ନାରୀ

ନାରୀ

ସଂଘମତ୍ରା ଦଳେଇ ଆଶ୍ଚର୍ଯ୍ୟ ହେବାର କଣ ଅଛି? ଅତ୍ୟାଚାରିତ ହୁଏ ବୋଲି, ସହିଛି ବୋଲି ତ ସେ ନାରୀ! ନହେଲେ ତୁଳସୀ ଦାସ ସାହସ କେମିତି କରି ଥାଆନ୍ତେ ଲେଖିବାକୁ ଢୋଲ୍‌, ଗଓ୍ବର, ଶୁଦ୍ର, ପଶୁ, ନାରୀ ତାଡ଼ନ କେ ଅଧୀକାରୀ। ସେ ମୁହଁ ଖୋଲିଲେ ଆଶ୍ଚର୍ଯ୍ୟଚକିତ ଦୁନିଆଁ ଆଁ କରି ଅନାଏ- ସତେ ଯେମିତି ସପ୍ତାଶ୍ଚାର୍ଯ୍ୟ ପରେ ଆଉ ଏକ ଆଶ୍ଚର୍ଯ୍ୟ ମିଶିଗଲା ପରି- ନାଲି ଆଖି ଆଗୁଂଠି ଦେଖାଏ ଚୁପ୍ କରିଦିଏ କହେ ରହିବାକୁ ଡରିମରି। ନାରୀ! ଆଧୁନିକତାର ମାୟା ଜାଲରେ ଗୁଡ଼ାଇ ହୋଇ ନିଜ ଅଧପତନକୁ ଜାବୁଡି ଧରେ- ବୁଝି ପାରେନି କି ନା ନ ବୁଝିବାର ଅଭିନୟ କରେ ଜାଣି ହୁଏନି। ପଣ୍ୟ ହୋଇ ଯାଏ- କେବେ ଦେହ, କେବେ ମନ। ଆଘାତକୁ ବା ପଚାରେ କିଏ? ତିଳତିଳ କରି ଦିଏ ନିଜକୁ ସାରି। ନାରୀ! ସର୍ତ୍ତରେ ବଂଚେ, ଅନେକ ସର୍ତ୍ତ ଜୀବନର ପ୍ରତି ଧାଡ଼ିରେ ସର୍ତ୍ତମାନଙ୍କ ଗହଳି। ତୁଣ୍ଡ ଖୋଲିଲେ ବିଦ୍ରୋହଣୀର ଫଳକ ଝୁଲାଏ ବେକରେ। ଆଗରେ ସମ୍ମାନ କେତେ ଫୁଲ ତୋଡ଼ା ପ୍ରଶଂସାପତ୍ର, ପଛରେ ଅସମ୍ମାନର ହଜାର ଧାଡ଼ି! ପାଟି ନ ଖୋଲିଲେ ଯେ ସମ୍ନାନ ମିଳେ ତାହା ବି ତ ଅମୂଳକ- ସର୍ବନିମ୍ନ ସମ୍ମାନ ତକ ହରାଏ। ଦ୍ରୌପଦି କେବଳ ପଶାପାଲିରେ ବିଛେଇ ହୋଇ ଯାଏ ନାହିଁ- ତୁଚ୍ଛ ପଦାର୍ଥ ପରି ଭାଗ ବାଣ୍ଟି ହୋଇଯାଏ ପଂଚ ପତିଠାରେ। ଅନ୍ଧ ଧୃତରାଷ୍ଟ୍ର କ’ଣ, ଏଠି ତ ସ୍ବାମୀ ଅନୁଗାମୀ ନାଁରେ ଗାନ୍ଧାରୀ ବି ଅନ୍ଧ। ଜାଣି ଥିବେ ବୋଧେ ଏଠି ଆଖି ଖୋଲିଲେ ପୁତ୍ରମୋହ ତ୍ୟାଗ କରିବାକୁ ପଡ଼ିବ, ସହଜ ବାଟ ସ୍ବାମୀ ଅନୁଗାମୀ ନାମରେ ହୋଇ ଯିବା ଅନ୍ଧ। ନାରୀ! ନା ସେ କାହାରି ଅରୀ ନା କାହାର ସେ ବଇରି! କିନ୍ତୁ ପ୍ରତି ପାଦରେ ତା’ର ଜଣେ ଜଣେ ଅଧିକାରୀ- ବାପା ଭାଇର ଭାଗ ସରିଲେ ସ୍ବାମୀ ପୁତ୍ରଠୁ ଆରମ୍ଭ ହେଉଥିବା ଏ ଯାତ୍ରା ଯୁଇରେ ସତେ ବା ଯାଏ ସରି। ନିଜ ସ୍ବାର୍ଥକୁ ଦେଖୁ ନଥିବା ମଣିଷଟି କେମିତି କେଜାଣି ମୋହରେ ପଡ଼ିଯାଏ ସ୍ରଷ୍ଟା ସୃଷ୍ଟି ସାଥୀର ସ୍ବାର୍ଥ ଏତେ ଓଜନ ହୁଏ ଯେ ଗାନ୍ଧାରୀ ଅନ୍ଧୁଣି ପାଲଟି ଯାଏ। ନ୍ୟାୟକୁ ଭଲ ପାଉଥିବା ମା’ଟି ପଦାର୍ଥ ପରି ଜୀବନ୍ତ ବହୂକୁ ପାଂଚ ପୁଅରେ ବାଣ୍ଟି ଦିଏ। ତଥାପି ଧୂର୍ତ୍ତ ସମାଜ ଜନ୍ମାନ୍ଧ ଧୃତରାଷ୍ଟ୍ରକୁ ଦୋଷ ଦିଏ। ତୁଚ୍ଛ ରଜକର ଅଶିକ୍ଷିତ କଥାରେ ସୀତା ନିଜ ସତୀତ୍ବ ପ୍ରଜାମଣ୍ଡଳୀରେ ପରଖାନ୍ତି, ତଥାପି ପୁରୁଷୋତ୍ତମଙ୍କ ପୁରୁଷତ୍ବର ଅଂହ ଆଗରେ ନାରୀ ଧୁଳିସାତ, ତଡ଼ିପାର ହୋଇଯାଏ ଗର୍ଭବତୀ ସତୀ, ଆତ୍ମବଳିରେ ସରିଯାଏ ଜୀବନ। କାହିଁକି ନା ଏଠି ସବୁ ଗାନ୍ଧାରୀ- ଜାଣି ଜାଣି ଅନ୍ଧ। କେବେ ପିତା ମୋହ କେବେ ପୁତ୍ର ମୋହ, ଆଉ କେବେ ଜୀବନ ସାଥୀର ମୋହ। ଗରଳ ପିଏ, ନୀଳକଣ୍ଠ ସାଜେ ତୁଚ୍ଛ ମୋହରେ। ଆଦର୍ଶ ନାରୀ ନାଁରେ ନିଜ ଅସ୍ତିତ୍ବ ଲିଭାଏ। ହେବ ନାହିଁ ହେବ ନାହିଁ ନାରୀ ନାମ ସାର୍ଥକ, ଯେ ପର୍ଯ୍ୟନ୍ତ ଆଖିରେ ପୋଟଳି ବନ୍ଧାଥିବ, ସାଜିଥିବ ତୁମେ ଗାନ୍ଧାରୀ! ନ ହେଉ ପଛେ ନିଜ ସୁଖ, ଆତ୍ମୀୟ ସ୍ବାର୍ଥରେ ଦେଖୁଥିବ ନାରୀ ନାରୀର ଦୁର୍ଗତି। ଉଠ, ନିଜକୁ ସମ୍ମାନ କର, ସତୀ ନାମରେ ଦିଅ ନାହିଁ କି ନିଅ ନାହିଁ ପରୀକ୍ଷା କି ଆତ୍ମବଳି। ତୀକ୍ଷ୍ଣ କର ସ୍ବର, ଅନ୍ୟାୟ ଅତ୍ୟାଚାରକୁ ପ୍ରତିହତ କର। କେହି ରହିବେନି ବଇରି। ଗଛ ଟିଏ ହୁଅ, ଫୁଲ ଫଳ ଦିଅ, ନିର୍ମୂଳୀ ଲତାର କାୟା ତ୍ୟାଗ କରି। ସେ ଦିନ ହୋଇବ ତୁମେ ସତରେ ନାରୀ। ବ୍ରହ୍ମପୁର, ଗଞ୍ଜାମ।

Share :