ଇସ୍ପାତ ଚାହିଦା ନାହିଁ! ଉତ୍ପାଦନ କ୍ଷମତା କମ୍‌! ବ୍ୟାବସାୟିକ ଦୁର୍ନୀତି!

ଇସ୍ପାତ ଚାହିଦା ନାହିଁ! ଉତ୍ପାଦନ କ୍ଷମତା କମ୍‌! ବ୍ୟାବସାୟିକ ଦୁର୍ନୀତି!

Share :

ଦେବେନ୍ଦ୍ର ପୃଷ୍ଟି ଧରା ପଡ଼ିଛି ନବୀନ ସରକାରଙ୍କର ଦୁର୍ନୀତିମୂଳକ ଅଭିସନ୍ଧି ଓ ଅପାରଗ ପଣିଆର ଶିଳ୍ପାୟନ। ରାଜ୍ୟକୁ ବିଶ୍ବ ଇସ୍ପାତ ଶିଳ୍ପର କେନ୍ଦ୍ରସ୍ଥଳ କରିବାର ପ୍ରଚାର ଚଳେଇଥିବା ନବୀନ ସରକାରଙ୍କ ଅମଳରେ ହିଁ ଗୋଟିଏ ପରେ ଗୋଟିଏ ଇସ୍ପାତ କାରଖାନା ବନ୍ଦ ହୋଇଚାଲିଛି। ଅନେକ କାରଖାନା ମଧ୍ୟ ସେମାନଙ୍କ ଉତ୍ପାଦନ କ୍ଷମତାଠାରୁ କମ୍‌ ଉତ୍ପାଦନ କରୁଛନ୍ତି। ଏ ସଂପର୍କରେ ପ୍ରଶ୍ନ ହେବାରୁ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ଯେ ଇସ୍ପାତ କାରଖାନା ଚାଲୁ ରହିବା ଓ ବନ୍ଦ ରହିବା ମୁଖ୍ୟତଃ ସାଂପ୍ରତିକ ବଜାର ଚାହିଦା ଉପରେ ନିର୍ଭର କରେ। କାରଖାନାଗୁଡ଼ିକର ଉତ୍ପାଦନର ପରିମଣ ହ୍ରାସ ଓ ତାହାର ଉତ୍ପାଦନ କ୍ଷମତା ମୁଖ୍ୟତଃ କମ୍ପାନୀ ପରିଚାଳିତ ନିଷ୍ପତ୍ତି ଓ ବାଜର ଚାହିଦା ଉପରେ ନିର୍ଭର କରେ। ଏହାର ଅର୍ଥ ମନ୍ତ୍ରୀ ପରୋକ୍ଷରେ ସ୍ବୀକାର କରିଛନ୍ତି ଯେ ସାଂପ୍ରତିକ ବଜାରରେ ଏବେ ଇସ୍ପାତର ଚାହିଦା ନାହିଁ। ତେଣୁ ରାଜ୍ୟରେ ୧୨ଟି ଇସ୍ପାତ କାରଖାନା ବନ୍ଦ ହୋଇଯାଇଥିବାବେଳେ ୩୦ଟି କାରଖାନା ସେମାନଙ୍କ କ୍ଷମତା ଅନୁସାରେ ଉତ୍ପାଦନ କରୁ ନାହାନ୍ତି। ଏଥିରେ ‘ଇସ୍ପାତ କେନ୍ଦ୍ର’ ସଫଳ ହେବ କେମିତି? ତଥାପି ଚାଲିଛି ନିଯୁକ୍ତି ନାମରେ ଇସ୍ପାତ-ଦୌଡ଼ ଓ ରାଜସ୍ବ ନାମରେ ଖଣି ନିଲାମ। ୨୦୧୯ ଜୁଲାଇ ୨୨ ତାରିଖରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କର ଅଣତାରକା ପ୍ରଶ୍ନ ସଂଖ୍ୟା ୧୫୭୮ର ଉତ୍ତର ଦେଇ ମନ୍ତ୍ରୀ ଯାହା କହିଛନ୍ତି ସେଥିରୁ ସଂପୃକ୍ତ ଶିଳ୍ପସଂସ୍ଥା ସହିତ ରାଜ୍ୟ ସରକାରଙ୍କର ଅସାଧୁ ସଂପର୍କ ରହିଥିବା ସନ୍ଦେହ ସୃଷ୍ଟି ହୁଏ। କାରଖାନାଗୁଡ଼ିକ ବନ୍ଦ ହେଲା ପରେ ସେସବୁ କାରଖାନାକୁ ଦିଆଯାଇଥିବା ସୁବିଧାସବୁ ପ୍ରତ୍ୟାହୃତ ହୋଇନି କାହିଁକି? ଯେଉଁ ଶିଳ୍ପସଂସ୍ଥା ବନ୍ଦ ହୋଇଯାଇଛି ଯଦି ତାହାକୁ କ୍ୟାପ୍ଟିଭ ବା ଉତ୍ସର୍ଗୀକୃତ ଖଣି ଦିଆଯାଇଥିଲା ତାହା ପ୍ରତ୍ୟାହୃତ ହୋଇନି କାହିଁକି? ଅଧିକ ଉତ୍ପାଦନ କରିବେ ବୋଲି ଦର୍ଶାଇ ରାଜ୍ୟ ସରକାରଙ୍କଠାରୁ ବିପୁଳ ଫାଇଦା ପାଇଥିବା ଅନ୍ୟ ଅନେକ ସଂସ୍ଥା କମ୍‌ ଉତ୍ପାଦନ କରିବା ରହସ୍ୟଜନକ ନୁହେଁ କି? ଏଭଳି କୌଶଳ ଜରିଆରେ ସେମାନେ କମ୍‌ ନିଯୁକ୍ତି ଦେବା ସହିତ ଅଧିକ କଞ୍ଚାମାଲ କିଣି ତାହାକୁ କାରଖାନାରେ ନଲଗାଇ ଚୋରା ବଜାରରେ ବିକ୍ରି କରି ବେଆଇନ ଭାବେ ଅଧିକ ମୁନାଫା ଉଠାଉ ନାହାନ୍ତି କି? ମନ୍ତ୍ରୀଙ୍କୁ ଏବେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେବାକୁ ହେବ। ବିରୋଧୀ ଦଳ ମୁଖ୍ୟ ସଚେତକ ଥିବା ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନ ଥିଲା, ଇସ୍ପାତ ଖଣି ମନ୍ତ୍ରୀ ଅନୁଗ୍ରହ କରି କହିବେ କି ରାଜ୍ୟରେ ପ୍ରତିଷ୍ଠିତ ଇସ୍ପାତ କାରଖାନା ମଧ୍ୟରୁ କେଉଁ କେଉଁ କାରଖାନା କେବେଠାରୁ ବନ୍ଦ କରହିଛି, ବନ୍ଦ ରହିବାର ପ୍ରମୁଖ କାରଣ କ’ଣ? କେଉଁ କାରଖାନାର ମାଲିକାନା ସତ୍ତ୍ବ ଅନ୍ୟ ସଂସ୍ଥାକୁ ହସ୍ତାନ୍ତର ହୋଇଛି ଏବଂ କେଉଁ କେଉଁ ପ୍ରମୁଖ କାରଣ ଯୋଗୁଁ କେଉଁ କେଉଁ କାରଖାନା ଅଦ୍ୟାବଧି ମୂଳ ଉତ୍ପାଦନ କ୍ଷମତା ହାସଲ କରିପାରି ନାହାନ୍ତି? ବନ୍ଦ ରହିଥିବା ଓ ମାଲିକାନା ସତ୍ତ୍ବ ହସ୍ତାନ୍ତର ପ୍ରକ୍ରିୟା ଏବଂ ଉତ୍ପାଦନ ହ୍ରାସ ଯୋଗୁଁ କେଉଁ କେଉଁ କାରଖାନାରେ କେତେ ସଂଖ୍ୟକ କର୍ମଚାରୀ ଚାକିରି ହରାଇଛନ୍ତି? ସେମାନଙ୍କର ଥଇଥାନ ପାଇଁ ନିର୍ଦ୍ଦିଷ୍ଟ କି କି ବ୍ୟବସ୍ଥା କରଯାଇଛି ଓ କ’ଣ କରିବାକୁ ଯାଉଛନ୍ତି? ଏହି ଦୀର୍ଘ ପ୍ରଶ୍ନର ଉତ୍ତର ଅତି ସଂକ୍ଷେପରେ ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ରାଜ୍ୟରେ ବନ୍ଦ ରହିଥିବା ଇସ୍ପାତ କାରଖାନାଗୁଡ଼ିକର ଏକ ତାଲିକା ଓ ଅଧିକ ଉତ୍ପାଦନ କ୍ଷମତା ଦର୍ଶାଇ କମ୍‌ ଉତ୍ପାଦନ କରୁଥିବା କାରଖାନାର ଏକ ତାଲକା ଦେଇ ସେ କହିଛନ୍ତି ଯେ ଇସ୍ପାତ କାରଖାନା ଚାଲୁ ରହିବା ଓ ବନ୍ଦ ରହିବା ମୁଖ୍ୟତଃ ସାଂପ୍ରତିକ ବଜାର ଚାହିଦା ଉପରେ ନିର୍ଭର କରେ। ଉପଲବ୍ଧ ତଥ୍ୟ ଅନୁଯାୟୀ ଯାଜପୁର କଳିଙ୍ଗନଗରର ଦୀନବନ୍ଧୁ ଷ୍ଟିଲ ଅଣ୍ଡ ପାୱାର ଲିମିଟେଡ଼, କେନ୍ଦୁଝର ବଡ଼ବିଲ ନିକଟସ୍ଥ ଉଲିବୁରୁର ବିକେ ଷ୍ଟିଲ ଆଣ୍ଟ ପାୱାର ଲିମିଟେଡ଼, ଢେଙ୍କାନାଳର ଭୂଷଣ ଷ୍ଟିଲ ଲିମିଟେଡ଼ର ମାଲିକାନା ସତ୍ତ୍ବ ଅନ୍ୟ ସଂସ୍ଥାକୁ ହସ୍ତାନ୍ତର ହୋଇଛି। ଯେଉଁସବୁ କାରଖାନା ଅଦ୍ୟାବଧି ମୂଳ ଉତ୍ପାଦନ କ୍ଷମତା ହାସଲ କରିପାରି ନାହାନ୍ତି ସେମାନଙ୍କର ଏକ ତାଲିକା ଦେଇ ମନ୍ତ୍ରୀ କହିଛନ୍ତି ଯେ କାରଖାନାଗୁଡ଼ିକର ଉତ୍ପାଦନର ପରିମାଣ ହ୍ରାସ ଓ ତାହାର ଉତ୍ପାଦନ କ୍ଷମତା ମୁଖ୍ୟତଃ କମ୍ପାନୀ ପରିଚାଳିତ ନିଷ୍ପତ୍ତି ଓ ବଜାର ଚାହିଦା ଉପରେ ନିର୍ଭର କରେ। ବନ୍ଦ ରହିଥିବା ଓ ମାଲିକାନା ସତ୍ତ୍ବ ହସ୍ତାନ୍ତର ହୋଇଥିବା କମ୍ପାନୀଗୁଡ଼ିକର କର୍ମଚାରୀ ଛଟେଇ ହୋଇଥିବା ତଥ୍ୟ ତାଙ୍କ ବିଭାଗ ନଜରକୁ ଆସିନାହିଁ। (ଆଖି ବନ୍ଦ କରି ଦୁଧ ପିଇଲେ ଅନ୍ୟ ଘଡ଼ାରୁ କିଏ ଘିଅ ପିଇଲା ତା’ କ’ଣ ଦେଖାଯାଏ?) ମନ୍ତ୍ରୀଙ୍କ ପ୍ରଦତ୍ତ ତାଲିକାରୁ ଜଣାପଡ଼େ ଯେ ରାଉରକେଲା ଚାଦ୍ରିହରିହରପୁରର ଆଧୁନିକ ମେଟାଲିକ୍ସ କାରଖାନା ୨୦୧୮-୧୯ ବର୍ଷର ପ୍ରଥମ ତିନି ମାସ ମଧ୍ୟରେ ବନ୍ଦ ହୋଇଯାଇଛି। ସେହିପରି ଝାରସୁଗୁଡ଼ାର ପାଣ୍ଡିପଥର ଓ ମାରାକୁଟାର ଆକ୍ସ ଇସ୍ପାତ ଆଣ୍ଟ ପାୱାର କାରଖାନା ୧୦୧୬ ଅକ୍ଟୋବର ପହିଲାର ବନ୍ଦ ହୋଇଯାଁଇଛି। ବଡ଼ବିଲ ଟୋପିଡିହର ଦୀପକ ଷ୍ଟିଲ ଆଣ୍ଡ ପାୱାର ୨୦୧୩-୧୪ରୁ ବନ୍ଦ ରହିଛି। ଝାରସୁଗୁଡ଼ା ଦୁରିଆଗାର ଜୈନ ଷ୍ଟିଲ ଆଣ୍ଡ ପାୱାର ୨୦୧୨ଜ ୁଲାଇ ୩ ତାରିଖରୁ ବନ୍ଦ ରହିଛି। କଟକ ଖୁଣ୍ଟୁଣି ନିକଟସ୍ଥ ମାହେଶ୍ବରୀ ଇସ୍ପାତ କାରଖାନା ୨୦୧୧ ଅଗଷ୍ଟ ମାସରୁବନ୍ଦ ହୋଇଯାଇଛି। ଝାରସୁଗୁଡ଼ା ମାରାକୁଟାର ଏମଏସପି ମେଟାଲିକ୍ସ କାରଖାନା ୨୦୧୬ ଡିସେମ୍ବର ୧୨ ତାରିଖରୁ ବନ୍ଦ। କେନ୍ଦୁଝର ପଳାସପଙ୍ଗାର ଓଡ଼ିଶା ସ୍ପଞ୍ଜ ଆଇରନ ଆଣ୍ଡ ଷ୍ଟିଲ କାରଖାନା ୨୦୧୨ ଜୁନ ମାସରୁ ବନ୍ଦ। ସମ୍ବଲପୁର ପଟାପାଲିର ରାଠି ଷ୍ଟିଲ ଆଣ୍ଡ ପାୱାର କାରଖାନା ୨୦୧୪ ମାର୍ଚ୍ଚ ୩୦ ତାରିଖରୁ ବନ୍ଦ। ଝାରସୁଗୁଡ଼ା ଲହଣ୍ଡାବୁଡ଼ର ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସର ଇଷ୍ଟର୍ଣ୍ଣ ଷ୍ଟିଲ ଆଣ୍ଡ ପାୱାର କାରଖାନା ୨୦୧୫ ଜାନୁଆରୀ ୮ ତାରିଖରୁ ବନ୍ଦ। ଝାରସୁଗୁଡ଼ା କୁକୁରଜାଙ୍ଗ ଓ ବଡ଼ମାଳର କଙ୍କାଷ୍ଟ ଷ୍ଟିଲ ଆଣ୍ଡ ପାୱାର ୨୦୧୭ ଜାନୁଆରୀ ପହିଲାରୁ ବନ୍ଦ। କେନ୍ଦୁଝର ଲୋଇଡ଼ାପଡ଼ାର ଶ୍ରୀ ମେଟାଲିକ୍ସ ୨୦୧୬-୧୭ରୁ ଏବଂ ସମ୍ବଲପୁର ଲପଙ୍ଗାର ଓରିଅନ ଇସ୍ପାତ ୨୦୧୦-୧୧ ବର୍ଷରୁ ବନ୍ଦ ହୋଇଯାଇଛି। ପ୍ରଥମ ପ୍ରଶ୍ନ ହେଉଛି, ଚାହିଦା ନଥିବା କାରଣରୁ ଯଦି ଏତେ ଇସ୍ପାତ କାରଖାନା ବନ୍ଦ ହେଲା ରାଜ୍ୟରେ ପୁଣି ଅଧିକ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ନବୀନ ସରକାର କାହିଁକି ଆହୁରି ଅନେକ ଶିଳ୍ପ ସଂସ୍ଥାକୁ ଜଙ୍ଗଲ ଉଜାଡ଼ି ଜମି, ଜଳ ଓ ଖଣି ସୁବିଧା ଦେଇଚାଲିଛନ୍ତି? ଦ୍ବିତୀୟ ପ୍ରଶ୍ନ ହେଉଛି, ଏହି ତାଲିକାରେ କେତେ କାରଖାନା ପ୍ରକୃତରେ ଇସ୍ପାତ ଉତ୍ପାଦନ କରୁଥିଲେ? ନା ଏସବୁ ଯାକ ସ୍ପଞ୍ଜ ଲୁହା କାରଖାନା ଥିଲେ? ମନ୍ତ୍ରୀ ସ୍ପଞ୍ଜ ଲୁହା ଓ ଇସ୍ପାତ ମଧ୍ୟରେ ପାର୍ଥକ୍ୟ ଜାଣନ୍ତି ନାହିଁ କି? ପ୍ରଶ୍ନର ଦ୍ବିତୀୟ ଭାଗର ଉତ୍ତର ବାବଦରେ ମନ୍ତ୍ରୀ ଯେଉଁ ତାଲିକା ଦେଇଛନ୍ତି ସେଥିରୁ ଜଣାପଡ଼ୁଛି ଯେ ସରକାରୀ ହିସାବରେ ୩୦ଟି କାରଖାନା ଏଯାଊଁ ମୂଳ ଉତ୍ପାଦନ କ୍ଷମତା ହାସଲ କରିନାହାନ୍ତି। କାରଖାନାଗୁଡ଼ିକ ହେଲେ ଆରତୀ ଷ୍ଟିଲ, ଆକ୍ସନ ଇସ୍ପାତ, ଆଧୁନିକ ମେଟାଲିକ୍ସ, ଅର୍ଯ୍ୟାନ ଇସ୍ପାତ ଆଣ୍ଡ ପାୱାର, ବ୍ରାଣ୍ଡ ଷ୍ଟିଲ ଆଣ୍ଡ ପାୱାର, ବିଆରଜି ଆଇରନ ଆଣ୍ଡ ଷ୍ଟିଲ, କଙ୍କାଷ୍ଟ ଷ୍ଟିଲ, କ୍ରାକର୍ସ ଇଣ୍ଡିଆ ଆଲୟଜ, ଏସ୍‌ସାର ଷ୍ଟିଲ, ଜୟ ବାଲାଜୀ ଜ୍ୟୋତି ଷ୍ଟିଲ, ଜୈନ ଷ୍ଟିଲ, ମଇଥାନ ଇସ୍ପାତ, ଏମଜିଏମ ମିନେରାଲ୍ସ, ଏମଏସପି ମେଟାଲିକ୍ସ, ନରଭେରାମ ପାୱାର ଆଣ୍ଡ ଷ୍ଟିଲ (ପୂର୍ବନାମ ସ୍କ ଇଣ୍ଡଷ୍ଟ୍ରିଜ), ଓସିଏଲ ଆଇରନ ଆଣ୍ଡ ଷ୍ଟିଲ୍‌, ଓଡ଼ିଶା ସ୍ପଞ୍ଜ ଆଇରନ ଆଣ୍ଡ ଷ୍ଟିଲ, ପଟନାୟକ ଷ୍ଟିଲ ଆଣ୍ଡ ଆଲୟଜ, ରୁଙ୍ଗଟା ମାଇନ୍ସ, ଶ୍ରୀଜଗନ୍ନାଥ ଷ୍ଟିଲ୍ସ ଆଣ୍ଡ ପାୱାର (ପୂର୍ବନାମ ବିକେ ଷ୍ଟିଲ ଆଣ୍ଡ ପାୱାର), ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି, ଏସଏମସି ପାୱାର ଜେନେରେସନ, ଶ୍ରୀ ମେଟାଲିକ୍ସ, ଟାଟା ଷ୍ଟିଲ, ବଜରଙ୍ଗ ଇସ୍ପାତ, ଭାସ୍କର ଷ୍ଟିଲ ଆଣ୍ଡ ଫେରୋ ଆଲୟଜ, ୟାଜଦାନୀ ପାୱାର ଆଣ୍ଡ ଷ୍ଟିଲ (ପୂର୍ବନାମ ଦୀନବନ୍ଧୁ ଷ୍ଟିଲ ଆଣ୍ଡ ପାୱାର), ଶ୍ରୀ ଗଣେଶ ମେଟାଲିକ୍ସ, ଶ୍ରୀ ମହାବୀର ଫେରୋ ଆଲୟଜ ଏବଂ ଟାଟା ସ୍ପଞ୍ଜ ଆଇରନ। ବିଶ୍ବ ଇସ୍ପାତ ବଜାରରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା, ଲୁହା ପଥରର ଦର, ଇସ୍ପାତ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, କୋଇଲା ଦର ଏବଂ କାରଖାନାଗୁଡ଼ିର ଆର୍ଥିକ ସଂକଟ ଆଦି ବିଭିନ୍ନ କାରଣ ଯୋଗୁଁ ଏସବୁ କାରଖାନା ସରକାରଙ୍କୁ ଦେଇଥିବା ମୂଳ କ୍ଷମତା ଅନୁସାରେ ଉତ୍ପାଦନ ନକରି ଯଥେଷ୍ଟ କମ୍‌ ଉତ୍ପାଦନ କରୁଛନ୍ତି। ଏ ସମସ୍ତ କାରଖାନା ମୂଳ କ୍ଷମତାର ଅଧା କିମ୍ବା ଏକ ଚତୁର୍ଥାଂଶ ଉତ୍ପାଦନ କରୁଛନ୍ତି। ଏତେ କାରଣ ଯୋଗୁଁ ଯଦି ଏତେ କାରଖାନା କ୍ଷମତା ଅନୁଯାୟୀ ଉତ୍ପାଦନ କରୁନାହାନ୍ତି ବା ପ୍ରସ୍ତାବ ଅନୁଯାୟୀ ଉତ୍ପାଦନ କ୍ଷମତା ବୃଦ୍ଧି କରୁ ନାହାନ୍ତି ତେବେ ରାଜ୍ୟରେ ପୁଣି ଅଧିକ ଇସ୍ପାତ କାରଖାନାର ଆବଶ୍ୟକତା କେତେ? ଯଦି ରାଜ୍ୟରେ ଅଧିକ ଇସ୍ପାତ କାରଖାନାର ଆବଶ୍ୟକତା ରହିଛି ତେବେ ବୁଝିବାକୁ ହେବ ଯେ ବିଶ୍ବ ବଜାରରେ ଇସ୍ପାତର ଚାହିଦା ଅଛି। ନହେଲେ କିଏ କାହିଁକି କାରଖାନା ଖୋଲିବ? ଯଦି ଏହା ସତ ତେବେ ବୁଝିବାକୁ ହେବ ଯେ ଉପରୋକ୍ତ କାରଖାନାଗୁଡ଼ିକ ବନ୍ଦ ହେବା କିମ୍ବା କମ୍‌ ଉତ୍ପାଦନ କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି। ଅଧିକ ଉତ୍ପାଦନ କ୍ଷମତା ପାଇଁ ବଡ଼ କାରଖାନା କରିବାକୁ ହେବ ବୋଲି ଦର୍ଶାଇ ଅଧିକ ଜମି, ଜଳ ଓ ଖଣିଜ ପଦାର୍ଥ ବା ଖଣି ନେବା ପରେ କାରଖାନା ବନ୍ଦ କରି ଖଣିଜ ପଦାର୍ଥ ବିକ୍ରି କରାଯାଇ ପାରିବ ଓ ଜମି ବନ୍ଧକ ରଖି ଋଣ ଉଠାଇ ଅନ୍ୟ ବ୍ୟବସାୟ ବା ବ୍ୟକ୍ତିଗତ ସଂପତ୍ତି କିଣାରେ ବିନିଯୋଗ କରାଯାଇ ପାରିବ। ଆଉ ଯଦି ସତରେ ଇସ୍ପାତର ଚାହିଦା ନାହିଁ ତେବେ ବୁଝିବାକୁ ହେବ ଯେ ରାଜ୍ୟରେ ନୂଆ ଇସ୍ପାତ କାରଖାନା କରିବାକୁ ଜମି, ଜଳ ଓ ଖଣି ଇତ୍ୟାଦି ନେବାକୁ ଆଗ୍ରହ ପ୍ରକାଶ କରୁଥିବା ସଂସ୍ଥାଗୁଡ଼ିକର ଅସାଧୁ ଉଦ୍ଦେଶ୍ୟ ରହିଛି। ସେମାନଙ୍କୁ ସେଥିରେ ସହଯୋଗ କରୁଥିବା ସରକାରଙ୍କ ଉଦ୍ଦେଶ୍ୟ ମଧ୍ୟ ମହତ ନୁହେଁ। ସେ ଯାହା ବି ହେଉ, ସରକାରଙ୍କର ଏଇ ମନ୍ଦ-ବ୍ୟବସାୟ ମଧ୍ୟରେ ସ୍ଥାନୀୟ ଲୋକମାନଙ୍କର ନିଯୁକ୍ତି ଓ ରୋଜଗାରର ସ୍ବପ୍ନ ପାଣି ଫୋଟକା ଭଳି ମିଳେଇ ଯାଉଛି। ଅନେକ ସମୟରେ ଛଟେଇ ହେଉଥିବା କର୍ମଚାରୀର ଘରସଂସାର ଉଜୁଡ଼ି ଯାଉଛି। ତାହା ମଧ୍ୟ ସରକାର କିମ୍ବା ଶିଳ୍ପସଂସ୍ଥାଙ୍କ ନଜରକୁ ଆସୁନାହିଁ।

Share :