ବିଜୁଳି ମିଳୁଛି ଟଙ୍କାକରେ, ଖାଉଟି ଦେଉଛି ୬ ଟଙ୍କା!

ବିଜୁଳି ମିଳୁଛି ଟଙ୍କାକରେ, ଖାଉଟି ଦେଉଛି ୬ ଟଙ୍କା!

Share :

    ଓଡ଼ିଶା ଶକ୍ତି ବିଭାଗର ସରକାର ହୁଏତ ବୋକା, ନହେଲେ ଅପାରଗ ଓ ଦୁର୍ନୀତିଗ୍ରସ୍ତ । ତା’ ନହୋଇଥିଲେ ୟୁନିଟ ପିଛା ୫୦ ପଇସାରେ କିଣିବାକୁ ମିଳୁଥିବା ବିଜୁଳିକୁ ଅଭାବ ସମୟରେ ଚଢ଼ା ଦରରେ ଘରୋଇ ବିଜୁଳି ଉତ୍ପାଦନକାରୀ କମ୍ପାନୀଙ୍କଠାରୁ କିଣନ୍ତେ ନାହିଁ କି ସାଧାରଣ ଖାଉଟିଙ୍କୁ ଚଢ଼ା ଦରରେ ବିକନ୍ତେ ନାହିଁ । ଓଡ଼ିଶା ଖାଉଟି ଏବେ ୟୁନିଟ୍ ପିଛା ୬.୫ ଟଙ୍କା ପର୍ଯ୍ୟନ୍ତ ବିଦ୍ୟୁତ ଶୁଳ୍କ ଦେଉଛନ୍ତି । ସରକାର ଟଙ୍କାକରେ ବିଜୁଳି କିଣି ଲୋକଙ୍କୁ ୩୨ ଟଙ୍କାରେ ଦେଉ ନାହାନ୍ତି କାହିଁକି ? ଭାରତବର୍ଷରେ ପାବାର ଟ୍ରେଡିଂ ଏକ୍ସଚେଞ୍ଜ ବୋଲି ବ୍ୟବସ୍ଥାଟିଏ ରହିଛି । ଓଡ଼ିଶାର ଶକ୍ତି କ୍ଷେତ୍ରରେ କାମ କରୁଥିବା ନେତା ଓ ବାବୁ ଏକଥା ଭଲ ଭାବରେ ଜାଣନ୍ତି । ସରକାରୀ ଚାକିରୀରୁ ଅବସର ନେଇଥିବା ରାଜ୍ୟର ଜଣେ ପ୍ରମୁଖ ବିଜୁଳି ବିଶେଷଜ୍ଞ ଏହି ଏକ୍ସଚେଞ୍ଜରୁ ଶସ୍ତାରେ ବିଜୁଳି କିଣିବାକୁ ଅନେକ ଥର ପରାମର୍ଶ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାର ସେ ବାବଦରେ କେବେ ବି ଚିନ୍ତା କରି ନାହାନ୍ତି । ଏବେ ବିଜୁଳିର ଅଭାବୀ ବିକ୍ରି ସଂପର୍କରେ ଇକୋନୋମିକ୍ ଟାଇମ ଖବରକାଗଜରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଅନ୍ତତଃ ସରକାର ସେ ଦିଗରେ ଚିନ୍ତା କରିବା ଉଚିତ । କିଛି ନହେଲେ ରାଜ୍ୟରେ ବିଜୁଳି ଶୁଳ୍କ ବୃଦ୍ଧିକୁ ବିରୋଧ କରୁଥିବା ଲୋକମାନେ ଏନେଇ ସରକାରଙ୍କ ଉପରେ ଚାପ ପକାଇବା ଦରକାର । ଏବେ ପ୍ରକାଶ ପାଇଛି ଯେ ସଂପ୍ରତି ପୂର୍ବ ଓ ପଶ୍ଚିମ ଭାରତରେ ବିଜୁଳି ଉତ୍ପାଦନ ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଏହି ଦୁଇ ଅଂଚଳରେ ବିଜୁଳି ବଳକା ରହୁଛି । ତେଣୁ ଅଫ୍ ପିକ୍ ଆଉର୍ ବା ବିଜୁଳିର ସବୁଠୁ କମ୍ ବ୍ୟବହାର ହେଉଥିବା ସମୟରେ ଏହି ଦୁଇ ଅଂଚଳର ପାବାର ଟ୍ରେଡିଂ ଏକ୍ସଚେଞ୍ଜ ବା ଶକ୍ତି ବିକ୍ରୟ କେନ୍ଦ୍ରରେ ବିଜୁଳିର ୟୁନିଟ୍ ପିଛା ବିକ୍ରୟ ଦର ଯଥେଷ୍ଟ ହ୍ରାସ ପାଇଛି । ଗତ ବର୍ଷ ତୁଳନାରେ ଏଭଳି ଏକ୍ସଚେଞ୍ଜରେ ବିଜୁଳି ଦର ୨୦ ପ୍ରତିଶତ ହ୍ରାସ ପାଇଛି । ତା’ ସତ୍ତ୍ବେ ଗରାଖ ମିଳୁ ନାହାନ୍ତି । ତେଣୁ କେତେକ ଏକ୍ସଚେଞ୍ଜରେ ବିଜୁଳିର ଅଭାବୀ ବିକ୍ରି ହେଉଛି । ପୂର୍ବ ଓ ପଶ୍ଚିମ ଭାରତର ଅନେକ ପାବାର ଟ୍ରେଡିଂ ଏକ୍ସଚେଞ୍ଜରେ ଅଫ୍ ପିକ୍ ଆଉରରେ ବିଜୁଳି ଦର ଏବେ ୟୁନିଟ୍ ପିଛା ୫୦ ପଇସାରୁ ଆରମ୍ଭ କରି ଟଙ୍କାଏରେ ହିସାବ ହେଉଛି । କୋଉଠି କୋଉଠି ଏହି ଦର ୮୦ ପଇସା । ଏପରିକି ଉତ୍ତର ଭାରତର ପାବାର ଏକ୍ସଚେଞ୍ଜରେ ମଧ୍ୟ ଏବେ ଅଫ୍ ପିକ୍ ଆଉରରେ ବିଜୁଳି ଦର ୟୁନିଟ ପିଛା ୧.୯ ଟଙ୍କାରେ ବିକ୍ରି ହେଉଛି । ତଥାପି କୌଣସି ରାଜ୍ୟ ସରକାର କିମ୍ବା ସାଧାରଣ ଲୋକଙ୍କୁ ବିଜୁଳି ଯୋଗାଉଥିବା କମ୍ପାନୀ ଏତେ ଶସ୍ତା ଦରରେ ବିଜୁଳି କିଣିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ପାବାର ଏକ୍ସଚେଞ୍ଜର ନିର୍ବାହୀ ଅଧିକାରୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ପାବାର ଏକ୍ସଚେଞ୍ଜରେ ଏତେ ଶସ୍ତାରେ ବିଜୁଳି ମିଳୁଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ସହିତ ସଂପୃକ୍ତ ବିଜୁଳି କମ୍ପାନୀଗୁଡ଼ିକ ବେଦାନ୍ତ, ଭୂଷଣ ଓ ଜିନ୍ଦଲ ଭଳି ଘରୋଇ ବିଦ୍ୟୁତ ଉତ୍ପାଦନକାରୀଙ୍କଠାରୁ ଚଢ଼ା ଦରରେ ବିଜୁଳି କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ପଛରେ ଦୁର୍ନୀତିମୂଳକ ଉଦ୍ଦେଶ୍ୟ ରହିଥିବା ସନ୍ଦେହ କରାଯାଉଛି । ଖାଉଟିଙ୍କୁ ଶସ୍ତାରେ ବିଜୁଳି ଦେବାକୁ ଚାହୁଁଥିବା ସରକାର ବା ବିଦ୍ୟୁତ ଯୋଗାଣକାରୀ କମ୍ପାନୀ ଅଫ୍ ପିକ୍ ଆଉରରେ ପାବାର ଟ୍ରେଡିଂ ଏକ୍ସଚେଞ୍ଜରୁ ୫୦-୧୦୦ ପଇସା ଦରରେ ବିଜୁଳି କିଣି ସଂଚୟ କଲେ ତାହାକୁ ୧.୫-୨ ଟଙ୍କା ଦରରେ ବିକି ପାରିବେ । ତ’ଛଡ଼ା ଏହି ଶସ୍ତା ବିଜୁଳିକୁ କିଣି ସାଇତି ରଖିଲେ ଖରାଦିନେ ବିଜୁଳି କାଟ ଭଳି ଯନ୍ତ୍ରଣାରୁ ଲୋକମାନଙ୍କୁ ମୁକ୍ତ କରାଯାଇ ପାରନ୍ତା । ଓଡ଼ିଶା ସରକାର ଏ ଦିଗରେ କେବେ ବି ଚିନ୍ତା କରନ୍ତି ନାହିଁ । ୨୦୧୫ ଗ୍ରୀଷ୍ମ ଋତୁରେ ରାଜ୍ୟର ଜଳଭଣ୍ଡାରଗୁଡ଼ିକରେ ଜଳାଭାବ ଯୋଗୁଁ ବିଜୁଳି ଉତ୍ପାଦନ କମିଗଲା ବୋଲା କୁହାଗଲା । ସେଥିପାଇଁ କଟକ ଓ ଭୁବନେଶ୍ବର ପରି ସହରରେ ମଧ୍ୟ ଦିନକୁ ୪-୮ ଘଣ୍ଟା ବିଜୁଳି କାଟ ହେଲା । ଲୋକେ ନାନା ଦହଗଂଜ ହେଲେ । ସେହି ସମୟରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ତାଙ୍କର ବିଭାଗୀୟ ସଚିବ ପାବାର ଟ୍ରେଡିଂ ଏକ୍ସଚେଞ୍ଜରୁ ବିଜୁଳି କିଣିବା କଥା କହିଥିଲେ । କିଣିଲେ ବି । କିନ୍ତୁ ଚଢ଼ା ଦରରେ । ସେତେବେଳେ ଜଣେ ବିଶେଷଜ୍ଞ ଗଣମାଧ୍ୟମ ଜରିଆରେ ସରକାରଙ୍କ ପରାମର୍ଶ ଦେଇଥିଲେ ସରକାର ଘରୋଇ ବିଜୁଳି ଉତ୍ପାଦନକାରୀ କମ୍ପାନୀଙ୍କଠୁଁ କିମ୍ବା ପାବାର ଏକ୍ସଚେଞ୍ଜରୁ ଚଢ଼ା ଦର ଥିବା ସମୟରେ ବିଜୁଳି ନକିଣି ଦର କମ୍ ଥିବା ସମୟରେ କିଣନ୍ତୁ, ତଦ୍ବାରା ସରକାରଙ୍କ କିଣା ଖର୍ଚ୍ଚ କମିଯିବ ଓ ଲୋକଙ୍କ ଉପରେ ମଧ୍ୟ ଆର୍ଥିକ ବୋଝ କମାଇ ହେବ । କିନ୍ତୁ ସେତେବେଳେ ଗ୍ରୀଡ଼କୋ ସେହି ଭଲ ପରାମର୍ଶ ଗ୍ରହଣ କରି ନଥିଲା । ଏବେ ଶୀତ ଯାଇ ଖରା ଆସିଲାଣି । ରାଜ୍ୟର ଜଳ ଭଣ୍ଡାରଗୁଡ଼ିକରେ ଜଳ ସ୍ତର କମିବାରେ ଲାଗିଛି । ଆଗକୁ ବିଜୁଳି ନିଅଣ୍ଟ ହୋଇପାରେ । ସରକାର ସେହି ପରିସ୍ଥିତିର ମୁକାବିଲା କରିବା ପାଇଁ ଏବେ ଶସ୍ତାରେ ମିଳୁଥିବା ବିଜୁଳି କିଣି ସାଇତି ରଖିବା ଦରକାର । ଏପରି ହେଲେ ସଂପ୍ରତି ବିଜୁଳି ଶୁଳ୍କ ବୃଦ୍ଧି କରିବାକୁ ଓଇଆରସି ଓ ବଣ୍ଟନକାରୀ କମ୍ପାନୀଗୁଡ଼ିକ ଯେଉଁ ମିଳିତ ଷଡ଼ଯନ୍ତ୍ର ଚଳାଇଛନ୍ତି ତାହାର ମଧ୍ୟ ମୁକାବିଲା କରିହେବ ।

Share :