ଦୁର୍ନୀତି ଓ ଶୋଷଣର ଶକ୍ତି

ଦୁର୍ନୀତି ଓ ଶୋଷଣର ଶକ୍ତି

ଦେବେନ୍ଦ୍ର ପୃଷ୍ଟି ଏଇ ଦୁଇ ମାସ ତଳେ ରାଜଧାନୀ ଭୁବନେଶ୍ବର ସମେତ ପୁରୀ ଓ କଟକ ଆଦି କେତେକ ଉପକୂଳ ଜିଲ୍ଲାରେ ସାମୁଦ୍ରିକ ଝଡ଼ ଫଣୀ ଯୋଗୁଁ ସର୍ବାଧିକ ୧୪୦ କିଲୋମିଟର ବେଗରେ ପବନ ବହିଥିଲା। ଏହା ପ୍ରଭାବରେ ଭୁବନେଶ୍ବର ସମେତ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହେଲା ବୋଲି ସରକାର କହିଲେ। ବିଜୁଳି ବିଭାଗର ତଥ୍ୟ ଅନୁସାରେ ଫଣୀ ଯୋଗୁଁ ପ୍ରାୟ ଦେଢ଼ ଲକ୍ଷ ବିଜୁଳି ଖୁଣ୍ଟ ଉପୁଡ଼ି ଗଲା। ନୂଆ ଖୁଣ୍ଟ ଲାଗିଲା। ବିଜୁଳି ସେବା ସଂପୂର୍ଣ୍ଣ ଭାବେ ବ୍ୟବସ୍ଥିତ ହେବା ପାଇଁ ମାସାଧିକ କାଳ ଲାଗିଲା। ରାଜଧାନୀ ଭୁବନେଶ୍ବରର ସବୁ ଅଞ୍ଚଳରେ ବିଜୁଳି ସେବା ବ୍ୟବସ୍ଥିତ ହେବା ପାଇଁ ୧୫-୨୦ ଦିନ ସମୟ ଲାଗିଗଲା। ଫଣୀର ପ୍ରଭାବ ଭୁବନେଶ୍ବର ବିମାନ ବନ୍ଦର ଓ ରେଳ ଷ୍ଟେସନରେ ପଡ଼ିଥିଲା। ବିମାନ ବନ୍ଦର ପରିଚାଳନା ପାଇଁ ବିଦ୍ୟୁତ ଏକ ମୌଳିକ ଆବଶ୍ୟକତା। ଆଜିକାଲି ପ୍ରାୟ ସବୁ ଟ୍ରେନ ବିଜୁଳି ଶକ୍ତିରେ ଚାଲୁଛି। ସେଥିପାଇଁ ରେଳ ଲାଇନ କଡ଼େ କଡ଼େ ବିଜୁଳି ଖୁଣ୍ଟ ପୋତାଯାଇଛି। ଫଣୀର ଗୋଟିଏ ଦିନ ପରେ ବିମାନ ସେବା ଓ ଦୁଇ ଦିନ ପରେ ରେଳ ସେବା ସ୍ବାଭାବିକ ହେଲା। କିନ୍ତୁ ରାଜ୍ୟ ସରକାରଙ୍କ ଅଧୀନସ୍ତ ବିଦ୍ୟୁତ ସେବା ସ୍ବାଭାବିକ ହେବା ପାଇଁ ମାସ ବିତିଗଲା। କାହିଁକି? ଦୁର୍ନୀତି ଅଭିସନ୍ଧିରେ ହୋଇଥିବା ନିମ୍ନ ମାନର କାମ ଏଥିପାଇଁ ଦାୟୀ ନୁହେଁ କି? ରେଳ ବିଭାଗ ଯେଉଁ ମାନର ଖୁଣ୍ଟ ବ୍ୟବହାର କରୁଛି ରାଜ୍ୟ ସରକାର ସେହି ମାନର ଖୁଣ୍ଟ କାହିଁକି ବ୍ୟବହାର କରୁ ନାହାନ୍ତି? ରାଜ୍ୟ ସରକାର ଯେଉଁ ଖୁଣ୍ଟ ପୋତୁଛନ୍ତି ତାହା ଉପଯୁକ୍ତ ଗଭୀରରେ ପୋତାଯାଉଛି ତ? ଗାତରେ କଂକ୍ରିଟ ଢଳେଇ ହେଉଛି ନା ମାଟି ପଣି ଦିଆଯାଉଛି? ଅନେକ ବିଦ୍ୟୁତ ସରବରାହ ପାଇଁ ଯେଉଁ ତାର ବ୍ୟବହାର କରାଯାଉଛି ତାହାର ମାନ ପରୀକ୍ଷା ହେଉନାହିଁ। ତେଣୁ ନିମ୍ନମାନର ତାର ଟିକେ ପବନରେ ଛିଡ଼ି ଯାଉଛି। ବିଲରେ ପଡ଼ି ଲୋକ ଓ ଗୋ ସଂପଦଙ୍କ ମୃତ୍ୟୁର କାରଣ ହେଉଛି। ଫଣୀ ସମୟରେ ନାଲ୍‌କୋ ମାଗଣାରେ ଉନ୍ନତ ମାନର ତାର ଦାନ କଲା। ସରକାର ନୂଆ ତାର ଟାଙ୍ଗିଲେ ନା ପୁରୁଣା ତାରକୁ ଯୋଡ଼ାଯୋଡ଼ି କରି ନୂଆକୁ ବିକି ଖାଇଗଲେ? ତାହାର ଅଡିଟ ହେଲା କି? ଉପୁଡ଼ିଥିବା ଖୁଣ୍ଟ ଓ ଛିଡ଼ିଥିବା ତାର ସବୁ କ’ଣ ହେଲା? ତାହା ନିଲାମ ହେଲା ନା ଗନ୍ତାଘରିଆ ବିକିଦେଲା? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ଓଡ଼ିଶାରେ ଆରମ୍ଭ ହୋଇଥିଲା ବିଦ୍ୟୁତ ସଂସ୍କାର କାର୍ଯ୍ୟକ୍ରମ। ସେତେବେଳେ ସେ ଏବଂ ତାଙ୍କ ସରକାର କହୁଥିଲେ ଯେ ସରକାରଙ୍କ ଅଧୀନରେ ଥିବାରୁ ବିଦ୍ୟୁତ ଉତ୍ପାଦନ, ପରିବହନ ବା ସରବରାହ, ପରିବଣ୍ଟନ ଓ ପରିଚାଳନାରେ ଦୁର୍ନୀତି ଓ ଅପାରଗତା ଭର୍ତ୍ତି ହୋଇଯାଇଛି। ତେଣୁ ଲୋକମାନେ ଠିକ ସମୟର ଠିକ ସେବା ପାଇପାରୁ ନାହାନ୍ତି। ସେତେବେଳେ ବିଜୁଳି କାଟ ଗୋଟେ ବଡ଼ ସମସ୍ୟା ଥିଲା। ବିଜୁବାବୁଙ୍କ ଯୋଗୁଁ ବିଜୁଳି ସଂସ୍କାର ଆଣିବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ହେଲା। ଇତିମଧ୍ୟରେ ବିତିଗଲାଣି ଅଢ଼େଇ ଦଶନ୍ଧି ବା ପ୍ରାୟ ୨୫ ବର୍ଷ। ଓଡ଼ିଶାରେ ବିଜୁଳି ସମସ୍ୟା କେତେ ସୁଧୁରୁଛି? ଗାଁ ଗହଳର ଲୋକେ ନିରବିଚ୍ଛିନ୍ନ ବିଜୁଳି ସେବା ପାଉଛନ୍ତି? ଉତ୍ପାଦନ, ସରବରାହ, ପରିବଣ୍ଟନ ଓ ପରିଚାଳନା କ୍ଷେତ୍ରରେ ସ୍ବଚ୍ଛତା ଓ ଦକ୍ଷତା ଆସିଛି କି? ବିଦ୍ୟୁତ ସେବାର ଘରୋଇକରଣ ଦ୍ବାରା ରାଜ୍ୟ ଓ ରାଜ୍ୟବାସୀଙ୍କର ଲାଭ ହୋଇଛି ନା କ୍ଷତି? ଘରୋଇକରଣ ଫଳରେ ବିଜୁଳି ଦର କମିଛି କି? ସେବା ଅବ୍ୟାହତ ରହିଛି କି? ଟ୍ରାନ୍ସପୋର୍ଟେସନ ଓ ଡିଷ୍ଟ୍ରିବ୍ୟୁସନ ଲସ୍‌ ପରିମାଣ କମିଛି କି? ବଣ୍ଟନ ଦାୟିତ୍ବ ନେଇଥିବା ଘରୋଇ କମ୍ପାନୀଗୁଡ଼ିକ ସରକାରଙ୍କୁ ସେମାନଙ୍କର ଦେୟ ସଂପୂର୍ଣ୍ଣ ରୂପେ ପଇଠ କରିଛନ୍ତି ନା ପ୍ରାୟ ୬ ହଜାର କୋଟି ଟଙ୍କା ନେଇ ଫେରାର ହୋଇଯାଇଛନ୍ତି? ଘରୋଇ ବିଦ୍ୟୁତ କମ୍ପାନୀଙ୍କଠାରୁ ସରକାର କାହିଁକି ପାଉଣା ଆଦାୟ କରିପାରି ନାହାନ୍ତି? ସରକାର ଓ ଘରୋଇ କମ୍ପାନୀଙ୍କ ମଧ୍ୟରେ କିଛି ଅସାଧୁ ବା ଦୁର୍ନୀତିମୂଳକ ସଂପର୍କ ଅଛି କି? ସର୍ତ୍ତ ଥିଲା ଘରୋଇ କମ୍ପାନୀଗୁଡ଼ିକ ବିଦ୍ୟୁତ ସରବରାହ ବା ପରିବହନର ଭିତ୍ତିଭୂମି ସୁଧାରିବେ। ଓଏସଇବି ସମୟରେ ଏଇ ଭିତ୍ତିଭୂମି ଦୁର୍ବଳ ହୋଇଯାଇଥିଲା। ତେଣୁ ସରକାର ଘରୋଇ ପୁଞ୍ଜି ପାଇଁ ଘରୋଇକରଣ କଲେ। ମାତ୍ର, ହେଲା କ’ଣ? ଘରୋଇ କମ୍ପାନୀ ବସି ବସି ଲାଭ ନେଲେ। ବିନା ପୁଞ୍ଜିରେ ହଜାର ହଜାର କୋଟି। ସରକାରୀ ଟଙ୍କାର ବିଦ୍ୟୁତ ଉତ୍ପାଦନ ହେଲା ନହେଲେ କିଣାଗଲା। ସରକାରୀ ଗ୍ରୀଡ଼ରେ ରହିଲା। ସରକାରୀ ଖୁଣ୍ଟ, ତାର ଓ ସବ୍‌ଷ୍ଷେସନ ଜରିଆରେ ସରବରାହ ହେଲା। ଘରୋଇ କମ୍ପାନୀଗୁଡ଼ିକ ଖାଲି ବିଦ୍ୟୁତ ବିଲ୍‌ ଆଦାୟ କଲେ ଓ ନେଇଗଲେ। ସରକାରଙ୍କୁ ଉପଯୁକ୍ତ ଦେୟ ବି ଦେଲେ ନାହିଁ। ବିଦ୍ୟୁତ ଭିତ୍ତିଭୂମିର ନବୀକରଣ ଓ ସୁଦୃଢ଼ୀକରଣ ପାଇଁ ଶେଷରେ ସରକାର ହାତରୁ ଟଙ୍କା ଖର୍ଚ୍ଚ କଲେ। ସେ ଟଙ୍କା ଘରୋଇ କମ୍ପାନୀ ଶୁଝିବା କଥା। ତା’ ନକରି ଫେରାର ହୋଇଗଲେ। ଏବଂ ଏ ସରକାର ସେହି କମ୍ପାନୀ ସହିତ ଭିତିରି ସଂପର୍କ ରଖି ପ୍ରାୟ ୬ ହଜାର କୋଟି ଟଙ୍କା ମାଫ କରିଦେଇଛି। ଜାପାନ ଅନ୍ତର୍ଜାତୀୟ ସହାୟତା ସଂସ୍ଥା ବା ଜାଇକା ପ୍ରକଳ୍ପ ଜରିଅରେ ବିଦ୍ୟୁତ ପରିବହନ ବ୍ୟବସ୍ଥାର ବିକାଶ ପାଇଁ ୧୨୮୯ କୋଟି ଟଙ୍କାର ବ୍ୟୟ ବରାଦ ହଲା। ସେ ଟଙ୍କା କୁଆଡ଼େ ଗଲା? ରାଜଧାନୀ ଭୁବନେଶ୍ବର, କଟକ ଓ ଏ ଦୁଇଟି ସହର ସଂଲଗ୍ନ ଅଞ୍ଚଳର ବିଦ୍ୟୁତ ବ୍ୟବସ୍ଥାର ଉନ୍ନତିକରଣ ଜରିଆରେ ସପ୍ତାହକୁ ସାତ ଦିନ ୨୪ ଘଣ୍ଟିଆ ବିଜୁଳି ସେବା ଯୋଗାଇବା ପାଇଁ ଷ୍ଟେଟ କ୍ୟାପିଟାଲ ରିଜିଅନ ଇମ୍ପ୍ରୁଭମେଣ୍ଟ ଅଫ୍‌ ପାୱାର ସିଷ୍ଟମ ବା ସ୍କ୍ରିପ୍ସ ନାଁରେ ଯୋଜନାଟିଏ ହୋଇଛି। ୨୦୧୩-୧୪ର ଯୋଜନା। ୨୦୧୫-୧୬ରୁ କାମ ଆରମ୍ଭ ହେଲାଣି। ୪ ବର୍ଷ ଗଲାଣି, କାମ ସରୁ ନାହିଁ। ଭୁବନେଶ୍ବର ଓ କଟକର ବିଦ୍ୟୁତ ତାର ସବୁ ମାଟିତଳେ ବିଛାଯିବା କଥା। କେଉଁଠି କେତେ କାମ ସରିଲାଣି? ୪ ବର୍ଷରେ ଖର୍ଚ୍ଚ ହେଲାଣି ୬୩୦ କୋଟି ଟଙ୍କା। ସ୍ମାର୍ଟ ଗ୍ରୀଡ଼ ଜରିଆରେ ୨୪ ଗୁଣନ ୭ ବା ସବୁଦିନ ୨୪ ଘଣ୍ଟିଆ ସେବା ଯୋଗାଇବାକୁ ମଧ୍ୟ ୪ ବର୍ଷ ଭିତରେ ୨୩୦ କୋଟି ଟଙ୍କା ଖର୍ଚ୍ଚ ବରାଦ ହୋଇଛି। ଫଳ କ’ଣ ମିଳିଲା? ବନ୍ୟା ଓ ବାତ୍ୟା ସମୟରେ ନିରବିଚ୍ଛିନ୍ନ ବିଦ୍ୟୁତ ସେବା ପାଇଁ ରିଡାୟାଲ ଟୁ ରିଙ୍ଗ କନଭର୍ସନ ନାମରେ ପ୍ରକଳ୍ପଟିଏ ହୋଇଛି। ଏଥିରେ ବି ୪ ବର୍ଷ ଭିତରେ ୧୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ସରିଲାଣି। ଫଳ କ’ଣ ହେଲା? ଫଣୀ ସମୟରେ ରାଜଧାନୀରେ ବିଜୁଳି କେତେ ସମୟ ରହିଲା? ଏବେ ତ ଆକାଶରେ ଘଡ଼ଘଡ଼ି ମାଇଲେ ବା ମେଘ ଉଠେଇ ଆସିଲେ ସରକାର ଲାଇନ୍‌ କାଟି ଦେଉଛନ୍ତି! ଶକ୍ତି ବିଭାଗ ଜରିଆରେ ଡିଜାଷ୍ଟର ରେସପନ୍ସ ସେଣ୍ଟର ବା ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ଓ ଡିଜାଷ୍ଟର ରେଜିଲିଏଣ୍ଟ ପାୱାର ସିଷ୍ଟମ ବା ବିପର୍ଯ୍ୟୟ ପ୍ରତିରୋଧୀ ଶକ୍ତି ବ୍ୟବସ୍ଥା ନାମକ ଦୁଇଟି ଯୋଜନାରେ ମଧ୍ୟ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେଲାଣି। ଏସବୁ ଟଙ୍କା ପାଣିରେ ପଡ଼ିଲା ନା ଭୋଟ କିଣାରେ ଖର୍ଚ୍ଚ ହେଲା? ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ତାପନ ସଂକଟ ଯୋଗୁଁ ସାରା ପୃଥିବୀରେ ଏବେ ବିକଳ୍ପ ଶକ୍ତି ଉପରେ ଗୁରୁତ୍ବ ଦିଆଯାଉଛି। ଓଡ଼ିଶା ସରକାର ରାଜ୍ୟରେ ତାପଜ ବିଦ୍ୟୁତ ଉତ୍ପାଦନ ଉପରେ ଯେତେ ଗୁରୁତ୍ବ ଦେଉଛନ୍ତି ସୌର ଓ ପବନ ଶକ୍ତି ଉତ୍ପାଦନ ଉପରେ ସେତେ ଗୁରୁତ୍ବ ନଦେବାର କାରଣ କ’ଣ? ସରକାରଙ୍କ ଛାତ ଉପରେ ସୌର ଶକ୍ତି ପ୍ରକଳ୍ପର ପରିଣତି କ’ଣ ହେଲା? ଓଡ଼ିଶାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳରେ ପବନ ଶକ୍ତି ଓ ଜୁଆର ଶକ୍ତି ପାଇଁ ସବୁ ପ୍ରକାର ସୁବିଧା ଥିଲେ ବି ଓଡ଼ିଶା ସରକାର ତା’ ଉପରେ ଧ୍ୟାନ ନଦେଇ ଘରୋଇ କମ୍ପାନୀଙ୍କ ଫାଇଦା ପାଇଁ ତାପଜ ବିଦ୍ୟୁତ ଉପରେ କାହିଁକି ଗୁରୁତ୍ବ ଦେଉଛନ୍ତି? ଏହା ଦ୍ବାରା ରାଜ୍ୟରେ ଜୀବାଶ୍ମ ଇନ୍ଧନ କୋଇଲାର ବ୍ୟବହାର ବଢ଼ୁଛି ଓ ତଜ୍ଜନିତ ପ୍ରଦୂଷଣର ପ୍ରତିକ୍ରିୟା ଲୋକମାନଙ୍କୁ ଭୋଗ କରିବାକୁ ପଡ଼ୁଛି। ଏକଥା ସରକାର ବୁଝନ୍ତି ନା ନାହିଁ? ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ ବୋଲି ରାଜ୍ୟ ସରକାର ଦାବି କରନ୍ତି। କିନ୍ତୁ ଓଡ଼ିଶାର ସାଧାରଣ ଲୋକମାନେ ଆବଶ୍ୟକତା ଅନୁଯାୟୀ ବିଦ୍ୟୁତ ସେବା ପାଆନ୍ତି ନାହିଁ। ଲିଫ୍ଟ ପଏଣ୍ଟ ଓ ଶୀତଳଭଣ୍ଡାରଗୁଡ଼ିକ ବିଦ୍ୟୁତ ଅଭାବରୁ ଅଚଳ ପ୍ରାୟ। ଲୋକେ ଯେତିକି ବିଦ୍ୟୁତ ବ୍ୟବହାର କରୁଛନ୍ତି ତା’ଠାରୁ ଅଧିକ ବିଲ୍‌ ଦେବାକୁ ବାଧ୍ୟ ହେଉଛନ୍ତି। ନହେଲେ ମାଲିମକଦ୍ଦମା ଭୟ। ଦିଲ୍ଲୀ ସରକାର ବିଦ୍ୟୁତ ଉତ୍ପାଦନ କରନ୍ତି ନାହିଁ। ଓଡ଼ିଶା ଭଳି ଅନେକ ରାଜ୍ୟରୁ ବିଦ୍ୟୁତ କିଣି ଦିଲ୍ଲୀବାସୀଙ୍କୁ ଯୋଗାଉଛନ୍ତି। ତଥାପି ସେଠାରେ ବିଦ୍ୟୁତ ଦର ଅନେକ ଶସ୍ତା। ସେଠା ଲୋକେ ପ୍ରଥମ ୨୦୦ ୟୁନିଟ୍ ଯାଏଁ ବିଲ୍‌ ଦିଅନ୍ତି ନାହିଁ। ପରବର୍ତ୍ତୀ ୨୦୦ ୟୁନିଟ ପାଇଁ ୟୁନିଟ୍‌ ପିଛା ୧.୨୫ ଟଙ୍କା ଦିଅନ୍ତି। କିନ୍ତୁ ଓଡ଼ିଶାରେ ପ୍ରଥମ ୫୦ ୟୁନିଟ ପାଇଁ ୨.୫୦ ଟଙ୍କା, ୫୦-୧୫୦ ୟୁନିଟ ପାଇ ୪.୩୦ ଟଙ୍କା, ୧୫୦-୨୦୦ ୟୁନିଟ ପାଇଁ ୫.୩୦ ଓ ୨୦୦-୪୦୦ ୫.୭୦ ଟଙ୍କା। ଏ ହିସାବରେ ଦିଲ୍ଲୀରେ ୪୦୦ ୟୁନିଟ ବିଜୁଳି ପାଇଁ ଲୋକଙ୍କୁ ୨୫୦ ଟଙ୍କା ଦେବାକୁ ପଡ଼ୁଥିବାବେଳେ ଓଡ଼ିଶାରେ ସେହି ସମାନ ବିଜୁଳି ପାଇଁ ଲୋକଙ୍କୁ ୧୯୬୦ ଟଙ୍କା ଦେବାକୁ ପଡ଼ୁଛି। ଏହା ଶୋଷଣ ନା ନୁହେଁ? ଏ ଟଙ୍କାରେ ବିଦ୍ୟୁତ ଗ୍ରାହକଙ୍କର କି କଲ୍ୟାଣ ସାଧିତ ହେଉଛି?

Share :