ପ୍ରେମର ମହଲ ଏବେ କୀଟଦ୍ରଂଷ୍ଟ!

ପ୍ରେମର ମହଲ ଏବେ କୀଟଦ୍ରଂଷ୍ଟ!

ଯମୁନା ଜଳରେ ଏମିତି କ’ଣ ଥିଲା କେଜାଣି ତା’ରି କୂଳରେ ପ୍ରେମ କରୁଥିଲେ ହିନ୍ଦୁ ପୁରାଣର ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀରାଧା। ସେଇ ଯମୁନା କୂଳରେ ପୁଣି ପ୍ରେମର ପାଗୋଡ଼ା ତିଆରି କରିଥିଲେ ମଧ୍ୟ ଯୁଗର ସମ୍ରାଟ ଶାହଜାହାନ, ନିଜ ପତ୍ନୀ ମମତାଜ ମହଲଙ୍କ ପାଇଁ। ତାଜ ମହଲ ନାମରେ ପୃଥିବୀ ସାରା ପ୍ରସିଦ୍ଧି ଅର୍ଜନ କରିଥିବା ଏଇ ଶଙ୍ଖ ମର୍ମର ପ୍ରସ୍ତରର ସ୍ମୃତି ମହଲଟି ଆଜି କିନ୍ତୁ କୀଟଦ୍ରଂଷ୍ଟ! କାଳେ କାଳେ ପ୍ରେମ ଯେମିତି ସମାଜର ଅନେକ ଗୋଷ୍ଠୀ ପାଇଁ ଅସହ୍ୟ ଠିକ ସେଇପରି ଏ ଅବସ୍ଥା! ଏବେ ତାଜ ମହଲର ମାର୍ବଲ ଚଟାଣ ଓ କାନ୍ଥରେ ଅନେକ କଳା ଓ ସବୁଜ ରଙ୍ଗର ଛିଟ/ଚିହ୍ନ। ଏହାକୁ ସଫା କରିବା ପାଇଁ ପ୍ରତି ଶୁକ୍ରବାର ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ତରଫରୁ ଅନେକ ଶ୍ରମିକଙ୍କୁ ନିୟୋଜିତ କରାଯାଉଛି। ଶୁକ୍ରବାର ତାଜ ମହଲ ଦର୍ଶନ ସର୍ବସାଧାରଣଙ୍କ ପାଇଁ ବନ୍ଦ ଥାଏ। ସେଇ ଦିନ ଶ୍ରମିକମାନେ ଡିଷ୍ଟିଲ୍‌ଡ ୱାଟର ବା ବିଶୋଧିତ ପାଣି ଓ ପ୍ଲାଷ୍ଟିକ କିମ୍ବା ଅନ୍ୟ ଜାଲିରେ ତାଜ ମହଲର କାନ୍ଥ ଓ ଚଟାଣ ଧୋଇ ସଫା କରନ୍ତି। ତେବେ ଏହି କଳା ଓ ସବୁଜ ଚିହ୍ନଗୁଡ଼ିକ କ’ଣ? ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ଆଗ୍ରା ମଣ୍ଡଳର ଅଧିକ୍ଷଣ ପ୍ରତ୍ନତତ୍ତ୍ବବିଦ୍ ବସନ୍ତ ସ୍ବରାଙ୍କରଙ୍କ ମତରେ ଏସବୁ ହେଉଛି ଯମୁନା ଜଳରେ ସୃଷ୍ଟି ହେଉଥିବା ଗୋଏଲଡିଚିରୋନୋମୋସ୍‌ ନାମକ ଏକ ମାଛର ମଳ ଯୋଗୁଁ ତାଜ ମହଲରେ ଏବେ ଅନେକ କଳା ଓ ସବୁଜ ରଙ୍ଗର ଦାଗ। ଯମୁନା ନଦୀର ଜଳ ପୂର୍ବରୁ କମ୍‌ ପ୍ରଦୂଷିତ ହୋଇଥିଲା। ସେହି ସମୟରେ କେବଳ ଏପ୍ରିଲ ଓ ଅକ୍ଟୋବର ମାସରେ ଏହି ସବୁଜ ରଙ୍ଗର ମାଛିମାନେ କାହୁଁ ଆସି ତାଜ ମହଲକୁ ଅଳିଆ କରୁଥିଲେ। ଏବେ କିନ୍ତୁ ଯମୁନା ଜଳ ଏତେ ପରିମାଣରେ ପ୍ରଦୂଷିତ ହୋଇଗଲାଣି ଯେ ଏ ପ୍ରକାର ମାଛିଗୁଡ଼ିକ ଯମୁନା ଓ ତାଜ ମହଲର ସ୍ଥାୟୀ ବାସିନ୍ଦା ହୋଇଗଲେଣି। ଯମୁନା ଯେତେବେଳେ ଶୁଦ୍ଧ ଓ ପବିତ୍ର ଥିଲା ସେତେବେଳେ ପ୍ରବହମାନ ଜଳରେ ପହଁରି ବୁଲୁଥିବା କେତେ ପ୍ରକାର ମାଛ ଏ ମାଛିମାନଙ୍କର ବଂଶବୃଦ୍ଧିରେ ବାଧକ ସାଜିଥିଲେ। ସେମାନେ ମାଛି ଓ ସେମାନଙ୍କ ଅଣ୍ଡାକୁ ଖାଇଦେଉଥିବାରୁ ଏଇ ସବୁଜ ମାଛିମାନଙ୍କର ବଂଶବିସ୍ତାର ମନ୍ଥର ଥିଲା। ସେମାନେ ତାଜ ମହଲ ଆସୁ ନଥିଲେ। ଏବେ କିନ୍ତୁ ଯମୁନା ଏତେ ପ୍ରଦୂଷିତ ଯେ ସେଇଠି ଏ ପ୍ରକାର ମାଛିମାନେ ଘର କରିଗଲେଣି। ଯମୁନା ପ୍ରଦୂଷଣ ଉପରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପ୍ରତି ଦିନ ଏହି ନଦୀକୁ ୮୦୭.୫୪ ନିୟୁତ ଲିଟର ଘରୋଇ ବା ସହର ନର୍ଦ୍ଦମା ଓ ୪୩.୮୦ ନିୟୁତ ଲିଟର ଶିଳ୍ପ ଆବର୍ଜନା ଛଡ଼ାଯାଉଛି। ଏଥିରୁ ଦୈନିକ ମାତ୍ର ୨୩୮.୫୧ ନିୟୁତ ଲିଟର ନର୍ଦ୍ଦମା ଜଳର ବିଶୋଧନ ପାଇଁ ସରକାରୀ ବ୍ୟବସ୍ଥା ରହିଛି। କିନ୍ତୁ ତାହା ବି ସବୁ ଦିନ କାମ କରେ ନାହିଁ। ଉତ୍ତର ପ୍ରଦେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ତରଫରୁ ଏହି ଗବେଷଣା ତଥ୍ୟ ସାର୍ବଜନିନ ହୋଇଛି। ଏବେ ଚିନ୍ତା, ପ୍ରସିଦ୍ଧ-ପ୍ରେମରର ପ୍ରତୀକ ବିଶ୍ବର ଏହି ଅନ୍ୟତମ ଆଶ୍ଚର୍ଯ୍ୟର ପ୍ରାଚୀନ ସୌନ୍ଦର୍ଯ୍ୟ କିପରି ସୁରକ୍ଷିତ ରହିବ? ସେଥିପାଇଁ ଯମୁନା ପୁଣି ଥରେ ଶୁଦ୍ଧ ଓ ପବିତ୍ର ହେବା ଦରକାର। ତାହା କିନ୍ତୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇର ଦାୟିତ୍ବାଧୀନ ନୁହେଁ। ଚିହ୍ନ ଛଡ଼େଇବା ପାଇଁ ଏଏସଆଇ ମଧ୍ୟ ତାଜ ମହଲକୁ ଅଧିକ ଘଷିମାଜି ପାରିବ ନାହିଁ। ସେପରି ହେଲେ ଶଙ୍ଖମର୍ମର ପ୍ରସ୍ତରଗୁଡ଼ିକ ଖଦଡ଼ ହୋଇଯିବ ଓ ସେଥିରେ ପୂର୍ବରୁ ଥିବା ଚିତ୍ର ସବୁ ଲିଭିଯିବ!

Share :