ଆରଟିଆଇ ସଂଶୋଧନ ବିଲ୍, ୨୦୧୯କୁ ବିରୋଧ କାହିଁକି?

ଆରଟିଆଇ ସଂଶୋଧନ ବିଲ୍, ୨୦୧୯କୁ ବିରୋଧ କାହିଁକି?

Share :

ପ୍ରଦୀପ ପ୍ରଧାନ ସ୍ୱାଧୀନ ଭାରତବର୍ଷରେ ପ୍ରଥମ ଥର ପାଇଁ ଦେଶର ନାଗରିକଙ୍କୁ ସରକାରୀ ଦପ୍ତରରୁ ସୂଚନା ପାଇବା ପାଇଁ ଅଧିକାର ଦେଇଥିବା ସୂଚନା ଅଧିକାର ଆଇନ ବା ଆରଟିଆଇ ଆଇନ ୨୦୦୫କୁ ସଂଶୋାଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ସଂଶୋାଧନ ବିଲ୍ ଇତି ମଧ୍ୟରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଅନୁମୋଦନ ଲାଭ କରିବା ସହିତ ରାଷ୍ଟ୍ରପତିଙ୍କ ସ୍ୱୀକୃତି ହାସଲ କରିସାରିଛି। ସୂଚନା ଆଇନର ଏହି ସଂଶୋଧନ ପ୍ରସ୍ତାବକୁ ଦେଶବ୍ୟାପୀ ବିରୋଧୀ ଦଳ କଂଗ୍ରେସ ସମେତ ସୂଚନାଧିକାର କର୍ମୀ, ପୂର୍ବତନ ସୂଚନା କମିଶନରମାନେ ଏବଂ ଅନେକ ସଚେତନ ନାଗରିକ ବିରୋଧ କରିଆସୁଅଛନ୍ତି। ସୂଚନା ଅଧିକାର (ସଂଶୋଧନ) ବିଲ୍ କ'ଣ? କେନ୍ଦ୍ର ସରକାର ଏହି ସଂଶୋଧନ ବିଲ୍ ମାଧ୍ୟମରେ ସୂଚନା ଅଧିକାର ଆଇନର ଧାରା ୧୩ ଏବଂ ୧୬କୁ ମୁଖ୍ୟତଃ ପରିବର୍ତ୍ତନ କରିଛନ୍ତି। ସୂଚନା ଆଇନର ଧାରା ୧୩ରେ ବ୍ୟବସ୍ଥା ଥିଲା ଯେ, କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ଏବଂ କେନ୍ଦ୍ରୀୟ ସୂଚନା କମିଶନର ୫ ବର୍ଷ ପାଇଁ ନିଯୁକ୍ତି ପାଇବେ କିମ୍ୱା ସର୍ବୋଚ୍ଚ ୬୫ ବର୍ଷ ପର୍ଯ୍ୟନ୍ତ କାମ କରିପାରିବେ। ସେମାନଙ୍କର ପୁନଃ ନିଯୁକ୍ତି ହୋଇପାରିବ ନାହିଁ। କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନରଙ୍କ ପଦବୀ, ଦରମା ଏବଂ ଭତ୍ତା ମୁଖ୍ୟ ନିର୍ବାଚନ କମିଶନରଙ୍କ ସହିତ ସମାନ ହୋଇଥିଲା ବେଳେ କେନ୍ଦ୍ରୀୟ ସୂଚନା କମିଶନରଙ୍କ ପଦବୀ, ଦରମା ଏବଂ ଭତ୍ତା ନିର୍ବାଚନ କମିଶନରଙ୍କ ପଦବୀ ସହିତ ସମାନ। ଏଠାରେ ସୂଚନାଯୋଗ୍ୟ ଯେ ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦବୀ, ଦରମା, ଭତ୍ତା ସୁପ୍ରିମ କୋର୍ଟ ବିଚାରପତିଙ୍କ ସହିତ ସମାନ ଅଟେ ଏବଂ ନିର୍ବାଚନ କମିଶନରଙ୍କ ପଦବୀ ହାଇକୋର୍ଟ ବିଚାରପତିଙ୍କ ସହିତ ସମାନ ଅଟେ। ସେହିପରି ସୂଚନା ଅଧିକାର ଆଇନ ଧାରା ୧୬ରେ ବ୍ୟବସ୍ଥା ଥିଲା ଯେ, ରାଜ୍ୟ ମୁଖ୍ୟ ସୂଚନା କମିଶନ ଏବଂ ସୂଚନା କମିଶନରଙ୍କ କାର୍ଯ୍ୟକାଳ ୫ ବର୍ଷ କିମ୍ୱା ସର୍ବୋଚ୍ଚ ବୟସ ସୀମା ୬୫ ବର୍ଷ ରଖାଯାଇଛି। ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ପଦବୀ, ଦରମା ଏବଂ ଭତ୍ତା ନିର୍ବାଚନ କମିଶନରଙ୍କ ସହିତ ସମାନ ହୋଇଥିଲା ବେଳେ ରାଜ୍ୟ ସୂଚନା କମିଶନରଙ୍କ ପଦବୀ, ଦରମା ଏବଂ ଭତ୍ତା ରାଜ୍ୟ ମୁଖ୍ୟ ଶାସନ ସଚିବ ସହିତ ସମାନ। ତେଣୁ ପରୋକ୍ଷ ଭାବରେ କେନ୍ଦ୍ର ମୁଖ୍ୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନରମାନଙ୍କୁ ସୁପ୍ରିମ କୋର୍ଟ ବିଚାରପତି ଏବଂ ହାଇକୋର୍ଟ ବିଚାରପତିଙ୍କ ପାଇଁ ପ୍ରଯୁଜ୍ୟ ଥିବା ସୁବିଧା ସୁଯୋଗ ବା ପ୍ରୋଟୋକଲ୍ ଯୋଗାଇ ଦିଆଯାଇଥାଏ। ଆଇନର ଏହି ଦୁଇ ପ୍ରମୁଖ ଧାରାରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ଏହି ସଂଶୋଧନ ମାଧ୍ୟମରେ ସମୟକୁ ସମୟ ସରକାରୀ ବିଜ୍ଞପ୍ତି ଜାରି କରି କେନ୍ଦ୍ରୀୟ ସୂଚନା କମିଶନ ଏବଂ ରାଜ୍ୟ ସୂଚନା କମିଶନଙ୍କ କାର୍ଯ୍ୟକାଳ, ପଦବୀ, ଦରମା, ଭତ୍ତା ନିର୍ଦ୍ଧାରଣ କରିବେ। ଏପରି ସଂଶୋଧନ ପଛରେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି କେନ୍ଦ୍ର ବା ରାଜ୍ୟ ସୂଚନା କମିଶନ ଏକ ସାମ୍ୱିଧାନିକ ସଂସ୍ଥା ନୁହେଁ। ଏହା ଏକ ବୈଧାନିକ ସଂସ୍ଥା। ସମ୍ୱିଧାନର ୩୨୪ ଧାରା ଅନୁସାରେ ନିର୍ବାଚନ କମିଶନ ଗଠନ ହୋଇଛି। ଲୋକସଭା, ବିଧାନସଭା, ରାଜ୍ୟସଭା, ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତିଙ୍କ ନିର୍ବାଚନ ପରିଚାଳନା କରିବା, ଭୋଟର ତାଲିକା ପ୍ରସ୍ତୁତ କରିବା ନିର୍ବାଚନ କମିଶନଙ୍କ କାର୍ଯ୍ୟ ଅଟେ। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ସୂଚନା କମିଶନ୍ ଗଠନ କରାଯାଇଛି। ତେଣୁ ଉଭୟ ସଂସ୍ଥା ଭିନ୍ନ ଅଟେ। ଏକ ବୈଧାନିକ ସଂସ୍ଥା ସାମ୍ୱିଧାନିକ ସଂସ୍ଥା ସହିତ ଏକ ହୋଇପାରିବ ନାହିଁ। ତେଣୁ ସୂଚନା କମିଶନଙ୍କ ଦରମା, ଭତ୍ତା, କାର୍ଯ୍ୟକାଳ, ପଦବୀ ନିର୍ବାଚନ କମିଶନ୍ ସହିତ ସାମନ ହୋଇପାରିବ ନାହିଁ। ତେଣୁ ଏହାର ସଂଶୋଧନ ଜରୁରୀ। ସଂଶୋଧନ ଦ୍ୱାରା କ୍ଷତି କ'ଣ ହେବ? ସୂଚନା ପାଇବାର ଅଧିକାର ଏକ ମୌଳିକ ଅଧିକାର। ୧୯୭୦ ଦଶକର ସୁପ୍ରିମ କୋର୍ଟ ସମ୍ୱିଧାନର ଧାରା ୧୯ (ବଞ୍ଚିବାର ଅଧିକାର) ବାଖ୍ୟା କରି ନାଗରିକମାନେ ସୂଚନା ପାଇବା ଅଧିକାର ଏକ ମୌଳିକ ଅଧିକାର ଏବଂ ଏହି ଅଧିକାର ବଞ୍ଚିବାର ଅଧିକାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି କହିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସୁପ୍ରିମ କୋର୍ଟ ଏବଂ ଅନ୍ୟ ଉଚ୍ଚ ନ୍ୟାୟାଳୟମାନେ ସୂଚନା ପାଇବାର ଅଧିକାର ନାଗରିକମାନଙ୍କୁ ଦିଆଯିବା ଉଚିତ ବୋଲି କହିଥିଲେ। ସମ୍ମାନର ସହ ବଞ୍ଚିବାକୁ ହେଲେ ଜଣେ ନାଗରିକଙ୍କୁ ସୂଚନା ପ୍ରଦାନର ଅଧିକାର ଦେବାକୁ ପଡ଼ିବ। ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ ହେଲାପରେ ନାଗରିକମାନେ ଯେକୌଣସି ସରକାରୀ ଦପ୍ତରକୁ ସୂଚନା ପାଇଁ ଆବେଦନ କରୁଛନ୍ତି ଏବଂ ତଥ୍ୟ ପାଉଛନ୍ତି। ଏହି ଆଇନ ଅନୁଯାୟୀ, ସମସ୍ତ ସରକାରୀ ଦପ୍ତର, ସୁପ୍ରିମ କୋର୍ଟ, ହାଇକୋର୍ଟ, ରାଜ୍ୟପାଳଙ୍କ ଦପ୍ତର, ରାଷ୍ଟ୍ରପତିଙ୍କ ଦପ୍ତର, ଲୋକସଭା, ବିଧାନସଭାର ବାଚସ୍ପତି ପ୍ରମୁଖ ସୂଚନା ଆଇନର ପରିସରଭୁକ୍ତ। ଅର୍ଥାତ୍ ଏହିସବୁ ପ୍ରମୁଖ କାର୍ଯ୍ୟାଳୟ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବାକୁ ବାଧ୍ୟ। ଯେକୌଣସି ଜନ କର୍ତ୍ତୃପକ୍ଷ ବା ବା ସରକାରୀ କାର୍ଯ୍ୟାଳୟ ସୂଚନା ଆଇନରେ ତଥ୍ୟ ପ୍ରଦାନରେ ଅବହେଳା କଲେ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୂଚନା କମିଶନଙ୍କୁ କ୍ଷମତା ଦିଆଯାଇଛି। ସୂଚନା ଆଇନର ଧାରା ୧୨ ଏବଂ ୧୫ ଅନୁଯାୟୀ କେନ୍ଦ୍ର ବା ରାଜ୍ୟ ସୂଚନା କମିଶନ୍ କୌଣସି କର୍ତ୍ତୃପକ୍ଷଙ୍କ ଚାପର ବଶବର୍ତ୍ତୀ ନହୋଇ ସ୍ୱାଧୀନ ଭାବେ କାମ କରିବେ। ଅର୍ଥାତ୍ ଆଇନ ଅନୁଯାୟୀ ସୂଚନା କମିଶନ ଅନ୍ୟ ସାମ୍ୱିଧାନିକ ସଂସ୍ଥା ଭଳି ଏକ ସ୍ୱାଧୀନ ସଂସ୍ଥା ଅଟେ। ସୂଚନା ପ୍ରଦାନରେ ଅବହେଳା କରୁଥିବା ଯେକୌଣସି କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରିପାରିବ, ଜବାବ ଦାଖଲ ପାଇଁ ବାଧ୍ୟ କରିପାରିବ ଏବଂ ଦଣ୍ଡବିଧାନ କରିପାରିବ। ରାଷ୍ଟ୍ରପତି, ରାଜ୍ୟପାଳଙ୍କ ଦପ୍ତର, ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟଙ୍କୁ ମଧ୍ୟ ସୂଚନା କମିଶନ୍ ନୋଟିସ୍ ଜାରି କରିପାରିବ। ସୂଚନା ଆଇନରେ ବ୍ୟବସ୍ଥା ଅଛି ଯେ ସୂଚନା ପ୍ରଦାନ କ୍ଷେତ୍ରରେ ସୂଚନା କମିଶନଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି। ତାଙ୍କର ନିଷ୍ପତ୍ତିକୁ ସମସ୍ତେ ମାନିବାକୁ ବାଧ୍ୟ। ସୂଚନା ଆଇନ ଅନୁଯାୟୀ ସୂଚନା କମିଶନଙ୍କ ବିରୁଦ୍ଧରେ କେଶ୍ ହୋଇପାରିବ ନାହିଁ। କେବଳ ସୂଚନା କମିଶନଙ୍କ ନିଷ୍ପତ୍ତିରେ ଜଣେ ଅସନ୍ତୁଷ୍ଟ ହେଲେ ସାମ୍ୱିଧାନିକ ବ୍ୟବସ୍ଥାରେ ରିଟ୍ ପିଟିସନ୍ ଜରିଆରେ ସୁପ୍ରିମ କୋର୍ଟ ବା ହାଇକୋର୍ଟରେ କେସ୍ କରିପାରିବ ବା କମିଶନଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ୍ କରିପାରିବ। ସେଥିପାଇଁ ସଂସଦରେ ବହୁ ଆଲୋଚନା, ତର୍କବିତର୍କ ପରେ ସୂଚନା କମିଶନଙ୍କୁ ବିଶେଷ କ୍ଷମତା ବା ଉଚ୍ଚ ପଦବୀ ଦିଆଯାଇଛି। ଯଦି କମିଶନମାନଙ୍କୁ ଉଚ୍ଚ ପଦବୀ ବା ଅଧିକ କ୍ଷମତା ଦିଆନଯାଏ ତେବେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ବା ସରକାରୀ ବିଭାଗ ଯଥା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, କମିଶନ୍ ନିର୍ଦ୍ଦେଶକୁ ଗୁରୁତ୍ୱ ଦେବେନାହିଁ। ଫଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସୂଚନା ଦେଶବାସୀ ଜାଣିପାରିବେ ନାହିଁ। ତେଣୁ ସୂଚନା କମିଶନଙ୍କୁ ସାମ୍ୱିଧାନିକ ସଂସ୍ଥା ଭଳି ଅଧିକ କ୍ଷମତା ପ୍ରଦାନ କରାଯାଇଛି। ଆମ ଦେଶରେ ଏହିପରି ଅନେକ ବୈଧାନିକ ସଂସ୍ଥାକୁ ସାମ୍ୱିଧାନିକ ସଂସ୍ଥା ସହିତ ସମପରିମାଣର କ୍ଷମତା ପ୍ରଦାନ କରାଯାଇଛି, ଯଥା- ଜାତୀୟ ମାନବାଧିକାର କମିଶନ୍ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍, ଲୋକପାଳ ପ୍ରମୁଖଙ୍କୁ ସୁପ୍ରିମ କୋର୍ଟ ବିଚାରପତିଙ୍କ ସହ ସମାନ ପଦବୀ, ଚାକରି ସର୍ତ୍ତାବଳି ଧାର୍ଯ୍ୟ କରାଯାଇଛି। କେତେକ ପ୍ରଶ୍ନ କରନ୍ତି ସୂଚନା କମିଶନଙ୍କ ନିର୍ଦ୍ଦେଶଗୁଡ଼ିକୁ ଉଚ୍ଚନ୍ୟାୟାଳୟ ବା ଉଚ୍ଚତମ ନ୍ୟାୟାଳରେ ଚାଲେଞ୍ଜ୍ କରାଯାଉଥିବାରୁ ସେମାନଙ୍କ ପଦବୀ ସୁପ୍ରିମ କୋର୍ଟ ବିଚାରପତି୍କ ସହିତ ସମାନ ହେବା ଉଚିତ ନୁହେଁ। ବାସ୍ତବରେ ସାମ୍ୱିଧାନିକ ବ୍ୟବସ୍ଥା ଅନୁଯାୟୀ ଯେକୌଣସି କଳ୍ପ-ନ୍ୟାୟିକ କ୍ବାସି ଜୁଡ଼ିସିଆଲ ସଂସ୍ଥାର ନିର୍ଦ୍ଦେଶକୁ ସୁପ୍ରିମ କୋର୍ଟ ବା ହାଇକୋର୍ଟରେ ଚାଲେଞ୍ଜ୍ କରାଯାଇ ପାରିବ। କେବଳ ସୂଚନା କମିଶନଙ୍କ ନିର୍ଦ୍ଦେଶ ନୁହେଁ, ଲୋକପାଳ ଓ ଲୋକାୟୁକ୍ତ, ମାନବାଧିକାର କମିଶନ୍, କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିର୍ଦ୍ଦେଶକକୁ ଉଚ୍ଚ ନ୍ୟାୟାଳୟରେ ଚାଲେଞ୍ଜ୍ କରାଯାଉଛି। ତେଣୁ କେବଳ ସୂଚନା କମିଶନ ପଦବୀକୁ ସଙ୍କୁଚିତ କରାଯିବ କାହିଁକି? ଯଦି କେନ୍ଦ୍ର ସରାର ସୂଚନା କମିଶନଙ୍କ ପଦବୀ, ଚାକିରି, ସର୍ତ୍ତାବଳିରେ ପରିବର୍ତ୍ତନ ଚାହୁଁଛନ୍ତି, ତେବେ କି ପ୍ରକାର ପଦବୀ ବା ଚାକିରି ସର୍ତ୍ତାବଳୀ ରଖିବା ପାଇଁ ଚାହୁଁଛନ୍ତି, ତାହା ସ୍ପଷ୍ଟ ହେବା ଉଚିତ। ସୂଚନା କମିଶନଙ୍କ ସ୍ୱାଧୀନତା ବା ସ୍ୱତନ୍ତ୍ରତାକୁ କେବଳ ସରକାରୀ ବିଜ୍ଞପ୍ତିରେ ଆବଦ୍ଧ କରି ରଖିବା ଉଚିତ୍ ନୁହେଁ। ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କେନ୍ଦ୍ର ସରକାର ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ତେଣୁ ଏହି ସଂଶୋଧନ ବିଲ୍ କେନ୍ଦ୍ର ସରକାରଙ୍କୁ ସୂଚନା କମିଶନଙ୍କ ସ୍ୱାଧୀନତାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଭୂତ କ୍ଷମତା ଦେଇଛି। ଏହାଦ୍ୱାରା କେନ୍ଦ୍ର ସରକାରଙ୍କୁ ସୁହାଇଲା ଭଳି ବ୍ୟକ୍ତିମାନଙ୍କୁ ସୂଚନା କମିଶନ୍ ପଦବୀରେ ନିଯୁକ୍ତି କରାଯିବ। ସୂଚନା କମିଶନ୍ ସରକାରୀ ନିୟନ୍ତ୍ରଣରେ ବା ଅମଲାମାନଙ୍କ ନିୟନ୍ତ୍ରଣରେ କାମ କରିବେ। ସମୟାନୁକ୍ରମେ କମିଶନଙ୍କ କ୍ଷମତା ଏବଂ ପଦବୀ ମଧ୍ୟ ସଙ୍କୁଚିତ ହେବ। କମିଶନଙ୍କ କ୍ଷମତା ସଙ୍କୁଚିତ ହେଲେ, ସେମାନଙ୍କ ନିର୍ଦ୍ଦେଶକୁ କେହି ଗୁରୁତ୍ୱ ଦେବେନାହିଁ। ଯେତେବେଳେ ସରକାରୀ ଦପ୍ତର ଗୁଡ଼ିକ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରୁନାହାନ୍ତି ବା ଦୁର୍ନୀତି ସମ୍ପର୍କିତ ତଥ୍ୟକୁ ଲୁଚାଇ ରଖୁଛନ୍ତି, ତେବେ ସୂଚନା କମିଶନ ଏହିସବୁ ତଥ୍ୟ ଗୁଡ଼ିକର ଉନ୍ମୋଚନ ପାଇଁ ବା ଆବେଦନକାରୀମାନଙ୍କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଉଛନ୍ତି। କମିଶନଙ୍କ ନିର୍ଦ୍ଦେଶ ଯୋଗୁଁ ବହୁ ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆସିପାରୁଛି। ଏହି ତଥ୍ୟକୁ ନେଇ ସର୍ବସାଧାରଣରେ ବିତର୍କ ହେଉଛି। ଏହାଦ୍ୱାରା ନାଗରିକମାନେ ସଚେତନ ହେଉଛନ୍ତି ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହେଉଛି। ତେଣୁ ସୂଚନା ଆଇନର ବାସ୍ତବ କାର୍ଯ୍ୟକାରିତା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ସଶକ୍ତ ସୂଚନା କମିଶନ ଆବଶ୍ୟକ। ଏହି ସଂଶୋଧନ ପ୍ରସ୍ତାବ ଦ୍ୱାରା ସୂଚନା କମିଶନକୁ କେନ୍ଦ୍ର ସରକାର ପଙ୍ଗୁ କରିଦେବାକୁ ବସିଛନ୍ତି। ଏହି ସଂଶୋଧନ ପଛରେ ଭିତିରି ରହସ୍ୟ କ'ଣ? ସୂଚନା ଅଧିକାର ଆଇନ ଯୋଗୁଁ ବିଜେପି ସରକାର ଅନେକ କ୍ଷେତ୍ରରେ ସର୍ବସାଧାରଣରେ ଲଜ୍ଜିତ ହୋଇଛନ୍ତି ଏବଂ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ସୂଚନା କମିଶନଙ୍କ ନିର୍ଦ୍ଦେଶକ କେନ୍ଦ୍ର ସରକାରଙ୍କୁ ଅସୁବିଧାରେ ପକାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାଗତ ଯୋଗ୍ୟତା ତଥ୍ୟ ଦେବାପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ, ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେଇଥିବା ଋଣ ଖିଲାପକାରଙ୍କ ତାଲିକାର କପି ଦେବାପାଇଁ ନଭେମ୍ୱର, ୨୦୧୮ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ, ବିମୁଦ୍ରିକରଣ ପାଇଁ ହୋଇଥିବା ନିଷ୍ପତ୍ତିର କପି ପ୍ରଦାନ ପାଇଁ ଫେବୃୟାରୀ, ୨୦୧୯ରେ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ, କଳାଟଙ୍କା ସମ୍ପର୍କରେ ତଥ୍ୟ ଦେବାପାଇଁ ଅକ୍ଟୋବର, ୨୦୧୭ରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ, ରାଫେଲ ଉଡ଼ାଜାହାଜ କିଣା ସମ୍ପର୍କିତ ଦସ୍ତାବିଜ୍ ଦେବାପାଇଁ ପ୍ରତିରକ୍ଷା ବିଭାଗକୁ ନିର୍ଦ୍ଦେଶ ଇତ୍ୟାଦି କେନ୍ଦ୍ର ସରକାରଙ୍କୁ, ମୁଖ୍ୟତଃ ପ୍ରଧାନମନ୍ତ୍ରୀଙ୍କୁ ବିଚଳିତ କରିଥିଲା। ଉପରଲିଖିତ କେନ୍ଦ୍ରୀୟ ସୂଚନା କମିଶନଙ୍କ ଅନେକ ନିର୍ଦ୍ଦେଶକୁ ଉଚ୍ଚ ନ୍ୟାୟାଳୟରେ ଚାଲେଞ୍ଜ୍ କରାଯାଇଛି, ଯାହାକି ଏବେବି ବିଚାରାଧୀନ ଅଛି। ସେହିପରି ଅନେକ ରାଜ୍ୟରେ ସୂଚନା କମିଶନମାନଙ୍କ ନିର୍ଦ୍ଦେଶ ଯୋଗୁଁ ବହୁ ଦୁର୍ନୀତି ଲୋକଲୋଚନକୁ ଆସିଛି। ଆମ ରାଜ୍ୟରେ ଡାଲି ଦୁର୍ନୀତି, ଚାରା ଦୁର୍ନୀତି, ଜମି ଦୁର୍ନୀତିର କେଳେଙ୍କାରୀ, ବିଭିନ୍ନ ସରକାରୀ ଯୋଜନାରେ କୋଟି କୋଟି ଟଙ୍କା ହଡ଼ପ ଲୋକଲୋଚନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସଲ ଚେହେରା ପଦାରେ ପଡ଼ିଛି। ସେହିପରି ମହାରାଷ୍ଟ୍ର, ରାଜସ୍ଥାନରେ ସୂଚନା ଆଇନ ଯୋଗୁଁ ସରକାର ନିର୍ବାଚନରେ ହାରି ଯାଇଛନ୍ତି। ତେଣୁ ସୂଚନା କମିଶନମାନଙ୍କୁ ଜବତ କରିବା, ସେମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ଏହି ସଂଶୋଧନ ପ୍ରସ୍ତାବ ଆଣିଛନ୍ତି। ସେଥିପାଇଁ ସୂଚନାଧିକାର କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ ଏବଂ ପୂର୍ବତନ ସୂଚନା କମିଶନରମାନେ ବିରୋଧ କରୁଛନ୍ତି। ସୂଚନା ଅଧିକାର ଆନ୍ଦୋଳନର ପ୍ରବକ୍ତା ଅରୁଣା ରାୟ ଏହି ସଂଶୋଧନ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି। ସଂଶୋଧନ ବିଲ୍କୁ ବିଜେଡିର ସମର୍ଥନ କାହିଁକି? ସୂଚନା ଅଧିକାର ସଂଶୋଧନ ବିଲ୍ ରାଜ୍ୟସଭାରେ ଆଲୋଚନା ଚାଲିଥିଲା ବେଳେ ବିଜୁ ଜନତା ଦଳର ସାଂସଦମାନେ ଆରମ୍ଭରୁ ଏହି ପ୍ରସ୍ତାବକୁ ଜୋରଦାର୍ ବିରୋଧ କରିଥିଲେ। ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ପ୍ରଧାନମନ୍ତ୍ରୀ ଫୋନ୍ କରି ମୁଖ୍ୟମନ୍ତ୍ରୀଙ୍କୁ ବିଲ୍ ସପକ୍ଷରେ ଭୋଟ୍ ଦେବାପାଇଁ କହିଥିଲେ। ମୁଖ୍ୟମନ୍ତ୍ରୀ ତତ୍କ୍ଷଣାତ୍ ରାଜି ହୋଇ ବିଲ୍କୁ ସମର୍ଥନ କରିବା ପାଇଁ ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଜେଡି ସାଂସଦଙ୍କ ସହିତ ୱାଇଏସ୍‌ଆର୍ କଂଗ୍ରେସ, ଟିଆର୍‌ଏସ୍ ସାଂସଦଙ୍କ ସମର୍ଥନରେ ବିଲ୍ ପାସ୍ ହୋଇଥିଲା। ରାଜ୍ୟର ଲୋକମାନଙ୍କୁ ମିଛ କହି ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ସବୁଠାରୁ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ବିଜେଡି ଶାସନରେ ସବୁଠାରୁ ବଡ଼ ବଡ଼ ଦୁର୍ନୀତି ହୋଇଛି। ଖଣି ଦୁର୍ନୀତି, ଚିଟ୍‌ ଫଣ୍ଡ ଦୁର୍ନୀତି, କୋଲ୍ ବ୍ଲକ୍ ସ୍କାମ୍, ଜମି ଦୁର୍ନୀତି ଇତ୍ୟାଦିରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସମ୍ପୃକ୍ତ। ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଜଷ୍ଟିସ୍ ଶାହା କମିଶନ୍ ସୁପାରିଶ୍ କରିସାରିଛନ୍ତି, ଯାହାକି କେନ୍ଦ୍ର ସରକାରଙ୍କ ନିକଟରେ ପଡ଼ିରହିଛି। ଚିଟ୍‌ ଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡିର ୩୭ ଜଣ ମନ୍ତ୍ରୀ, ବିଧାୟକ ଚିଟ୍‌ ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ। ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହିତ ସାଲିସ୍ କରି ସିବିଆଇ ତଦନ୍ତ ଶିଥିଳ ହୋଇ ରହିଛି। କୋଲ୍ ବ୍ଲକ୍ ସ୍କାମ୍‌ରେ ନିଜେ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ। ଏହି ସବୁ ଦସ୍ତାବିଜ୍ ସିବିଆଇ ଅଧୀନରେ ଅଛି। କେନ୍ଦ୍ର ସରକାର ଚାହିଁଲେ ସିବିଆଇ ଜରିଆରେ ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଇପାରିବେ। ଏହି ଗିରଫ ହେବାର ଭୟ ମୁଖ୍ୟମନ୍ତ୍ରୀଙ୍କୁ ଘାରି ରହିଛି। ତେଣୁ ବିଜେପି ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶରେ ନ ଚାଲିବା ବ୍ୟତୀତ ତାଙ୍କର ଉପାୟ ନାହିଁ। ଅପର ପକ୍ଷରେ ମୂଳରୁ ନବୀନ ପଟ୍ଟନାୟକ ସରକାର ସୂଚନା ଅଧିକାର ଆଇନର ପ୍ରମୁଖ ହତ୍ୟାକାରୀ। ୨୦୦୫ ମସିହାରୁ ସୂଚନା ଆଇନକୁ କାର୍ଯ୍ୟକାରୀ କରେଇ ନଦେବା ପାଇଁ ଓଡ଼ିଶା ସୂଚନା ଅଧିକାର ନିୟମାବଳି, ୨୦୦୫ ପ୍ରଣୟନ କରିବା, ସାଧାରଣ ଲୋକ ଯେପରି ସୂଚନା ମାଗି ନ ପାରିବେ, ସେଥିପାଇଁ ବାଧ୍ୟତାମୂଳକ ଦରଖାସ୍ତ ଫର୍ମ ବ୍ୟବସ୍ଥା କରିବା, ବିପିଏଲ୍‌ମାନଙ୍କୁ ମାଗଣାରେ ସୂଚନା ପ୍ରଦାନ ନ କରିବା, ସୂଚନା ଆଇନର ଧାରା ୪(୧)(ବି) ଅନୁଯାୟୀ େସ୍ୱଚ୍ଛାକୃତ ସୂଚନା ପ୍ରଦାନ ବ୍ୟବସ୍ଥା ନ କରିବା, ସୂଚନା କମିଶନଙ୍କୁ ପଙ୍ଗୁ କରି ରଖିବା ପାଇଁ ଅତ୍ୟନ୍ତ ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ସୂଚନା କମିଶନ୍ ପଦବୀରେ ନିଯୁକ୍ତି କରିବା ଇତ୍ୟାଦି। ତେଣୁ ମୁଖ୍ୟମନ୍ତ୍ରୀ ଭାରତବର୍ଷରେ ସୂଚନା ଆଇନର ପ୍ରଥମ ହତ୍ୟାକାରୀ ବୋଲି ସୂଚନାଧିକାର କର୍ମୀମାନେ ଅଭିଯୋଗ କରିଆସିଛନ୍ତି। ସୂଚନା ଆଇନ ନାଗରିକମାନଙ୍କର ଏକ ଅମୋଘ ଅସ୍ତ୍ର ସୂଚନା ଅଧିକାର ଆଇନ ସାଧାରଣ ଲୋକଙ୍କର ଆଇନ। ସାମ୍ୱିଧାନିକ ବ୍ୟବସ୍ଥା ଅନୁଯାୟୀ ନାଗରିକମାନେ ଦେଶର ମାଲିକ। ମାଲିକ ହିସାବରେ ପ୍ରଶାସନଠାରୁ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଦାବି କରିବାର ଅଧିକାର ସୂଚନା ଆଇନ ସେମାନଙ୍କୁ ଦେଇଛି। ସାଧାରଣ ଲୋକେ ବିଭିନ୍ନ ପ୍ରସଙ୍ଗରେ ସରକାରୀ ଦପ୍ତରକୁ ସୂଚନା ମାଗୁଛନ୍ତି ଏବଂ ଉତ୍ତର ଦାବି କରୁଛନ୍ତି। କୌଣସି ଦିନ ସୂଚନା ଅଧିକାରୀ ଉତ୍ତର ନଦେଲେ ସେମାନେ ସୂଚନା କମିଶନଙ୍କ ଦ୍ୱାରସ୍ଥ ହେଉଛନ୍ତି। ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ପାଇଁ ସୂଚନା ଆଇନ ଏକ ଅମୋଘ ଅସ୍ତ୍ର ଭାବେ କାମ କରୁଛି। ଏହାଦ୍ୱାରା ପ୍ରଶାସନରେ ସ୍ୱଚ୍ଛତା ବଢ଼ୁଛି। ପ୍ରଶାସନ ମଧ୍ୟ ସାଧାରଣ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେଉଛି। ବେସରକାରୀ ଭାବେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ସମଗ୍ର ଦେଶରେ ପ୍ରତିବର୍ଷ ହାରାହାରି ୬୦ ଲକ୍ଷ ଲୋକ ସୂଚନା ପାଇଁ ଆବେଦନ କରୁଛନ୍ତି। ସୂଚନା ଅଧିକାର ଆଇନରେ ସରକାରୀ ବ୍ୟବସ୍ଥା, ବିଭିନ୍ନ ପ୍ରସଙ୍ଗରେ ସରକାରୀ ସ୍ତରରେ ହେଉଥିବା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ ପ୍ରଶାସନର ବହୁ ପୁରୁଣା ଭିତିରି କଥା ଲୋକଲୋଚନକୁ ଆସୁଛି। ସାଧାରଣ ଲୋକେ ଏହି ତଥ୍ୟ ପଢ଼ି କେବଳ ଉତ୍ସାହିତ ହେଉନାହାନ୍ତି, ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କର ସମ୍ପୃକ୍ତି ମଧ୍ୟ ବୃଦ୍ଧି ପାଉଛି। ଏହି ମାଧ୍ୟମରେ ଆମ୍ଭର ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ହୋଇଛି। ତେଣୁ ସୂଚନା ଆଇନକୁ ସାମାନ୍ୟତମ ଅକାମୀ କରିବାକୁ ଚେଷ୍ଟା କରାଗଲେ ସାଧାରଣ ଲୋକେ, ସୂଚନାଧିକାର କର୍ମୀମାନେ ସ୍ୱତଃସ୍ଫୁର୍ତ୍ତ ଭାବେ ରାଜରାସ୍ତାକୁ ଆସି ବିରୋଧ କରୁଛନ୍ତି। ଏହା ସତ୍ୟ ଶାସନ କ୍ଷମତାରେ ଥିବା କୌଣସି ଦଳ ସୂଚନା ଅଧିକାର ଆଇନକୁ ଦୃଢ଼ ଭବେ କାର୍ଯ୍ୟକାରୀ କରେଇବାକୁ ଚାହୁଁନାହାଁନ୍ତି। ତଥାପି ସମଗ୍ର ଦେଶରେ ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରେଇବା ପାଇଁ ସୂଚନାଧିକାର କର୍ମୀମାନଙ୍କର ସଂଘର୍ଷ ଚାଲିଛି। ତେଣୁ କେନ୍ଦ୍ର ସରକାର ସୂଚନା ଆଇନ ସଂଶୋଧନ ବିଲ୍‌କୁ ରଦ୍ଦ କରିବା ଉଚିତ। ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୋ : ୯୯୩୭୮୪୩୪୮୨

Share :