ମୋଦି ଶାସନରେ ଓଡ଼ିଆଙ୍କ ଟେକ

ମୋଦି ଶାସନରେ ଓଡ଼ିଆଙ୍କ ଟେକ

Share :

ଦେବେନ୍ଦ୍ର ପୃଷ୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଜାତୀୟ ସ୍ତରରେ ଓଡ଼ିଶା ଓ ଓଡ଼ିଆ ପ୍ରତିଭାଙ୍କର ସ୍ବୀକୃତି ଓ ସମ୍ମାନ ବୃଦ୍ଧି ପାଇବାରେ ଲାଗିଛି। କେବଳ ମୋଦି ଶାସନ ଓ ପ୍ରଶାସନରେ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ମଧ୍ୟ ଓଡ଼ିଆଙ୍କର ଗୁରୁତ୍ବ ବୃଦ୍ଧି ପାଇଛି। ଅତୀତରେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକ କେନ୍ଦ୍ରୀୟ ରାଜନୀତିରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିଲେ ବି ସେମାନଙ୍କ ସମୟରେ ଜାତୀୟ ସ୍ତରରେ ଏତେ ଅଧିକ ଓଡ଼ିଆଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନ ଓ ପଦପଦବୀ ମିଳି ନଥିଲା। ମୋଦିଙ୍କ ସମୟରେ ସ୍ବୀକୃତି ଓ ସମ୍ମାନ ପାଇବାରେ ସଦ୍ୟତମ ଓଡ଼ିଆ ହେଲେ ବିଶ୍ବଭୂଷଣ ହରିଚନ୍ଦନ। ୨୦୧୪ ମସିହାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପରେ ଦୁଇ ଜଣ ଓଡ଼ିଆଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଲାଣି। ପ୍ରଥମେ ମୟୂରଭଞ୍ଜର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ଏବେ ସେ ସେହି ପଦରେ ଅଛନ୍ତି। ଏବେ ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏବେ ଦୁଇ ଦୁଇ ଜଣ ଓଡ଼ିଆ ଓଡ଼ିଶାର ଦୁଇ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ରହିବା ନିଶ୍ଚୟ ଓଡ଼ିଆଙ୍କ ପାଇଁ ଗୌରବର କଥା। କଂଗ୍ରେସ ଦୀର୍ଘ ୬ ଦଶନ୍ଧି ଧରି କେନ୍ଦ୍ରୀୟ କ୍ଷମତାରେ ଥିବା ଭିତରେ କେବେ ବି ଏକାଥରକେ ଏକାଧିକ ଓଡ଼ିଆ ରାଜ୍ୟାପାଳ ହେବାର ଗୌରବଲାଭ କରି ନଥିଲେ। କଂଗ୍ରେସ ଶାସନ ସମୟରେ ୧୯୫୫ରେ ପ୍ରଥମେ ହରେକୃଷ୍ଣ ମହତାବ ବମ୍ବେ ପ୍ରଦେଶର ରାଜ୍ୟପାଳ ହୋଇଥିଲେ। ସେ ମାତ୍ର ବର୍ଷକ ପାଇଁ ଏହି ପଦରେ ଥିଲେ। ୧୯୬୨ରେ ବିଶ୍ବନାଥ ଦାସ ଉତ୍ତର ପ୍ରଦେଶ ରାଜ୍ୟପାଳ ହୋଇଥିଲେ। ସେହି ସମୟରେ ନିତ୍ୟାନନ୍ଦ କାନୁନଗୋ ଗୁଜରାଟ ଓ ବିହାରର ରାଜ୍ୟପାଳ ପଦରେ ଥିଲେ। ଏହାର ବହୁ ବର୍ଷ ପରେ ଚିନ୍ତାମଣି ପାଣିଗ୍ରାହୀ ମଣିପୁର, ସୁରେନ୍ଦ୍ରନାଥ ଦ୍ବିବେଦୀ ଅରୁଣାଚଳ ପ୍ରଦେଶ ଓ ଲୋକନାଥ ମିଶ୍ର ଆସାମର ରାଜ୍ୟପାଳ ଥିଲେ। ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ଆସାମର ରାଜ୍ୟପାଳ ହୋଇଥିଲେ। କଂଗ୍ରେସର ଛଅ ଦଶନ୍ଧିର କେନ୍ଦ୍ରୀୟ ଶାସନ ମଧ୍ୟରେ ମାତ୍ର ୭ ଜଣ ଓଡ଼ିଆଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା। ମାତ୍ର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମାତ୍ର ୬ ବର୍ଷ ବର୍ଷର ଶାସନକାଳ ମଧ୍ୟରେ ଦୁଇ ଜଣ ଓଡ଼ିଆଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ନିଶ୍ଚୟ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର କଥା। କେବଳ ରାଜ୍ୟପାଳ ନିଯୁକ୍ତି କ୍ଷେତ୍ରରେ ନୁହେଁ, କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଅମଳରେ ଓଡ଼ିଶାର ଗୁରୁତ୍ବ ବୃଦ୍ଧି ପାଇଛି। କଂଗ୍ରେସ ସରକାରଗୁଡ଼ିକ ସମୟରେ ଅନେକ ଓଡ଼ିଶାକୁ ଆଦୌ ଗୁରୁତ୍ବ ଦିଆଯାଉ ନଥିଲା। ହରେକୃଷ୍ଣ ମହତାବ ଓ ନିତ୍ୟାନନ୍ଦ କାନୁନଗୋଙ୍କୁ ଛାଡ଼ିଦେଲେ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ଅନ୍ୟ କୌଣସି ଓଡ଼ିଆ ନେତାଙ୍କୁ କ୍ୟାବିନେଟ ପାହ୍ୟା ମିଳି ନଥିଲା। ଏ ଦୁହେଁ ଶିଳ୍ପ ଓ ବାଣିଜ୍ୟ ବିଭାଗ ପାଇଥିଲେ। ବହୁ ବର୍ଷ ପରେ ମୋରାରଜୀ ଦେସାଇଙ୍କ କ୍ୟାବିନେଟରେ ବିଜୁ ପଟ୍ଟନାୟକ ଇସ୍ପାତ ଓ ଖଣି ବିଭାଗର କ୍ୟାବିନେଟ ପାହ୍ୟା ପାଇଥିଲେ। ପରେ ଜାନକୀ ବଲ୍ଲଭ ପଟ୍ଟନାୟକ ଅଳ୍ପ ଦିନ ପାଇଁ ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର କ୍ୟାବିନେଟ ପାହ୍ୟାରେ ଥିଲେ। ବିଜୁଙ୍କ ପ୍ରଭାବ ଯୋଗୁଁ ବିଶ୍ବନାଥ ପ୍ରତାପ ସିଂହଙ୍କ ମନ୍ତ୍ରିପରିଷଦରେ ନୀଳମଣି ରାଉତରାୟଙ୍କୁ ପ୍ରଥମେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପରେ ପରିବେଶ ଓ ଜଙ୍ଗଲ ବିଭାଗର କ୍ୟାବିନେଟ ପାହ୍ୟା ମିଳିଥିଲା। ସେହିପରି ରବି ରାୟଙ୍କୁ ଲୋକସଭା ବାଚସ୍ପତି ପଦ ମିଳିଥିଲା। ଦେବେଗୌଡ଼ା ଓ ଗୁଜରାଲଙ୍କ ସମୟରେ ମଧ୍ୟ ଓଡ଼ିଶାକୁ ଏତେ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳି ନଥିଲା। ଏକଦା ଓଡ଼ିଶାର ୨୧ ଲୋକସଭା ଆସନରୁ କଂଗ୍ରେସର ୨୦ ସଦସ୍ୟ ଜିତୁଥିଲେ ବି କେନ୍ଦ୍ରର କଂଗ୍ରେସ ସରକାରରେ ଓଡ଼ିଶାକୁ ଏକାଧିକ ମନ୍ତ୍ରୀପଦ ମିଳୁ ନଥିଲା। ମାତ୍ର ମୋଦି-୧ ସରକାରରେ ଓଡ଼ିଶାରୁ ଜଣେ ସାଂସଦ ଜିତି କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ବିଶ୍ବନାଥ ପ୍ରତାପ ସିଂହଙ୍କ ସମୟରେ ବିଜୁବାବୁଙ୍କ ପରାମର୍ଶରେ ଭଜମନ ବେହେରାଙ୍କୁ ପେଟ୍ରୋଲିୟମ ଓ ରସାୟନ ମନ୍ତ୍ରଣାଳୟର ରାଷ୍ଟ୍ର ପାହ୍ୟା ମନ୍ତ୍ରିପଦ ମିଳିଥିଲା। କିନ୍ତୁ ନରେନ୍ଦ୍ର ମୋଦିଙ୍କ ସମୟରେ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଏହି ବିଭାଗର କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ଏହା ଓଡ଼ିଶା ପାଇଁ କମ୍‌ ଗୌରବର କଥା ନୁହେଁ। ପୂର୍ବରୁ କେନ୍ଦ୍ରୀୟ ନେତାଙ୍କ ଚାପରେ ଓଡ଼ିଶାରୁ ଅନେକ ଅଣଓଡ଼ିଆ ଲୋକ ରାଜ୍ୟସଭାକୁ ମନୋନୀତ ହେଉଥିଲେ। ପ୍ରଥମ ଥର ପାଇଁ ଓଡ଼ିଆ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ମୋଦି-୧ ସରକାରରେ ସେ ପେଟ୍ରୋଲିୟମ ଓ ରସାୟନ ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏବେ ସେ ପେଟ୍ରୋଲିୟମ ଓ ରସାୟନ ସହିତ ଇସ୍ପାତ ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଅଛନ୍ତି। ମୋଦି-୧ ସରକାରେ ଓଡ଼ିଶାରୁ ବିଜେପୀ ଟିକେଟରେ ନିର୍ବାଚିତ ହୋଇଥିବା ଏକମାତ୍ର ନେତା ଜୁଏଲ ଓରାମ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର କ୍ୟାବିନେଟ ମନ୍ତ୍ରୀ ଥିଲେ। ମୋଦି-୨ ସରକାରରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ଅଣୁ, କ୍ଷୁଦ୍ର ଓ ମଧ୍ୟ ଉଦ୍ୟୋଗ ସହିତ ମତ୍ସ୍ୟ ଓ ପଶୁ ପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି। ଭାରତୀୟ ଜନତା ପାର୍ଟିର ମଧ୍ୟ ଓଡ଼ିଆଙ୍କର ଗୁରୁତ୍ବ କିଛି କମ୍‌ ବଢ଼ି ନାହିଁ। କଂଗ୍ରେସ ଓ ଜନତା ଦଳରେ ଓଡ଼ିଶାର ବହୁ ବରିଷ୍ଠ ନେତା ଥିଲେ ବି ସେମାନଙ୍କୁ ସେତେଟା ଗୁରୁତ୍ବ ଦିଆଯାଉ ନଥିଲା। ଗୁରୁତ୍ବ ମିଳିଲା ନାହିଁ ବୋଲି ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ନନ୍ଦିନୀ ଶତପଥୀ କଂଗ୍ରେସ ଛାଡ଼ିଥିଲେ। କିନ୍ତୁ ମୋଦିଙ୍କ ନେତୃତ୍ବାଧୀନ ବିଜେପିର ଉଭସଭାପତି ଅଛନ୍ତି ଦୁଇ ଦୁଇ ଜଣ ଓଡ଼ିଆ- ଜୁଏଲ ଓରାମ ଓ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପୁଣି ଦଳର ଜାତୀୟ ମୁଖପାତ୍ର। ସେହିପରି ସମ୍ବିତ ପାତ୍ର ମଧ୍ୟ ଦଳର ଅନ୍ୟତମ ଜାତୀୟ ମୁଖପାତ୍ର। ପୂର୍ବରୁ କୌଣସି ଓଡ଼ିଆ ନେତାଙ୍କୁ ଜାତୀୟ ଦଳରେ ଏପରି ସୁଯୋଗ ଓ ପ୍ରତିଷ୍ଠା ମିଳି ନଥିଲା। କଂଗ୍ରେସର ରାମଚନ୍ଦ୍ର ରଥ ଯେପରି ଛାତ୍ର କଂଗ୍ରେସ ସଭାପତି ଥିଲେ ସେହିପରି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସଭାପତି ଥିଲେ। ପୂର୍ବର କେନ୍ଦ୍ର ସରକାରଗୁଡ଼ିକରେ ଓଡ଼ିଆ ଓ ଓଡ଼ିଶା କ୍ୟାଡର ଅଫିସରମାନଙ୍କୁ ଆଦୌ ଗୁରୁତ୍ବ ମିଳୁ ନଥିଲେ କହିଲେ ଚଳେ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ କେନ୍ଦ୍ର ସରକାରରେ ଓଡ଼ିଆଙ୍କର ଗୁରୁତ୍ବ ବହୁ ପରିମାଣରେ ବୃଦ୍ଧି ପାଇଛି। ମୋଦି-୧ରୁ ଆରମ୍ଭ କରି ମୋଦି-୨ରେ ଓଡ଼ିଶାର ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ଏବେ ସେ ପ୍ରଧାନମନ୍ତ୍ରୀଙ୍କର ଅତିରିକ୍ତ ପ୍ରମୁଖ ସଚିବ। ତାଙ୍କୁ କ୍ୟାବିନେଟ ପାହ୍ୟା ପ୍ରଦାନ କରାଯାଇଛି। ମୋଦି ସରକାରର ତିନି ଜଣ ପ୍ରଭାବଶାଳୀ ଅମଲାଭୋଖ ମଧ୍ୟରେ ତାଙ୍କୁ ଗଣନା କରାଯାଉଛି। ସେ ମୋଦିଙ୍କର ଅତ୍ୟନ୍ତ ବିଶ୍ବସ୍ତ ଓ ଘନିଷ୍ଟ ସହଯୋଗୀ ଭାବେ ଜଣାଶୁଣା। ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରମୋଦ କୁମାର ମିଶ୍ର ତାଙ୍କର ପ୍ରମୁଖ ସଚିବ ଥିଲେ। ସେହିପରି ଅନ୍ୟ ଜଣେ ଓଡ଼ିଆ ଅଫିସର ଗିରୀଶ ମୁର୍ମୁ ମଧ୍ୟ ମୋଦି ସରକାରର ବ୍ୟୟ ସଚିବ ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ସେ ମଧ୍ୟ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ। ଏମାନଙ୍କ ବ୍ୟତିତ ମୋଦି ସରକାରରେ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରେ ନିଯୁକ୍ତ ହୋଇଛନ୍ତି ଶକ୍ତିକାନ୍ତ ଦାସ। ସେ ମୋଦି ସରକାରରେ ପ୍ରଥମେ ସାର ଓ ପରେ ରାଜସ୍ବ ବିଭାଗର ସଚିବ ଥିଲେ। ସେହିପରି ଅନ୍ୟ କେତେକ ଓଡ଼ିଆ ତଥା ଓଡ଼ିଶା କ୍ୟାଡରର ଅନେକ ଅଫିସର ମଧ୍ୟ ମୋଦି ସରକାରରେ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେତେ ଜଣ ହେଲେ ୟୁପି ସିଂହ, ଏସଏନ ତ୍ରିପାଠୀ ଓ ଅରୁଣ କୁମାର ପଣ୍ଡା। ସେହିପରି ମୋଦି ସରକାରଙ୍କ ସମୟରେ ଓଡ଼ିଶାର ଅନେକ ବଣ ମଲ୍ଲୀ ପ୍ରତିଭାଙ୍କୁ ଜାତୀୟ ସ୍ତରୀୟ ସ୍ବୀକୃତି ମିଳିଛି। ଅନ୍ୟଥା ଏମାନ ବଣରେ ଫୁଟି ବଣର ଝଡ଼ି ଯାଇଥାନ୍ତେ। ସେଭଳି କେତେକ ପ୍ରତିଭା ହେଲେ କବି ହଳଧର ନାଗ, ପାରମ୍ପାରିକ ଧାନ ବିହନ ସଂରକ୍ଷଣକାରୀ କମଳା ପୂଜାରୀ, ଚାଷଜମିକୁ ପାଣି ମଡ଼େଇବାକୁ ୪ କିଲୋମିଟରର ପଥରକାଟି କେନାଲ ତିଆରି କରିଥିବା କେନ୍ଦୁଝରର ଦୈତାରୀ ନାୟକ ଓ ଚା ବିକା ଟଙ୍କାରେ ବସ୍ତି ପିଲାମାନଙ୍କୁ ପାଠ ପଢ଼ଉଥିବା କଟକର ଡି. ପ୍ରକାଶ ରାଓ। ସ୍ବାଧୀନତା ପରଠାରୁ ଏଯାଏଁ ଓଡ଼ିଶାର କୌଣସି ନେତାଙ୍କୁ ରାଜ୍ୟସଭାକୁ ମନୋନୀତ ସଦସ୍ୟ ଭାବେ ନିଯୁକ୍ତି ମିଳିନଥିଲା। ମୋଦି ସରକାରଙ୍କ ସମୟରେ ଓଡ଼ିଶାର ଶିଳ୍ପୀ ରଘୁନାଥ ମହାପାତ୍ର ଏବଂ ସୋନାଲ ମାନସିଂହଙ୍କୁ ଏହ ଗୌରବ ମିଳିଛି। ଏ ଦୁହେଁ ଏବେ ରାଜ୍ୟସଭାର ମନୋନୀତ ସଦସ୍ୟ। (ବିଡ଼ମ୍ବନାର କଥା ହେଉଛି କେନ୍ଦ୍ର ସରକାରରେ ଓଡ଼ିଆଙ୍କ ଗୁରୁତ୍ବ ବୃଦ୍ଧି ପାଇଥିବାବେଳେ ଓଡ଼ିଶା ସରକାରରେ ଅଣଓଡ଼ିଆମାନେ ଅଧିକ କ୍ଷମତାଶାଳୀ ହୋଇଛନ୍ତି।)

Share :