ଯୋଜନାହୀନ ବିକାଶର ଗତି କୁଆଡ଼େ?

ଯୋଜନାହୀନ ବିକାଶର ଗତି କୁଆଡ଼େ?

Share :

ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଚାଲିଛି ଯୋଜନାହୀନ, ସମୀକ୍ଷାହୀନ ବିକାଶର ଖର୍ଚ୍ଚବାର୍ଚ। ରାଜ୍ୟ ସରକାରଙ୍କ ବଜେଟ ହେଉଛି ବିନା ଯୋଜନାରେ। ଖର୍ଚ୍ଚ ପର ସମୀକ୍ଷା ନାହିଁ। ଭୁଲ ହେଲେ ସଂଶୋଧନର ପ୍ରସ୍ତାବ ନାହିଁ। ରାଜ୍ୟର ପୁଞ୍ଜି, ମାନବ ସମ୍ବଳ ଓ ଗଚ୍ଛିତ ଭଣ୍ଡାରର ସୁବ୍ୟବସ୍ଥିତ ଭାବେ ସୁପରିଚାଳନା ପାଇଁ ଚିନ୍ତା ମଧ୍ୟ ନାହିଁ। ନିଜ ମନକୁ ଯାହା ଆସିଲା ତାହା କରୁଛନ୍ତି ନବୀନ ଓ ତାଙ୍କର ଅମଲା ସହଯୋଗୀମାନେ। ଏଭଳି ଦିଶାହୀନ ଯୋଜନାହୀନ ଭାବେ ରାଜ୍ୟ ଚାଲିଲେ ଆଗକୁ ଖାଲ ପଡ଼ିବ କି ଦଲଦଲ ତାହା କିଏ କହିବ? ୨୦୧୯ ଜୁଲାଇ ୨୫ ତାରିଖ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯେଉଁ ଉତ୍ତର ଦେଇଛନ୍ତି ସେଇଥିରୁ ରାଜ୍ୟର ଏଭଳି ଯୋଜନାହୀନ ଦିଶାହୀନ ଗତି ସଂପର୍କରେ ସମ୍ୟକ ସଙ୍କେତ ମିଳୁଛି। ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜ୍ୟର ଦ୍ରୁତ ଆର୍ଥନୀତିକ ଅଭିବୃଦ୍ଧି ଓ ଉନ୍ନୟନ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରର ପଞ୍ଚବାର୍ଷିକ ଓ ବାର୍ଷିକ ଯୋଜନା ପ୍ରଣୟନ ପାଇଁ ଦୀର୍ଘ ମିଆଦୀ ଓ ସ୍ବଳ୍ପ ମିଆଦୀ ନୀତି ମାର୍ଗଦର୍ଶିକା ପ୍ରସ୍ତୁତ କରିବା ଦାୟିତ୍ବ ବହନ କରୁଥିବା ରାଜ୍ୟ ଯୋଜନା ବୋର୍ଡ଼ର ବୈଠକ ୧୨ ହେଲା ବସି ନାହିଁ। ଯୋଜନା ବୋର୍ଡ଼ର ବୈଠକ ବସି ଯଦି ମାର୍ଗଦର୍ଶିକା ନିର୍ଦ୍ଧାରିତ ହୋଇନାହିଁ ତେବେ କେଉଁ ମାର୍ଗରେ ରାଜ୍ୟକୁ ଚଳେଇଛନ୍ତି ନବୀନ ପଟ୍ଟନାୟକ? ନିଜ ବ୍ୟକ୍ତିଗତ ମାର୍ଗରେ? ଖାସ୍‌ ତାଙ୍କରି କ୍ଷମତା ହେଉଛି ସରକାରଙ୍କ ଲକ୍ଷ୍ୟ? ଯୋଜନା ଓ ସଂଯୋଜନ ମନ୍ତ୍ରୀଙ୍କୁ ବିଧାୟକଙ୍କ ପ୍ରଶ୍ନ ଥିଲା, ମନ୍ତ୍ରୀ ଅନୁଗ୍ରହ କରି କହିବେ କି ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର କାର୍ଯ୍ୟ କ’ଣ? ବୋର୍ଡ଼ର ବୈଠକ କେତେ ଅବଧି ମଧ୍ୟରେ ଅନୁଷ୍ଠିତ ହେବା ପାଇଁ ନୀତି ନିର୍ଦ୍ଧାରଣ କରାଯାଇଛି? ୧୮ ବର୍ଷ ମଧ୍ୟରେ ବୋର୍ଡ଼ ବୈଠକ ଆଦୌ ଅନୁଷ୍ଠିତ ନହେବାର କାରଣ କ’ଣ? ୨୦୦୭ ମସିହାରୁ ଅଦ୍ୟାବଧି କେଉଁ କେଉଁମାନଙ୍କୁ ବୋର୍ଡ଼କୁ ମନୋନୀତ କରାଯାଇଛି ଓ ସେମାନଙ୍କ ମଧ୍ୟରୁ କେଉଁ କେଉଁମାନେ ବୋର୍ଡ଼କୁ କି କି ଉପଦେଶ ପରାମର୍ଶ ଦେଇଛନ୍ତି? ମନୋନୀତ ସଦସ୍ୟ ଓ ଉପାଧ୍ୟ ଭଡ଼ା, ଗସ୍ତଖର୍ଚ୍ଚ ଓ ବୋର୍ଡ଼ର ପ୍ରତିଷ୍ଠାନ ବ୍ୟୟ ସହ ଅନ୍ୟାନ୍ୟ କେଉଁ ବାବଦକୁ ୨୦୦୭ ମସିହାରୁ ଚଳିତ ବର୍ଷ ମଧ୍ୟରେ କେତେ ଅର୍ଥ କେଉଁ ବର୍ଷ ବ୍ୟୟ ହୋଇଛି? ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ରାଜ୍ୟ ଯୋଜନା ବୋର୍ଡ଼ ନିମ୍ନଲିଖିତ କାର୍ଯ୍ୟ ସଂପାଦନ କରନ୍ତି। ୧- ରାଜ୍ୟର ଦ୍ରୁତ ଆର୍ଥନୀତିକ ଅଭିବୃଦ୍ଧି ଓ ଉନ୍ନୟ ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ପଞ୍ଚାବାର୍ଷିକ ଓ ବାର୍ଷିକ ଯୋଜନା ପ୍ରଣୟନ ପାଇଁ ଦୀର୍ଘ ମିଆଦୀ ଓ ସ୍ବଳ୍ପ ମିଆଦୀ ନୀତି ମାର୍ଗଦର୍ଶିକା ପ୍ରଦାନ। ୨. ରାଜ୍ୟରେ ଗଚ୍ଛିତ ସାମଗ୍ରୀ, ପୁଞ୍ଜି ଓ ମାନବ ସମ୍ବଳକୁ ସୁବ୍ୟବସ୍ଥିତ ଭାବରେ ନିର୍ଦ୍ଧାରଣ କରିବା ଏବଂ ସେଗୁଡ଼ିକର ସର୍ବାଧିକ ବିନିଯୋଗ ପାଇଁ କ୍ଷେତ୍ର ନିର୍ଦ୍ଧାରଣ। ୩. ସମୟାନୁକ୍ରମେ ରାଜ୍ୟରେ ଓ ଜିଲ୍ଲାମାନଙ୍କରେ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତାର ସମୀକ୍ଷା ଓ ମୂଲ୍ୟାୟନ ଏବଂ ଆବଶ୍ୟକ ସଂଶାଧକ ପଦକ୍ଷେପ ପାଇଁ ପ୍ରସ୍ତାବ ପ୍ରଦାନ। ୪. ସରକାରଙ୍କ ନିର୍ଦ୍ଦେଶରେ ତାଙ୍କର ବିଭିନ୍ନ ନୀତିଗତ ବିଷୟ, ଆର୍ଥନୀତିକ ସ୍ଥିତି ଓ ଉନ୍ନତିମୂଳକ ଯୋଜନା ଉପରେ ସୁପାରିଶ ପ୍ରଦାନ। ୫. ସୁବ୍ୟବସ୍ଥିତ ଲୋକଶକ୍ତି ସର୍ବେକ୍ଷଣ ଓ ସଂଯୋଜନ ପୂର୍ବକ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ପ୍ରସ୍ତାବ ପ୍ରଦାନ। ୬. ରାଜ୍ୟର ଦ୍ରୁତ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ଓ ଜିଲ୍ଲାମାନଙ୍କର ଯୋଜନା ଓ ଉନ୍ନୟନ ସଂପର୍କୀତ ସମସ୍ତ ବିଷୟରେ ରାଜ୍ୟ ସରକାରଙ୍କୁ ପରାମର୍ଶ ପ୍ରଦାନ। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ୁଛି ଯେ ଏତେ ବଡ଼ ଗୁରୁ ଦାୟିତ୍ବ ବହନ କରୁଥିବା ସଂସ୍ଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଏକରକମ ଗୁରୁତ୍ବ ହରେଇଛି। ମନ୍ତ୍ରୀ ରଖିଥିବା ତଥ୍ୟ ଅନୁସାରେ ୧୮ ବର୍ଷ ମଧ୍ୟରେ ବୋର୍ଡ଼ର ବୈଠକ ଆଦୌ ବସି ନଥିବା କଥା ଅସତ୍ୟ। ମାତ୍ର ସେ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ଜଣାପଡ଼ୁଛି ଯେ ୨୦୦୭ ମସିହା ପରେ ବୋର୍ଡ଼ର ବୈଠକ ଆଉ ବସିନାହିଁ। ଶେଷ ଥର ପାଇଁ ୨୦୦୭ ଅକ୍ଟୋବର ୧୫ ତାରିଖରେ ରାଜ୍ୟ ଯୋଜନା ବୋର୍ଡ଼ର ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା। ତା’ ପରଠୁଁ ଆଉ ବୈଠକ ବସିନାହିଁ କି କୌଣସି ସଭ୍ୟ କିମ୍ବା ଉପାଧ୍ୟକ୍ଷ ରାଜ୍ୟର ଯୋଜନା ଓ ଉନ୍ନୟନ ବାବଦରେ କୌଣସି ନୀତି ନିର୍ଦ୍ଧାରଣ କରିନାହାନ୍ତି କି କୌଣସି ସରକାରୀ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ହୋଇନାହିଁ। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ୨୦୦୭ ମସିହାରୁ ଏ ମଧ୍ୟରେ ବୋର୍ଡ଼ର ୪ ଜଣ ଉପାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ବେଦ ପ୍ରକାଶ ଅଗ୍ରୱାଲ, ସୁରେନ୍ଦ୍ର ନାଥ ନାୟକ, ଏନ. ଭାସ୍କର ରାଓ ଏବଂ ବିଷ୍ଣୁ ଚରଣ ଦାସ। ଏହି ସମୟ ମଧ୍ୟରେ ନବୀନ ସରକାର ବୋର୍ଡ଼କୁ ମୋଟ ଉପରେ ୨୬ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି। ସେମାନେ ହେଲେ କଳ୍ପତରୁ ଦାସ, ଡକ୍ଟର ସୁଧାକର ପଣ୍ଡା, ଜଗଦାନନ୍ଦ, ଏନ.ଆର. ମହାନ୍ତି, ପଞ୍ଚାନନ କାନୁଗୋ, ସନାତନ ବିଶି, ଡକ୍ଟର ଶରତ କୁମାର ସାହୁ, କୁଞ୍ଜ ବିହାରୀ ପାଣିଗ୍ରାହୀ, ରବି ନାରାୟଣ ମିଶ୍ର, କିଶୋର ଚନ୍ଦ୍ର ସିଂହଦେଓ, ଡକ୍ଟର ପୁଲିନ ବିହାରୀ ନାୟକ, ଡକ୍ଟର ଦାମୋଦର ଆଚାର୍ଯ୍ୟ, ଏଭି ସ୍ବାମୀ, ଜୋଏ ମିଡିଆଥ, ଦୁର୍ଯ୍ୟୋଧନ ମାଝୀ, ଯୋଗେନ୍ଦ୍ର ବେହେରା, ସ୍ନେହାଙ୍ଗିନୀ ଛୁରିଆ, ରାମଚନ୍ଦ୍ର ପଣ୍ଡା, କମଳା ପୂଜାରୀ, ସୁଧୀର କୁମାର ଦାସ, ଡକ୍ଟର ଶରତ ମିଶ୍ର, ଡକ୍ଟର ରାସେଶ୍ବରୀ ପାଣିଗ୍ରାହୀ, ରବି ମଲ୍ଲିକ, ଗିରୀଶ ଚନ୍ଦ୍ର ଦାସ, ଈଶ୍ବର ପାଣିଗ୍ରାହୀ ଓ ଡକ୍ଟର ପ୍ରମୋଦ କୁମାର ମଲ୍ଲିକ। ଏହି ତଥ୍ୟରୁ ଏହା ସ୍ପଷ୍ଟ ଯେ ୨୦୦୭ ମସିହାରୁ ୨୦୧୯ ମଧ୍ୟରେ ଯେଉଁ ୪ ଜଣ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଛନ୍ତି ସେମାନେ ଯୋଜନା ବା ଅନ୍ୟ କୌଣସି ବିଷୟରେ ବିଶେଷଜ୍ଞ ନୁହନ୍ତି, ସେମାନେ ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତା, ବିଧାୟକ ନହେଲେ ସାଂସଦ। ସେହିପରି ଏହି ସମୟ ମଧ୍ୟରେ ନିଯୁକ୍ତ ହୋଇଥିବା ୨୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ହେଲେ ବିଜେଡି ନେତା ଓ ବାକି ୯ ଜଣ ହେଲେ ଅର୍ଥନୀତି, ସମାଜସେବା, ଇଂଜିନିଅରିଂ, ପ୍ରଶାସନ, ବୈଷୟିକ ଶିକ୍ଷା ଆଦି କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତିତ୍ବ। କିନ୍ତୁ ବୋର୍ଡ଼କୁ ଅଚଳ କରି ରଖାଯାଇଥିବାରୁ ଏମାନଙ୍କର ପରାମର୍ଶ ନେବାକୁ ନବୀନ ସରକାର ଆଦୌ ଆଗ୍ରହ ପ୍ରକାଶ କରି ନାହାନ୍ତି। ଯୋଜନା ବୋର୍ଡ଼ ବୈଠକ ବସୁ ନଥିଲେ ମଧ୍ୟ, ସରକାର ବୋର୍ଡ଼ ସହ ପରାମର୍ଶ କରୁ ନଥିଲେ ମଧ୍ୟ ୨୦୦୯ରୁ ୨୦୧୯ ମଧ୍ୟରେ ବୋର୍ଡ଼ର ଉପାଧ୍ୟକ୍ଷ ଓ ସଦସ୍ୟମାନେ ପ୍ରାୟ ୪୦ ଲକ୍ଷ ଟଙ୍କାର ଗସ୍ତଖର୍ଚ୍ଚ ନେଇଛନ୍ତି ବୋଲି ମନ୍ତ୍ରୀ ହିସାବ ଦେଇଛନ୍ତି। ସେହିପରି ୨୦୦୭ ମସିହାରୁ ଏହି ସମୟ ମଧ୍ୟରେ ଯୋଜନା ବୋର୍ଡ଼ର ପ୍ରତିଷ୍ଠାନ ଖର୍ଚ୍ଚ ବା ଏଷ୍ଟାବ୍ଲିଶମେଣ୍ଟ ଏକ୍ସପେଣ୍ଡିଚର ହୋଇଛି ୭୩ ଲକ୍ଷ ଟଙ୍କା ଉପରେ। କେବଳ କେତେ ଜଣଙ୍କୁ ଥଇଥାନ କରିବା ବ୍ୟତିତ ଏସବୁ ଟଙ୍କା ପାଣିରେ ପଡ଼ିଛି ନାହିଁ? ବୋର୍ଡ଼ର ବୈଠକ ବସୁ ନଥିବାରୁ ବା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯୋଜନା ବୋର୍ଡ଼ ବୈଠକ ଡାକୁ ନଥିବାରୁ ଗଲା ୨୦ ବର୍ଷ ଭିତରେ ରାଜ୍ୟର ବିକାଶ ଯୋଜନାହୀନ ଭାବେ ଚାଲିଛି। ଶୀର୍ଷ ଅମଲାଙ୍କୁ ମୁଣ୍ଡକୁ ଯାହା ଆସିଲା ଯେଇଆ ହେଲା ଯୋଜନା। ନବୀନ ପଟ୍ଟନାୟକଙ୍କ ଭୋଟବ୍ୟାଙ୍କ ସୃଷ୍ଟି କରିବା ପାଇଁ ଯାହା ଦରକାର ସେଇଆ ହେଲା ଯୋଜନା। ସେସବୁ ଯୋଜନା ସବୁ ପୁଣି ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ, ସେଥିରେ ସତରେ ସମାଜର ଆର୍ଥିକ ଓ ସାମାଜିକ ପରିବର୍ତ୍ତନ ହେଉଛି କି ନାହିଁ ତାହା ସମୀକ୍ଷା କରିବାକୁ ମଧ୍ୟ ଯୋଜନା ବୋର୍ଡ଼କୁ ନିୟୋଜିତ କରାଯାଇ ନାହିଁ। ଏହାର ଅର୍ଥ ଲଗାମହୀନ ଭାବେ ପାଣି ପରି ଖର୍ଚ୍ଚ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର କେବଳ ନବୀନ ପଟ୍ଟନାୟକଙ୍କୁ ସେହି ପଦରେ ରଖିବା ପାଇଁ ଗଲା ୨୦ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିଚାଲିଛି। ରାଜ୍ୟର ବିକାଶ ଓ ଉନ୍ନୟନ ବ୍ୟବସ୍ଥା, ଖଣିଜ ସଂପଦ ଓ ମାନବ ସମ୍ବଳ ଚୁଲିକୁ ଯାଉ ପଛେ।

Share :