ପୁଣି ଥରେ ଯନ୍ତ୍ରାଦେଶ? ଇଭିଏମ୍‌ ହେରଫେର ସମ୍ଭବ!

ପୁଣି ଥରେ ଯନ୍ତ୍ରାଦେଶ? ଇଭିଏମ୍‌ ହେରଫେର ସମ୍ଭବ!

ଦେବେନ୍ଦ୍ର ପୃଷ୍ଟି ଜୁଲାଇ ୨୧ ତାରିଖରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଦଳୀୟ ସଂପାଦିକାଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ସଂପାଦକ ଦିଲ୍ଲୀପ ମଲ୍ଲିକ ଏବଂ ପ୍ରବକ୍ତା ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ। ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ଡକ୍ଟର ସାମନ୍ତସିଂହାର କହିଲେ ଯେ ନିର୍ବାଚନ ହାରିବା ଭୟ ଘାରିଥିବାରୁ ଶାସକ ବିଜେଡି ବେଆଇନ ଏବଂ ଅଗଣତାନ୍ତ୍ରିକ ଉପାୟରେ ପ୍ରତି ବୁଥରେ ଇଭିଏମ ହେରଫେର କରିଛି। ପ୍ରିଜାଡିଙ୍ଗ ଅଫିସରଙ୍କ ମାଧ୍ୟମରେ ଇଭିଏମ ମେସିନ ଟାମ୍ପରିଙ୍ଗଠୁ ଆରମ୍ଭ କରି ମେସିନ ବଦଳାଇବା ଆଦି କାର୍ଯ୍ୟ କରାଯାଇଛି। ଅନେକ ବୁଥରେ ରିଗିଂ ହୋଇଛି। ରିଟର୍ଣ୍ଣି ଅଫିସର ମଧ୍ୟ ଶାସକ ଦଳର ହାତବାରିସି ସାଜି କାର୍ଯ୍ୟ କରିଛନ୍ତି। ବୁଥ ଭିତରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ନଦେବା, ଜଙ୍ଗଲ ଭିତରେ ଇଭିଏମ ବଦଳାଇବା, ଇଭିଏମ ଭାଙ୍ଗିବା, ଇଭିଏମ ଖୋଲା ସ୍ଥାନରେ ରଖିବା ଆଦି ଘଟଣାର ଭିଡିଓ ପ୍ରମାଣ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ସବୁ ବେଆଇନ ଏବଂ ବେନିୟମ କାର୍ଯ୍ୟ ଶାସକ ଦଳ ଇଙ୍ଗିତରେ କରାଯାଛି। ସେ କହିଥିଲେ ଯେ, ପାଟକୁରାରେ ପ୍ରିଜାଡିଙ୍ଗ ଅଫିସର ନିରପେକ୍ଷ ଭାବେ ନିର୍ବାଚନ କରିନାହାଁନ୍ତି। ଭୋଟ ପୋଲିଂ ଚାଲିଥିବାବେଳେ ଅନେକ ସ୍ଥାନରେ ଉତ୍ତେଜନା ଦେଖାଦେଇଛି। ଅନେକ ବୁଥରେ ପ୍ରିଜାଇଡିଙ୍ଗ୍ ଅଫିସରମାନେ ଇଭିଏମ ମେସିନକୁ ଠିକ୍ ଭାବରେ ସିଲ୍ ନକରି ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍ ବଦଳାଇବାକୁ ଚେଷ୍ଟା କରିଛନ୍ତି। ଦୁଇଜଣ ପ୍ରିଜାଇଡିଙ୍ଗ୍ ଅଫିସର ଇଭିଏମ ଟ୍ୟାମ୍ପରିଙ୍ଗ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ବୁଲୁଛି। ୩୦୯ଟି ବୁଥରୁ ୩୦୭ଟି ବୁଥର ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ଯାଇଥିବାବେଳେ ଅନ୍ୟ ଦୁଇଟିର ଖବର ନାହିଁ। ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକର ୨୨୦ ନଂ ନାହାଳପୁର ବୁଥ ଏବଂ ୨୯୪ ନଂ ନଡିଆଗରେଇ ବୁଥର ଇଭିଏମ ଏପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମରେ ପହଂଚିନି। ଇଭିଏମଗୁଡିକୁ ବଦଳାଇ ବିଜେଡି ନିର୍ବାଚନ ଜିତିବା ପାଇଁ କସରତ ଚଲାଇଛି। ତାଙ୍କ ଅଭିଯୋଗ ଅନୁସାରେ ପାଟକୁରା ନିର୍ବାଚନରେ ନିୟୋଜିତ ପ୍ରିଜାଇଡିଂ ଅଫିସରମାନଙ୍କ ପାଖରେ ଅତିରିକ୍ତ ୧୦୦ ଇଭିଏମ୍ ଥିଲା ଯେଉଁ ମେସିନ୍ ଗୁଡିକ ମତଦାନ ପାଇଁ ଲାଗିବାର ନଥିଲା। କିନ୍ତୁ ଶାସକ ଦଳ ଚାପରେ ଏହି ମେସିନଗୁଡିକ ଅଣାଯାଇ ତା ମାଧ୍ୟମରେ ପ୍ରିଜାଇଡିଂ ଅଫିସର ଭୋଟ ହେରଫେର କରିଛନ୍ତି। ପାଟକୁରାରେ ଯେଉଁ ପ୍ରିଜାଇଡିଂ ଅଫିସରମାନେ ଅତିରିକ୍ତ ଇଭିଏମ୍ ରଖିଥିଲେ ତାହାର ନିରପେକ୍ଷ ତଦନ୍ତ ସହିତ ବୁଥଗୁଡିକରେ ଇଭିଏମ ହେରଫେର କରଥିବା ପ୍ରିଜାଇଡିଂ ଅଫିସର, ରିଟର୍ଣ୍ଣିଂ ଅଫିସରଙ୍କ ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଆୟୋଗ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ୨୨୦ ନଂ ଏବଂ ୨୯୪ ନଂ ବୁଥର ଇଭିଏମରେ ତଲାସ କରାଯାଇ ତଦନ୍ତ କରାଯାଉ ବୋଲି ଲେଖାଶ୍ରୀ ଦାବି କରିଛନ୍ତି। ପାଟକୁରା ନିର୍ବାଚନକୁ ନେଇ ରାଜ୍ୟ ବିଜେପି ଏହି ପ୍ରସଙ୍ଗ ଉଠାଇଥିଲେ ବି ୨୦୧୯ ସାଧାରଣ ନିର୍ବାଚନ ସମୟରେ ଓଡ଼ିଶାର ଅନେକ ଜିଲ୍ଲାରେ ଏପରି ଇଭିଏମ ବା ଏହା ଭିତରେ ଥିବା ମାଇକ୍ରୋଚିପ୍‌ ଅଦଳବଦଳ ହୋଇଥିବାର ଜନଶ୍ରୁତି ଶୁଣାଯାଏ। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଜିତିବେ ବୋଲି ସମସ୍ତେ କହୁଥିଲେ। ମାତ୍ର ସେ ଦେଢ଼ ଲକ୍ଷ ଭୋଟରେ ହାରିଲେ। ଏହା ପରେ କେତେ ଜଣ ଇଭିଏମ କଥା ଉଠେଇଥିଲେ। କିନ୍ତୁ ବୈଜୟନ୍ତ ଇଭିଏମ ଉପରେ ପୂର୍ଣ୍ଣ ଆସ୍ଥା ସ୍ଥାପନ କରି ଏକ ଟୁଇଟ୍‌ କରିଥିଲେ। ସେଥିରେ ସେ କହିଥିଲେ ଯେ ଇଭିଏମ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ବାସ ଅଛି। ତାଙ୍କ ପରାଜୟର କାରଣ ଭିନ୍ନ। ତେବେ ଜନଶ୍ରୁତି ଅନୁସାରେ ଫଣୀ ବାତ୍ୟା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଶାସନର କେତେକ ଉଚ୍ଚ ପଦସ୍ଥ ଅଧିକାରୀ ଇଭିଏମ କିମ୍ବା ଇଭିଏମର ଚିପ୍ସ ବଦଳାଇବାରେ ସନ୍ଦିଗ୍ଧ ଭୂମିକା ଗ୍ରହଣ କରିଥିଲେ। ଭୋଟ୍‌ ପରେ ଇଭିଏମ୍ ସବୁ ଷ୍ଟ୍ରଙ୍ଗ ରୁମ୍‌ରେ ଥିଲା। ଫଣୀ ବାତ୍ୟାରେ କେନ୍ଦ୍ରାପଡ଼ା ସହରର କିଛି ଉଡ଼ି ନଥିଲା। ଷ୍ଟ୍ରଙ୍ଗ ରୁମ୍‌ ପାଚେରୀ କିଛିଟା କ୍ଷତିଗ୍ରସ୍ତ ହୋଇଥିଲା। ତାହାର ମରାମତି ପାଇଁ ଜିଲ୍ଲାପାଳ, ଏସ୍‌ପି ଓ ଉପଜିଲ୍ଲାପାଳ ଏକାଥରକେ ଅଣ୍ଟା ଭିଡ଼ିଥିଲେ। ଦିନେ ୧୦-୧୨ ଜଣ ଅଫିସର ମାତ୍ର ଜଣେ ରାଜମିସ୍ତ୍ରୀକୁ ନେଇ ଷ୍ଟ୍ରଙ୍ଗ ରୁମ୍‌ ପାଚେରୀ ମରାମତି କରାଇଲେ। ସେହି ସମୟରେ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ପୂରାଇ ଦିଆଗଲା ନାହିଁ। ତା’ ଭିତରେ କ’ଣ ହେଲା କିଏ କହିବ? ବୈଜୟନ୍ତ ଅବଶ୍ୟ ଖୁସି ଯେ ୨୦୧୪ ତୁଳନାରେ ୨୦୧୯ରେ ବିଜେପି ସେଠାରେ ଢେର ଅଧିକ ଭୋଟ ପାଇଛି। ତେବେ ଜିତିଲେ ‘ବାଳୁଙ୍ଗା ଟୋକା’ ଅନୁଭବ ମହାନ୍ତି। ଏହା ପରେ କଣ୍ଟାବାଞ୍ଜି ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ୍‌ ଏକ ନିର୍ବାଚନ ମାମଲା ରୁଜୁ କଲେ। ସେଠାରୁ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ମାତ୍ର ୧୨୮ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ବାଗ୍‌ଙ୍କ ଅଭିଯୋଗ ହେଲା ଭୋଟ୍‌ ଦିନର ଭୋଟ୍‌ ସଂଖ୍ୟାଠାରୁ ଗଣତି ଦିନର ଭୋଟ୍‌ ସଂଖ୍ୟା ୮ ହଜାର ବଢ଼ିଯାଇଥିଲା। ଏହା କେମିତି ସମ୍ଭବ? ଭୋଟ ସରିଲା ପରେ କ’ଣ ଭୂତମାନେ ଇଭିଏମ୍‌ ଭିତରେ ପଶି ଭୋଟ୍‌ ଦିଅନ୍ତି କି? ଭୋଟ ଦିନ କଣ୍ଟାବାଞ୍ଜି ଭୋଟ୍‌ସଂଖ୍ୟା ଥିଲା ୧,୮୨,୪୧୧। କିନ୍ତୁ ଗଣତି ଦିନ ବାହାରିଲା ୧,୯୧,୦୭୭। ଏହା କିପରି ସମ୍ଭବ? କଣ୍ଟାବାଞ୍ଜିରେ ପୋଷ୍ଟାଲ୍‌ ବାଲାଟ୍‌ ବି ଏତେ ନଥିଲା। ଯାଜପୁର ଜିଲ୍ଲାରେ ମଧ୍ୟ ସମାନ ଭୂତଙ୍କ ଯୋଗୁଁ ଭୋଟ୍‌ସଂଖ୍ୟାରେ ଅନେକ ଏପଟସେପଟ ହୋଇଥିବା ସନ୍ଦେହ କରାଯାଉଛି। ଯାଜପୁରରେ ଭୋଟ ଗଣତି ପରେ ଜଣାପଡ଼ିଲା ଯେ ବିଧାୟକ ପ୍ରାର୍ଥୀମାନେ ପାଇଥିବା ଭୋଟ୍‌ଠାରୁ ସାଂସଦ ପ୍ରାର୍ଥୀମାନେ ପାଇଥିବା ଭୋଟ ୧୩ ହଜାର ଅଧିକ। ଲୋକେ କୁହାକୁହି ହେଲେ, ତା’ ମାନେ ୧୩ ହଜାର ଭୋଟର ବୁଥ୍‌କୁ ଯାଇଥିଲେ ମଧ୍ୟ କେବଳ ସାଂସଦ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦେଇ ଫେରି ଆସିଛନ୍ତି, ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ରେ ଭୋଟ୍‌ ଦେଇ ନାହାନ୍ତି। ଯାଜପୁର ଲୋକେ କ’ଣ ଏତେ ବୋକା? ଗଣତି ଅନୁସାରେ ଯାଜପୁରର ସାତଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀମାନେ ମୋଟ୍‌ ଉପରେ ୧୦,୭୨,୨୭୪ ଖଣ୍ଡ ଇଭିଏମ ଭୋଟ ପାଇଥିଲେ। ଅପରପକ୍ଷରେ ଏହିସବୁ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ ଯାଜପୁର ଲୋକସଭା ଆସନର ପ୍ରାର୍ଥୀମାନେ ପାଇଥିଲେ ମୋଟ ୧୦,୮୫,୮୪୮ ଖଣ୍ଡ ଇଭିଏମ ଭୋଟ୍। ଏ ସଂଖ୍ୟାରେ ନୋଟା ବି ଅନ୍ତର୍ଭୁକ୍ତ। ଏଠି ଯେଉଁ ଭୂତମାନେ ସାଂସଦ ପ୍ରାର୍ଥୀମାନଙ୍କୁ ଭୋଟ୍‌ ଦେଲେ ସେମାନେ ବିଧାୟକ ପ୍ରାର୍ଥୀମାନଙ୍କୁ କାହିଁକି ଭୋଟ୍‌ ଦେଲେ ନାହିଁ? ଭୋଟ ଗଣତି ଦିନ ଯାଜପୁରର ୧, ୭୧, ୭୫, ୮୨, ୧୩୩, ୨୦୧, ୨୧୫, ୨୪୭ ଓ ୨୫୨ ଆଦି ୯ଟି ଭୋଟକନ୍ଦ୍ରର ଭୋଟ ଗଣତି କରାଗଲା ନାହିଁ। ଏସବୁ ବୁଥ୍‌ର ମକ୍‌ ପୋଲିଂ ତଥ୍ୟ ନମିଳିବାରୁ ନିର୍ବାଚନ କମିଶନଙ୍କ ୨୧.୫ ୨୦୧୯ ତାରିଖର ୫୧/୮/୭/୨୦୧୯-ଇଏମ୍‌ପିଏସ୍‌ ଚିଠିର ପାରା ୩-କ (୧) ଅନୁସାରେ ଏସବୁ ବୁଥ୍‌ର ଇଭିଏମ ଗଣତି କରାଗଲା ନାହିଁ ବୋଲି ରିଟର୍ଣ୍ଣିଂ ଅଫିସର ମନ୍ତବ୍ୟ ଦେଇଥିବା ଚର୍ଚ୍ଚାକୁ ଆସିଛି। ଯଦି ବି ନିର୍ବାଚନ କମିଶନ ଏପରି ନିର୍ଦ୍ଦେଶ ଦେଇଥିବେ ତେବେ ସେଇ ଆଳରେ ଅସାଧୁ ଦଳ ଓ ଅସାଧୁ ଅଫିସରମାନେ ନିଜନିଜ ମଧ୍ୟରେ ମେଣ୍ଟ କରି ଜନମତକୁ ହଡ଼ପ କରିପାରିବେ ନା ନାହିଁ? ନଅଟା ଭୋଟ୍‌ କେନ୍ଦ୍ରର ଭୋଟ୍‌ ସଂଖ୍ୟା କ’ଣ କମ୍‌! ଯାଜପୁର ଜିଲ୍ଲାରେ ଭୋଟ ପରିଚାଳନା ଦାୟିତ୍ବରେ ପଡ଼ିଥିବା କେତେ ଜଣ ପ୍ରିଜାଇଡ଼ିଂ ଅଫିସର ଓ ପୋଲିଂ ଅଫିସରଙ୍କ ସହିତ ବାର୍ତ୍ତାଳାପ କରିବାର ସୁଯୋଗ ମିଳିଥିଲା। ସେମାନେ କହୁଥିଲେ, ଭୋଟ୍‌ ପରେ ଇଭିଏମ ସିଲ୍‌ କରି ଷ୍ଟ୍ରଙ୍ଗକ ରୁମ୍‌ରେ ଜିମା ଦେଇ ଫେରିବାର କେଇ ଦିନ ପରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଡକେଇ ପୁରୁଣା କାଗଜପତ୍ର ଠିକ୍‌ ନାହିଁ, ନୂଆ କାଗଜପତ୍ରରେ ଦସ୍ତଖତ କର ବୋଲି ନିର୍ଦ୍ଦେଶ ଦେଇଥିଲେ। ତଳିଆ କର୍ମଚାରୀମାନେ ଡରରେ ବରାଦମତେ ଦସ୍ତଖତ ଦେଇ ଘରକୁ ଫେରିଥିଲେ। ନୂଆ ଦସ୍ତଖତ କାହିଁକି ଦରକାର ହେଲା? ସିଲ୍‌ ଭାଙ୍ଗିବାକୁ? ଭୋଟ୍‌ ସଂଖ୍ୟା ବଦଳାଇବାକୁ? ଇଭିଏମ୍ ବଦଳାଇବାକୁ? ଖୋର୍ଦ୍ଧା ଜିଲ୍ଲାର ଜଣେ ପୋଲିଂ ଅଫିସର କହୁଥିଲେ, ସରକାର ଚାହିଁଲେ ଭୋଟ୍‌ ପରେ ବି ଇଭିଏମ୍‌ ବଦଳାଇ ପାରିବେ। କିନ୍ତୁ ସେଥିପାଇଁ ଅନେକ ଅସାଧୁ ଅଫିସର ଏକଜୁଟ ହେବା ଦରକାର। ଭୋଟ କେନ୍ଦ୍ରର ଦଳୀୟ ପ୍ରତିନିଧି ଓ ଭୋଟ ଗଣନା କେନ୍ଦ୍ରର ଦଳୀୟ ପ୍ରତିନିଧି ସମାନ ନଥାନ୍ତି। ଭୋଟ୍‌ ଗ୍ରହଣ କରିଥିବା ପ୍ରିଜାଇଡିଂ ଅଫିସର ଭୋଟ ଗଣନା ସମୟରେ ଦାୟିତ୍ବରେ ନଥାନ୍ତି। କିନ୍ତୁ ଭୋଟ୍‌ ଦିନର ରିଟର୍ଣ୍ଣିଂ ଅଫିସର ଗଣତି ଦିନ ବି ସେହି ଦାୟିତ୍ବରେ ଥାଆନ୍ତି। ନିର୍ବାଚନ କମିଶନ ଏକ ନିରପେକ୍ଷ ସଂସ୍ଥା ବୋଲି ବିଶ୍ବାସ କରାଯାଉ। ତେବେ ଏହି କମିଶନ କ’ଣ ଦେଶ ସାରା ନିର୍ବାଚନ କରାଇଥାନ୍ତି? କମିଶନ କହିଲେ ତିନି ଜଣ ଅଫିସର। ସାଧାରଣ ନିର୍ବାଚନ ପରିଚାଳନା କରନ୍ତି ରାଜ୍ୟ ସରକାରଙ୍କ ଅଧୀନସ୍ତ କର୍ମଚାରୀମାନେ। ନିର୍ବାଚନ ସମୟରେ ସେମାନଙ୍କଠାରୁ ନିରପେକ୍ଷତା ଆଶା କରାଯାଏ। ମାତ୍ର ସେମାନେ ଯଦି ଗୋଟିଏ ଦଳ ପ୍ରତି ଅନୁରକ୍ତ ଥିବେ ବା କୌଣସି ଦଳର କ୍ୟାଡର ଭାବେ କାମ କରୁଥିବେ ତେବେ? ଗୋଟିଏ ରାଜ୍ୟର ସମସ୍ତ ସଚିବ, ଜିଲ୍ଲାପାଳ, ଏସ୍‌ପି ଓ ଅନ୍ୟ ବଡ଼ ଅଫିସରମାନଙ୍କୁ ଅନ୍ୟ ରାଜ୍ୟକୁ ପଠାଇ ଅନ୍ୟ ରାଜ୍ୟର ଅଫିସରଙ୍କ ଆଣି ନିର୍ବାଚନ ପରିଚାଳନା କରିବାକୁ ନିର୍ବାଚନ କମିଶନଙ୍କର ଦମ୍‌ ଅଛି କି? ତା’ ନହେଲା ଯାଏଁ ଇଭିଏମ ଜରିଆରେ ଭୋଟ୍‌ ଜାଲିଆତି ସମ୍ଭବ। ଚୌକିଦାର ଯଦି ଚୋରି କରିବ ଧରିବ କିଏ? ଫଣୀ ପରେ ଇଭିଏମ ସ୍ଥାନାନ୍ତର କରିବା କେତେ ଆବଶ୍ୟକ ଥିଲା? ଷ୍ଟ୍ରଙ୍ଗ ରୁମ୍‌ ସବୁ କ’ଣ ଏତେ ଦୁର୍ବଳ ଥିଲା ଯେ ଫଣୀ ସେଠି ଥିବା ଇଭିଏମଗୁଡ଼ିକୁ ଓଦା କରିଦେଲା? ସେସବୁ କ’ଣ ଧାନବସ୍ତା ଥିଲା? ଇଭିଏମ ସବୁ ଉଚ୍ଚା ଉଚ୍ଚା ଟେବୁଲ୍‌ ବା ଲଙ୍ଗ ବେଞ୍ଚ୍‌ ଉପରେ ନଥିଲା କି? ଫଣୀରେ କେତେ ଷ୍ଟ୍ରଙ୍ଗ ରୁମ୍‌ର ଗୁଡ଼ିକର କାନ୍ଥ ଭାଙ୍ଗିଥିଲା? ପାଚେରୀ ଭାଙ୍ଗିଥିଲା ଯଦି ଦୁର୍ବଳ ‘ଷ୍ଟ୍ରଙ୍ଗ ରୁମ୍‌’ଗୁଡ଼ିକୁ କ’ଣ ସିଆରପିଏଫ/ସିଆଇଏସଏଫ ଜଗି ପାରିନଥାନ୍ତେ? ସେମାନେ ପରା ଦେଶ ଜଗୁଛନ୍ତି? ଦେଶର ସଂପତ୍ତି ଜଗୁଛନ୍ତି? ଇଭିଏମ ଜଗି ପାରିବେନି? ଉପା ସରକାର ଦାୟିତ୍ବରେ ଥିଲାବେଳେ ଭାରତୀୟ ଜନତା ପାର୍ଟି ତରଫରୁ ଇଭିଏମ୍‌କୁ ସନ୍ଦେହ କରାଯାଉଥିଲା। ଇଭିଏମ ଟ୍ୟାମ୍ପରିଂ ଜରିଆରେ ଭାରତୀୟ ଗଣତନ୍ତ୍ରକୁ ହଡ଼ପ କରାଯାଇ ପାରିବ ବୋଲି ଦଳ ତରଫରୁ ଅଭିଯୋଗ ହେଉଥିଲା। ସେତେବେଳେ ସୁବ୍ରମଣ୍ୟମ ସ୍ବାମୀ ଏ ନେଇ ମକଦ୍ଦମା କରିଥିଲେ। ଦଳୀୟ ପ୍ରବକ୍ତା ଜିଭିଏଲ ନରସିଂହା ରାଓ ଇଭିଏମ ବିରୋଧରେ ବହିଟିଏ ଲେଖିଥିଲେ ଯାହାର ଶୀର୍ଷକ ଥିଲା ଇଭିଏମ ଗଣତନ୍ତ୍ର ପ୍ରତି ବିପଦ। ଏବେ ବିଜେପି କେନ୍ଦ୍ର ସରକାରରେ ଥିବାରୁ ପୂର୍ବ ଅଭିଯୋଗର ପୁନରାବୃତ୍ତି ହେଉନାହିଁ। ଏବେ କଂଗ୍ରେସ ଏ ପ୍ରସଙ୍ଗ ଉଠାଇଛି। ଏପରିକି ରାହୁଳ ଗାନ୍ଧୀ ଇଭିଏମ ନହଟିଲା ଯାଏଁ ଦେଶରେ ସ୍ବଚ୍ଛ ଗଣତନ୍ତ୍ର ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି। କିନ୍ତୁ ୨୦୦୯ ବିଧାନସଭା ନିର୍ବାଚନ ସମୟରେ ଓଡ଼ିଶାର ଯେଉଁ କଂଗ୍ରେସ ନେତାମାନେ ଇଭିଏମ ଜାଲିଆତି ବୋଲି ଚିତ୍କାର କରୁଥିଲେ ସେମାନେ ବି ଏବେ ଚୁପ୍‌। ଜନମତ ହଡ଼ପ ହେଉଛି, ଏହା ସତ। ଜନାଦେଶ ଯନ୍ତ୍ରାଦେଶରେ ପରିଣତ ହେଉଛି, ଏହା ମଧ୍ୟ ସତ। କିନ୍ତୁ ନେତା ଓ ଦଳମାନଙ୍କର କିଛି ଯାଉନାହିଁ। କାରଣ ତଳ ବରଡ଼ା, ମଝି ବରଡ଼ା ଓ ଉପର ବରଡ଼ାଙ୍କ ଭିତରେ ବି କିଛି ସଂପର୍କ ରହିଯାଉଛି। ଜଣେ ଖସୁଥିଲେ, ଜଣେ ହସୁଥିଲେ ବି ଆର ଜଣକ ଜାଣିଛି ତା’ ବେଳକାଳ ଆସିବ। ତେଣୁ ସମସ୍ତ ଚୁପ୍‌।

Share :