ଧାରା ୩୭୦ ଉଚ୍ଛେଦ- ଏକ ବୈପ୍ଲବିକ ଆହ୍ୱାନ

ଧାରା ୩୭୦ ଉଚ୍ଛେଦ- ଏକ ବୈପ୍ଲବିକ ଆହ୍ୱାନ

ଡି. ଶୁଭମ୍ ଦୀର୍ଘଦିନ ବ୍ରିଟିଶ ଅତ୍ୟାଚାରରେ ଅତ୍ୟାଚାରିତ ହୋଇ ଶେଷରେ ୧୯୪୭ ଅଗଷ୍ଟ ମାସ ୧୫ ତାରିଖରେ ସ୍ୱାଧୀନତାର ମଧୁ ଚାଖିଲା ଭାରତମାତା। ମୋ ଦେଶ ଭାରତ ଏକ ନିଆରା ଅନୁଭବ। ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବିଦିତ। ଏକ ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଭାରତ ସାରା ବିଶ୍ବରେ ପରିଚିତ। ପରାଧୀନତାର ଶିକୁଳିରୁ ମୁକ୍ତ ହୋଇ ଭାରତ ସ୍ୱାଧୀନତାର ଅନୁଭୂତିକୁ ମର୍ମେମର୍ମେ ଅନୁଭବ କରିପାରିଲା। ଆର୍ଯ୍ୟ ମହାତ୍ମା ଓ ମୁନିମାନଙ୍କର ଦେଶ ଭାରତ। ଏହା ଗାନ୍ଧୀ, ଗୋପବନ୍ଧୁଙ୍କର ଦେଶ। ଏଠାରେ ହିଂସା ନୁହେଁ ବରଂ ଅହିଂସାରେ ହିଁ ମନ ଜିଣିବା ଶିଖାଯାଏ। ବନ୍ଧୁକ ନୁହେଁ କଲମ ଏଠାରେ କଥା କୁହେ। ଏ ଦେଶ ବସୁଧୈବ କୁଟୁମ୍ୱକମର ଗାଥାକୁ ଦୋହରାଇଥାଏ। ଏଠାରେ ଭାରତୀୟତାର ଅପୂର୍ବ ମିଳନ ସମସ୍ତଙ୍କ ପାଖରେ ଦେଖିବାକୁ ମିଳେ। ସେଇଥିପାଇଁ ତ ଭିନ୍ନଭାଷୀ ଲୋକ ବସବାସ କଲେ ହିଁ ସଭିଏଁ ଗୋଟିଏ ଛାତ ତଳେ ଏକତାର ଡୋରିରେ ବନ୍ଧା ହୋଇଥାନ୍ତି। ଭାରତୀୟ ସମ୍ୱିଧାନର ସମସ୍ତ ଧାରା ସବୁ ରାଜ୍ୟ ପାଇଁ ସମାନ। କିନ୍ତୁ କାଶ୍ମୀର ପ୍ରତି ଲାଗୁ ହୋଇଥିବା ଧାରା ୩୭୦ ଯୋଗୁଁ ଏହି ରାଜ୍ୟ ଅନ୍ୟ ରାଜ୍ୟଗୁଡ଼ିକଠାରୁ ସ୍ବତନ୍ତ୍ର ହୋଇଯାଇଛି। ଭାରତର ଭୂସ୍ୱର୍ଗ ବୋଲାଉଥିବା କାଶ୍ମୀର ଯେ ସମ୍ପୂର୍ଣ୍ଣ ଭାବେ ଭାରତର ଏକଥାକୁ କେହି ଅସ୍ୱୀକାର କରିପାରିବେ ନାହିଁ। କିନ୍ତୁ ଏହି ଧାରା ୩୭୦ ଭାରତର ଏକତା ଓ ଅଖଣ୍ଡତାକୁ ଦୁର୍ବଳ କରୁଛି। ଭାରତକୁ ସ୍ୱାଧୀନତା ମଳିବା ବେଳେ ସମସ୍ତ ରାଜା ଶାସିତ ରାଜ୍ୟଗୁଡ଼ିକୁ ସେମିତି ସ୍ୱତନ୍ତ୍ରତାର ଅଧିକାର ମିଳିଥିଲା। କାଶ୍ମୀରକୁ ବି ସେମିତି ସ୍ୱାଧୀନତା ମଳିଥିଲା। ସେହି ସମୟରେ ସେଠାକାର ଶାସକ ଥିଲେ ହରି ସିଂହ। ସେ ଏହି ସ୍ୱତନ୍ତ୍ରତାକୁ ଅକ୍ଷୁଣ୍ଣ ରଖିବାକୁ ଚାହୁଁଥିଲେ। କିନ୍ତୁ ୨୦ ଅକ୍ଟୋବର ୧୯୪୭ରେ ପାକିସ୍ତାନ ସମର୍ଥକ ଆଜାଦ କାଶ୍ମୀର ସେନା ପାକିସ୍ତାନୀ ସେନା ସହ ମିଶି କାଶ୍ମୀର ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶେଖ୍ ଅବଦୁଲାଙ୍କ ସହମତିରେ ହରି ସିଂହ ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ମିଶି ୨୬ ଅକ୍ଟୋବର ୧୯୪୭ରେ ହସ୍ତକ୍ଷେପ କଲେ। ଏହି ସମୟରେ କାଶ୍ମୀରର କେବଳ ସୁରକ୍ଷା, ବୈଦେଶିକ ମନ୍ତ୍ରାଳୟ ଓ ଦୂରସଂଚାରର ଦାୟିତ୍ୱ ଭାରତ ସରକାରଙ୍କ ଉପରେ ନ୍ୟସ୍ତ କରିଥିଲା। ସେତେବେଳେ ଭାରତ ସରକାର ଘୋଷଣା କରିଥିଲେ ଯେ ଯେତେଦିନ ଯାଏଁ ଏ ରାଜ୍ୟର ଲୋକେ ନିଜେ ନିଜର ସମ୍ୱିଧାନ ପ୍ରସ୍ତୁତ କରିବାକୁ ଆଗଭର ନହୋଇଛନ୍ତି ସେତେଦିନ ଯାଏଁ ଭାରତର ସମ୍ୱିଧାନ ଏହି ରାଜ୍ୟ ପ୍ରତି ଅସ୍ଥାୟୀ ଭାବେ ଲାଗୁ ହେବ। ଏହି ଘୋଷଣା ପରେ ଧାରା ୩୭୦କୁ ଭାରତର ସମ୍ୱିଧାନରେ ସାମିଲ କରାଗଲା ଓ ଏହା ୧୭ ନଭେମ୍ୱର ୧୯୫୨ରୁ ଲାଗୁ ହୋଇଥିଲା। ଜମ୍ମୁ ଓ କାଶ୍ମୀର ଭାରତୀୟ ସଙ୍ଘର ଏକ ସାମ୍ୱିଧାନିକ ରାଜ୍ୟ ହୋଇଥିଲେ ହେଁ ଏହାର କ୍ଷେତ୍ରଫଳ ଓ ସୀମାକୁ କେନ୍ଦ୍ର ସରକାର ସେତେବେଳେ ବଦାଳେଇପାରିବେ ଯେତେବେଳେ ଏହି ରାଜ୍ୟର ସରକାର ଅନୁମତି ପ୍ରଦାନ କରିବେ। ଏହି ଧାରା ଅନୁସାରେ ରକ୍ଷା, ବୈଦେଶିକ ମନ୍ତ୍ରାଳୟ ଓ ଦୂରସଂଚାର ବିଭାଗକୁ ଛାଡ଼ି ଅନ୍ୟ କୌଣସି ବିଭାଗରେ ହସ୍ତକ୍ଷେପ କରିବାକୁ ହେଲେ କେନ୍ଦ୍ର ସରକାରଙ୍କୁ ମଧ୍ୟ କାଶ୍ମୀରର ରାଜ୍ୟସରକାରଙ୍କ ଠାରୁ ଅନୁମତି ନେବାକୁ ପଡ଼ିବ। ଯାହା ଫଳରେ କାଶ୍ମୀରବାସୀ ନିଜେ ନିଜର ଶାସନ ବ୍ୟବସ୍ଥା ନିଜର ସମ୍ୱିଧାନ ମୁତାବକ ଚଳାଉଛନ୍ତି। ଜମ୍ମୁ ଓ କାଶ୍ମୀରର ଦୁଇଟି ପତାକା ଅଛି, ଗୋଟିଏ ସେ ରାଜ୍ୟର ପତାକା ଓ ଅନ୍ୟଟି ଆମର ଜାତୀୟ ପତାକା। ଆଜି ବି ଦେଶର ଅନ୍ୟ କୌଣସି ରାଜ୍ୟର ନାଗରିକ କାଶ୍ମୀରରେ କୌଣସି ସ୍ଥାବର ସଂପତ୍ତି କିଣିପାରିବେ ନାହିଁ। (ଏହି ବ୍ୟବସ୍ଥା ଭାରତର ଅନ୍ୟ ବହୁ ରାଜ୍ୟ ଓ ଅଞ୍ଚଳରେ ମଧ୍ୟ ବଳବତ୍ତର ରହିଛି।) ଜମ୍ୁ ଓ କାଶ୍ମୀରର ଲୋକଙ୍କୁ ଦୁଇପ୍ରକାରର ନାଗରିକତା ମଳିଛି। ଗୋଟିଏ ଜମ୍ମୁ ଓ କାଶ୍ମୀରର ଓ ଅନ୍ୟଟି ଭାରତର ନାଗରିକତ୍ୱ। ଯଦି କୌଣସି କାଶ୍ମୀର ମହିଳା ଅନ୍ୟ କୌଣସି ଭାରତୀୟଙ୍କୁ ବିବାହ କରିବ ତାହେଲେ ସେମାନଙ୍କର କାଶ୍ମୀରର ନାଗରିକତା ଶେଷ ହୋଇଯାଏ। କିନ୍ତୁ ଯଦି କାଶ୍ମୀର ମହିଳା କୌଣସି ପାକିସ୍ତାନୀ ମହିଳାଙ୍କୁ ବିବାହ କରୁଛି ତାହେଲେ ତାଙ୍କର କାଶ୍ମୀରୀ ନାଗରିକତା ଅକ୍ଷୁଣ୍ଣ ରହେ। ଯଦି କେଉଁ ପାକିସ୍ତାନୀ ପୁରୁଷ କାଶ୍ମୀର ମହିଳାଙ୍କୁ ବିବାହ କରୁଛି ତାହେଲେ ପୁରୁଷକୁ ଭାରତର ନାଗରିକତା ମିଳିଯାଉଛି। ଜମ୍ମୁ ଓ କାଶ୍ମୀରର ଲୋକ ଯଦି କିଛି ବର୍ଷ ପାକିସ୍ତାନରେ ବସବାସ କରି ପୁଣି କାଶ୍ମୀର ଫେରନ୍ତି ତାହେଲେ ବି ତାଙ୍କୁ ପୁନର୍ବାର ଭାରତର ନାଗରିକତା ମିଳିଥାଏ। ଜମ୍ମୁ ଓ କାଶ୍ମୀରର ଲୋକ ଯଦି ଆମ ଭାରତୀୟତାର ପ୍ରତୀକ କିମ୍ୱା ଜାତୀୟ ପତାକାକୁ ଅବମାନନା କରନ୍ତି ତାହେଲେ ସେସବୁକୁ ଅପରାଧ ବୋଲି ବିବେଚନା କରାଯାଏ ନାହିଁ। ଏହି ଧାରା ଯୋଗଁୁ କେନ୍ଦ୍ର ସରକାର ଏହି ରାଜ୍ୟ ଉପରେ କୌଣସି ବି ଜରୁରୀକାଳୀନ ଧାରା ଲଗାଇପାରିବେନାହିଁ। ଏମିତି କି ରାଇଟ୍ ଟୁ ଇନଫରମେସନ୍ ଓ ରାଇଟ୍ ଟୁ ଏଜୁକେସନ୍ ବ୍ୟବସ୍ଥା ବି କାଶ୍ମୀରରେ ଲାଗୁ ହୋଇନାହିଁ। ଜଣେ ଭାରତୀୟ ହିସାବରେ ମୋ ନିରପେକ୍ଷ ମତ ଏହା କି ଭାରତର ଅନ୍ୟ ରାଜ୍ୟମାନଙ୍କ ପରି କାଶ୍ମୀରକୁ ବି ସବୁ ସହଯୋଗ ମିଳୁ। ଏମିତି ଏକ ଧାରା ଯାହା ସର୍ବସାଧାରଣଙ୍କୁ ବିପଦରେ ପକାଇବା ସହ ଭାରତ ଓ ଭାରତର ଅଖଣ୍ଡତା ପ୍ରତି ଅବମାନନା କରୁଛି ସେଥିପାଇଁ ସଜାଗ ହେବା ଆବଶ୍ୟକ। ଏହି ଧାରା ୩୭୦ ଉଚ୍ଛେଦ ହେବା ନିତ୍ୟାନ୍ତ ଜରୁରୀ। ମୁଁ ଭାରତୀୟ, ଭାରତମାତା ମୋ ମାଆ, ତ୍ରିରଙ୍ଗା ମୋ ଜାତୀୟ ପତାକା, ଜନଗଣମନ ମୋ ଜାତୀୟ ସଙ୍ଗୀତ। ଏସବୁକୁ ଉଚ୍ଚ ସ୍ୱରରେ କାଶ୍ମୀରର ଅଧିବାସୀ କହିବାର ବେଳ ଆସିଯାଇଛି। ସରକାରଙ୍କୁ ଅନୁରୋଧ ଏ ଦିଗରେ ବ୍ୟାପକ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବେ। (ସମ୍ପାଦକ- ଶ୍ୟାମଳ ସୁବର୍ଣ୍ଣ, ବାସୁଦେବପୁର , ଭଦ୍ରକ , ମୋ- ୯୪୩୮୪୬୭୦୭୯)

Share :