିଲେ। ବିଶ୍ୱ ଜୈବଇନ୍ଧନ ଦିବସ ଅବସରେ ଆଜି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦ୍ୱାରା ଏକ କାର୍ଯ୍ୟକ୍ରମ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ପୃଥିବୀ ବିଜ୍ଞାନ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

Share :