ବିଦ୍ୟାର୍ଥୀ କରିବେ ଜଳ ସଂରକ୍ଷଣ

ବିଦ୍ୟାର୍ଥୀ କରିବେ ଜଳ ସଂରକ୍ଷଣ

ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଦିଲ୍ଲୀ କ୍ୟାଂଟନମେଣ୍ଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨ ପରିସରରେ ଥିବା ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ସଭାଗୃହରେ ଆୟୋଜିତ ଏକ ସମାରୋହରେ କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ସିଂ ଶେଖାୱତ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗଣମାନ୍ୟ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସହିତ ମିଶି ୩୫୦ରୁ ଅଧିକ ଚାରା ରୋପଣ କରିଥିଲେ ଏବଂ ବୁନ୍ଦା ଜଳ ସେଚନ ପ୍ରଣାଳୀର ଉଦଘାଟନ କରିଥିଲେ। ଜଳ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅଭିଯାନ ଦେଶର ୧୦ କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବ। ସମାରୋହ ଅବସରରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସୁଶ୍ରୀ ରୀନା ଏବଂ ଯୁଗ୍ମସଚିବ ଶ୍ରୀ ରାମଚନ୍ଦ୍ର ମୀଣା ମଧ୍ୟ ଉପସ୍ଥିତ ଥିଲେ। ମାନବ ସମ୍ୱଳ ବିକାଶ ମନ୍ତ୍ରୀ ଅଭିଯାନର ଶୁଭାରମ୍ଭ କରି ପିଲାମାନଙ୍କୁ ଦୈନିକ ଏକ ଲିଟର ଜଳ ସଂରକ୍ଷଣ କରିବା ଲାଗି ଶପଥ ପାଠ କରାଇଥିଲେ। ସେ କହିଥିଲେ ଯେ ଏହି ଅଭିଯାନ ସହ ୧୦ କୋଟି ପିଲା ଯୋଡ଼ି ହୋଇ ଦୈନିକ ୧୦ କୋଟି ଲିଟର ଜଳ ସଂଚୟ କରିପାରିବେ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ପିଲାମାନେ ନିଜ ଘରେ, ବିଦ୍ୟାଳୟରେ ଏବଂ ଆଖପାଖ ଅଂଚଳରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିପାରିବେ। ଏହି ଅବସରରେ ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦେଶରେ ପାଣି ଅଭାବକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଜଳ ସଂଚୟର ବିଭିନ୍ନ ଉପାୟ ଉପରେ ଆଲୋକପାତ କରିଥିଲେ। ସେ ଇସ୍ରାଏଲର ଉଦାହରଣ ଦେଇ କହିଥିଲେ ଯେ ଏକ ଛୋଟ ଦେଶ ହୋଇ ମଧ୍ୟ ଏହା ଏପରି ଭାବେ ଜଳ ସଂରକ୍ଷଣ କଲା ଯେ ଏହି ଦେଶ ଏବେ ପାଣି ରପ୍ତାନିକାରୀ ଦେଶରେ ପରିଣତ ହୋଇଗଲା। ସେ ଜଳ ସଂରକ୍ଷଣ ଦିଗରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଅତିଥିମାନେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ପୁସ୍ତିକା ଉନ୍ମୋଚନ ମଧ୍ୟ କରିଥିଲେ। ଯାହାର ଶୀର୍ଷକ ହେଉଛି ‘ମୁଁ ପ୍ରତିଦିନ ଏକ ଲିଟର ଜଳ କିପରି ସଂଚୟ କରିପାରିବି’? ବହୁମାତ୍ରାରେ ଜଳ ସଂଚୟ କରିବାର ଛୋଟ ଛୋଟ ଉପାୟ ଏହି ପୁସ୍ତିକାରେ ଲିପିବଦ୍ଧ ହୋଇ ରହିଛି। ସୂଚନାଯୋଗ୍ୟ ଯେ ଜଳ ସଂଚୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଭାରତ ସରକାରଙ୍କ ପକ୍ଷରୁ ଜଳ ଶକ୍ତି ଅଭିଯାନ ଆରମ୍ଭ କରାଯାଇଛି। ଏହାର ଅନ୍ତର୍ଗତ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନ ଆରମ୍ଭ କରାଯାଇଛି।

Share :