ହଡ଼ପ ହେଉଛି ଜିଲ୍ଲା ଖଣିଜ ପାଣ୍ଠି

ହଡ଼ପ ହେଉଛି ଜିଲ୍ଲା ଖଣିଜ ପାଣ୍ଠି

Share :

ସ୍ବତନ୍ତ୍ର ପ୍ରତିନିଧି ଖଣି ଖନନ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଅନେକ କ୍ଷତି ହୋଇଥାଏ। ଜଙ୍ଗଲ ଓ ପରିବେଶର କ୍ଷତିଠାରୁ ଆରମ୍ଭ କରି ସ୍ଥାନୀୟ ଲୋକାମନଙ୍କର ଜୀବନ ଓ ଜୀବିକା ଉପରେ ମଧ୍ୟ ଖଣି କାର୍ଯ୍ୟର ନକାରାତ୍ମକ ପ୍ରଭାବ ପଡ଼ିଥାଏ। ସେମାନଙ୍କ ଅଭାବ ପୂରଣ କରିବା ସହିତ ସମସ୍ୟାର ସମାଧାନ କରି ଖଣି ଅଞ୍ଚଳର ନାନାବିଧ ବିକାଶ ପାଇଁ ଖଣି କମ୍ପାନୀଙ୍କ ଅର୍ଥରେ ଜିଲ୍ଲା ଖଣିଜ ପାଣ୍ଠି ଗଠନ କରିବାକୁ ଏମଏମଡିଆର ଆଇନରେ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଅନୁସାରେ ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଗଠନ କରାଯାଇଛି। ମୂଳତଃ ଖଣି ସମୃଦ୍ଧ ଜିଲ୍ଲାଗୁଡ଼ିକରେ ଏଭଳି ପାଣ୍ଠି ଗଠନ କରିବାର ବ୍ୟବସ୍ଥା ରହିଥିଲେ ବି ରାଜ୍ୟ ସରକାର ରାଜ୍ୟର ସବୁ ଜିଲ୍ଲାରେ ଏହି ପାଣ୍ଠି ଗଠନ କରିଛନ୍ତି। ତେବେ ଏହି ପାଣ୍ଠି ପରିଚାଳନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ଓଡ଼ିଶାରେ ଏହି ପାଣ୍ଠିକୁ ଶାସକ ଦଳର ଜିଲ୍ଲା ସ୍ତରୀୟ ନେତା ଓ ବାବୁମାନେ ନିଜର ହସ୍ତମୁଦି ମାହାଲ ଭାବେ ଖର୍ଚ୍ଚ କରୁଛନ୍ତି। କେଉଁଠି କ’ଣ ଦରକାର ତା’ ଉପରେ ଗୁରୁତ୍ବ ଦିଆ ନଯାଇ କେଉଁ କାର୍ଯ୍ୟରୁ ଅଧିକ ପର୍ସେଣ୍ଟ ବା କମିଶନ ମିଳିବ, କାହାର ଅଧିକ ଲାଭ ହେବ ସେଇ ହିସାବରେ ଏହି ପାଣ୍ଠିର ଟଙ୍କା ଖର୍ଚ୍ଚ କରାଯାଉଛି। ଅନେକ ସମୟରେ ଦୁର୍ନତିମୂଳକ ଉଦ୍ଦେଶ୍ୟ ରଖି ଖଣି ସମୃଦ୍ଧ ଜିଲ୍ଲାର ଖଣିଜ ପାଣ୍ଠି ଆବଶ୍ୟକ ସ୍ଥଳେ ଖର୍ଚ୍ଚ ନକରି ପକାଇ ରଖାଯାଉଛି। ଏନେଇ ହୋହାଲ୍ଲା ହେଲେ ଲୋକଙ୍କୁ ଭୁଆଁ ବୁଲେଇ ଏକାବେଳେକ ଟଙ୍କା ଖର୍ଚ୍ଚ କରି ଅଧିକ ଟଙ୍କା ହାତ ଚିକ୍କଣ କରିବାକୁ ଅଲିଖିତ ଯୋଜନା ହୋଇଛି। ପୂର୍ବରୁ ଏମିତି ଅନେକ ଅଭିଯୋଗ ଥିଲାବେଳେ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇଁ ଯୋଜନା ଓ ସଂଯୋଜନ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ସେଥିରୁ ମଧ୍ୟ ଏହି ପାଣ୍ଠିର ପରିଚାଳନାରେ ରହିଥିବା ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ୨୦୧୬-୧୭, ୨୦୧୭-୧୮ ଓ ୨୦୧୮-୧୯ ତିନି ବର୍ଷର ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚର ହିସାବ ଦେଇଛନ୍ତି। ସେଥିରୁ ଜଣାପଡ଼ିଛି ଯେ ଯେଉଁ କାର୍ଯ୍ୟ କରିବା ପାଇଁ ସରକାରଙ୍କର ବିଭିନ୍ନ ବିଭାଗରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ, ପାଣ୍ଠି ଓ ମାନବ ସମ୍ବଳ ରହିଛି ସେହିସବୁ ବାବଦରେ ଡିଏମଏଫ ବା ଖଣିଜ ପାଣ୍ଠି ମଧ୍ୟ ଖର୍ଚ୍ଚ କରାଯାଇଛି। ଗ୍ରାମାଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ରାଜ୍ୟ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଜରିଆରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ମୟୂରଭଞ୍ଜ, କୋରାପୁଟ ଆଦି ଜିଲ୍ଲାରେ ଡିଏମଏଫ ପାଣ୍ଠିରୁ କୋଟିକୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ କରାଯାଇଛି। ସବୁଠୁଁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ପାନୀୟ ଜଳ ପାଇଁ ଏହି ପାଣ୍ଠିର ଟଙ୍କା ଖର୍ଚ୍ଚ କରାଯାଇଛି। ଖଣି କାର୍ଯ୍ୟ ଯୋଗୁଁ ଜଙ୍ଗଲ ଓ ପରିବେଶର ବହୁବିଧ କ୍ଷତି ସାଧିତ ହୋଇଥାଏ। ଜଙ୍ଗଲ ଓ ପରିବେଶ ନଷ୍ଟ ହେଲେ ସ୍ଥାନୀୟ ଲୋକମାନେ ସିଧାସଳଖ କ୍ଷତିଗ୍ରସ୍ତ ହୋଇଥାନ୍ତି। କିନ୍ତୁ ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ନେଇ ଅନୁଗୁଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ବ୍ୟତିତ ଅନ୍ୟ କୌଣସି ଜିଲ୍ଲାରେ ଏ ପାଣ୍ଠିରୁ କିଛି ଅର୍ଥ ବିନିଯୋଗ କରାଯାଇ ନାହିଁ। ଜୀବିକା, ସଡ଼କ ସଂଯୋଗ, ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ, ଜଳସେଚନ, ଶକ୍ତି ଓ ଜଳଛାୟା ଆଦି କ୍ଷେତ୍ରରେ ଲୋକଙ୍କ କାମରେ ଲାଗିଲା ଭଳି ପ୍ରକଳ୍ପ ନିର୍ମାଣ କରାନଯାଇ ହଡ଼ପ ଉଦ୍ଦେଶ୍ୟରେ କେବଳ ନିର୍ମାଣ କାର୍ଯ୍ୟ କରାଯାଇଛି। ପୂର୍ବରୁ ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନଭିରନମେଣ୍ଟ ତରଫରୁ ହୋଇଥିବା ଏକ ସର୍ବେକ୍ଷଣରୁ ମଧ୍ୟ ଜଣାପଡ଼ିଥିଲା ଯେ ଓଡ଼ିଶାରେ ଜିଲ୍ଲା ଖଣିଜ ପାଣ୍ଠିର ୨୫ ପ୍ରତିଶତରୁ ଅଧିକ ଅର୍ଥ କେବଳ ନିର୍ମାଣ କାର୍ଯ୍ୟରେ ବ୍ୟୟ କରାଯାଇଛି। ଶିକ୍ଷା କ୍ଷେତ୍ରରେ ଯାହା ଖର୍ଚ୍ଚ କରାଯାଇଛି ତାହା ଭୁବନେଶ୍ବରର କେତେକ କୋଚିଂ ସେଣ୍ଟର ଓ ଘରୋଇ ମେଡିକାଲ କଲେଜକୁ ଫାଇଦା ଦେବା ପାଇଁ ଉଦ୍ଦିଷ୍ଟ ଥିବା ନେଇ ମଧ୍ୟ ପୂର୍ବରୁ ଅଭିଯୋଗ ରହିଛି। ଇଂଜିନିଅରିଂ ଓ ମେଡିକାଲ ଶିକ୍ଷା ପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନାମରେ ବିପୁଳ ଅର୍ଥ ହଡ଼ପ କରାଯାଇଥିବା ଅଭିଯୋଗ ଉପରେ ନିରପେକ୍ଷ ତଦନ୍ତ ହେଲେ ଜଣାପଡ଼ିବ ଯେ ଭୁବନେଶ୍ବରର କେଉଁ କୋଚିଂ ସେଣ୍ଟର ଓ କେଉଁ ଘରୋଇ ମେଡିକାଲ କଲେଜ କେଉଁ କେଉଁ ଜିଲ୍ଲାର ପିଲାଙ୍କ ନାମରେ କେଉଁ କେଉଁ ଜିଲ୍ଲାର ଖଣିଜ ପାଣ୍ଠି ଗ୍ରହଣ କରିଛନ୍ତି? ସେହି ଟଙ୍କାରେ ସଂପୃକ୍ତ ପିଲାମାନେ ଡାକ୍ତର ଓ ଇଂଜିନିଅର ହୋଇଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡ଼ିବ। ମହିଳା ଓ ଶିଶୁ କଲ୍ୟାଣ ପାଇଁ ସ୍ବତନ୍ତ୍ର ସରକାରୀ ବିଭାଗ ରହିଛି। ସେଥିପାଇଁ ସ୍ବତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ପ୍ରତିବର୍ଷ ବଜେଟରେ ହଜାର ହଜାର କୋଟି ଟଙ୍କାର ବ୍ୟୟ ମଞ୍ଜୁର ହୋଇଥାଏ। ତଥାପି ଏହି ପାଣ୍ଠିର ବିପୁଳ ଅର୍ଥ ଏ ବାବଦରେ ଖର୍ଚ୍ଚ କରାଯାଇଛି। ଅନେକ କ୍ଷେତ୍ରରେ ଗୋଟିଏ ପାଣ୍ଠିର ଜଣେ ହିତାଧିକାରୀଙ୍କୁ ଦୁଇଟି ପାଣ୍ଠିର ହିତାଧିକାରୀ ଦର୍ଶାଇ କୋଟିକୋଟି ଟଙ୍କା ହଡ଼ପ କରାଯାଇଥିବା ସନ୍ଦେହକୁ ଆସୁଛି। ସେହିପରି କେତେକ ଅଞ୍ଚଳରେ ପଞ୍ଚାୟତିରାଜ ଟଙ୍କାରେ ସଡ଼କ ନିର୍ମାଣ କରାଯାଇଥିଲେ ବି ଜିଲ୍ଲା ଖଣିଜ ପାଣ୍ଠିରେ ମଧ୍ୟ ସେ ହିସାବ ଯୋଡ଼ି ଦିଆଯାଇଛି। ଖଣି କ୍ଷତିଗ୍ରସ୍ତ ଇଲାକାରେ ଖଣି ପଟ୍ଟାଦାର କମ୍ପାନୀ ଡାକ୍ତରଖାନା ଖୋଲିବା କଥା। ସେଥିପାଇଁ ସେମାନେ ତାଙ୍କର ସିଏସଆର ପାଣ୍ଠି ବ୍ୟବହାର କରିପାରନ୍ତି। ନହେଲେ ଖଣି ଅଞ୍ଚଳରୁ ବିପୁଳ ରାଜସ୍ବ ସଂଗ୍ରହ କରୁଥିବା ରାଜ୍ୟ ସରକାର ଲୋକଙ୍କ ପାଇଁ ଡାକ୍ତରଖାନା ବ୍ୟବସ୍ଥା କରିବା କଥା। ମାତ୍ର, ଓଡ଼ିଶାର କେତେକ ଜିଲ୍ଲାର ଖଣିଜ ପାଣ୍ଠିରେ ମୋବାଇଲ୍‌ ମେଡିକାଲ ୟୁନିଟ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେ ବାବଦରେ ପୁଣି ମଧ୍ୟ ପ୍ରଦେଶ ଭୋପାଳର ଏକ ସ୍ବେଚ୍ଛାସେବୀ ସଂଗଠନକୁ ଅର୍ଥ ପଇଠ କରାଯାଇଛି। ଭୁବନେଶ୍ବରର ଏକ ନିର୍ଦ୍ଦିଷ୍ଟ ସ୍ବେଚ୍ଛାସେବୀ ସଂସ୍ଥା କେନ୍ଦୁଝରରେ ୩୦୦ ଏକର ଜମିରେ ଚାରା ରୋପଣ ନାମରେ ଲକ୍ଷଲକ୍ଷ ଟଙ୍କା ପାଉଣା ନେଇଛି। ଏ ଟଙ୍କା ବାସ୍ତବରେ କାର୍ଯ୍ୟରେ ଲାଗିଛି କି ନାହିଁ, ଲଗାଯାଇଥିବା ଚାରା ବଂଚିଛି କି ନାହିଁ ତାହା କେହି ତଦାରଖ କରିନାହାନ୍ତି। ଏସବୁ ସତ୍ତ୍ବେ କେତେକ ଜିଲ୍ଲାର ଖଣିଜ ପାଣ୍ଠିରେ କୋଟିକୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ବିଧାୟକ ମୋହନ ମାଝୀଙ୍କୁ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ ଏବେ ସୁଦ୍ଧା କେନ୍ଦୁଝର ଜିଲ୍ଳାରେ ପ୍ରାୟ ୨୪୮୪ କୋଟି ଟଙ୍କାର ଡିଏମଏଫ ପାଣ୍ଠି ପଡ଼ି ରହିଥିବାବେଳେ ସୁନ୍ଦରଗଡ଼ରେ ୧୧୮୯ କୋଟି ଓ ଅନୁଗୁଳରେ ୮୭୮ କୋଟି ଟଙ୍କା ପଡ଼ିରହିଛି। ସେହିପରି ଯାଜପୁରରେ ୫୯୬ କୋଟି, ଝାରସୁଗୁଡ଼ାରେ ୪୩୩ କୋଟି, କୋରାପୁଟରେ ୮୯ କୋଟି ଓ ମୟୂରଭଞ୍ଜରେ ୪୪ କୋଟି ଟଙ୍କା ପଡ଼ି ରହିଛି। ସିଏସଇ ସର୍ବେକ୍ଷଣରୁ ପୂର୍ବରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ଓଡ଼ିଶାର ଅନେକ ଖଣି ସମୃଦ୍ଧ ଅଞ୍ଚଳ ସମ୍ବିଧାନର ପଞ୍ଚମ ପରିଚ୍ଛଦ ଅନ୍ତର୍ଗତ ହୋଇଥିଲେ ହେଁ ସେଠାରେ ଏହି ପାଣ୍ଠି ଖର୍ଚ୍ଚ ନେଇ ଉପଯୁକ୍ତ ଆଇନକାନୁନ ଅନୁସରଣ କରାଯାଉ ନାହିଁ। ପଞ୍ଚମ ପରିଚ୍ଛଦ ଅଞ୍ଚଳରେ ପେସା ଆଇନ ଲାଗୁ ହେବା କଥା। ସେହି ଆଇନ ଅନୁସାରେ ସଂପୃକ୍ତ ଅଞ୍ଚଳର ଗ୍ରାମସଭାର ବିନା ଅନୁମୋଦନରେ କୌଣସି କାର୍ଯ୍ୟ ହେବା କଥା ନୁହେଁ। କିନ୍ତୁ ଜିଲ୍ଲା ଖଣିଜ ପାଣ୍ଠି ପରିଚାଳନା ଦାୟିତ୍ବରେ ରହିଥିବା ବାବୁ ଓ ଶାସକ ଦଳର ପ୍ରତିନିଧିମାନେ ନିଜ ମନ ଇଚ୍ଛା ପ୍ରକଳ୍ପ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ବି ତଫସିଲଭୁକ୍ତ ଅଞ୍ଚଳର ଗ୍ରାମବାସୀଙ୍କ ମତାମତ ନିଆଯାଇ ନାହିଁ।

Share :