ଅନ୍ନପାଳର ଆତ୍ମହତ୍ୟା

ଅନ୍ନପାଳର ଆତ୍ମହତ୍ୟା

Share :

ଦେବେନ୍ଦ୍ର ପୃଷ୍ଟି   କିଏ କେତେ ପୋଷାକ ପିନ୍ଧିବେ ନୂଆ କିଏ କେତେ ଫୁଟାଇବେ ବାଣ ପିଠାପଣା କେତେ ହେବ କାହା ଘରେ ରଙ୍ଗୋଲି ଓ ଝୋଟିଚିତା କେତେ ନୂଆ ନୂଆ   ବାଡ଼ି ପଟ ବାଉଁଶ ବୁଦାରେ ପୁଅ ଆଖି ଭର୍ତ୍ତି ଲୁହ ଆଉ ଛାତି ଭର୍ତ୍ତି କୋହ ତାଙ୍କ ସ୍କୁଲ ପିଅନର ପୁଅ ସହ ସେ କିଆଁ ହେଲାନି ସରି, କୁହ ବାପା କୁହ?   ସେ କ’ଣ ଜାଣିଛି କେତେ କଠିନ ତା’ ପ୍ରଶ୍ନର ଉତ୍ତର? ତା’ ନିରୀହ ଜୀବନର ସରଳ ସ୍ବପ୍ନରେ ସେ କ’ଣ ଦେଖିଛି ରୂପ ସତ ଦୁନିଆର?   ଯେଉଁ ବୋଝ ଲୁଚେଇ ରଖିଛି ତା’ଠୁଁ ବରଷ ବରଷ ଦୁଃଖ ଯନ୍ତ୍ରଣାର ପୁରୁଣା ଜୀବନ ଚିରାଫଟା ଅଖାବସ୍ତା ଭିତରେ ସନ୍ଧିକି ସେଥିରୁ ଫଳୁନି ଧାନ, କେବଳ ଅଗାଡ଼ି ମାଟି ସାଙ୍ଗେ ମାଟି ହେଲେ ବି ତ’ ଝଲମଲ ସହରର ମାୟା ବଜାରରେ, କାରଖାନା ଧୂଆଁରେ କ’ଣ ଗଜା ହୁଏ ଜୀବନର ବୀଜ?   ଋଣ ଯେଉଁ ସାର ନାଁ, କରଜର କଳନ୍ତର ଅମଳ କରାଏ ଶେଷ ତା’ର କେଉଁ ନିଦାନରେ? ଇନ୍ଦ୍ରର ବାରିଧାର, ଚନ୍ଦ୍ରର ଉନ୍ମାଦ କିରଣ? ଅବା କେଉଁ ଶାସନର ନିର୍ଜୀବ ଖାତାରେ? ୟୁରିଆ, ଫଲିଡ୍ରନ, ଲଙ୍ଗଳ ଦଉଡ଼ି? ପତ୍ନୀର ଫୁର୍ତାଫୁର୍ତା ପଣତ କାନିରେ ଅବା ସନ୍ତାନର ଅସରନ୍ତି ଅଳିଅର୍ଦ୍ଦଳିରେ?   କେଉଁଠି ସମାଧି ନେବ ଅନ୍ନପାଳ? ରାଜନୀତି ରାସ୍ତାରେ ନା ଅର୍ଥନୀତି ଜଟିଳ ଅଙ୍କରେ? ସାକ୍ଷୀ ଏଇ ମାଟି, ଏଇ ପାଣି, ଏ ପବନ ଏଇ ନିଆଁ ଉଦରର, ଶୂନ୍ୟଶୂନ୍ୟ ମହାଶୂନ୍ୟ ମନ ଯିଏ ଯହୁଁ ଆସିଥିଲ ସବୁ ଫେରି ଯାଅ, ଶୁଖିଯାଉ ମୋ ବାବୁ ସିଲଟ, ସଫା ରହୁ, ସେଠି ସେ କଷିବ ଅଙ୍କ ତା’ର ଶୈଶବର ।

Share :