ଚିରଂଜୀବୀ କର ଭାରତରେ ପାଂଚଟି ‘ଡ୍ରାଏ ଷ୍ଟେଟ୍’ ଘୋଷିତ ରାଜ୍ୟରେ କ’ଣ ବୁନ୍ଦାଏ ବି ମଦ ନାହିଁ? ସେଠି କ’ଣ ସମସ୍ତଙ୍କ ହାତରେ ନିଶା ନିବାରଣ ବାନା ଉଡୁଛି? ମଦ କଥା ଶୁଣିଲେ ସେଠାକାର ଲୋକେ କାନ ବନ୍ଦ କରିଦେଉଛନ୍ତି? ବିଷାକ୍ତ ମଦ ପିଇ କେହି ଜଣିଏ ବି ଲୋକ ମରୁନାହାନ୍ତି? ତେବେ ପଡୋଶୀ ରାଜ୍ୟରୁ ନିୟମିତ ଚୋରା ମଦ ‘ଡ୍ରାଏ ଷ୍ଟେଟ୍’ କୁ କାହା ପାଇଁ ଚାଲାଣ ହେଉଛି? ହାତୀର ଦାନ୍ତ ଉପାଖ୍ୟାନ ପରି ମଦ କଟକଣା ଓ ବାସ୍ତବ ଚିତ୍ର ଅଲଗା ନୁହଁ ତ? ଏ ପ୍ରସଂଗରେ ବ୍ୟବଚ୍ଛେଦ କଲା ପୂର୍ୱରୁ ଆମେରିକାର ଘଟଣାବଳୀର ଏଠାରେ ଯଥେଷ୍ଟ ପ୍ରାସଂଗିକତା ରହିଛି। ଗୋଟିଏ ସମୟରେ ଆମେରିକା ମଦ ବନ୍ଦ ପାଇଁ ଯୋଜନା କଲା। ୧୯୨୦ରୁ ୧୯୩୩ ମଦ ବନ୍ଦ ପାଇଁ ଏକ ପରୀକ୍ଷାମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ଏ ପ୍ରକାର ପଦକ୍ଷେକୁ ନେଇ ଆମେରିକୀୟ ଐତିହାସିକ ତଥା ଲେଖକ ଥୋମାସ୍ ଏମ୍. କୋଫେ ‘ଦ ଲଙ୍ଗ ଥାର୍ଷ୍ଟ: ପ୍ରୋହିବିସନ ଇନ୍ ଆମେରିକା’ ବା ‘ଦୀର୍ଘ ତୃଷା: ଆମେରିକାରେ ବାରଣ’ ନାମରେ ଏକ ପୁସ୍ତକ ଲେଖିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ କି, ‘ମଦ ନିଷେଧ ସମୟରେ ସାରା ଆମେରିକାରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ଘଟିଥିଲା। ୧୯୨୦ରେ ମଦ ମୃତ୍ୟୁ ସଂଖ୍ୟା ଜାତୀୟ ସ୍ତରରେ ୧ ହଜାର ୬୪ ଥିବା ବେଳେ ୧୯୨୫ ମସିହା ବେଳକୁ ୪ ହଜାର ୧୫୪ରେ ପହଂଚିଥିଲା।’ ଅର୍ଥାତ ମାତ୍ର ୧୩ ବର୍ଷ ପାଇଁ ପରୀକ୍ଷାମୂଳକ ଭାବେ ମଦ ବନ୍ଦ କରାଯାଇଥିଲା। କିନ୍ତୁ ପ୍ରଥମ ୫ ବର୍ଷ ମଧ୍ୟରେ ୩ ହଜାର ୯୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଅପରାଧ ଓ ଦାରିଦ୍ର୍ୟ ରୋକିବାକୁ ଯେଉଁ ପଦକ୍ଷେପ ଆମେରିକା ଗ୍ରହଣ କରିଥିଲା, ତାହାର ବଡ ଧରଣର ବିଫଳତା ଚାଖିଥିଲା ଆମେରିକା। ଖାଲି ଆମେରିକା କାହିଁକି ଆଇସଲ୍ୟାଣ୍ଡରେ ୧୯୧୫-୩୫, ନରେୱ ୧୯୧୬-୨୭, କାନାଡ଼ା ୧୯୧୮-୨୦, ଫିନଲାଣ୍ଡ ୧୯୧୯-୩୨ ଇଦ୍ୟାଦି ମଦ ବନ୍ଦ କରି ବିଫଳ ହୋଇଥିଲେ। ସେହିପରି ଭାରତରେ ବି ସମାନ ଅବସ୍ଥା। ମଣିପୁରରେ ୧୯୯୧-୨୦୦୨ ବନ୍ଦ ରହିଲା। ପରେ କିଛି ଅଂଚଳରୁ ନିଷଧାଦେଶ ଉଠାଇ ଦିଆଗଲା। ଆନ୍ଧ୍ର ପ୍ରଦେଶରେ ୧୯୯୪-୯୭, ମିଜୋରାମରେ ୧୯୯୭-୨୦୧୪(ଏବେ ପୁଣି ବନ୍ଦ ପାଇଁ ପ୍ରସ୍ତାବ), କେରଳରେ ୨୦୧୪-୧୭ ମଦ ବନ୍ଦ କଲେ। ଏବଂ ପରେ ବିଫଳତା ଚାଖିଥିଲେ। ଏବେ ଓଡିଶାରେ ମଦ କାରବାରକୁ ରାଜ୍ୟରୁ ସମ୍ପୂର୍ଣ୍ଣ ବନ୍ଦ ଦାବି ଜିଲ୍ଲାରୁ ଜିଲ୍ଲା ବ୍ୟାପିଲାଣି। ସୋସିଆଲ୍ ମିଡିଆ ଆଡକୁ ବି ଅନେକାଂଶରେ ଖେଦି ଗଲାଣି ବିରୋଧର ସ୍ୱର। ଗଲା ୧୨ ତାରିଖରେ ଓଡିଶା ବିଧାନସଭାରେ ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଅବକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିଲା କି, ଲାଇସେନ୍ସପ୍ରାପ୍ତ ମଦ ଦୋକାନୀ ମିନିମମ୍ ଗ୍ୟାରେଂଟି କୋଟା(ଏମଜିକ୍ୟୁ) କିମ୍ୱା ତା’ଠାରୁ ଅଧିକ ମଦ ବିକ୍ରି କଲେ ରାଜ୍ୟ ସରକାର ସମ୍ପୃକ୍ତ ଦୋକାନୀଙ୍କୁ ପୁରସ୍କୃତ କରିବେ। ଅଧିକ ଅବକାରୀ ରାଜସ୍ୱ ଆଦାୟ ଲାଗି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ମଧ୍ୟ କମିଟି ସୁପାରିସ କରିଥିଲା। ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ଏବେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରୟ କେନ୍ଦ୍ର ସଂଖ୍ୟା ୨ ହଜାର ୮୨। କେବଳ ଠିପି ବନ୍ଦ ମଦ ଦୋକାନ ସଂଖ୍ୟା ୧୧ ଶହ ୫୯। କମିଟିର ସୁପାରିସକୁ ସରକାର ଗ୍ରହଣ କଲେ ମଦ ଦୋକାନ ସଂଖ୍ୟା ଡବଲ ହେଇପାରେ। ଅନ୍ୟପଟେ ଯଦି ଜାତୀୟ ସ୍ତରରେ ଦେଖାଯାଏ, ତେବେ ବିହାର, ଗୁଜୁରାଟ, ମିଜୋରାମ, ନାଗାଲାଣ୍ଡ ଏବଂ ଏକମାତ୍ର କେନ୍ଦ୍ରଶାସିତ ରାଜ୍ୟ ଭାବେ ଲାକ୍ଷାଦ୍ୱୀପରେ ସମ୍ପୂର୍ଣ୍ଣ ମଦ ନିଷେଧ କରାଯାଇଛି। ଏସବୁ ରାଜ୍ୟକୁ ‘ଡ୍ରାଏ ଷ୍ଟେଟ୍’ ଘୋଷଣା କରାଯାଇଥିଲେ ସୁଦ୍ଧା ବ୍ୟବସ୍ଥାକୁ ଟିକେ ତଳେଇ ଦେଖିଲେ ବାସ୍ତବରେ ଏହି ରାଜ୍ୟଗୁଡିକ କେତେ ‘ଡ୍ରାଏ’ ତାକୁ ନେଇ ଭୟଙ୍କର ଚିତ୍ର ସାମନାକୁ ଆସିପାରେ। ଗୁଜୁରାଟରେ ୧୯୬୦ ମସିହାରେ ମୋରାରିଜୀ ଦେଶାଇଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରୁ ମଦ କାରବାର ବନ୍ଦ କରାଯାଇଥିଲା। ସେ ରାଜ୍ୟରେ ଅବକାରୀ ବିଭାଗ ବି ନାହିଁ। ବନ୍ଦ ହେବାର ୫୯ ବର୍ଷ ପରେ ବି ଏବେ ଗୁଜୁରାଟରେ ମଦ ବନ୍ୟା। ଗୁଜୁରାଟର ସୁରଟ ସୀମାକୁ ଲାଗିଥିବା ଡାମନ୍ ଓ ଡିଉରେ ରହିଛି ଏକାଧିକ ମଦ ଫ୍ୟାକ୍ଟ୍ରି। ସେଠାରୁ ଚୋରା ମଦ ଭାୟା ସୁରଟ ଦେଇ ଗୁଜୁରାଟ ଚାଲାଣ ହେଉଛି। ଗୁଜୁରାଟର ସୀମାକୁ ଲାଗି ଥିବା ପଡୋଶୀ ମହାରାଷ୍ଟ୍ର, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରୁ ମଧ୍ୟ ମଦ ଚାଲାଣ କରାଯାଉଛି। କୋଡ଼୍ ୱାର୍ଡ଼ ରଖାଯାଇଛି ‘ଭିଟାମିନ୍ ଏ’। ସୁରଟରେ ମନ ପସନ୍ଦର ମଦ ଖୋଜିବାକୁ ଏତେ ବି କସରତ କରିବାକୁ ପଡ଼େନି। ଗୁଜୁରାଟ ପ୍ରଥମ ଏକମାତ୍ର ରାଜ୍ୟ ଭାବେ ଆଇନରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରିଥିଲା କି ବିଷାକ୍ତ ମଦ ପିଇ କାହାର ମୃତ୍ୟୁ ହେଲେ ଉକ୍ତ ବେଆଇନ ମଦ ପ୍ରସ୍ତୁତକାରୀ ସଂସ୍ଥା, ଚାଲାଣକାରୀ ଏବଂ ବିକ୍ରି କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ। କିନ୍ତୁ କଟକଣା କାଟୁ କଲାନି। ଓଲଟି ଗୁଜୁରାଟ ସରକାର ବାର୍ଷିକ ୩ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ୨୦୦୯ ଜୁଲାଇରେ ବିଷାକ୍ତ ମଦ ପିଇ ଗୁଜୁରାଟରେ ୧୩୬ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ମଦ ବନ୍ଦ ହେବାର ୪୯ ବର୍ଷ ପରେ ଗୁଜୁରାଟ ପରି ‘ଡ୍ରାଏ ଷ୍ଟେଟ୍’କୁ ମଦ ଆସିଲା କେଉଁଠୁ? ସେହିପରି ମହାରାଷ୍ଟ୍ରର କିଛି ଜିଲ୍ଲାରେ ଆଂଶିକ ମଦ ବନ୍ଦ ହେବା ପରେ ବି ୨୦୧୫ ଜୁନ୍ରେ ୯୫ ଜଣଙ୍କ ମୁମ୍ୱାଇରେ ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିଲା। ବିହାର ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାରଙ୍କ ସରକାର ୨୦୧୬ ଏପ୍ରିଲ ୧ ତାରିଖରେ ମଦ କାରବାର ଉପରେ ନିଷେଧାଦେଶ ଜାରି କଲେ। ସେଠାରେ ରହୁଥିବା ଶ୍ରମିକ ଶ୍ରେଣୀୟ ଲୋକ ପ୍ରଚୁର ପରିମାଣରେ ମଦ ପିଉଥିବା ଓଡ଼ିଶାର ଜଣେ ବରିଷ୍ଠ ଅବକାରୀ ବିଭାଗ ଅଧିକାରୀ ବିହାର ଗସ୍ତ ସମୟରେ ଜାଣିବାକୁ ପାଇଥିବା କୁହନ୍ତି। ଏ ପରମ୍ପରା ଧାରାବାହିକ ଭାବେ ଜାରି ରହିଛି। ବିହାରରେ ମଦ ବନ୍ଦ ପରେ ଧର୍ତ୍ତବ୍ୟ ଅପରାଧ ହ୍ରାସ ହେବା ନେଇ ସରକାର ଯେଉଁ ଆଶା କରିଥିଲେ, ତା’ର ଓଲଟା ଚିତ୍ର ଦେଖିବାକୁ ମିଳିଥିଲା ପ୍ରଥମ ବର୍ଷ। ବିହାର ପୁଲିସ ବିଭାଗର ହିସାବ କହୁଛି, ୨୦୧୬ ଏପ୍ରିଲ୍ରେ ୧୪ ହଜାର ୨୭୯ଟି ଧର୍ତ୍ତବ୍ୟ ଅପରାଧ ଜନିତ ମାମଲା ରୁଜୁ ହୋଇଥିବା ବେଳେ ସେହି ବର୍ଷ ଅକ୍ଟୋବରରେ ୧୬ ହଜାର ୧୫୩ ମାମଲା ରୁଜୁ ହୋଇଛି। ଅର୍ଥାତ ମଦ ବନ୍ଦ ପରେ ପରେ ୧୩ ପ୍ରତିଶତ ଅପରାଧ ବୃଦ୍ଧି ଘଟିଥିବା ଜଣାପଡିଛି। ବିହାରକୁ ମୁଖ୍ୟତଃ ନେପାଳ ସୀମାରୁ ମଦ ଚାଲାଣ କରାଯାଉଛି। ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଉତ୍ତର ପ୍ରଦେଶରୁ ମଧ୍ୟ ମଦ ଚାଲାଣ ହେଉଛି। ଯାହାର ଫଳ ସ୍ୱରୂପ ଉକ୍ତ ପଡ଼ୋଶୀ ରାଜ୍ୟରେ ଅବକାରୀ ରାଜସ୍ୱ ଏବେ ବୃଦ୍ଧି ପାଇବାରେ ଲାଗିଛି। ବିହାରରେ ପିଜା, ବର୍ଗରଠାରୁ ବି ଆହୁରି ଶୀଘ୍ର ମଦର ହୋମ୍ ଡେଲିଭରି ବ୍ୟବସ୍ଥା ବ୍ୟାପକ ପରିମାଣରେ ବଢିବାରେ ଲାଗିଛି। ଓଲଟି ବିହାର ସରକାର ବାର୍ଷିକ ୪ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ନାଗାଲାଣ୍ଡକୁ ୧୯୮୯ରୁ ‘ଡ୍ରାଏ ଷ୍ଟେଟ୍’ ଭାବେ ଘୋଷଣ କରାଗଲା। କିନ୍ତୁ ନାଗାଲାଣ୍ଡ ସୀମାକୁ ଲାଗି ଥିବା ଆସାମରୁ ବିପୁଳ ପରିମାଣରେ ମଦ ଚାଲାଣ କାରାଯାଉଛି। ଆସାମ ସୀମାକୁ ନାଗାଲାଣ୍ଡର ଦିମାପୁର ସଂଯୋଗ କରିଥିବା ଅଂଚଳରେ ବାର୍ ଏବଂ କ୍ଲବ ଖୋଲାଖୋଲି ଭାବେ ଚାଲିଛି। ଗୁଜୁରାଟ ପରି ବିହାରରେ ମଧ୍ୟ ବିଷାକ୍ତ ମଦ କାରବାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ରହିଛି। କିନ୍ତୁ କେତେଜଣ ଫାଶୀ ଖୁଂଟରେ ଝୁଲିଲେଣି? ଏଠାରେ ମନେ ପକାଇଦେବାକୁ ଚାହେଁ, ଓଡିଶା ସରକାର ୨୦୧୩ ଜାନୁଆରୀ ୧ ତାରିଖରୁ ରାଜ୍ୟରେ ଗୁଟ୍ଖା ଓ ପାନ ମସଲା ଉତ୍ପାଦନ ଏବଂ ବିକ୍ରି ଉପରେ ନିଷେଧାଦେଶ ଜାରି କରିଥିଲେ। ନିଷେଧ ହେବାର ଆଜକୁ ୬ ବର୍ଷ ବିତିଲାଣି। ସେବେଠୁ କ’ଣ ଓଡିଶାରେ ସମସ୍ତ ଉତ୍ପାଦନକାରୀ ସଂସ୍ଥା ଓ ଦୋକାନୀମାନେ ଛାନିଆରେ ନିଜ ବ୍ୟାବସାୟିକ ପ୍ରତିଷ୍ଠାନରେ ତାଲା ଝୁଲେଇ ଦେଇଛନ୍ତି? ଆଉ ଆମ ଗାଁର ସନିଆ, ଭଗିଆଙ୍କ ଭଳି ଖଟିଖିଆ ଗରିବ ଗୁରୁବାମାନେ କ’ଣ ଗୁଟ୍ଖା ଖାଇବା ପାଇଁ ରାଜ୍ୟ ବାହାରକୁ ଟ୍ରେନ୍ରେ ଯିବା ଆସିବା କରୁଛନ୍ତି? କେଜାଣି! ଓଡ଼ିଶାରେ ଗୁଟ୍ ଓ ପାନ ମସଲା କାରବାର କାଗଜକଲମରେ ସଂପୂର୍ଣ୍ଣ ବନ୍ଦ ସଫଳ ପରେ ଏବେ ମଦ ବନ୍ଦ ପାଇଁ ନୂଆ ଉତ୍ସାହ ସୃଷ୍ଟି ହେଲାଣି। ଭଲ କଥା। ମଦ ବନ୍ଦ ସଫଳ ହେଲେ ଉପରୋକ୍ତ ପାଂଚ ‘ଡ୍ରାଏ ଷ୍ଟେଟ୍’ ଓ ଆମେରିକା କଥା ନିହାତି ମନେପଡିବ ଯେ! ସତ କଥା ହେଉଛି, ଆମ ଦେଶର ‘ଡ୍ରାଏ ଷ୍ଟେଟ୍’ରେ ମଦ ବନ୍ଦ କଟକଣା କେତେ ଫଳପ୍ରଦ ହେଇଛି, ତାକୁ ଏକ ପ୍ରକାର କେହି କହିବାକୁ ନାରାଜ। ଏମାନଙ୍କର ଲୁଚିଲୁଚି କ୍ଷୀର ପିଇବା ଢଂଗ ଯାଇନି। ନଯାଉ। କିନ୍ତୁ ଉପରେ ଉଲ୍ଲେଖ ଥିବା ଆମ ଦେଶର ଏକାଧିକ ରାଜ୍ୟ ଓ ବିଦେଶରେ ସରକାର ମଦ ବନ୍ଦ ଯୋଜନାରେ ନାକ ଘଷିବା ପରେ କଟକଣା ଉଚ୍ଛେଦ କରିଛନ୍ତି। ବୋଧହୁଏ ସେମାନଙ୍କ ଅସହାୟତା ପରୋକ୍ଷରେ ଆମକୁ ସୂଚାଇବାକୁ ଚାହୁଁଛନ୍ତି କି କଟକଣା ଉଚ୍ଛେଦ ଅର୍ଥ, ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟ ମନ୍ଦ ନୁହେଁ। ବିଷକୁ ବିଷ ଜାଣି ଆମେ ତ’ ଖାଉନେ। ତେବେ ମଦକୁ ବିଷ ଜାଣି ସୁଦ୍ଧା ପିଇବା କାହିଁକି? ଏ ଯୁକ୍ତି ବି ମୋଟ ଉପରେ ଗ୍ରହଣ କରିବାକୁ ପଡ଼ିବ। (ସଂପାଦକୀୟ ମତ- ଚିକିତ୍ସା ବିଜ୍ଞାନ, ଅପରାଧ ବିଜ୍ଞାନ ଓ ସମାଜ ବିଜ୍ଞାନ ଅନୁସାରେ ମଦର କୌଣସି ଭଲ ଗୁଣ ନାହିଁ। ଏହା ଦେହ, ମନ ଓ ସମାଜ ଉପରେ କୁପ୍ରଭାବ ପକାଏ। ତଥାପି ଯିଏ ପିଇବାକୁ ଚାହୁଁଛି ସରକାର ଅନୁମତି ନେଦେଲେ ବି ପିଇବ। କିନ୍ତୁ ସରକାର କେବଳ ରାଜସ୍ବ ପାଇଁ ଏଭଳି ଏକ ଖରାପ ଜିନିଷର ବ୍ୟାବସାୟିକ ପ୍ରସାରଣ ସପକ୍ଷରେ ନିଷ୍ପତ୍ତି ନେବା ଉଚିତ ନୁହେଁ। ବିଶେଷ କରି ଏକ ଗାଣତନ୍ତ୍ରିକ ରାଷ୍ଟ୍ରରେ ଯେତେବେଳେ ବଦ ସପକ୍ଷରେ କେହି ଆନ୍ଦୋଳନ କରୁ ନଥିବାବେଳେ ଏହା ବିରୋଧରେ ଶହଶହ ଆନ୍ଦୋଳନ ଚାଲୁଛି ସେତେବେଳେ ସରକାର ଜନମତକୁ ସମ୍ମାନ ଦେବା ଉଚିତ। ଭାରତୀୟ ଆଇନରେ ହତ୍ୟା ଓ ଧର୍ଷଣକୁ ଅପରାଧ ଆଖ୍ୟା ଦିଆଯାଇଛି। ତଥାପି ଲୋକେ ସେହି ଅପରାଧ କରୁଛନ୍ତି, ଧରାପଡ଼ିଲେ ଜେଲ୍ ଯାଉଛନ୍ତି। ଠିକ ସେହିଭଳି ଚୋରା ମଦ ପିଇ ଯିଏ ଯାହା ଭୋଗିଲେ ଭୋଗନ୍ତି, ତାହା ତାଙ୍କର କର୍ମଫଳ। ମାତ୍ର ଜଣକର କର୍ମଫଳ କାହିଁକି ସାରା ସମାଜ ଭୋଗିବ?) ଫୋନ- ୭୮୯୪୦୮୫୩୫୩ ଯାଜପୁର