କାଶ୍ମୀର କାହାଣୀର ଅନ୍ତ ନାହିଁ!

କାଶ୍ମୀର କାହାଣୀର ଅନ୍ତ ନାହିଁ!

ଦେବେନ୍ଦ୍ର ପୃଷ୍ଟି ୧୯୮୭-୮୮ ମସିହାର କଥା। ନୂଆ ନୂଆ ସାମ୍ବାଦିକତା କରୁଥାଏ। ସେତେବେଳେ କାଶ୍ମୀର ସଂପର୍କୀତ ଖବରଟିଏ ନିୟମିତ ନିଶ୍ଚିତ ଭାବରେ ପ୍ରତି ଓଡ଼ିଆ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଉଥିଲା। ପ୍ରାୟ ପ୍ରତିଦିନ ଆତଙ୍କବାଦୀଙ୍କ ଆକ୍ରମଣରେ କେହି କେହି ନିହତ ହେଉଥିଲେ। ଆତଙ୍କବାଦୀଙ୍କ ବିରୋଧରେ ବି କାଶ୍ମୀର ଶାସନ ଅତି କଠୋର ଅଭିଯାନ ଚଳାଇଥିଲେ। ପ୍ରମାଣ ନଥିଲା କିନ୍ତୁ ଖବର ଥିଲା ଯେ ତତ୍କାଳୀନ ରାଜ୍ୟପାଳ ଜଗମୋହନ ତତ୍କାଳୀନ କଂଗ୍ରେସ ନେତା ମୁଫତି ମହମ୍ମଦ ସୈଦଙ୍କ ସହଯୋଗରେ ଅନେକ ବେଆଇନ ଏନକାଉଣ୍ଟର କରାଇଥିଲେ। ସେଥିରେ ଅନେକ ବିଚ୍ଛିନ୍ନତାବାଦୀ ଉଗ୍ରବାଦୀ ନିପାତ ହୋଇଥିଲେ। କାଶ୍ମୀର ରାଜ୍ୟପାଳ ଭାବେ ଜଗମୋହନଙ୍କ ପ୍ରଥମ ଦଫା କାର୍ଯ୍ୟକାଳ ୧୯୮୪ରୁ ଆରମ୍ଭ ହୋଇ ୧୯୮୯ରେ ଶେଷ ହୋଇଥିଲା। ଏହା ପୂର୍ବରୁ ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷରେ କାର୍ଯ୍ୟ କରିବା ସମୟରେ ସେ ଜଣେ କଠୋର ପ୍ରଶାସକ ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେତେବେଳେ ସଂଜୟ ଗାନ୍ଧୀ ବଂଚିଥିଲେ। ତାଙ୍କ ସହିତ ତାଙ୍କର ଘନିଷ୍ଟତା ଥିଲା। ସେହିସୂତ୍ରେ ସେ ରାଜ୍ୟପାଳ ପଦବୀ ପାଇଥିଲେ। ସେ କାଶ୍ମୀର ଛାଡ଼ିଲା ପରେ ପୁଣି ଥରେ ଆତଙ୍କବାଦ ଉଗ୍ରରୂପ ଧାରଣ କଲା। ତେଣୁ ଭିପି ସିଂହ ସରକାର ତାଙ୍କୁ ପୁଣି ଥରେ କାଶ୍ମୀର ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ। ମାତ୍ର, କେଇ ମାସ ଭିତରେ କେନ୍ଦ୍ର ସରକାରଙ୍କ ସହିତ ତାଙ୍କର ପଡ଼ିଲା ନାହିଁ। ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ ମନ୍ତ୍ରୀ ଥିଲେ। ମୋର ସେଇ ନୂଆ ନୂଆ ସାମ୍ବାଦିକତା ସମୟରେ କାଶ୍ମୀର ସଂପର୍କରେ ରଗମୋହନଙ୍କର ଗୋଟିଏ ବଡ଼ ପ୍ରବନ୍ଧ ପଢ଼ିବାର ସୁଯୋଗ ମିଳିଥିଲା। ତାହା ଏକ ବୁକ୍‌ଲେଟ୍‌ ବା ପୁସ୍ତିକା ଆକାରରେ ମୋତେ କେଉଁ ସୂତ୍ରରୁ ପ୍ରାପ୍ତ ହୋଇଥିଲା। ସେହି ପ୍ରବନ୍ଧର ଠାଏଁ ଜଣେ ପ୍ରଖ୍ୟାତ ଇଂରାଜୀ ଆଇରିଶ କବି ଉଇଲିୟମ ବଟଲର ୟେଟ୍‌ସଙ୍କର ଦ ସେକେଣ୍ଡ କମିଂ କବିତାର ପ୍ରଥମ କେଇଟି ଧାଡ଼ି ଉଦ୍ଧୃତ କରାଯାଇଥିଲା। ସେ ଧାଡ଼ି କେଇଟି ସେତେବେଳେ କାଶ୍ମୀର ସମସ୍ୟା ସଂପର୍କରେ ଅନେକ କଥା କହୁଥିଲା। ସେ ଯାଏଁ ମୁଁ ଦ ସେକଣ୍ଡ କମିଂ କବିତା ପଢ଼ି ନଥିଲି। କିନ୍ତୁ ସେଇ ପ୍ରବନ୍ଧ ପଢ଼ିବା ପରେ ସେ କବିତା ଖୋଜିଖୋଜି ପଢ଼ିଥିଲି। କବିତାର ସେଇ କେଇ ଧାଡ଼ି ଏଠାରେ ମଧ୍ୟ ଅବିକଳ ଉଦ୍ଧାର କରୁଛି। Turning and turning in the widening gyre The falcon cannot hear the falconer; Things fall apart; the centre cannot hold; Mere anarchy is loosed upon the world, The blood-dimmed tide is loosed, and everywhere The ceremony of innocence is drowned; The best lack all conviction, while the worst Are full of passionate intensity. ଏହାର ଓଡ଼ିଆ ଭାବାନ୍ତର ଏଇଆ ହେବ- ଘୂର୍ଣ୍ଣିର ବ୍ୟାପ୍ତି ସଂଙ୍ଗେ ଘୂରି ଘୂରି ଉଡ଼ୁଅଛି ବାଜପକ୍ଷୀ, ଶୁଣିପାରେ ନାହିଁ ପାଳକର କଥା, ଭାଙ୍ଗିଯାଏ ସମସ୍ତ ଦରବ, ଧରିରଖି ପାରେ ନାହିଁ କେନ୍ଦ୍ର, ଅରାଜକତାର ଶାସନ ଜଗତେ, ରକ୍ତର ଜୁଆର ଘନଘନ ଉଠେ, ଆଉ ଚାରିଆଡ଼େ ବୁଡ଼ିଯାଏ ନିରୀହତା, ନିଶ୍ଚିତ ନଥାନ୍ତି ଶ୍ରେଷ୍ଠଜନ, କ୍ରୋଧାନଳେ ଜଳୁଥାନ୍ତି ନିକୃଷ୍ଟ ଜନତା। କବିତାଟି ଲେଖାଯାଇଥିଲା ପ୍ରଥମ ବିଶ୍ବଯୁଦ୍ଧ ପରେ ତତ୍କାଳୀନ ୟୁରୋପର ରାଜନୀତିକ, ସାମାଜିକ ଓ ସାଂସ୍କୃତିକ ବାସ୍ତବତାର ପୃଷ୍ଠଭୂମିରେ। କିନ୍ତୁ ଏହାର ବର୍ଣ୍ଣନା ଓ ବାର୍ତ୍ତା କାଶ୍ମୀର ପ୍ରତି ମଧ୍ୟ ପ୍ରଯୁଜ୍ୟ। ସେତେବେଳେ ଥିଲା, ଆଉ ଆଜି ବି। ୧୯୪୭ ମସିହାରେ କାଶ୍ମୀରର ସ୍ଥିତି କ’ଣ ଥିଲା ଜାଣି ନଥିବା ଲୋକେ ନେହରୁଙ୍କୁ ନିନ୍ଦା କରିପାରନ୍ତି। ଜିନ୍ଦାବାଦ କରିପାରନ୍ତି ମୋଦିଙ୍କର। କିନ୍ତୁ, ସତରେ କ’ଣ ନେହରୁ ନିଜ ସ୍ବାର୍ଥ ପାଇଁ ସୃଷ୍ଟି କରିଥିଲେ କାଶ୍ମୀର ସମସ୍ୟା? ନା ମୋଦିଙ୍କର କାଶ୍ମୀର ବିଭାଜନ ନିଷ୍ପତ୍ତିରେ ସବୁଦିନ ପାଇଁ ଲିଭିଯିବ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ଜଳି ଆସିଥିବା ଏକ ନିଆଁ? ସ୍ବାଧୀନତା ସମୟରେ କାଶ୍ମୀରବାସୀଙ୍କ ମନରେ ଯେଉଁ ସନ୍ଦେହ ଓ ଅନିଶ୍ଚିତତା ଦାନାବାନ୍ଧିଥିଲା କାଶ୍ମୀର ବିଭାଜନ ପରେ ତାହା ଯେ ଦୂର ହେବ ନାହିଁ ତାହା ଏ ଦୁଇ ଦିନର ନୀରବତାରୁ ବେଶ୍‌ ସ୍ପଷ୍ଟ। କାଶ୍ମୀରବାସୀ ଯଦି ମୋଦିଙ୍କ ବିଭାଜନ ରାଜନୀତିରେ ସନ୍ତୁଷ୍ଟ ଥାନ୍ତେ ତେବେ ସେମାନେ ନିଶ୍ଚୟ ରାସ୍ତାକୁ ଆସି ଉତ୍ସବ ପାଳନ କରିଥାନ୍ତେ, ଠିକ ଯେମିତି ଭାରତର ଅନ୍ୟ କିଛି ଅଞ୍ଚଳରେ ଉତ୍ସାହୀତ ଉନ୍ମାଦ ଜନତା ଏହାକୁ ଭାରତର ପ୍ରକୃତି ସ୍ବାଧୀନତା ଭାବେ ବର୍ଣ୍ଣନା କରି ମିଠା ବାଣ୍ଟିଛନ୍ତି। ମୁଷ୍ଟିମେୟ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀଙ୍କୁ ପାନେ ଚଖେଇବାକୁ ଯାଇ ଗୋଟିଏ ରାଜ୍ୟର ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାର ହଡ଼ପ କରିବା କ’ଣ କାହାରି ମନରେ ଆଘାତ ଦେବ ନାହିଁ? ସେ ଆଘାତରୁ ସୃଷ୍ଟି ହେଉଥିବା ଘା’କୁ କେଉଁ ମଲମରେ ଭଲ କରାଯିବ? କେବେ ଶୁଖିବ ସେ ଘା’? ଆଜି ବି ବିଭାଜନର ଘା’ ଭାରତବାସୀଙ୍କ ମନରୁ ରକ୍ତ ଝରାଉଛି। ଆଜି ବି ପାକିସ୍ତାନୀମାନେ ଭାରତର ସବୁ ମୁସଲିମବହୁଳ ଅଞ୍ଚଳ ନପାଇବାର ଅବଶୋଷ ଓ ଅପମାନରେ ଜଳୁଛନ୍ତି। ବାଂଲାଦେଶକୁ ହରାଇବାର ପ୍ରତିଶୋଧର ନିଆଁ ବି ସେମାନଙ୍କ ମନରୁ ଲିଭି ନଥିବ। ୨୦୧୯ ଅଗଷ୍ଟ ୫ ତାରିଖ ଦିନ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାରତୀୟ ସଂସଦର ଉପର ସଦନ ରାଜ୍ୟସଭାରେ ସମ୍ବିଧାନର ୩୭୦ ଧାରାରେ ସଂଶୋଧନ ସଂପର୍କୀତ ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ସଂପର୍କରେ ସୂଚନା ଦେବା ସହିତ କାଶ୍ମୀର ବିଭାଜନ ବିଲ୍‌ ଆଗତ କରିବା ପରେ ସମଗ୍ର ଦେଶରେ ଯେଉଁ ଖୁସି ଓ ଆନନ୍ଦର ଲହର ସୃଷ୍ଟି ହେଲା ତାହା ଅନେକଟା ସ୍ବତସ୍ଫୂର୍ତ୍ତ ଓ ସ୍ବାଭାବିକ ଥିଲା। ସେହି ଆବେଗମୟ ଆନନ୍ଦର ଭିନ୍ନ ପ୍ରତିଫଳନ ଦେଖିବାକୁ ମିଳିଥିଲା ହ୍ବାଟ୍‌ସଆପ୍ପ ଓ ଫେସ୍‌ବୁକ୍‌ ପରି ସାମାଜିକ ମାଧ୍ୟମରେ। ମୋଦିଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିବା ଓ ତାହାକୁ ନେଇ କାଶ୍ମୀର ଝିଅବୋହୂଙ୍କ ସଂପର୍କରେ ଅସଭ୍ୟ ଟୀକାଟିପ୍ପଣୀ ଦେବା ଏକା କଥା ନୁହେଁ। ମୋଦିଙ୍କ ପ୍ରଶଂସା କରିବା ପାଇଁ ଭାରତବର୍ଷର ଅନ୍ୟ ନିର୍ମାତାମାନଙ୍କୁ ନିନ୍ଦା କରିବା ମଧ୍ୟ ସଭ୍ୟତା ଓ ଗଣତାନ୍ତ୍ରିକ ସଂସ୍କାର ନୁହେଁ। ବିଶେଷ ଭାବରେ ନେହରୁଙ୍କ ମୁଣ୍ଡରେ ସବୁ ଦୋଷ ଅଜାଡ଼ି ଦେବା ବିଜ୍ଞତା ନୁହେଁ, ବରଂ ଅଜ୍ଞତାର ପରିଚୟ ବହନ କରେ। ସେଇ ଦିନ ସନ୍ଧ୍ୟାରେ ଏକ ଓଡ଼ିଆ ଚାନେଲରେ ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କର ବକ୍ତବ୍ୟଟିଏ ଶୁଣିଲି। ସେ ଏକ ଦେଶ ଓ ସଭ୍ୟତାର ସୁରକ୍ଷା ଦୃଷ୍ଟିକୋଣରୁ ଉପଯୁକ୍ତ ମନ୍ତବ୍ୟ ଦେଇଛନ୍ତି। ସେ ନେହରୁଙ୍କୁ ଦୋଷ ଦେଇନାହାନ୍ତି। ଦୋଷ ଦେଇଛନ୍ତି ବ୍ରିଟିଶ କୂଟନୀତିକୁ। ମୋଦି ଓ ଶାହାଙ୍କ ସମର୍ଥକମାନେ ତାହା ନକରି ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାରମାନଙ୍କୁ ଦୋଷ ଦେଲେ ପୂର୍ବପୁରୁଷଙ୍କୁ ଗାଳି କରିବା ଭଳି ହେବ। ୧୯୪୭-୫୪ ମଧ୍ୟରେ ଆଜିର ଯୁବ ପିଢ଼ି ଜନ୍ମ ହୋଇନଥିଲେ। ଏମିତି କି କାଶ୍ମୀର ଆତଙ୍କବାଦର ଶୀର୍ଷ ସମୟ ୧୯୮୦-୨୦୦୦ ମଧ୍ୟରେ ବି ଅନେକେ ଭୋଟର ଜନ୍ମ ହୋଇନଥିବେ। ସେମାନେ ଏବେ କାଶ୍ମୀର, ପାକିସ୍ତାନ, ନେହରୁ, ପଟେଲ, ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ଯାହାସବୁ ଶୁଣୁଛନ୍ତି ତାହା କେଉଁ ଇତିହାସ ପୁସ୍ତକର ଜ୍ଞାନ ନୁହେଁ, ତାହା ହେଉଛି ହ୍ବାଟ୍ସଆପ୍ପ ଓ ଫେସବୁକ୍‌ ଜରିଆରେ ସଂକ୍ରମିତ ହେଉଥିବା ବିଭ୍ରାନ୍ତିର ବ୍ୟାଧି। ସମ୍ବିଧାନରେ ରହିଥିବା ଏକ ଅସ୍ଥାୟୀ ବ୍ୟବସ୍ଥା ଉଚ୍ଛେଦ ହେବା ନିଶ୍ଚୟ ଭଲ କଥା। ଭଲ କଥା ମଧ୍ୟ ଭାରତର ଏକ ରାଜ୍ୟ ହେବା ସତ୍ତ୍ବେ କାଶ୍ମୀର ଉପଭୋଟ କରୁଥିବା ଭିନ୍ନ ସମ୍ବିଧାନ ଓ ପତାକା ବ୍ୟବସ୍ଥାର ଉଚ୍ଛେଦ ହେବା। କିନ୍ତୁ କେଉଁ ପରିସ୍ଥିତିରେ ଏ ସୁବିଧା କାଶ୍ମୀରକୁ ଦିଆଯାଇଥିଲା ତାହା ମଧ୍ୟ ବିଚାରର କଥା। ବିଚାରର କଥା ମଧ୍ୟ କେଉଁ ସାମ୍ବିଧାନିକ ବ୍ୟବସ୍ଥା ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏତେ ସହଜରେ ଏହା କରିପାରିଲେ। ଏଭଳି ଏକ ଐତିହାସିକ ଅସମାନତାକୁ ରଦ୍ଦ କରିବାର ବ୍ୟବସ୍ଥା ଯଦି ନେହରୁଙ୍କ ସମୟରୁ ସମ୍ବିଧାନରେ ନଥାନ୍ତା ତେବେ ତାହା କରିବା ପାଇଁ ମୋଦି ଓ ଶାହାଙ୍କୁ ଅନ୍ୟ ଉପାୟ କରିବାକୁ ପଡ଼ିଥାନ୍ତା। ବୁଝିବାକୁ ହେବ ଯେ ୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ସରକାର ଭାରତକୁ କେବଳ ଭାରତ ଓ ପାକିସ୍ତାନ ଦୁଇ ଭାଗରେ ବିଭାଜିତ କରି ନଥିଲେ। ବ୍ରିଟିଶ ସାମ୍ରାଜ୍ୟର ମୁକୁଟ ଭାବେ ଗଣାଯାଉଥିବା ଭାରତକୁ ସହଜରେ ଛାଡ଼ିବାକୁ କେଉଁ ସାମ୍ରାଜ୍ୟବାଦୀ ଚାହିଁବ ଯେ? ତେଣୁ ସେମାନେ ଭାରତକୁ ୫୬୭ ଭାଗରେ ବିଭକ୍ତ କରିଦେଲେ। ଭାରତ ଓ ପାକିସ୍ତାନ ବାଦ ସେ ସମୟରେ ରହିଥିବା ୫୬୫ ରାଜତନ୍ତ୍ର ଶାସିତ ରାଜ୍ୟଗୁଡ଼ିକୁ ମଧ୍ୟ ବ୍ରିଟିଶ ସରକାର ସ୍ବାଧୀନ ରହିବାର ଅଧିକାର ପ୍ରଦାନ କରିଥିଲେ। ତନ୍ମଧ୍ୟରେ କାଶ୍ମୀର ଗୋଟିଏ ରାଜ୍ୟ। କାଶ୍ମୀର ଥିଲା ଏକ ମୁସଲମାନ ବହୁଳ ରାଜ୍ୟ। କିନ୍ତୁ ତାହାର ରାଜା ଥିଲେ ଡୋଗ୍ରା ଦଳପତି ହରି ସିଂହ। ସେ କାଶ୍ମୀରକୁ ଭାରତ କିମ୍ବା ପାକିସ୍ତାନ କୌଣସି ଦେଶରେ ମିଶାଇବାକୁ ଚାହିଁଲେ ନାହିଁ। ତାଙ୍କର ସ୍ବତନ୍ତ୍ରତା ବଜାୟ ରଖିଲେ। ସେତେବେଳକୁ କିନ୍ତୁ କାଶ୍ମୀରକୁ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିବାକୁ ଏକ ଆନ୍ଦୋଳନ ଚାଲିଥିଲା। ତାହାର ନେତା ଥିଲେ ଶେଖ୍‌ ଅବଦ୍ଦୁଲ୍ଲା। ସେ ଭାରତ ଓ ପାକିସ୍ତାନଠାରୁ ପୃଥକ ରହିବାକୁ ପସନ୍ଦ କରୁଥିଲେ। ତାଙ୍କ ନେତୃତ୍ବରେ କାଶ୍ମୀରରେ ଆଜାଦୀ ଆନ୍ଦୋଳନ ଚାଲିଥିଲା। ସ୍ବାଧୀନତାର ମାତ୍ର ଅଢ଼େଇ ମାସ ପରେ ପାକିସ୍ତାନ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶର ପଠାଣ ଆଦିବାସୀମାନଙ୍କୁ ମତେଇ କାଶ୍ମୀର ଆକ୍ରମଣ କରିବାକୁ ପଠାଇଲା। ପାକିସ୍ତାନୀ ସେନା ସେମାନଙ୍କୁ ପ୍ରତ୍ୟକ୍ଷରେ ସହଯୋଗ କଲେ। ଏଣେ ଭିତରେ ଆନ୍ଦୋଳନ, ତେଣେ ବାହାରୁ ଆକ୍ରମଣ। ବାଧ୍ୟ ହୋଇ ହରି ସିଂହ ଭାରତର ସହଯୋଗ ଲୋଡ଼ିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନେହରୁଙ୍କ ନିର୍ଦ୍ଦେଶରେ ତତ୍କାଳୀନ ସ୍ବରାଷ୍ଟ୍ର ସଚିବ ଭିପି ମେନନ୍ ରାଜା ହରି ସିଂହଙ୍କଠାରୁ ମିଶ୍ରଣ ଚୁକ୍ତିରେ ଦସ୍ତଖତ କରାଇନେଲେ। ଚୁକ୍ତି ସଂପାଦିତ ହେଲା ୧୯୪୭ ଅକ୍ଟୋବର ୨୬ ତାରିଖରେ। ଚୁକ୍ତିକୁ ଅନୁମୋଦନ ଦେଇଥିଲେ ଲର୍ଡ଼ ମାଉଣ୍ଟବ୍ୟାଟେନ ଅଫ୍‌ ବର୍ମା। ତାଙ୍କରି କୂଟନୀତି ଯୋଗୁଁ ମିଶ୍ରଣ ଚୁକ୍ତିରେ ଏକ ସର୍ତ୍ତ ଥିଲା ଯେ ପରେ ଏ ଚୁକ୍ତି ନେଇ ଜନମତ ନିଆଯିବ। ଚୁକ୍ତିରେ ସ୍ବାକ୍ଷର କରିବା ପୂର୍ବରୁ ହରି ସିଂହ ମଧ୍ୟ କେତେକ ସର୍ତ୍ତ ରଖିଥିଲେ। ସେ ତାଙ୍କ ରାଜ୍ୟ ଓ ରାଜ୍ୟବାସୀଙ୍କ ଭବିଷ୍ୟତ ନେଇ ଚିନ୍ତିତ ଥିଲେ। ତାହା ଥିଲା ସ୍ବାଭାବିକ। ଚୁକ୍ତି ହେଲା। ଭାରତ ସୈନ୍ୟ ପଠାଇଲା। ଆକ୍ରମଣକାରୀ ପଠାଣ ଆଦିବାସୀମାନେ ହଟିଗଲେ। କିନ୍ତୁ ସେତେବେଳକୁ ସେମାନେ ଗିଲ୍‌ଗିଟ୍‌ ବଲ୍ଟିସ୍ତାନ ଅକ୍ତିଆର କରିସାରିଥିଲେ। ତାହାକୁ ପାକ୍‌ ସେନା ଦଖଲ କରି ରହିଲା। ଶ୍ରୀନଗର ମୁକ୍ତ ହେଲା ସିନା କାଶ୍ମୀର ଅଧା ହୋଇଗଲା। ମିଶ୍ରଣ ପରେ ହରି ସିଂହ ରାଜ୍ୟ ହରେଇଲେ। ଆନ୍ଦୋଳନକାରୀ ନେତା ଶେଖ୍‌ ଅବଦ୍ଦୁଲ୍ଲା ପ୍ରଧାନମନ୍ତ୍ରୀ ହେଲେ। ସେତେବେଳେ ସେ ହିଁ ଥିଲେ କାଶ୍ମୀରର ସବୁଠୁଁ ଲୋକପ୍ରିୟ ନେତା, ଆଜି ଭାରତର ମୋଦିଙ୍କ ପରି। ମିଶ୍ରଣ ପୂର୍ବରୁ ରାଜା ହରି ସିଂହ ଆଦିବାସୀ ପଠାଣ ଓ ପଞ୍ଜାବୀଙ୍କ ବହୁଳ ଅନୁପ୍ରବେଶରୁ କାଶ୍ମୀରବାସୀଙ୍କ ସ୍ବାର୍ଥର ସୁରକ୍ଷା କରିବାକୁ ଯାଇଁ କେତେକ ନିର୍ଦ୍ଦେଶନାମା ଜାରି କରିଥିଲେ। ତନ୍ମଧ୍ୟରୁ ଭାରତୀୟ ସମ୍ବିଧାନରେ ପଛରେ ଯୋଡ଼ା ଯାଇଥିବା ୩୫-କ ଧାରା ଗୋଟିଏ। ସେହିପରି ମିଶ୍ରଣ ଚୁକ୍ତିରେ ସର୍ତ୍ତ ଥିଲା ଯେ ଭାରତର ରାଜ୍ୟ ହେଲେ ବି କାଶ୍ମୀରର ସ୍ବତନ୍ତ୍ରତା ବଜାୟ ରହିବ। ଏହି ବିଷୟ ଉଠେଇ ଶେଖ୍‌ ଅବ୍ଦୁଲ୍ଲା ନେହରୁଙ୍କ ସହିତ ଦୁଇଟି ଚୁକ୍ତି କରିଥିଲେ। ସେତେବେଳେ ନୂଆକରି ଜନ୍ମଲାଭ କରିଥିବା ଭାରତର ଏକତା, ଅଖଣ୍ଡତା, ଶାସନ, ବିକାଶ ଓ ପ୍ରଗତି ଜାତୀୟ ନେତାମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିବ। ନେହରୁଙ୍କ କ୍ୟାବିନେଟ୍‌ରେ ସର୍ଦ୍ଦାର ପଟେଲ ସ୍ବରାଷ୍ଟ୍ର ମନ୍ତ୍ରୀ ଓ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଥିଲେ। ସେହି ସମୟରେ ଚୁକ୍ତି ହେଲା। ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେଲା ୧୯୫୦ରେ। ଶ୍ୟମା ପ୍ରସାଦ ମୁଖାର୍ଜୀ ୧୯୨୯ରେ କଂଗ୍ରେସ ସଦସ୍ୟ ଭାବେ ବେଙ୍ଗଲ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ପରେ ସେ କଂଗ୍ରେସ ଦଳ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ ଓ ଏକେ ଫଜଲୁଲ୍‌ ହକ୍‌ଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ହୋଇଥିଲେ। ତାଙ୍କ ସମୟରେ କୃଷକ ପ୍ରଜା ପାର୍ଟି ଓ ଅଲ୍‌ ଇଣ୍ଡିଆ ମୁସଲିମ ଲିଗ୍‌ ମଧ୍ୟରେ ମେଣ୍ଟ ହୋଇ ସରକାର ଚାଲିଥିଲା। ସେ ହିନ୍ଦୁ ମହାସଭା ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହିତ ମିଶି ୧୯୪୨ର ଭାରତ ଛାଡ଼ ଆନ୍ଦୋଳନକୁ ବିରୋଧ କରିଥିଲେ। ଅଖଣ୍ଡ ଭାରତର ପ୍ରବକ୍ତା ଭାବେ ଜନସଂଘ ପ୍ରତିଷ୍ଠା କରିଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀ ୧୯୪୭ରେ ଭାରତ ବିଭାଜିତ ହେଉ ବା ନହେଉ ବଙ୍ଗ ଭଙ୍ଗ କରିବାକୁ ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଚିଠି ଲେଖିଥିଲେ। କାରଣ ସେ ସମୟର ପରିସ୍ଥିତି ସେଇଆ ଥିଲା। ସେ ଆଶଙ୍କା କରୁଥିଲେ ଯେ ବଙ୍ଗ ପ୍ରଦେଶ ଏକ ରହିଲେ ମୁସଲମାନ ଲୋକମାନେ ଏବେକାର ପଶ୍ଚିମ ବଙ୍ଗରେ ସଂଖ୍ୟାଧିକ ହୋଇଯିବେ। ସେ ଯାହା ହେଉ, ୧୯୫୪ ମସିହାରେ ଭାରତୀୟ ସମ୍ବିଧାନରେ ୩୭୦ ଓ ୩୫-କ ଧାରା ଯୋଡ଼ାଯାଇଥିଲା ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ବଳରେ। ଏହା ଥିଲା ଏକ ଅସ୍ଥାୟୀ ବ୍ୟବସ୍ଥା। ଏହି ଦୁଇଟି ଧାରାରେ ଦିଆଯାଇଥିବା ଅନେକ ବ୍ୟବସ୍ଥା ଇତିମଧ୍ୟରେ ଅନେକ ସଂଶାଧନ ବଳରେ ହଟି ସାରିଛି। କାଶ୍ମୀରର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପଦ ଷାଠିଏ ଦଶକୁ ଉଚ୍ଛେଦ ହୋଇସାରିଛି। ପୌର ଓ ପଂଚାୟତ ବ୍ୟବସ୍ଥା, ଶିକ୍ଷା ଓ ଫୌଜଦାରୀ ଆଇନ ବ୍ୟବସ୍ଥା ଜରିଆରେ ଭାରତ ସହିତ କାଶ୍ମୀରର ପୂର୍ଣ୍ଣ ମିଶ୍ରଣ ଓ ସଂହତି ପ୍ରକ୍ରିୟା ଅନେକ ଅଗ୍ରଗତି କରିଛି। ତଥାପି, ୩୭୦ ଧାରା ବଳରେ ସେଠାରେ ଜମିଜମା କିଣିବାକୁ ବା ସ୍ଥାୟୀ ବସତି ସ୍ଥାପନ କରିବାକୁ ଅନ୍ୟ ପ୍ରଦେଶର ଲୋକମାନଙ୍କର ଅଧିକାର ନଥିଲା। ତେବେ ଏହିପର ସୁବିଧା ୩୭୧ ଧାରାରେ ଭାରତର ଅନ୍ୟ ଅନେକ ରାଜ୍ୟକୁ ମଧ୍ୟ ଦିଆଯାଇଛି। ନାଗାଲାଣ୍ଡ, ମିଜୋରାମ ଓ ଅରୁଣାଚଳ ପ୍ରଦେଶରେ ମଧ୍ୟ ଅନ୍ୟ ରାଜ୍ୟର ଲୋକମାନେ ଜମିଜମା କିଣିପାରିବେ ନାହିଁ। ଏପରିକି ଓଡ଼ିଶାରେ ମଧ୍ୟ ଦଳିତ ଓ ଆଦିବାସୀଙ୍କ ଜମି ଅନ୍ୟ ଜାତିର ଲୋକମାନେ ସରକାରଙ୍କ ବିନା ଅନୁମତିରେ କିଣିପାରିବେ ନାହିଁ। ଅନେକ ସମୟରେ ପଛରେ ପଡ଼ିଯାଇଥିବା ଏବଂ ସଂଖ୍ୟାଲଘୁ ଲୋକଙ୍କର ସ୍ବାର୍ଥର ସୁରକ୍ଷା ପାଇଁ ବହୁ ଦେଶର ସରକାର ଏପରି ବ୍ୟବସ୍ଥା କରିଥାନ୍ତି। ନହେଲେ, ଆଜି ବଣ୍ଡା ପାହାଡ଼ରେ ବଣ୍ଡା ଜାତି ନଥାନ୍ତେ। ନିୟମଗିରିରେ ଡଙ୍ଗରିଆ କନ୍ଧଙ୍କ ଚିହ୍ନବର୍ଣ୍ଣ ବି ରହି ନଥାନ୍ତା। କାଶ୍ମୀରର ଏହି ସ୍ବତନ୍ତ୍ରତା ହଟିଲା ମାନେ ଉତ୍ତରପୂର୍ବାଂଚଳର ଏ ବ୍ୟବସ୍ଥା ହଟେଇବା ପାଇଁ ମଧ୍ୟ ଭାରତର ଅନ୍ୟ କୋଣରୁ ଦାବି ଉଠିପାରେ। ବିଶେଷ କରି କାଶ୍ମୀର ଓ ଉତ୍ତରପୂର୍ବାଞ୍ଚଳର ମନୋରମ ପ୍ରକୃତିକୁ ବ୍ୟାବସାୟିକ କାର୍ଯ୍ୟରେ ଲଗେଇ ପ୍ରଚୁର ମୁନାଫା ଅର୍ଜନ କରିବାକୁ ଚାହୁଁଥିବା ଗୋଷ୍ଠୀ ନେତାମାନଙ୍କ ଜରିଆରେ ଏପରି ଉଦ୍ୟମ ଚଳେଇବା ଅସ୍ବାଭାବିକ ନୁହେଁ। ଏହା ବିକାଶ ହେଉ ବା ପ୍ରଗତି, ୩୭୦ ଓ ୩୫-କ ଧାରାର ଉଚ୍ଛେତ ଓ କାଶ୍ମୀର ବିଭାଜନ ପରେ ସେଠାରେ ଲାଗି ରହିଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଓ ଆତଙ୍କବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବ କି? ନା ନୂଆ ବ୍ୟବସ୍ଥାରେ ବିକାଶର ପାର୍ଶ୍ବ ପ୍ରତିକ୍ରିୟା ସ୍ବରୂପ ଅନେକ ଲୋକ ଓଡ଼ିଶାର କଳିଙ୍ଗନଗରର ଆଦିବାସୀଙ୍କ ପରି ଜମିଜମା ହରେଇ କ୍ରୋଧ ଓ ଆକ୍ରୋଶର ସହିତ ସରକାରଙ୍କ ବିରୋଧରେ ଅଧିକ ଉଗ୍ର ଲଢ଼େଇ ଲଢ଼ିବେ? ଏଭଳି ସମସ୍ୟାର ସମାଧାନ ପାଇଁ ରାଜ୍ୟପାଳଙ୍କ ଜରିଆରେ ଗୋଟିଏ ରାଜ୍ୟକୁ ଦି’ ଭାଗ କରି କେନ୍ଦ୍ର ଅଧୀନକୁ ଆଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମବାୟଭିତ୍ତିକ ସଂଘବାଦ ବା କୋ-ଅପରେଟିଭ ଫେଡ଼େରାଲିଜିମର ବିରୋଧୀ। ସେଥିପାଇଁ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିବ। ବର୍ତ୍ତମାନ ଅନ୍ତର୍ଜାତୀୟ ପରିସ୍ଥିତି ଭାରତ ସପକ୍ଷରେ ରହିଛି। ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର ବୋଲି ଆମେରିକା ସମେତ ବିଶ୍ବର ପ୍ରାୟ ଦେଶ ବୁଝିଗଲେଣି। ଏପରିକି ଚୀନ ମଧ୍ୟ ଉଇଘୁରରେ ଆତଙ୍କବାଦର ମୁକାବିଲା କରୁଛି ଓ ଚୀନ-ପାକିସ୍ତାନ କରିଡର ପ୍ରକଳ୍ପରେ ଇସଲାମିକ ଆତଙ୍କବାଦର ସ୍ବାଦ ଚାଖିଛି। ତେଣୁ ମୋଦି ସରକାରଙ୍କ କାଶ୍ମୀର ନିଷ୍ପତ୍ତି ବିରୋଧରେ ଅନ୍ତର୍ଜାତୀୟ ପ୍ରତିକ୍ରିୟା ପ୍ରକାଶ ପାଇବ ନାହିଁ। ମାତ୍ର, ଦୁଇ ଦିନ ଧରି କାଶ୍ମୀରବାସୀ ଯେପରି ନୀରବ ରହିଛନ୍ତି, ରାଜନେତାମାନେ ଯେପରି ମୁଖର ହୋଇଛନ୍ତି ସେଥିରୁ ଗୋଟିଏ କଥାର ଆଭାସ ମିଳୁଛି। କର୍ଫ୍ୟୁ ହଟିଲେ, ଯୋଗାଯୋଗ ବ୍ୟବସ୍ଥା ସ୍ବାଭାବିକ ହେଲେ ଲୋକମାନେ ପୁଣି ଏକାଠି ହେବେ, ଆନ୍ଦୋଳନ କରିବେ। ଯେଉଁ ବାହାର ପୁଞ୍ଜି ନେଇ କାଶ୍ମୀରକୁ ବିକାଶର ମୁଖ୍ୟ ଧାରାରେ ସାମିଲ କରିବାକୁ ଚାହୁଁଛନ୍ତି ମୋଦି ଓ ଶାହା ତାହାକୁ ଯଦି କାଶ୍ମୀରର ବିଚ୍ଛିନ୍ନତାବାଦୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ସଂପୃକ୍ତିରେ ବିରୋଧ କରିବେ ତେବେ ସେଠାରେ ମଧ୍ୟ କଳିଙ୍ଗନଗର, ମାଇକଞ୍ଚ ଓ ସିଙ୍ଗୁର ଭଳି ପର୍ଥିତି ସୃଷ୍ଟି ହୋଇପାରେ। ଶେଷ କଥା- ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସରକାର ଯେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ତାହା ମଧ୍ୟ ସାମୟିକ, ଠିକ ୩୭୦ ଧାରା ପରି। ସମୟ ବଦଳିଲେ, ସରକାର ବଦଳିଲେ ନୀତି ଓ ନିଷ୍ପତ୍ତି ମଧ୍ୟ ବଦଳିପାରେ। କିନ୍ତୁ ତାହାକୁ ନେଇ ଗୋଟିଏ ଜାତି ବିରୋଧରେ ଘୃଣା ଓ କ୍ରୋଧର ପରିବେଶ ସୃଷ୍ଟି କରିବା କଦାଚିତ ରାଷ୍ଟ୍ରବାଦ ନୁହେଁ କି ରାଷ୍ଟ୍ରଭକ୍ତି ନୁହେଁ, ଏହା କେବଳ ବିଭାଜନବାଦୀ ଉନ୍ମାଦନା। କାଲି ସକାଳେ ମୋଦିଙ୍କ ଯୋଗୁଁ ପାକ୍‌ ଅଧିକୃତ କାଶ୍ମୀର ଭାରତକୁ ଫେରି ଆସିଲେ ବି ପାକିସ୍ତାନ ବିରୋଧରେ ଘୃଣା ଓ କ୍ରୋଧର ପ୍ରତିକ୍ରିୟା ପ୍ରକାଶ କରିବା ଭାରତୀୟ ବା ହିନ୍ଦୁତ୍ବର ମହାନତା ହେବ ନାହିଁ, ହେବ ସଂକୀର୍ଣ୍ଣତା। ଏହି ସଂକୀର୍ଣ୍ଣ ରାଷ୍ଟ୍ରବାଦ ଓ ରାଷ୍ଟ୍ରଭକ୍ତି ମଧ୍ୟରେ ୟେଟ୍ସଙ୍କର ସେହି କବିତାର ସେଇ ପଙ୍‌କ୍ତିରେ ଥିବା ବର୍ଣ୍ଣନା ସଦାସର୍ବଦା ବାସ୍ତବ ହୋଇରହିବ, ରକ୍ତର ଜୁଆର ଉଠୁଥିବ, ବାଜପକ୍ଷୀ ବି ଘୂର୍ଣ୍ଣିଝଡ଼ ମଧ୍ୟରେ ବାଜପାଳକର ନିର୍ଦ୍ଦେଶ ଶୁଣିପାରୁ ନଥିବ, କେନ୍ଦ୍ରର ଧରିରଖିବା ଶକ୍ତି ହ୍ରାସ ପାଉଥିବ ଏବଂ ବିଷୟବସ୍ତୁ ସବୁ ଭାଙ୍ଗିଭାଙ୍ଗି ଦୂରେଇ ଯାଉଥିବେ। ଭାରତର ଭାଗ୍ୟରେ ଏ ଦୁର୍ଦ୍ଦିନ ନଆସୁ, ଏତିକି ପ୍ରାର୍ଥନା।

Share :