ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

Share :

ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି) ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ଓଡିଶାରେ ଓବିସି ଓ ଏସଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ। ଏମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଥିବା କାରଣରୁ ଏମାନଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ। ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ସମ୍ୱିଧାନର ଧାରା ୧୫(୪) ଓ ୧୬ (୪) ର ଉଲ୍ଲେଖ କରି ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥାକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଅନେକ ରାଜ୍ୟ ସରକାର ରାଜ୍ୟର ଜନସଂଖ୍ୟାର ଏଭଳି ଏକ ବର୍ଗ ପାଇଁ ଅଧିକ ଶତାଂଶ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ମାତ୍ର ଓଡିଶା ସରକାର ସରକାରୀ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଓବିସି ମାନଙ୍କୁ ସଂରକ୍ଷଣ ସୁବିଧା ଦେଉନଥିବା ବେଳେ ଏସଇବିସି ମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଇ ନାହାନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଉଭୟ ଓବିସି ଓ ଏସଇବିସି ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯୋଗ ଦେବାରୁ ବଂଚିତ ହୋଇଛନ୍ତି ଓ ଏହା ପଛରେ ସେମାନଙ୍କର ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ମୁଖ୍ୟତଃ ଦାୟୀ। ଏପରି ପରିସ୍ଥିତିରେ ଏହି ବର୍ଗର ଲୋକମାନଙ୍କୁ ଶିକ୍ଷାନୁଷ୍ଠାନ ଓ ସରକାରୀ ଚାକିରୀରେ ଅଧିକ ସୁଯୋଗ ଉପଲବ୍ଧ କରାଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି।

Share :