ଦୁର୍ବଳ ହେବ ସୂଚନା ଅଧିକାର ଆଇନ

ଦୁର୍ବଳ ହେବ ସୂଚନା ଅଧିକାର ଆଇନ

Share :

ସରଳ କୁମାର ଦାସ ସୂଚନା ଅଧିକାର ଆଇନକୁ ସଂଶୋଧନ କରିବା ପାଇଁ ଏକ ବିଲ୍ ତରବରିଆ ଭାବେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହେବା ପରେ ଏହା ଦୁର୍ବଳ ହୋଇଯିବ ବୋଲି ଉଭୟ ବିରୋଧୀ ଦଳ ଓ ସୂଚନା ଅଧିକାର କର୍ମୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଅନ୍ୟ ପକ୍ଷରେ ଏହି ଆଇନକୁ ଅଧିକ ସରଳ ଓ କ୍ରିୟାଶୀଳ କରିବା ପାଇଁ ଏହି ସଂଶୋଧନ କରାଯାଉଛି ବୋଲି ସରକାରଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯାଉଛି। ତେବେ ମୂଳ ଆଇନରେ କଣ ଏମିତି ଭୁଲ ରହିଯାଇଥିଲା ଯେ ତାକୁ ଯୁଦ୍ଧକାଳୀନ ଭିତ୍ତିରେ ସଂଶୋଧନ କରିବାର ଆବଶ୍ୟକତା ଉପୁଜିଲା? ଅନେକ ସୂଚନା ଅଧିକାର କର୍ମୀ ଓ ସାଧାରଣ ଜନତାଙ୍କ ତ୍ୟାଗ ଓ ପ୍ରଚେଷ୍ଟା ପରେ ଉପା ସରକାରଙ୍କ ଅମଳରେ ୨୦୦୫ ମସିହାରେ ସୂଚନା ଅଧିକାର ଆଇନ ପ୍ରଣୟନ ହୋଇଥିଲା। ଦାପ୍ତରିକ ଗୋପନୀୟତା ଆଇନ, ୧୯୨୩ର ପ୍ରାବଧାନରେ ବଳୀୟାନ ଅମଲାତନ୍ତ୍ର ଭିତରେ ଯେଉଁ ଗୋପନୀୟତା ସଂସ୍କୃତି ଚେର ଭିଡି ସାରିଥିଲା ତାକୁ ଓପାଡି ଫୋପାଡିବା ସହ ଶାସନ ଓ ପ୍ରଶାସନରେ ସ୍ୱଚ୍ଛତା ଆଣିବାର ଲକ୍ଷ୍ୟ ନେଇ ଏହି ଆଇନ ପ୍ରଣୟନ କରା ଯାଇଥିଲା। ନାଗରିକଙ୍କ ଆବେଦନ କ୍ରମେ ସେମାନଙ୍କୁ ସରକାରୀ ତଥ୍ୟ ଓ କାଗଜପତ୍ର ଯୋଗାଇ ଦେବା ପାଇଁ ସରକାର ବାଧ୍ୟ ହେଲେ। ଦାପ୍ତରିକ ଗୋପନୀୟତାର ଦ୍ୱାହି ଦେଇ ସରକାରୀ ତଥ୍ୟ ଲୁଚାଇ ରଖିବା ଆଉ ସହଜ ହୋଇ ରହିଲା ନାହିଁ। ଏହି ଆଇନ ମାଧ୍ୟମରେ ମିଳିଥିବା ଅନେକ ତଥ୍ୟ ସରକାରଙ୍କ ଅନେକ ଦୁର୍ନୀତି ଓ ଅନିୟମିତତାର ଗୁମର ଖୋଲି ସରକାରଙ୍କୁ ଅଡୁଆରେ ପକାଇଥିଲା ଓ ଶେଷରେ ୨୦୧୪ ମସିହାରେ ଏହା ଉପା ସରକାର ଗାଦିଚ୍ୟୁତ ହେବାର ଅନ୍ୟତମ କାରଣ ପାଲଟିଥିଲା। ବିଭିନ୍ନ ସରକାରଙ୍କ ଅମଳରେ ଆଇନର ଭୁଲ ତର୍ଜମା ହୋଇ ନାଗରିକଙ୍କୁ ସୂଚନା ପ୍ରଦାନରେ ବାଧା ସୃଷ୍ଟି କରାଯାଇଥିଲେ ମଧ୍ୟ ସରକାରଙ୍କ ତରଫରୁ ଏହି ଆଇନକୁ ସଂଶୋଧନ କରି ଏହାକୁ ପଙ୍ଗୁ କରିଦେବା ପାଇଁ କେବେ ହେଲେ ଉଦ୍ୟମ ହୋଇ ନଥିଲା। ପ୍ରସ୍ତାବିତ ଆଇନରେ ମୂଳ ଆଇନର ଧାରା ୧୩ ଓ ଧାରା ୧୬କୁ ସଂଶୋଧନ କରିବାକୁ ସ୍ଥିର ହୋଇଛି। ମୂଳ ଆଇନର ଧାରା ୧୩ ଅନୁଯାୟୀ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରମାନଙ୍କ ଓ ଧାରା ୧୬ ଅନୁଯାୟୀ ରାଜ୍ୟସ୍ତରରେ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରମାନଙ୍କ କାର୍ଯ୍ୟକାଳ ୫ ବର୍ଷ ଅଥବା ବୟସ ୬୫ ବର୍ଷ, ଏ ଦୁଇଟି ମଧ୍ୟରୁ ଯେଉଁଟି ପ୍ରଥମେ ହେବ, ଯାଏଁ ନିର୍ଦ୍ଧାରିତ ହୋଇଥିଲା। ଅର୍ଥାତ୍, ସରକାରୀ ନିୟନ୍ତ୍ରଣରୁ ମୁକ୍ତ ରହି ନିରପେକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ଏମାନଙ୍କ କାର୍ଯ୍ୟକାଳକୁ ସ୍ଥିର ରଖା ଯାଇଥିଲା। ପ୍ରସ୍ତାବିତ ଆଇନରେ ଏମାନଙ୍କ କାର୍ଯ୍ୟକାଳ ‘କେନ୍ଦ୍ର ସରକାର’ଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ ବୋଲି ଉଲ୍ଲେଖ ରହିଛି। ଅର୍ଥାତ ସରକାର ଚାହିଁଲେ ଏମାନଙ୍କ କାର୍ଯ୍ୟକାଳକୁ କମ ବେଶି କରି ପାରିବେ। ପୁନଶ୍ଚ, ପ୍ରଚଳିତ ଆଇନ ଅନୁଯାୟୀ ମୁଖ୍ୟ ସୂଚନା ଅଧିକାରୀଙ୍କ ଦରମା, ଭତ୍ତା ଓ ଚାକିରୀର ଅନ୍ୟ ସର୍ତ୍ତାବଳି ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ସମାନ ଥିବା ବେଳେ ସୂଚନା କମିଶନରଙ୍କର ଦରମା ଓ ଅନ୍ୟ ସର୍ତ୍ତାବଳି ନିର୍ବାଚନ କମିଶନରଙ୍କ ସହ ସମାନ। ସେହିପରି ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ଦରମା ନିବାର୍ଚନ କମିଶନରଙ୍କ ଦରମା ସହ ସମାନ ହୋଇଥିବା ବେଳେ ଅନ୍ୟ ସୂଚନା କମିଶନରଙ୍କ ଦରମା ମୁଖ୍ୟ ଶାସନ ସଚିବଙ୍କ ଦରମା ସହ ସମାନ ରଖାଯାଇଛି। ପ୍ରସ୍ତାବିତ ଆଇନରେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରର ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରଙ୍କ ଦରମା, ଭତ୍ତା ଓ ଚାକିରୀର ଅନ୍ୟାନ୍ୟ ସର୍ତ୍ତାବଳି ‘କେନ୍ଦ୍ର ସରକାର’ଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ। ଫଳରେ ସୂଚନା କମିଶନରମାନଙ୍କ ସ୍ୱାୟତ୍ତତା ଓ ସ୍ୱାଧୀନତା ଅକ୍ଷୁଣ୍ଣ ରହିବା ସମ୍ଭାବନା କ୍ଷୀଣ। ସରକାରଙ୍କ ଯୁକ୍ତି ହେଉଛି ସୂଚନା କମିଶନ ଭଳି ଏକ ବୈଧାନିକ ସଂସ୍ଥାକୁ ନିର୍ବାଚନ କମିଶନ ଭଳି ଏକ ସାମ୍ୱିଧାନିକ ସଂସ୍ଥା ଭଳି ବିବେଚନା କରି ହେବ ନାହିଁ। ଏଣୁ ସୂଚନା କମିଶନରମାନଙ୍କୁ ନିର୍ବାଚନ କମିଶନରମାନଙ୍କ ପରି ସ୍ଥିର ଦରମା ଓ କାର୍ଯ୍ୟକାଳ ଦେଇ ହେବନାହିଁ। ଉଲ୍ଲେଖଯୋଗ୍ୟ, କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ଓ ଜାତୀୟ ମାନବିକ ଅଧିକାର ଆୟୋଗ ମଧ୍ୟ ବୈଧାନିକ ସଂସ୍ଥା ହୋଇଥିଲେ ବି ଏହାର ମୁଖ୍ୟମାନଙ୍କର ସ୍ଥାୟୀ ଦରମା ଓ କାର୍ଯ୍ୟକାଳର ପ୍ରାବଧାନ ରହିଛି। ବସ୍ତୁତଃ, ଗୋଟିଏ ସଂସ୍ଥାର ମୁଖ୍ୟଙ୍କ ଦରମା, ଚାକିରୀ ସର୍ତ୍ତ ଓ କାର୍ଯ୍ୟକାଳର ସ୍ଥାୟିତ୍ୱ ତାଙ୍କର ସ୍ୱାୟତ୍ତତା ଓ ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ଲାଗି ପ୍ରାକ୍ ଆବଶ୍ୟକତା ଭାବେ ଗ୍ରହଣ କରାଯାଇଥାଏ। ସୂଚନା କମିଶନରଙ୍କ ଦରମା ଓ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ନିଜ ନିୟନ୍ତ୍ରଣକୁ ନେବାର ଅର୍ଥ ହେଉଛି ଏହି ଅନୁଷ୍ଠାନର ସ୍ୱାୟତ୍ତତା ଓ ସ୍ୱାଧୀନତା ସହ ସାଲିସ କରି ଅନୁଷ୍ଠାନକୁ ଦୁର୍ବଳ କରିବା। ପୁନଶ୍ଚ, ଏହି ସଂଶୋଧିତ ଆଇନ ପ୍ରଣୟନ ହେଲେ ଏକ ନୂଆ ବିସଙ୍ଗତି ସୃଷ୍ଟି ହେବ। ଏ ପର୍ଯ୍ୟନ୍ତ ରାଜ୍ୟ ସ୍ତରରେ ରାଜ୍ୟ ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରଙ୍କୁ ରାଜ୍ୟ ସରକାର ହିଁ ନିଯୁକ୍ତି ପ୍ରଦାନ କରୁଛନ୍ତି ଓ ସେମାନେ କେନ୍ଦ୍ର ନିୟନ୍ତ୍ରଣାଧୀନ ନ ହୋଇ ସ୍ୱାଧୀନ ଭାବେ କାର୍ଯ୍ୟ କରୁଛନ୍ତି। ସଂଶୋଧିତ ଆଇନ ପ୍ରଣୟନ ହେଲା ପରେ ରାଜ୍ୟ ସରକାର ସେମାନଙ୍କୁ ନିଯୁକ୍ତି ପ୍ରଦାନ କଲେ ମଧ୍ୟ ଦରମାଠାରୁ ଆରମ୍ଭ କରି ଚାକିରୀର ଅନ୍ୟ ସର୍ତାବଳୀ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହେଉଥିବାରୁ ତାହା ରାଜ୍ୟ ସରକାରଙ୍କ କ୍ଷମତା କ୍ଷୁଣ୍ଣ କରି ‘ସହକାରୀ ସଂଘବାଦ’ର ପରିପନ୍ଥୀ ହେବ। ରାଜ୍ୟ ସ୍ୱାର୍ଥ ସୁରକ୍ଷାର କଥା କହୁଥିବା ବିଜେଡି, ଟିଆରଏସ, ଓାଇଏସଆର କଂଗ୍ରେସ ଭଳି ଆଂଚଳିକ ଦଳଗୁଡିକ ବିଲ ପ୍ରତି ସମର୍ଥନ ଜଣାଇବା ମାଧ୍ୟମରେ ଜନତାଙ୍କ ବୃହତର ସ୍ୱାର୍ଥକୁ ଅଣଦେଖା କରି କେନ୍ଦ୍ର ସରକାରଙ୍କୁ ଏତେ ସହଜରେ ନିଜ କ୍ଷମତା ଟେକି ଦେବାକୁ ରାଜି ହୋଇଯିବା କେତେ ଦୂର ସମୀଚୀନ? ଏହି ଆଇନକୁ ସଂଶୋଧନ କରିବା ପାଇଁ ତିଆରି ହୋଇଥିବା ବିଲ୍‌କୁ ସଂସଦର କୌଣସି ସିଲେକ୍ଟ କମିଟି ନିକଟକୁ ତର୍ଜମା ପାଇଁ ପଠାଯାଇନାହିଁ। ଏପରିକି ଏ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ରେ ସଂଶୋଧନ ଅଣା ଯାଉଥିଲେ ମଧ୍ୟ ଏହା ଦ୍ୱାରା ପରୋକ୍ଷରେ ପ୍ରଭାବିତ ହେବାକୁ ଯାଉଥିବା ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ ହୋଇନାହିଁ। ଶାସକ ଦଳ ତରଫରୁ କୁହାଯାଇଛି ଯେ ମୂଳ ଆଇନରେ ଥିବା ବିସଙ୍ଗତିଗୁଡିକୁ ଦୂର କରିବା ଏହି ସଂଶୋଧନର ଉଦ୍ଦେଶ୍ୟ। ତେବେ ଆଇନରେ ଥିବା ଏଭଳି କୌଣସି ବିସଙ୍ଗତି ସମ୍ପର୍କରେ ଏବର ଶାସକ ଦଳ ବିରୋଧୀ ଦଳରେ ଥିବା ବେଳେ ମଧ୍ୟ ଆପତ୍ତି ଉଠାଇ ନଥିଲା। ମୂଳ ଆଇନରେ ପ୍ରସ୍ତାବିତ ସଂଶୋଧନ ନ ହେଲେ କଣ କ୍ଷତି ହେବ ବା ପ୍ରସ୍ତାବିତ ସଂଶୋଧନଗୁଡିକ ମୂଳ ଆଇନକୁ କେଉଁ ଭଳି ଭାବେ ଅଧିକ ସଶକ୍ତ କରିବ, ତାହା ବୁଝାଇବା ପାଇଁ ସରକାର ଅସମର୍ଥ। ଆଇନରେ ସଂଶୋଧନ ହେବାରେ କୌଣସି ଆପତି ନାହିଁ, ତେବେ ଏହାର ଉଦ୍ଦେଶ୍ୟ ଦେଶବାସୀଙ୍କ ସମ୍ମୁଖରେ ସୁସ୍ପଷ୍ଟ ହେବା ବିଧେୟ। ଦୁର୍ନୀତିର ମୂଳୋତ୍ପାଟନ କରି ଜନସାଧାରଣଙ୍କୁ ଏକ ସ୍ୱଚ୍ଛ ଶାସନ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ସରକାର ନିଜେ ଦୁର୍ନୀତିମୁକ୍ତ ହେବା ଯେତିକି ଜରୁରୀ, ଶାସନ ଓ ପ୍ରଶାସନରେ ସ୍ୱଚ୍ଛତା ଆଣି ଏହାକୁ ଦୁର୍ନୀତିମୁକ୍ତ କରିବା ଲାଗି ଉଦ୍ଦିଷ୍ଟ ଲୋକପାଳ ଆଇନ, ସୂଚନା ଅଧିକାର ଆଇନ ଭଳି ଆଇନଗୁଡିକୁ କ୍ରିୟାଶୀଳ କରାଇବା ତା’ଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ। ପରିତାପର ବିଷୟ, ମୂଳରୁ ଏନଡିଏ ସରକାର ଏଥି ପ୍ରତି ଉଦାସୀନ ରହି ଆସିଥିବା ପରିଲକ୍ଷିତ ହୁଏ। ଗତ ପାଳିର ଶେଷ ବେଳକୁ ସୁପ୍ରିମ କୋର୍ଟଙ୍କ ତାଗିଦା ପରେ ଯାଇ ସରକାରଙ୍କ ଦ୍ୱାରା ଲୋକପାଳଙ୍କ ନିଯୁକ୍ତି ପ୍ରକ୍ରିୟା ଶେଷ ହେବା, ତାର ଏକ ନଜିର। କିନ୍ତୁ ଗତ ପାଳିର ଆରମ୍ଭରୁ ସୂଚନା ଅଧିକାର ଆଇନ ପ୍ରତି ସରକାରଙ୍କ ବିଦ୍ୱେଷ ନ ହେଲେ ବି ବନ୍ଧୁତ୍ୱପୂର୍ଣ୍ଣ ଗ୍ରହଣୀୟତା ନ ରହିବା ଦ୍ୱାରା ଏହି ଆଇନ ଠିକ ରୂପେ କ୍ରିୟାଶୀଳ ହୋଇ ପାରିନାହିଁ। ଦୀର୍ଘ ସମୟ ଧରି ୧୧ ଜଣ ସୂଚନା କମିଶନରଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପଦ ରିକ୍ତ ଅବସ୍ଥାରେ ରହିବା ଯୋଗୁ ହଜାର ହଜାର ସଂଖ୍ୟାରେ ମାମଲା ବିଚାରାଧୀନ ଅବସ୍ଥାରେ ପଡି ରହିଛି। କହିବା ବାହୁଲ୍ୟ ଯେ ମାମଲାଗୁଡିକ ସରକାର ଓ ସରକାରୀ ସଂସ୍ଥାଙ୍କଠାରୁ ଅପେକ୍ଷିତ ଆଚରଣ ବିରୁଦ୍ଧରେ ହୋଇଥିବାରୁ ସେଗୁଡିକର ବିଳମ୍ୱିତ ସମାପନ ସରକାରୀ କଳକୁୁ ସୁହାଉଥିବା ବେଳେ, ତାହା ସମ୍ପୂର୍ଣ୍ଣ ରୂପେ ଜନସ୍ୱାର୍ଥ ବିରୋଧୀ। ଗତ ପାଳିର ଅନେକ ଘଟଣା ମଧ୍ୟରୁ ସୂଚନା ଅଧିକାର ଆଇନ ବଳରେ ବିମୁଦ୍ରାକରଣ ପରେ ସେହି ନିଷ୍ପତି ସମ୍ପର୍କରେ ରିଜର୍ଭ ବ୍ୟାଙ୍କକୁ ପଚରା ଯାଇଥିବା ପ୍ରଶ୍ନ ହେଉ ଅଥବା ରାଫେଲ ଯୁଦ୍ଧ ବିମାନ କିଣା ବାବଦରେ ବିମାନ ବାହିନୀକୁ ପଚରା ଯାଇଥିବା ପ୍ରଶ୍ନ, ଏଗୁଡିକ ପାଇଁ ସରକାର ସମ୍ମୁଖୀନ ହୋଇଥିବା ଅସହଜ ପରିସ୍ଥିତି ଲାଗି ହୁଏତ ଏହି ଉଦାସୀନତା ଓ ଆଇନକୁ ଦୁର୍ବଳ କରି ନିଜ ନିୟନ୍ତ୍ରଣରେ ରଖିବାର ପ୍ରୟାସ। ତେବେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଉପୁଜିଥିବା ବିବାଦ ପରେ ସୂଚନା ଅଧିକାର ଆଇନରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ମଗା ଯାଇଥିବା ପ୍ରଶ୍ନର ଉତର ପାଇବା ପାଇଁ ସୂଚନା ଆୟୋଗ ତରଫରୁ ଯେଉଁ ତପିରତା ଦେଖାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଗୁଜରାଟ ବିଶ୍ୱବିଦ୍ୟାଳୟକୁ ନିଦ୍ଦେର୍ଶ ଦିଆ ଯାଇଥିଲା, ତାହା ପ୍ରଧାନମନ୍ତ୍ରୀ ଓ ଦଳର ଅନ୍ୟ ନେତାଙ୍କୁ କ୍ଷୁବ୍ଧ କରିଥିଲା ଓ ସେବେଠାରୁ ସୂଚନା ଆୟୋଗ ସରକାରୀ ଆକ୍ରୋଶର ଶିକାର ହେବାକୁ ଲାଗିଲେ ବୋଲି କୁହାଯାଏ। ସମ୍ଭବତଃ, ତା ପରଠାରୁ ସୂଚନା କମିଶନରଙ୍କ ପକ୍ଷଚ୍ଛେଦନ କରିବାର ମସୁଧା ପ୍ରସ୍ତୁତ ହେବାକୁ ଲାଗିଲା। ଇତି ମଧ୍ୟରେ ଏହି ଆଇନଟି ସାଧାରଣରେ ଏପରି ଆଦୃତି ଲାଭ କରିଛି ଯେ ନାଗରିକମାନେ ଏହା ଜରିଆରେ ନିଜର ସୂଚନା ଅଧିକାରକୁ ଜାହିର କରି ବାର୍ଷିକ ହାରାହାରି ପ୍ରାୟ ୬୦ ଲକ୍ଷ ଆବେଦନ କରୁଛନ୍ତି। କୌଣସି କାର୍ଯ୍ୟାଳୟରୁ ସନ୍ତୋଷଜନକ ଉତ୍ତର ନ ମିଳିଲେ ସେମାନେ ସୂଚନା କମିଶନରଙ୍କ ନିକଟରେ ଅପିଲ କରିଥାନ୍ତି। ସୂଚନା ଆୟୋଗ ସର୍ବ ଶକ୍ତିମାନ ସରକାରୀ କଳର ନିଷ୍ପତି ବିରୁଦ୍ଧରେ ଠିଆ ହୋଇଥିବା ସାଧାରଣ ନାଗରିକଟିଏ ପକ୍ଷରେ ନ୍ୟାୟ ପାଇବାର ଏକମାତ୍ର ଆଶା ହୋଇଥିବାରୁ ସୂଚନା କମିଶନରଙ୍କ ସ୍ୱାୟତ୍ତତା ଓ ନିରପେକ୍ଷତା ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରସ୍ତାବିତ ସଂଶୋଧନରେ ତାଙ୍କର ଏହି ସ୍ୱାୟତ୍ତତା ଉପରେ ପ୍ରହାର ହୋଇଥିବାରୁ ତାହା ପରୋକ୍ଷରେ ଜନସ୍ୱାର୍ଥ ବିରୋଧୀ ବୋଲି ବୁଝିବାକୁ ହେବ। ସମ୍ଭବତଃ ସୂଚନା ଅଧିକାର ଆଇନ ହେଉଛି ଏକମାତ୍ର ଆଇନ ଯାହାକୁ ନାଗରିକଟିଏ ତା ନିଜର ଆଇନ ବୋଲି ଗ୍ରହଣ କରିନେଇଛି। କାରଣ ଅନ୍ୟ ଆଇନଗୁଡିକୁ ବ୍ୟବହାର କରି ସରକାରୀ କଳ ସାଧାରଣ ଜନତାଙ୍କୁ ଶାସନ କରୁଥିବା ବେଳେ ଏହି ଆଇନ ମାଧ୍ୟମରେ ନାଗରିକଟିଏ ସରକାରୀ କଳର ମନୋମୁଖୀ ଆଚରଣ ବିରୁଦ୍ଧରେ ସ୍ୱର ଉଠାଇ ପାରିଥାଏ। ଏହି ଆଇନ ଜଣେ ସାଧାରଣ ନାଗରିକକୁ ସରକାରୀ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ ପଚାରିବା ପାଇଁ ସଶକ୍ତ କରିବା ସହ ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରିବା ପାଇଁ ତା ନିକଟରେ ପ୍ରତ୍ୟୟ ସୃଷ୍ଟି କରିଥାଏ। ଏହି ଆଇନ ପ୍ରଣୟନ ହେବା ପରଠାରୁ, ଆଉ କିଛି ହେଉ କି ନ ହେଉ ଅନ୍ତତଃ, ଆଇନ କାନୁନକୁ ଖାତିର ନ କରି େସ୍ୱଚ୍ଛାଚାରୀ ଭାବେ ନିଷ୍ପତି ଗ୍ରହଣ କରୁଥିବା ଅମଲାତନ୍ତ୍ର ଉପରେ ଏହା ଅଙ୍କୁଶ ଲଗାଇବାକୁ ସମର୍ଥ ହୋଇଛି। ଏପରିକି ଏଣିକି ସରକାରୀ କାଗଜ ପତ୍ରରେ ଟିପ୍ପଣୀ ଲେଖିଲା ବେଳେ ମଧ୍ୟ ବାବୁମାନେ ମାତ୍ରାଧିକ ସତର୍କତା ଅବଲମ୍ୱନ କରୁଛନ୍ତି। ଉଭୟ ଦୁର୍ନୀତିଗ୍ରସ୍ତ ଏବଂ ଅସ୍ୱଚ୍ଛ ବାବୁ ଓ ରାଜନେତାଙ୍କ ପାଇଁ ଏହା ପ୍ରତିବନ୍ଧକ ସାଜି ଥିବାରୁ ଏହି ବର୍ଗ ଦ୍ୱାରା ଏହାକୁ ଦୁର୍ବଳ କରିବା ପାଇଁ ଚକ୍ରାନ୍ତ ହୋଇଆସିଛି। ତେବେ ଏହି ଆଇନ ଯେତେ ଶକ୍ତିଶାଳୀ ହୋଇ ରହିବ ସାଧାରଣ ନାଗରିକଙ୍କ ସ୍ୱାର୍ଥ ସେତେ ଅଧିକ ସୁରକ୍ଷିତ ରହିପାରିବ। ତେଣୁ ଆଇନରେ ଏହି ସଂଶୋଧନ ଜନସ୍ୱାର୍ଥ ବିରୋଧୀ ହୋଇଥିବାରୁ ଏହାର ପ୍ରତ୍ୟାହାର ପାଇଁ ନାଗରିକଙ୍କ ଦ୍ୱାରା ସରକାରଙ୍କ ଉପରେ ଚାପ ସୃଷ୍ଟି କରା ନ ଗଲେ ଶାସନରେ ସ୍ୱଚ୍ଛତା ହ୍ରାସ ପାଇବାର ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। ଭୁବନେଶ୍ୱର, ମୋ-୯୪୩୭୦୩୮୦୧୫

Share :