ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ତରଫରୁ  ସାଂସଦଙ୍କୁ ସମ୍ବର୍ଦ୍ଧନା

ଦିଲ୍ଲୀରେ ପ୍ରବାସୀ ଓଡ଼ିଆଙ୍କ ତରଫରୁ ସାଂସଦଙ୍କୁ ସମ୍ବର୍ଦ୍ଧନା

Share :

ଓଡ଼ିଶାର ମହାନ ସଂସ୍କୃତି ସ୍ରୋତକୁ ବିଶ୍ଵବ୍ୟାପ୍ତ କରିବାର ଆବଶ୍ୟକତା ରହିଥିବା ସାଙ୍ଗକୁ ପୃଥିବୀର ବିଭିନ୍ନ ରାଷ୍ଟ୍ରର ଉନ୍ନତ ସାହିତ୍ୟ, କଳା, ସଂସ୍କୃତି ଓ କାରିଗରୀ କୁଶଳତାର ଶ୍ରେଷ୍ଠତ୍ଵର ସୁଗୁଣକୁ ଆହରଣ କରିବା ଦରକାର ବୋଲି ସୁପ୍ରିମ କୋର୍ଟର ର୍ବତନ ବିଚାରପତି ଅନଙ୍ଗ କୁମାର ପଟନାୟକ ମତବ୍ୟକ୍ତ କରିଛନ୍ତି | ଦିଲ୍ଲୀ ପ୍ରେସ କ୍ଳବ ଲାଉଞ୍ଜ ଠାରେ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କ ଦ୍ୱାରା ନିକଟରେ ନିର୍ବାଚିତ ରାଜ୍ୟସଭା ଓ ଲୋକସଭା ସଦସ୍ୟମାନଙ୍କର ସମ୍ମାନାର୍ଥେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପଟନାୟକ କୂପମଣ୍ଡୁକତ୍ୱକୁ ପରିତ୍ୟାଗ କରି ସାଗରମଣ୍ଡୁକତ୍ୱର ଦର୍ଶନକୁ ଆପଣେଇବାକୁ ଉପଦେଶ ଦେଇଥିଲେ | ସମ୍ବର୍ଧନା ଉତ୍ସବରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, ନରେନ୍ଦ୍ର ସ୍ୱାଇଁ, ଅମର ପଟନାୟକ, ଅଶ୍ୱିନୀ ବୈଷ୍ଣବ ତଥା କେନ୍ଦ୍ରାପଡ଼ାର ନବ ନିର୍ବାଚିତ ଲୋକସଭା ସଦସ୍ୟ ଅନୁଭବ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ | ସାଂସଦମାନଙ୍କୁ ପାରମ୍ପରିକ ଶୈଳୀରେ ବନ୍ଦାପନା କରି ସ୍ୱାଗତ କରାଯିବା ସାଙ୍ଗକୁ ମୁଖ୍ୟ ଅତିଥି ଅନଙ୍ଗ କୁମାର ପଟନାୟକ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଅର୍ପଣ କରି ସମ୍ବର୍ଧନା ପ୍ରଦାନ କରିଥିଲେ | ଏହି ଅବସରରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତୁଞ୍ଜୟ ମହାପାତ୍ର, ନାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକ, ଆମ୍ବେଦକର ଫାଉଣ୍ଡେସନର ନିର୍ଦ୍ଦେଶକ ଦେବେନ୍ଦ୍ର ମାଝୀ, ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଆଇନ ପାଠ୍ୟକ୍ରମରେ 100 ଅଙ୍କ ରଖି ଶ୍ରେଷ୍ଠ ଫଳ ହାସଲ କରିଥିବା ଦିବ୍ୟାଙ୍ଗ ବାଳକ କେଶବ ଚନ୍ଦ୍ର, ସମାଜସେବୀ ବିବେକ ଓବ୍ରାଲ, ଚନ୍ଦ୍ର ମୋହନ, ରମେଶ ଜୈନ, ଭବାନୀ ଦୀକ୍ଷିତ, ନିର୍ମଳ ପଟନାୟକ, ଡ ପ୍ରକାଶ, ସୁରେଶ ଜୈନ, ସାମ୍ବାଦିକ ବିନାୟକ ଦାସ, ଏସ. ଏନ. କଲେଜର ଅଧ୍ୟକ୍ଷ ବୈକୁଣ୍ଠ ନାଥ ପରିଡା, ସନ ଷ୍ଟାର ଗ୍ରୁପର ଅଧକ୍ଷ ଗୋପାଳ ଦାସ ପ୍ରମୁଖଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ସମ୍ବର୍ଦ୍ଧନା ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସିପିଆଇର ଜାତୀୟ ସଚିବ ଅତୁଲ କୁମାର ଅଞ୍ଜନ ରାଜ୍ୟର ସମସ୍ତ ଦଳର ସଂସଦମାନଙ୍କୁ ଏକମଞ୍ଚରେ ମିଳାଇବାର ପ୍ରୟାସକୁ ଭୂରି ଭୂରି ପ୍ରସଂଶା କରିଥିଲେ | ସାଂସଦ ପ୍ରଶାନ୍ତ ନନ୍ଦ ଓଡ଼ିଶାର ମହନୀୟତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼ ଅରୁନ୍ଧତୀ ଦେବୀ ଜାତୀୟ ରାଜଧାନୀରେ ଓଡ଼ିଶାର ଉପସ୍ଥିତି, ପରିଚିତି ଓ ପ୍ରତିପତ୍ତି ଜାହିର କରିବା ପାଇଁ ସଶକ୍ତ ପ୍ରୟାସ ହେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ | ସମ୍ମାନିତ ଅତିଥି କର୍ଣ୍ଣାଟକର ବିଚାରପତି ଜେ. ପି. ଉଦଗାତା ସାରା ବିଶ୍ୱରେ ଓଡ଼ିଆମାନେ ସେମାନଙ୍କର ଉତ୍କର୍ଷତା ପ୍ରତିପାଦନ କରିସାରିଛନ୍ତି, ଏବେ ସେମାନେ ମାତୃପ୍ରଦେଶର ମଙ୍ଗଳ ସକାଶେ ଅସୀମ ଓଡିଶାର ଛତାତଳେ ଏକତ୍ରିତ ହେବା ଦରକାର ବୋଲି କହିଥିଲେ | ସାଂସଦ ଆମର ପଟନାୟକ ସଂସଦରେ ନିଜର ଗୁରୁଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିବା କ୍ଷେତ୍ରରେ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଥିଲେ | ମୁଖ୍ୟ ଆୟୋଜକ କିଶୋର ଦ୍ୱିବେଦୀ ସାରା ପୃଥିବୀରେ ବସବାସ କରୁଥିବା ଦେଢ଼ କୋଟିରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଏକଜୁଟ ହେବାକୁ ଆହ୍ୱାନ ଜଣାଇଥିଲେ | ନିର୍ବାଚିତ ସାଂସଦମାନେ ପ୍ରବାସୀ ଓଡ଼ିଆଙ୍କର ନାନାବିଧ ସମସ୍ୟା ପ୍ରତି ପ୍ରାଥମିକତା ସହିତ ଧ୍ୟାନ ଦେବାକୁ ନିବେଦନ କରିଥିଲେ | ମୁମ୍ବାଇ ଓଡ଼ିଆ ମହାସଂଘର ସଭାପତି ଡ଼. ବିପିନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ | ଈପସା ପ୍ରତିଵିମ୍ବା ଷଡ଼ଙ୍ଗୀ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଉପସ୍ଥାପନା ଓ ସଂଚାଳନ କରିଥିଲେ |

Share :