୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

Share :

ପିଆଇବି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୯ ତାରିଖରେ ଏକ ସାମ୍ୱାଦିକ ସମ୍ମିଳନୀରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଫିଚର ଫିଲ୍ମ ବର୍ଗରେ ଅଧ୍ୟକ୍ଷ ଶ୍ରୀ ରାହୁଲ ରାେୱଲ, ଅଣ ଫିଚର ଫିଲ୍ମ ବର୍ଗରେ ଅଧ୍ୟକ୍ଷ ଶ୍ରୀ ଏଏସ କନଲ, ଚଳଚ୍ଚିତ୍ର ରଚନା ବର୍ଗରେ ଅଧ୍ୟକ୍ଷ ଶ୍ରୀ ଉତ୍ପଳ ବୋରପୂଜାରୀ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଥିଲେ। ଏଥିପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକରଙ୍କୁ ଅଧ୍ୟକ୍ଷଗଣ ଏବଂ ଅନ୍ୟ ବିଚାରକମଣ୍ଡଳୀ ସଦସ୍ୟମାନେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ରିପୋର୍ଟ ପ୍ରଦାନ କରିଥିଲେ। ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ଶ୍ରେଷ୍ଠ ଫିଚର ଚଳଚ୍ଚିତ୍ର ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଛି। ସେହିପରି ହିନ୍ଦୀ ଚଳଚ୍ଚିତ୍ର ‘ବଧାଇ ହୋ’କୁ ସାମଗ୍ରିକ ମନୋରଞ୍ଜନଧର୍ମୀ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ହିନ୍ଦୀ ଚଳଚ୍ଚିତ୍ର ‘ପ୍ୟାଡମ୍ୟାନ’ ସାମାଜିକ ପ୍ରସଙ୍ଗ ଉପରେ ନିର୍ମିତ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ପାଇବା ଲାଗି ହକଦାର ହୋଇଛି। ଅନ୍ୟପକ୍ଷରେ କନ୍ନଡ଼ ଚଳଚ୍ଚିତ୍ର ‘ଓଣ୍ଡାଲା ଏରାଡାଲ୍ଲା’କୁ ଜାତୀୟ ଏକତା ଉପରେ ନିର୍ମିତ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ନର୍ଗିସ ଦତ୍ତ ପୁରସ୍କାର ପ୍ରଦାନ କରାଯିବା ଲାଗି ଘୋଷଣା କରାଯାଇଛି। ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିବା ଆଦିତ୍ୟ ଧର ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ଏଥର ଦୁଇ ଜଣଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯିବ। ଏହି ଦୁଇ ଅଭିନେତା ହେଲେ ‘ଅନ୍ଧାଧୁନ’ ଚଳଚ୍ଚିତ୍ର ପାଇଁ ଆୟୁଷ୍ମାନ ଖୁରାନ୍ନା ଏବଂ ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ଭିକି କୌଶଲ। ଅପରପକ୍ଷରେ ତେଲଗୁ ଚଳଚ୍ଚିତ୍ର ‘ମହାନତି’ ପାଇଁ କୀର୍ତ୍ତି ସୁରେଶ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବେ। ମରାଠୀ ଚଳଚ୍ଚିତ୍ର ‘ନାଲ’କୁ ନିର୍ଦ୍ଦେଶକଙ୍କ ଶ୍ରେଷ୍ଠ ପଦାର୍ପଣ ଚଳଚ୍ଚିତ୍ର ଭାବେ ଇନ୍ଦିରା ଗାନ୍ଧୀ ପୁରସ୍କାର ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ଅନୁରୂପ ଭାବେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ମରାଠୀ ଚଳଚ୍ଚିତ୍ର ‘ପାନି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ଏହାବ୍ୟତୀତ ଉତ୍ତରାଖଣ୍ଡକୁ ଚଳଚ୍ଚିତ୍ର ସୁଟିଂ ପାଇଁ ସବୁଠୁ ଅନୁକୂଳ ରାଜ୍ୟ ଭାବେ ଘୋଷଣା କରାଯାଇଛି। କନ୍ନଡ ଭାଷାରେ ନିର୍ମିତ ‘ସରକାରୀ ହିରିୟା ପ୍ରାଥମିକା ଶାଲେ କାସାରଗୋଡୁ’କୁ ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ମରାଠୀ ଚଳଚ୍ଚିତ୍ର ‘ଚୁମ୍ୱକ’ ପାଇଁ ସ୍ୱନନ୍ଦ କିରକିରେଙ୍କୁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ଲାଗି ଚୟନ କରାଯାଇଛି। ହିନ୍ଦୀ ଚଳଚ୍ଚିତ୍ର ‘ବଧାଇ ହୋ’ ପାଇଁ ସୁରେଖା ସିକ୍ରି, କନ୍ନଡ଼ ଚଳଚ୍ଚିତ୍ର ‘ଓଣ୍ଡାଲା ଏରାଡାଲ୍ଲା’ ଲାଗି ପିଭି ରୋହିତ, ପଞ୍ଜାବୀ ଚଳଚ୍ଚିତ୍ର ‘ହରଜିତା’ ପାଇଁ ସମଦୀପ ସିଂ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପାଇବେ। ହିନ୍ଦୀ ଚଳଚ୍ଚିତ୍ର ‘ପଦ୍ମାବତ’ରେ ଥିବା ଗୀତ ‘ବିନତେ ଦିଲ ମିସ୍ରିୟା ମେଁ’ ପାଇଁ ଅରିଜିତ ସିଂ ଏବଂ କନ୍ନଡ଼ ଚଳଚ୍ଚିତ୍ର ‘ନତିଚରମୀ’ର ଗୀତ ‘ମାୟାବୀ ମାନବେ’ ପାଇଁ ବିନ୍ଦୁ ମାଳିନୀଙ୍କୁ ଯଥାକ୍ରମେ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଓ ଗାୟିକା ପୁରସ୍କାର ପ୍ରଦାନ କରାଯିବ। ହିନ୍ଦୀ ଚଳଚ୍ଚିତ୍ର ‘ଉରି : ଦ ସର୍ଜିକାଲ ଷ୍ଟ୍ରାଇକ’ ପାଇଁ ଶାଶ୍ୱତ ସଚ୍ଚଦେବଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଦିଆଯିବ। ଲୋକପ୍ରିୟ କନ୍ନଡ଼ ଚଳଚ୍ଚିତ୍ର ‘କେଜିଏଫ’କୁ ସ୍ପେଶାଲ ଇଫେକ୍ଟସ ପାଇଁ ଜାତୀୟ ପୁରସ୍କାର ଦିଆଯିବ। ସେହିପରି ‘ପଦ୍ମାବତ’ର ‘ଘୁମର’ ଗୀତରେ ନୃତ୍ୟ ନିର୍ଦ୍ଦେଶନା ଲାଗି କୃତି ମହେଶ ମିଦ୍ୟା ଏବଂ ଜ୍ୟୋତି ତୋମାର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି।

Share :