ପ୍ରାଥମିକ ଶିକ୍ଷା, ପ୍ରଚୁର ଅବ୍ୟବସ୍ଥା- କିଛି ବିନ୍ଦୁ

ପ୍ରାଥମିକ ଶିକ୍ଷା, ପ୍ରଚୁର ଅବ୍ୟବସ୍ଥା- କିଛି ବିନ୍ଦୁ

୧. ଓଡ଼ିଶାରେ ବୈଷୟିକ ତଥା ଉଚ୍ଚ ଶିକ୍ଷା ସୁବିଧା ବୃଦ୍ଧି କରିଥିବାର ଶ୍ରେୟ ନେଉଥିବା ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସଂପୂର୍ଣ୍ଣ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇଛନ୍ତି। ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ପିଲାମାନଙ୍କୁ ଉନ୍ନତ ମାନର ଶିକ୍ଷା ଦିଆଯାଉ ନଥିବାରୁ ଉଚ୍ଚ ଓ ବୈଷୟିକ ଶିକ୍ଷା ସ୍ତରରେ ଓଡ଼ିଆ ପିଲାମାନେ ପ୍ରତିଯୋଗୀ ସଂପନ୍ନ ହୋଇପାରୁ ନାହାନ୍ତି। ନିଅଁ ଦୁର୍ବଳ ଥିଲେ ଘର ଯେମିତି ଭୁଶୁଡ଼ି ପଡ଼େ ଓଡ଼ିଶାରେ ଶିକ୍ଷାର ଅବସ୍ଥା ଠିକ ଏହିପରି। ରାଜ୍ୟ ସରକାର ଉଚ୍ଚ ଓ ବୈଷୟିକ ଶିକ୍ଷାରେ ଘରୋଇ ଉଦ୍ୟୋଗକୁ ଅଗ୍ରାଧିକାର ଦେଉଛନ୍ତି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ମଧ୍ୟ ସରକାରୀ ଅବହେଳା କାରଣରୁ ସରକାରୀ ବ୍ୟବସ୍ଥା ଭୁଶୁଡ଼ୁଛି ଓ ବେସରକାରୀ ସ୍ତରରେ ଏ ଉଭୟ କ୍ଷେତ୍ରରେ ସ୍କୁଲ ସଂଖ୍ୟା ବଢ଼ି ଚାଲିଛି। ଏହା ଫଳରେ ରାଜ୍ୟର ଗରୀବ ଜନ ସାଧାରଣ ଏକ ଅସମାନ ଶିକ୍ଷା ବ୍ୟବସ୍ଥାର ଶିକାର ହେଉଛନ୍ତି। ଗରିବ ପିଲା ସରକାରୀ ସ୍କୁଲରେ ପଢ଼ି ନିଯୁକ୍ତି ବଜାରରେ ପ୍ରତିଯୋଗୀ ସଂପନ୍ନ ହୋଇପାରୁ ନାହିଁ। ଧନୀ ଘରର ପିଲାମାନେ ବେସରକାରୀ ସ୍କୁଲ ଓ କଲେଜରେ ପଢ଼ି ଅଧିକାଂଶ ନିଯୁକ୍ତି ସୁଯୋଗ ଅକ୍ତିଆର କରୁଛନ୍ତି। ଏହା ରାଜ୍ୟରେ ଆର୍ଥିକ, ସାମାଜିକ ଓ ବୌଦ୍ଧିକ ଅସମାନତା ବୃଦ୍ଧି କରୁଛି ଓ ଧନୀ-ଦରିଦ୍ର ତାରତମ୍ୟକୁ ଅଧିକ ବ୍ୟାପକ କରୁଛି। ୨. ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ୮୨ ପ୍ରତିଶତ ଶିଶୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। କିନ୍ତୁ ବର୍ଷକୁ ବର୍ଷ ନାମ ଲେଖାଉଥିବା ପିଲାଙ୍କ ସଂଖ୍ୟା କମି ଚାଲିଛି। ସରକାରୀ ସ୍କୁଲରେ ଭଲ ପାଠ ପଢ଼ା ହେଉ ନଥିବାରୁ ଗାଁ ଗହଳରେ ମଧ୍ୟ ବେସରକାରୀ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲିଲାଣି। ଏହା କିଛି ଲୋକଙ୍କ ପାଇଁ ବ୍ୟବସାୟ କରିବାର ସୁଯୋଗ ଆଣି ଦେଇଛି। ଏସବୁ ଘରୋଇ ସ୍କୁଲରେ ଗ୍ରାମାଞ୍ଚଳର ମଧ୍ୟବିତ୍ତ ଓ ଧନୀ ଘରର ପିଲାମାନେ ପଢ଼ିବାକୁ ପସନ୍ଦ କରୁଛନ୍ତି। ସରକାରୀ ସ୍କୁଲରେ କେବଳ ମଧ୍ୟାହ୍ନ ଭୋଜନ ଲୋଭରେ ଗରୀବ ଘରର ପିଲାମାନେ ପଢ଼ୁଛନ୍ତି ଏବଂ ଉନ୍ନତ ମାନର ଶିକ୍ଷା ସୁବିଧା ନପାଇ ପରବର୍ତ୍ତୀ ଜୀବନରେ ଉନ୍ନତି କରିପାରୁ ନାହାନ୍ତି। ୩. ରାଜ୍ୟରେ କ୍ରମାଗତ ଭାବରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ସଂଖ୍ୟା କମିବାରେ ଲାଗିଛି। ୨୦୧୬-୧୭ ବେଳକୁ ରାଜ୍ୟରେ ୬୦ ହଜାର ଉପରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସରକାରୀ ସ୍କୁଲ ଥିଲା। ଏବେ ତାହା ୫୧,୯୬୪କୁ ଖସି ଆସିଛି। ସ୍କୁଲ ମିଶ୍ରଣ ଓ ବନ୍ଦ ହେବା ନିଷ୍ପତ୍ତି ଯୋଗୁଁ ଏମିତି ହୋଇଛି। ତେବେ ସ୍କୁଲ ସଂଖ୍ୟା କମୁଥିଲେ ମଧ୍ୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଶିଷ୍ୟ-ଶିକ୍ଷକ ଅନୁପାତ ଠିକ ନାହିଁ। ସାମ୍ବିଧାନିକ ଶିକ୍ଷା ଅଧିକାର ଅନୁସାରେ ପ୍ରାଥମିକ ସ୍ତରରେ ଶିଷ୍ୟ-ଶିକ୍ଷକ ଅନୁପାତ ୩୦କୁ ୧ ରହିବା ରହିବା କଥା। ଅର୍ଥାତ ପ୍ରତି ୩୦ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହେବା କଥା। ମାତ୍ର, ଏବେ ରାଜ୍ୟର ପ୍ରାୟ ୨୨ ହଜାର ବା ୪୦ ପ୍ରତିଶତ ସ୍କୁଲରେ ଏହି ଅନୁପାତରେ ଶିକ୍ଷକ ନାହାନ୍ତି। ମାତ୍ର ୩୦,୧୨୧ ସ୍କୁଲରେ ଏହି ଅନୁପାତରେ ଶିକ୍ଷକ ଅଛନ୍ତି ବୋଲି ସରକାରୀ ତଥ୍ୟ କହେ। ତେବେ, ଓଡ଼ିଶା ସରକାର ଶିକ୍ଷା ସହାୟକମାନଙ୍କୁ ଗଣନା କରି ଏହି ଅନୁପାତ ବାହାର କରିଛନ୍ତି। ଶିକ୍ଷା ସହାୟକମାନେ ନିୟମିତ ଶିକ୍ଷକ ନୁହନ୍ତି। ଶିକ୍ଷାଗତ ଯୋଗ୍ୟତା, ତାଲିମ, ଅଭିଜ୍ଞତା ଓ ଦରମା ଇତ୍ୟାଦିରେ ଶିକ୍ଷକ ଓ ଶିକ୍ଷା ସହାୟକଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ। କେନ୍ଦ୍ର ସରକାର ଶିକ୍ଷା ଅଧିକାର ଆଇନ ପ୍ରଣୟନ କରିବା ଏବଂ ସର୍ବଶିକ୍ଷା ଅଭିଯାନ ଆରମ୍ଭ କରିବା ପରେ ସେଇ ପାଣ୍ଠିରେ ଓଡ଼ିଶା ସରକାର ପ୍ରାୟ ୧.୫ ଲକ୍ଷ ଶିକ୍ଷା ସହାୟକଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧.୧୩ ଲକ୍ଷ ଶିକ୍ଷା ସହାୟକଙ୍କୁ ପରିବର୍ତ୍ତୀ ସମୟରେ ନିୟମିତ ଶିକ୍ଷକ ଭାବେ ଗ୍ରହଣ କରାଯାଇଛି। ତଥାପି ଅନେକ ସ୍କୁଲରେ ଅଧିକ ଛାତ୍ରଙ୍କୁ ଅଳ୍ପ ଶିକ୍ଷକ, କେତେକ ସ୍କୁଲରେ ଶିକ୍ଷକ ହିଁ ନାହାନ୍ତି। ୪. ଭିତ୍ତିଭୂମି ଦୃଷ୍ଟିରୁ ମଧ୍ୟ ଅନେକ ପ୍ରାଥମିକ ସ୍କୁଲ ଅତ୍ୟନ୍ତ ଦୁର୍ବଳ। ରାଜ୍ୟ ସରକାରଙ୍କ ଅପାରଗତା ଓ ଅବହେଳା କାରଣରୁ ଏବେ ବି ୧୭ ହଜାର ପ୍ରାଥମିକ ସ୍କୁଲରେ ଟଏଲେଟ୍‌ ନାହିଁ, ୧୫ ହଜାର ସ୍କୁଲରେ ପାନୀୟ ଜଳ ସୁବିଧା ନାହିଁ, ୩୦୦ ଉପରେ ସ୍କୁଲର ପକ୍କା ଘର ନାହିଁ, ୨୨୦୦ ଉପରେ ସ୍କୁଲ ମାତ୍ର ଗୋଟିଏ ବଖରାରେ ଚାଲିଛି। କେଉଁଠି ସ୍କୁଲକୁ ସବୁଦିନିଆ ରାସ୍ତା ନାହିଁ- ବିଲ ଭିତରେ, ପଡ଼ିଆ ଭିତରେ ସରକାର ସ୍କୁଲ ଖୋଲିଥିବାରୁ ବର୍ଷା ଦିନେ ସ୍କୁଲ ଘରେ ତାଲା, ପିଲା ଗାଁ ଲୋକଙ୍କ ଗୁହାଳ କିମ୍ବା ପିଣ୍ଢାରେ ପାଠ ପଢ଼ୁଛନ୍ତି। ନିୟମିତି ଉପଯୁକ୍ତ ମାନର ମରାମତି ଅଭାବରୁ ଅନେକ ସ୍କୁଲ କୋଠା ବିପଦ ଶଙ୍କୁଳ, କାନ୍ଥ ପଡ଼ି ପିଲାଙ୍କ ଜୀବନ ଯିବାର ଭୟ ଲାଗି ରହୁଛି। କେତେକ ସ୍କୁଲର ପାଚେରୀ ମଧ୍ୟ ଭୁଶୁଡ଼ି ପିଲାକ ମୃତ୍ୟୁର କାରଣ ହେଉଛି। ସରକାରୀ ଅପାରଗତା ଓ ଦୁର୍ନୀତି କାରଣରୁ ଅନେକ ବର୍ଷ ଧରି ପ୍ରାଥମିକ ସ୍କୁଲଗୁଡ଼ିକରେ ଠିକ ସମୟରେ ପାଠ୍ୟ ପୁସ୍ତକ ମିଳୁ ନାହିଁ। ବର୍ଷ ସରିଲା ବେଳକୁ ପାଠ୍ୟ ପୁସ୍ତକ ପହଞ୍ଚୁଥିବାର ପିଲାମାନେ ପାଠାଭ୍ୟାସରୁ ବଂଚିତ ରହୁଛନ୍ତି। ଏହା ମଧ୍ୟ ପାଠର ମାନ ହ୍ରାସ କରୁଛି। ୫. ଏଭଳି ଅନେକ ଅବ୍ୟବସ୍ଥା ଲାଗି ରହୁଥିବାରୁ ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ କିପରି ତଳକୁ ଖସିଛି ତାହାର ପ୍ରମାଣ ଦେଇଛି ୨୦୧୮ ମସିହାରେ ନୂଆଦିଲ୍ଲୀର ପ୍ରଥମ ନାମକ ବେସରକାରୀ ସ୍ବେଚ୍ଛାସେବୀ ସଂସ୍ଥା ତରଫରୁ ପ୍ରକାଶ ପାଇଥିବା ଆସର୍‌ ବା ଆନୁଆଲ ସ୍କୁଲ ଏଜୁକେସନ ରିପୋର୍ଟରୁ। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ୫୮ ପ୍ରତିଶତ ୫ମ ଶ୍ରେଣୀ ପିଲା ୨ୟ ଶ୍ରେଣୀ ପାଠ ପଢ଼ିପାରୁ ନାହାନ୍ତି। ୩.୨ ପ୍ରତିଶତ ୫ମ ଶ୍ରେଣୀ ପିଲା ୧-୯ ସଂଖ୍ୟା ଚିହ୍ନି ପାରୁ ନାହାନ୍ତି। ୧୩.୮ ପ୍ରତିଶତ ପଞ୍ଚମ ଶ୍ରେଣୀ ପିଲା ୧-୮ ସଂଖ୍ୟା ଚିହ୍ନି ପାରୁଛନ୍ତି ଅର୍ଥାତ ୮୭ ପ୍ରତିଶତ ପିଲା ଚିହ୍ନି ପାରୁ ନାହାନ୍ତି। ପଞ୍ଚମ ଶ୍ରେଣୀର ୩୩.୧ ପ୍ରତିଶତ ପିଲା ୧୦-୯୯ ସଂଖ୍ୟା ଚିହ୍ନି ପାରୁଛନ୍ତି। ପଞ୍ଚମ ଶ୍ରଣୀର ୨୪.୫ ପ୍ରତିଶତ ପିଲା ଫେଡ଼ାଣ ଜାଣିଛନ୍ତି ଅର୍ଥାତ ୭୬ ପ୍ରତିଶତ ପିଲା ଜାଣି ନାହାନ୍ତି। ସେହପରି ପଞ୍ଚମ ଶ୍ରେଣୀର ୭୫ ପ୍ରତିଶତ ପିଲା ହରଣ ଜାଣି ନାହାନ୍ତି। ତୃତୀୟ ଶ୍ରେଣୀର ୩୧ ପ୍ରତିଶତ ପିଲା ଫେଡ଼ାଣ ଜାଣିଛନ୍ତି ଅର୍ଥାତ ୬୯ ପ୍ରତିଶତ ଜାଣି ନାହାନ୍ତି। ଏ ପିଲାମାନେ ଉଚ୍ଚ ମାଧ୍ୟମିକ ସ୍ତରରେ କ’ଣ ପଢ଼ିବେ? କେମିତି ପଢ଼ିବେ? ସେମାନ ପୁଣି ଉଚ୍ଚ ଶିକ୍ଷା କ୍ଷେତ୍ରରେ କି ସୁଯୋଗ ପାଇବେ? ଟଙ୍କା ଦେଇ ଘରୋଇ କଲେଜରେ ଭର୍ତ୍ତି ହେଲେ ବି ପଢ଼ିବେ କ’ଣ, ଫଳ ପାଇବେ କ’ଣ? ଓଡ଼ିଶା ସରକାର ଓଡ଼ିଆ ପିଲାମାନଙ୍କୁ ଜୀବନ ସାରା ମୂଲିଆ ଓ ଦଳୀୟ କର୍ମୀ କରି ରଖିବାକୁ ଚାହାନ୍ତି କି? ଅଧିକରୁ ଅଧିକ ଓଡ଼ିଆ ପିଲା ଭଲ ସରକାରୀ ଶିକ୍ଷା ସୁବିଧା ପାଇ ଶିକ୍ଷିତ, ସଚେତନ ଓ ଆତ୍ମନିର୍ଭରଶୀଳ ହେଲେ ସରକାରଙ୍କ ଭୋଟବ୍ୟାଙ୍କ କମିଯିବ କି? ଏଇ ଆଶଙ୍କାରେ ସରକାର ଜାଣିଶୁଣି ଓଡ଼ିଆଙ୍କୁ ମୁର୍ଖ କରି ରଖିବାର ଯୋଜନା କରିଛନ୍ତି?

Share :