ଅଳନ୍ଧୁ ଭିତରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଅଳନ୍ଧୁ ଭିତରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

ଡକ୍ଟର ରାଜେନ୍ଦ୍ର ନାରାୟଣ ଦାସ ବୟସ ହେଲେ ଗୁଡ଼ାଏ କଥା ଅନ୍ୟ ଆଗରେ କହି ପକାଇବାକୁ ଅନେକ ମଣିଷ ହାଇଁପାଇଁ ହୋଇପଡ଼ନ୍ତି। ଏଇ ପ୍ରବନ୍ଧଟି ଲେଖିଲା ବେଳକୁ ମୋର ଅବସ୍ଥା ସେହିପରି। ମୋତେ ଲାଗୁଛି ଯେଉଁ ଜୀବନ ମୁଁ ବଞ୍ଚିଛି ସେଥିରେ ମୁଁ ପ୍ରଚୁର ଅନୁଭୂତି ଅର୍ଜିଛି ଓ ତାକୁ ଅନ୍ୟମାନଙ୍କ ଆଗରେ କିପରି କହି ପକାନ୍ତି। ଏଇ ମାସ ୧୨ ତାରିଖରେ ‘ସଂସ୍କୃତି ମନ୍ତ୍ରୀଙ୍କ ବିଭାଗୀୟ କାର୍ଯ୍ୟକ୍ରମ ସମୀକ୍ଷା: ଖୁବ୍ ଶୀଘ୍ର ପୂରଣ କରାଯିବ ଖାଲିଥିବା ପଦବୀ’ ଶୀର୍ଷକ ଲେଖାଟିଏ ଗୋଟିଏ ଖବର କାଗଜରେ ପ୍ରକାଶ ପାଇଥିଲା। ଲେଖାଟି ପଢ଼ି ଚମକି ପଡ଼ିଲି। ଆଉ ଗୋଟିଏ ଅଗ୍ରଣୀ ଖବର କାଗଜ ଲେଖିଥିଲା- ମନ୍ତ୍ରୀ ସମୀକ୍ଷା କଲେ, ଫଳ ନେଇ ଆଶଙ୍କା। ସିଧା ସିଧା କହିଲେ ଏପରି ନିରାଶାର ବାଣୀ ଯେ କୌଣସି ସଂସ୍କୃତିପ୍ରେମୀ ତଥା ସଚେତନ ନାଗରିକର ମନକୁ ଆନ୍ଦୋଳିତ କରିଥିବ। ଗଣମାଧ୍ୟମରେ (ଆଉ ମଧ୍ୟ) ପ୍ରକାଶ ପାଇଥିଲା- ସଂସ୍କୃତି ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି, ୪ଟି ଏକାଡେମୀର ଖାଲିଥିବା ପଦବୀ ଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଏହି ନିର୍ଦ୍ଦେଶ ମନ୍ତ୍ରୀ କାହାକୁ ଦେଲେ? ପଦବୀ ପୂରଣ କରିବା ଦାୟିତ୍ୱ କାହାର? ନିଯୁକ୍ତି ପ୍ରକ୍ରିୟା କାହିଁକି ଅହେତୁକ ବନ୍ଦ ହେଉଛି? ଏହାକୁ ତ୍ୱରାନ୍ୱିତ କରିବାରେ କେଉଁଠି ବାଧା ରହୁଛି? କିଏ ବାଟ ଓଗାଳୁଛି? (ସମ୍ୱାଦ, ୧୨.୭.୧୯)। ଅନେକ ଉତ୍ପୀଡ଼କ ପ୍ରଶ୍ନ ଗୁଡ଼ିଏ ସତରେ। ନୂଆ ନୂଆ ମନ୍ତ୍ରୀ ହୋଇଛନ୍ତି, ଦୁଇ ମାସ ବି ପୂରି ନାହିଁ। ମନ୍ତ୍ରୀଙ୍କ ପକ୍ଷରେ ପ୍ରଶ୍ନ ଗୁଡ଼ିକର ଉତ୍ତର ସହଜ ହେବ ନାହିଁ। ଯଦିବା ପ୍ରକୃତ ଉତ୍ତର ଦେବେ ତେବେ ତାଙ୍କର ପରମ ସମ୍ମାନନୀୟ ତୃତୀୟ ମହଲାରେ ତାଙ୍କ ପାଇଁ ବ୍ୟକ୍ତିଗତ ସମସ୍ୟା ଉପୁଜିପାରେ। ଜାଣି ଜାଣି ମନ୍ତ୍ରୀ ମହୋଦୟ କାହିଁକି ବା କାଦୁଅରେ ଗୋଡ଼ ପୂରାଇବେ? ତେଣୁ ଏଇ ଲେଖକ ଏଇ ପ୍ରବନ୍ଧରେ ଉତ୍ତରଗୁଡ଼ିକ ଲିପିବଦ୍ଧ କରିବାକୁ କିଛି ମାତ୍ର ପ୍ରୟାସ କରିଛି। ସରକାର ତ ନୂଆ ନୁହନ୍ତି, ସେଇ ମୁଖିଆ ସେହି ଦଳ। ତେଣୁ ସେଇ ତୃତୀୟ ମହଲା ମଧ୍ୟ। ଏପରି ପରିସ୍ଥିତିରେ ଯୁବ ମନ୍ତ୍ରୀ ମାନ୍ୟବର ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସଂସ୍କୃତି ବିଭାଗର ଦାୟିତ୍ୱ ନେଇ କ’ଣ ଯେ କରିପାରିବେ ତାହା ସମୟ ହିଁ କହିବ। ବିଭାଗୀୟ କାର୍ଯ୍ୟକ୍ରମ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ମହୋଦୟ ଭବିଷ୍ୟତ ପାଇଁ ଅନେକ କଥା କହିଛନ୍ତି ଯାହା ସମ୍ୱାଦପତ୍ରରେ ପ୍ରକାଶ ପାଇଛି। ସେଥିରୁ ମନେହୁଏ, ଓଡ଼ିଆ ଭାଷା ଓ ସାହିତ୍ୟ ନିମନ୍ତେ ତାଙ୍କର ଅନେକ ସ୍ୱପ୍ନ ଅଛି। କିନ୍ତୁ ଏ ସ୍ୱପ୍ନଗୁଡ଼ିକୁ ପୂରଣ କରିବ କିଏ? ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ? ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ? ଏମାନଙ୍କର ରାତି ଆଉ ବେଶୀ ଲମ୍ୱା ନାହିଁ। ମନ୍ତ୍ରୀଙ୍କର ସବୁ ବିଭାଗରେ ମୁଖ୍ୟ ପଦପଦବୀଗୁଡ଼ିକ ବର୍ଷ ବର୍ଷ ଧରି ଫାଙ୍କା ପଡ଼ିଛି। ଏଇ ସମ୍ପର୍କରେ କେତେଗୁଡ଼ିଏ ତଥ୍ୟ ମାନ୍ୟବର ମନ୍ତ୍ରୀଙ୍କର ଅଗବତି ପାଇଁ ନିମ୍ନରେ ଅବତାରଣା କରୁଛି। ବ୍ୟକ୍ତିଗତ ଭାବରେ କହିବାକୁ ଏଇ ଲେଖକର ସୁଯୋଗ ନାହିଁ। ତାପରେ ମୋ କଥାକୁ ମନ୍ତ୍ରୀ ମହୋଦୟ କାହିଁକି ବା ଗୁରୁତ୍ୱ ଦେବେ? ଭବିଷ୍ୟତରେ ମୁଁ ତାଙ୍କର କ’ଣ ଉପକାର କରିପାରିବି? ୨୦୧୮ ମସିହାର ଆରମ୍ଭରେ ପୁରୀରେ ବସିଥିବା କ୍ୟାବିନେଟ୍ କମିଟିର ଏକ ସ୍ୱତନ୍ତ୍ର ବୈଠକରେ ଓଡ଼ିଶା ସରକାର, ସଂସ୍କୃତି ବିଭାଗକୁ ଅଲଗା କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ନାମରେ ନାମିତ କଲେ। ସରକାରଙ୍କ ତରଫରୁ କୁହାଗଲା, ନବୀନ ସରକାର କୁଆଡ଼େ ଓଡ଼ିଆ ଭାଷା ଓ ସାହିତ୍ୟକୁ ଗୁରୁତ୍ୱ ଦେଉଛନ୍ତି। ଏହା କୁଆଡ଼େ ସରକାରଙ୍କର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଆନ୍ତରିକତାର ଏକ ନିଦର୍ଶନ। କିନ୍ତୁ ମନେହୁଏ, ନବୀନ ସରକାରର ଏହା ଏକ ନିର୍ବାଚନୀ ଚାଲ ଥିଲା। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ଏବଂ ଭାଷାପ୍ରେମୀଙ୍କର ନିରନ୍ତର ଚର୍ଚ୍ଚା ଓ ଆନ୍ଦୋଳନ କିଛି ବର୍ଷ ହେଲା ଭାଷା ପାଇଁ ସଚେତନାକୁ ତୀବ୍ର କରିଥିଲା। ଭାଷାପ୍ରେମୀଙ୍କ କଳାପତାକା ଶୋଭାଯାତ୍ରା ଇତ୍ୟାଦି ଇତ୍ୟାଦି କାର୍ଯ୍ୟକ୍ରମକୁ ଶିଥିଳ କରିବାକୁ ରାଜ୍ୟ ସରକାର ସଂସ୍କୃତି ବିଭାଗର ନାମ ବଦଳାଇ ଓଡ଼ ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କରିଦେଲେ। କିନ୍ତୁ କୌଣସି ଆଖିଦୃଶିଆ ପଦକ୍ଷେପ ନେଲେ ନାହିଁ। ସଂସ୍କୃତି ବିଭାଗ ଯେତେ ଯାହା କଲେ ମଧ୍ୟ, ରାଜନୀତି ଚାପରେ ଦୀର୍ଘକାଳ ଧରି ଅସହାୟତା ବୋଧ କରୁଛି ବୋଲି ସଚେତନ ମହଲର ମତ। ଏଇ ବିଭାଗ ସରକାରଙ୍କ ଏଜେଣ୍ଡାର ପ୍ରମୁଖତା କେବେ ପାଇ ନଥିଲା ଏବେ ବି ପାଉନାହିଁ। ସରକାରଙ୍କ ଏଜେଣ୍ଡାର ପ୍ରମୁଖତା ବିଜୁ ପୂଜା ଏବଂ ଶ୍ରେଷ୍ଠ ଓ ଆଦର୍ଶର ପୂଜା। ପାଞ୍ଚ ବର୍ଷ ତଳେ (୧୧ ମାର୍ଚ୍ଚ, ୨୦୧୪ରେ) ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲା। ସେତେବେଳେ ସରକାର ବହୁ ବାହାସ୍ଫୋଟ ମାରିଲେ। ବିଜୁ ଜନତା ଦଳ ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତାକୁ ଏକ ନିର୍ବାଚନୀ ପ୍ରସଙ୍ଗ କଲା। ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ କରିଦେଲେ, ବାହାବା ନେଲେ। କିନ୍ତୁ ଏଇ ପାଞ୍ଚ ବର୍ଷ ଭିତରେ ସରକାର କରିଛି କ’ଣ? ଏହାର ଉତ୍ତର ନିଜେ ଖୋଜନ୍ତୁ, ପାଇଯିବେ। ଏ ବିଷୟରେ ଫୁଲେଇ ଫେଣେଇ ଲେଖିବାର ଆବଶ୍ୟକତା ନାହିଁ। ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ଗଠିତ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ସଂପ୍ରତି ଦିଗହରା। ଉଭୟ ଅନୁଷ୍ଠାନରେ କର୍ମକର୍ତ୍ତାଙ୍କ ସ୍ଥିତି ସରକାରୀ ଅବହେଳାର ପ୍ରମାଣ। ଏକାଡେମୀର ସଭାପତିଙ୍କ କାର୍ଯ୍ୟକାଳ ପୂରି ଯାଇଥିଲେ ମଧ୍ୟ ସେ ପଦବୀରେ ରହି ନୂଆ କେହି ସଭାପତି ଆସିବାକୁ ଅନିର୍ଦ୍ଦିଷ୍ଟ କାଳ ଅପେକ୍ଷା କରିଛନ୍ତି। ଉପସଭାପତି, ସଚିବ ପଦ ଖାଲି। ସଂଗ୍ରହାଳୟର ଅଧିକାରୀଙ୍କୁ ଅଧିକାରୀ / ଭାରପ୍ରାପ୍ତ ଦାୟିତ୍ୱ ଦେଇ ସଚିବ କାର୍ଯ୍ୟ ଚାଲିଛି। ଦିନ ଥିଲା ଯେତେବେଳେ କୌଣସି ଏକ ପଦବୀ ପାଇଁ ଯୋଗ୍ୟ ଲୋକ ଖୋଜା ଯାଉଥିଲା। କିନ୍ତୁ ଏବେ ଏକ ଦୁର୍ନୀତିଗ୍ରସ୍ତ ଲୋକ ପାଇଁ ପଦପଦବୀ ସୃଷ୍ଟି କରାଯାଉଛି। ଏହାର ଉଦାହରଣ ଅନେକ। ତା’ପରେ ଏପରି ଦାୟିତ୍ୱପୂର୍ଣ୍ଣ ପଦବୀ ପାଇଁ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଖୋଜି ଥଇଥାନ କରିଥାନ୍ତି। ସେମାନଙ୍କର ଦାୟିତ୍ୱବୋଧ ନ ଥାଏ। ଓଡ଼ିଶା ସାହିତ୍ୟ ଏକାଡେମୀ ବିଗତ ଚାରିବର୍ଷ ଧରି ବିଭିନ୍ନ କାରଣରୁ ସମାଲୋଚିତ ହୋଇ ଆସିଛି। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ସ୍ଥାୟୀ ନିର୍ଦ୍ଦେଶକ କେହି ନାହାନ୍ତି। ଜଣେ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ମାଧ୍ୟମରେ ୩ ବର୍ଷରୁ ଊର୍ଦ୍ଧ୍ୱକାଳ କାମ ଚଳେଇ ନିଆଯାଇଛି। ଇତିମଧ୍ୟରେ ଏକାଡେମୀରୁ ଅବସର ନେଇଥିବା ସମସ୍ତ କର୍ମଚାରୀ ପଦବୀ ଖାଲି। ଭାଷା ପ୍ରତିଷ୍ଠାନରେ ସ୍ଥାୟୀ କର୍ମଚାରୀ କେହିନାହାନ୍ତି। ବିଚିତ୍ର କଥା ସଙ୍ଗୀତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଭାଷା ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦ୍ଦେଶକ ହୋଇଥିବାବେଳେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କାମ ଚଳାଉଛନ୍ତି। ଉପରୋକ୍ତ ସଂକ୍ଷିପ୍ତ ବିବରଣୀରୁ ସ୍ପଷ୍ଟ ଯେ ବିଭାଗୀୟ ପ୍ରଶାସନିକ ତତ୍ପରତା ବା ଉଦ୍ୟମ ସତ୍ତ୍ବେ ରାଜ୍ୟ ସରକାରଙ୍କ ଏଜେଣ୍ଡାରେ ଭାଷା- ସାହିତ୍ୟ ପ୍ରମୁଖତା ନ ଥିବାରୁ, ବହୁଚର୍ଚ୍ଚିତ ତୃତୀୟ ମହଲାର ମର୍ଜିରେ ଚାଲୁଥିବା ସରକାରଙ୍କ ପାଇଁ ଓଡ଼ିଆ ଭାଷା ଏକ ଭକୁଆ ଭାଷାରେ ପରିଣତ ହୋଇଯାଇଛି। ସବୁପ୍ରକାର ଅସହାୟତା ବା ଅନନ୍ୟୋପାୟତା ସତ୍ତ୍ବେ ସଂସ୍କୃତି ବିଭାଗ ନିଜ ସିଙ୍ଗରେ ମାଟି ତାଡ଼ି ଯାହା କିଛି କରିଛି ତାହା ସ୍ୱାଗତଯୋଗ୍ୟ। ରାଜ୍ୟ ସରକାରଙ୍କର କମିଶନର ତଥା ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କେବଳ ଆୟକର ବିଭାଗର ଜଣେ ଉଚ୍ଚ ଅଧିକାରୀ ନୁହନ୍ତି, ସେ ଜଣେ ଭଲ ପାଠକ ଓ ସାହିତ୍ୟାନୁରାଗୀ ମଧ୍ୟ। ସେ ଜଣେ ସର୍ବାଦୃତ ବ୍ୟକ୍ତି। ନୂଆ କୁଳପତି ପ୍ରଫେସର କମଳକାନ୍ତ ମିଶ୍ରଙ୍କ ନିଯୁକ୍ତି ପୂର୍ବରୁ ସେ ପାଞ୍ଚ ମାସ କାଳ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଥିଲେ। ସଂସ୍କୃତି ବିଭାଗରେ ଭିନ୍ନ ଭିନ୍ନ ସ୍ଥାନରେ ଫାଙ୍କା ପଦବୀ ଯୋଗୁଁ ମୋଟ ଉପରେ ରାଜ୍ୟ ସଂସ୍କୃତି ବିଭାଗ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ଏହା ମୋତେ ବିଚଳିତ କରୁନାହିଁ। ଜାନକୀ ବାବୁ ଓ ବିଜୁବାବୁଙ୍କ ସମୟରୁ ଆରମ୍ଭ କରି ଏଯାବତ୍ ଏଇ ଲେଖକ ଅଧିକାଂଶ ସଂସ୍କୃତି ମନ୍ତ୍ରୀ, ସଂସ୍କୃତି ସଚିବ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସମସ୍ତ ସଭାପତି ଓ ସଚିବମାନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିଛି। ସଂସ୍କୃତି ବିଭାଗକୁ ଆଧାର କରି କେତେକେତେ ଯେ ପ୍ରବନ୍ଧ ମୁଁ ଲେଖିଛି ତାହା ମୋର ମନେ ନାହିଁ। ଏଇ ପରିପ୍ରେକ୍ଷୀରେ କହିଲେ ଏଇ ପ୍ରବନ୍ଧକୁ କିଏ ବା ଗୁରୁତ୍ୱ ଦେବ? ଆଜିକାଲି ସମୟ ବଦଳି ଗଲାଣି। ‘ସମ୍ୱାଦପତ୍ରଗୁଡ଼ିକ ନିଜକୁ ଯେତେ ଶକ୍ତିଶାଳୀ ମାଧ୍ୟମ ବୋଲି ଭାବିଲେ ମଧ୍ୟ ସେଥିରେ ପ୍ରକାଶିତ ଯେ କୌଣସି ଅଭିଯୋଗକୁ ସରକାର କୌଣସି ଗୁରୁତ୍ୱ ଦେଉନାହାନ୍ତି କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଏଣୁ ଗଣମାଧ୍ୟମର ଗୁରୁତ୍ୱ ଏକଦମ୍ କମିଯାଇଛି।’ (ମୋ ନିଜ ଲେଖା- ଗଣମାଧ୍ୟମ ଓ ଗଣତନ୍ତ୍ର, ସୂର୍ଯ୍ୟପ୍ରଭା, ୫ ଜାନୁଆରୀ, ୨୦୧୯)। କଥାରେ ଅଛି କେତେ ହଳିଆ ଗଲେଣି ରହିଛି ବିଲ, କେତେ ଘରୁଆ ଗଲେଣି ରହିଛି ଘର। ସେମିତି କେତେ ସଂସ୍କୃତି ମନ୍ତ୍ରୀ ଗଲେଣି ଓ ଯିବେ ଅଭିଶପ୍ତ ଓଡ଼ିଶା ସେମିତି ରହିଥିବ। ବିଚିତ୍ର ଏ ଓଡ଼ିଶା! ଗିଲ୍ବାଖ୍ ଷ୍ଟ୍ରାସେ ୯୫ଇ, ୪୧୪୬୬ ନଏସ୍, ଜର୍ମାନୀ E-Mail : drrajendradas.germany@gmail.com

Share :