ମଦ ପୁରସ୍କାର ଦୌଡ଼ରେ ନବୀନଙ୍କ ଜିଲ୍ଲା ଆଗରେ!

ମଦ ପୁରସ୍କାର ଦୌଡ଼ରେ ନବୀନଙ୍କ ଜିଲ୍ଲା ଆଗରେ!

Share :

ହେମାଙ୍ଗ ପ୍ରସାଦ ରାଉତ ମଦ ପାଇଁ କେତେ ଘର ଭାଙ୍ଗିଛି। କେତେ ପରିବାରର ଲୁହ ଆଖି ଶୁଖିନି। କିଏ ବିଧବା ହୋଇଛି। କା’ର କୋଳ ଶନ୍ୟ ହୋଇଛି। କିଏ ଭିକ ମାଗୁଛି। କିଏ ସର୍ବସ୍ୱାନ୍ତ ହୋଇଛି। କିଏ ଦୁଇଓଳି ଖାଇବାକୁ ପାଉନି। ପୁଣି କିଏ ମଦ ଜନିତ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହୋଇ ଡାକ୍ତର ପାଖକୁ ଧାଇଁଧାଇଁ ଜୀବନ ସଂଘର୍ଷ କରୁଛି। ଅଥଚ ଅଧିକ ମଦ ବିକୁଥିବା ଦୋକାନୀକୁ ପୁରସ୍କାର ଦେବା ପାଇଁ ବିଧାନସଭାର ଷ୍ଟାଣ୍ଡିଂ କମିଟି (ଅବକାରୀ) ସରକାରଙ୍କୁ ସୁପାରିଶ କରିବା ଖବର ବ୍ରହ୍ମପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସରକାର ଏହି ସୁପାରିଶକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମ ଏହି ପୁରସ୍କାର ଦୌଡ଼ରେ ସବୁଠୁଁ ଆଗରେ ରହିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ବ୍ରହ୍ମପୁର ସହରର ବୁଦ୍ଧିଜୀବୀ ମହଲ ବିଧାୟକମାନଙ୍କ କମିଟି ଦେଇଥିିବା ପ୍ରସ୍ତାବକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ସାଂପ୍ରତିକ ସମୟରେ ଓଡ଼ିଶାର ଶାସକ ମହମଦ୍ ବିନ୍ ତୋଗଲକ୍ ପରି ଏପରି କିଛି କାମ ନକରୁ ଯା’ପାଇଁ ଶାସନକଳ ସବୁଦିନ ପାଇଁ ନିନ୍ଦିତ ହେବ ବୋଲି ସରକାରଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି। ଗଂଜାମ ଜିଲ୍ଲାରେ ୧୧ ବର୍ଷ ତଳେ ମଦମୃତ୍ୟୁ ହୋଇଥିଲା। ଏହାର ବହୁ ପୂର୍ବରୁ କଟକ ମଦମୃତ୍ୟୁ ବିଭୀଷିକା ମଧ୍ୟ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଥିଲା। ସେ ନେଇ କମିଶନ ବସିଥିଲା। କମିଶନ ସୁପାରିଶ କେତେ କାର୍ଯ୍ୟକାରୀ ହେଲା ତାହା ମଦ ବୋତଲ ଜାଣିଥିବ, ଏବେ କିନ୍ତୁ ନବୀନ ପଟ୍ଟନାୟକଙ୍କ ନିଜ ଦଳର ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ମଦ ଦୋକାନୀଙ୍କୁ ପୁରସ୍କାର ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ନବୀନ ବାବୁଙ୍କ ଗଂଜାମ ଜିଲ୍ଲା ଓଡ଼ିଶାର ଅଧିକ ମଦ ଦୋକାନ ଥିବା ଜିଲ୍ଲା ପୁରସ୍କାର ଦୌଡ଼ରେ ଶୀର୍ଷରେ ରହିବ ବୋଲି ବ୍ରହ୍ମପୁର ସହରରେ ଚର୍ଚ୍ଚା ଚାଲିଛି। ଯଦି ଯିଏ ଅଧିକ ମଦ ବିକିବ ସିଏ ପୁରସ୍କାର ପାଇବ ତେବେ ମଦୁଆମାନଙ୍କୁ ମଧ୍ୟ ବର୍ଷକୁ ଥରେ ନିର୍ବାଚିତ କରାଯାଇ ପୁରସ୍କାର ଦେଲେ ଭଲ ହେବ ବୋଲି କିଛି ବୁଦ୍ଧିଜୀବୀ ତାତ୍ସଲ୍ୟ କରି କହିଛନ୍ତି। ମଦବୃଦ୍ଧି ଯୋଗୁଁ ଚୋରି, ରାହାଜାନୀ, ଦୁଷ୍ମର୍ମ ବଢ଼ିବ। ପରୋକ୍ଷରେ କହିଲେ ସରକାର ସରକାର ଦୁଷ୍କର୍ମକାରୀ ଏବଂ ଚୋରି, ଡ଼କାୟତିକୁ ପ୍ରୋତ୍ସାହନ କରୁଛନ୍ତି। ମଦ ରାଜସ୍ୱ ବୃଦ୍ଧି କରିବାରେ ସହାୟକ ହେଉଥିବା ସରକାର କହୁଥିବାବେଳେ ଯଦି ବିକଳ୍ପ ରାଜସ୍ୱ ବ୍ୟବସ୍ଥା କରାଯାଇଥାନ୍ତା ତେବେ ଏହିଭଳି ଏକ ବିଷାକ୍ତ ସାମଗ୍ରୀରୁ ରାଜସ୍ୱ ଆଶା ସରକାର କରିନଥାନ୍ତେ। ସରକାର ପର୍ଯ୍ୟଟନ, ମେଡ଼ିକାଲ, ଖଣି ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ଅଧିକ ରାଜସ୍ୱ ଆଦାୟ କରିପାରିବେ। ବିହାର ଭଳି ଗରିବ ରାଜ୍ୟ ଯେତେବେଳେ ମଦ ନିଷିଦ୍ଧ କରି ଅନ୍ୟ ପନ୍ଥା ଆପଣେଇ ପାରିଲା ତେବେ ଓଡ଼ିଶା କାହିଁକି ନୁହେଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ସରକାର ଏନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରିଛନ୍ତି। ଉକ୍ତ କମିଟିରେ ବିଜେପି, କଂଗ୍ରେସ, ବିଜେଡ଼ିର ସଦସ୍ୟ ରହିଥିବାରୁ ସମସ୍ତ ଦଳ ଏହାକୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳୁଥିବାରୁ ସାଧାରଣରେ ଏହାକୁ ଘୋର ନିନ୍ଦା କରାଯାଉଛି। ସରକାର ମଦ ବିକ୍ରିକୁ ପ୍ରୋତ୍ସାହିତ କରୁଥିବା ବେଳେ ଏହା ଉପରେ କିଛି ରାଜନୈତିକ ବ୍ୟକ୍ତି ଏବଂ ସମାଜସେବୀଙ୍କ ପ୍ରତିକ୍ରିୟା ମିଳିଛି। ସୁଧାଂଶୁ ପଣ୍ଡା - ସହରର ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା ଏହାକୁ ଅତି ନିନ୍ଦନୀୟ ଘଟଣା କହିଛନ୍ତି। ସରକାର ନିଜର ନୈତିକତା ହରାଇଥିବା ବେଳେ ଏହା ଏକ ଅବାଞ୍ଚିତ ପଦକ୍ଷେପକୁ ପୁରସ୍କାର ଘୋଷଣା କରିବା। ସଭ୍ୟ ସମାଜରେ ଏହା ଉଚିତ ପଦକ୍ଷେପ ନୁହେଁ। ଭିନ୍ନ ସମୟରେ ମଦ ବିରୋଧରେ ସାମାଜିକ ଅନୁଷ୍ଠାନମାନେ ଆନ୍ଦୋଳନ କରୁଥିବା ବେଳେ ସରକାର ଯଦି ମଦ ବ୍ୟବସାୟୀଙ୍କୁ ପୁରସ୍କାର ଦେବା ବ୍ୟବସ୍ଥା କରିବେ ଏହା ସମାଜ ପାଇଁ ଶୁଭସଂକେତ ନୁହେଁ। ଏଭଳି ନିଷ୍ପତ୍ତି କାର୍ଯ୍ୟକାରୀ ନକରିବାକୁ ସେ ଦାବି କରିଛନ୍ତି। ସୁଶାନ୍ତ ଦାଶ- ବରିଷ୍ଠ କବି ଏବଂ ସାହିତ୍ୟିକ ସୁଶାନ୍ତ ଦାଶ ଏହା ଏକ ନିନ୍ଦନୀୟ ଘଟଣା ଏବଂ ସରକାର ନିଜର ମତିଗତି ହରାଇ ସାରିଲେଣି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା ଆଗାମୀ ଯୁବପିଢ଼ି ଉପରେ ଏହାର କୁପ୍ରଭାବ ପଡ଼ିବ। ଭବିଷ୍ୟତରେ ସରକାର ଏହାକୁ ବହୁମୂଲ୍ୟ ଦେବାକୁ ପଡ଼ିବ। ସ୍ୱରୂପା ତ୍ରିପାଠୀ- ଗଂଜାମ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ ଏହାକୁ ତୀବ୍ର ବିରୋଧ କରିବା ସହ କହିଥିଲେ ଯଦି ସରକାରଙ୍କ ରାଜସ୍ୱ ବଢାଇବାକୁ ଅଛି ତେବେ ସରକାରଙ୍କ ବିକଳ୍ପ ରାସ୍ତା ଅନେକ ଯଥା - କୂଟୀର ଶିଳ୍ପ, ହସ୍ତଶିଳ୍ପ, ପର୍ଯ୍ୟଟନକୁ ଗୁରୁତ୍ୱ ଦେଲେ ରାଜସ୍ୱ ଆଦାୟ ହୋଇପାରିବ। ଏଠାରେ ମଦ ବ୍ୟବସାୟୀଙ୍କୁ ସମ୍ୱର୍ଦ୍ଧନା ଅତି ହାସ୍ୟାସ୍ପଦ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୀପକ ପଟ୍ଟନାୟକ- ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଓଡ଼ିଶା ସରକାର ବର୍ତ୍ତମାନ ସମସ୍ତଙ୍କୁ ମଦ୍ୟପ କରିବାକୁ ଚେଷ୍ଟା କରୁଛନ୍ତି। କାରଣ ମଦ ଦ୍ୱାରା ବିଭିନ୍ନ ଦୁର୍ଘଟଣା, ହତ୍ୟାକାଣ୍ଡ, ବ୍ୟଭିଚାର ମଦ ଦ୍ୱାରା ସୃଷ୍ଟି ହୋଇଛି। ମଦ ବନ୍ଦ କରିବା ତ ଦୂରର କଥା ମଦକୁ ପ୍ରୋତ୍ସାହନ ଦେବା ଦ୍ୱାରା ଯୁବପିଢ଼ି ବିପଥଗାମୀ ହେବେ ଏବଂ ଓଡ଼ିଶା ଦୁର୍ଗତି ଆଡ଼କୁ ଯିବ ବୋଲି କହିଛନ୍ତି। ଏହା ବିରୋଧରେ ଭବିଷ୍ୟତରେ ଏକ ବିରାଟ ଆନ୍ଦୋଳନ ହେଲେ ଏଥିପ୍ରତି ରାଜ୍ୟ ସରକାର ଦାୟୀ ରହିବେ। ସନ୍ତୋଷ କୁମାର ଦାସ- ପ୍ରଫେସର ଡ. ସନ୍ତୋଷ କୁମାର ଦାସ (ଅବସରପ୍ରାପ୍ତ ଜୀବବିଜ୍ଞାନୀ, ପ୍ରାକ୍ତନ ରାଷ୍ଟ୍ରପତି ପୁରସ୍କାର, ଶିକ୍ଷାବିତ୍ ଓ ଗବେଷକଙ୍କ ମତରେ ମଦ ବ୍ୟବସାୟୀଙ୍କୁ ସମ୍ମାନିତ କରିବାରେ ସରକାରଙ୍କ ଆଭିମୁଖ୍ୟ ପ୍ରଶ୍ନବାଚୀ ମନେହୁଏ। ଚତୁର୍ଦ୍ଦିଗରେ ମଦମୁକ୍ତ ଅଭିଯାନ ଚାଲିଥିବା ସମୟରେ ପରୋକ୍ଷ ଭାବରେ ଏ ସରକାର ନିଜକୁ ଲୋକାଭିମୁଖୀ ବୋଲି ଦର୍ଶାଇ ମଦ ବ୍ୟବସାୟୀକୁ ପ୍ରୋତ୍ସାହନ ତଥା ମଦ ବ୍ୟବସାୟୀଙ୍କୁ ସମ୍ମାନିତ କରିବା ବିଚାର ସରକାରଙ୍କ ଲୋକଦେଖାଣିଆ ବିରାଡ଼ି ବୈଷ୍ଣବର ମୁଖା ଖୋଲି ଦେଇଛି। ମଦ୍ୟପାନ ଓ ମଦ ବ୍ୟବସାୟ ତଥା ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଓଡ଼ିଆଙ୍କ ସଂହତି ପ୍ରତି ଏକ ନୀତିଗତ ଅନ୍ତର୍ମୁଖୀ ପ୍ରଶ୍ନ, ସରକାର ଏହା ବୁଝି ରଖିବା ଉଚିତ। ସନ୍ତୋଷ କୁମାର ସାହୁ- ଚାମ୍ୱର ଅଫ୍ କମର୍ସର ସଂପାଦକ ସନ୍ତୋଷ ସାହୁ କହିଛନ୍ତି ଯେ ଏହା ନିହାତି ଖରାପ। ଏହାକୁ ସମସ୍ତେ ବିରୋଧ କରିବା ଉଚିତ। ଏହିଭଳି ପଦକ୍ଷେପ ସମାଜ ଉପରେ କୁପ୍ରଭାବ ପଡ଼ିବ। ମଦ ବ୍ରିକି ବୃଦ୍ଧି ହେବା ଯୋଗୁଁ ଲୋକେ ରୋଗରେ ପଡ଼ିବେ ସେପଟେ ସରକାର ମାଗଣାରେ ଚିକିତ୍ସା ଯୋଗାଉଛନ୍ତି। ସରକାର ୧ ଟଙ୍କିଆ ଚାଉଳ ଏବଂ ୫ ଟଙ୍କିଆ ଭୋଜନର ଭରପାଇ କରିବା ପାଇଁ ଏଭଳି ନିନ୍ଦନୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି। ତେଣୁ ଏହାକୁ ସବୁସ୍ତରରେ ବିରୋଧ କରାଯିବା ଉଚିତ। ଏହା ଏକ ଦୁର୍ଭାଗ୍ୟଜନକ ପଦକ୍ଷେପ ଅଟେ ବୋଲି ସେ କହିଥିଲେ। ଏହିଭଳି ପଦକ୍ଷେପକୁ ଚାମ୍ୱର ଅଫ୍ କମର୍ସର ସବୁ ସଦସ୍ୟ ଘୋର ବିରୋଧ କରିଛନ୍ତି। ଡ. ସୁବାଷ ସାହୁ- ବିଜେପି ନେତା ଡ. ସୁବାଷ ସାହୁ କହିଛନ୍ତି ଯେ ମଦ ପୁରସ୍କାର ପାଇଁ ଏକ ଷ୍ଟାଣ୍ଡିଂ କମିଟି ସୁପାରିଶ କରିବା ଦୁଃଖଦାୟକ। । ସରକାରଙ୍କ ଏହିଭଳି ପ୍ରୋତ୍ସାହନ ଏବଂ ପୁରସ୍କାର ଘୋଷଣାକୁ ସେ ଦୃଢ଼ ବିରୋଧ କରୁଛନ୍ତି। ସେ କହିଛନ୍ତି, ଖଣି, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ଉନ୍ନତି କରି ମଧ୍ୟ ରାଜସ୍ୱ ଆଦାୟ କରାଯାଇପାରିବ। ମଦୁଆ କରି ଲୋକଙ୍କ ସଂସାର ଭାଙ୍ଗିବା, ମଦୁଆ ତିଆରି କରିବା, ୧ ଲକ୍ଷ ୭୦ ହଜାର ଟଙ୍କା ମଦ ବିକ୍ରିକୁ ଟାର୍ଗେଟ୍ ଦେବା, ଆହୁରି ଅଧିକ ଲାଇସେନ୍ସ ଦେବା ଆଦି ସରକାରଙ୍କ ଉଦ୍ଦେଶ୍ୟ। ମଦ ବିକ୍ରି କରି ରାଜସ୍ୱ ଆଦାୟ କରିବେ ଓ ସେଥିରେ ଲୋକଙ୍କ ଉନ୍ନତି କରିବା କଥା ଭାବିବା ସରକାରଙ୍କ ଏକ ମସ୍ତବଡ଼ ଭୁଲ୍। ଏପଟେ ବିଜୁ ସ୍ୱାସ୍ଥ୍ୟ ଯୋଜନା କରି ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ବେଳେ ସେପଟେ ମଦ ପିଆଇ ରୋଗଗ୍ରସ୍ତ କରାଉଛନ୍ତି। ମଦ ପିଇବା ଦ୍ୱାରା ହିଁ ଲୋକେ ନିଶାରେ ଦୁଷ୍କର୍ମ, ଚୋରି, ଡକାୟତି କରୁଛନ୍ତି। ମଦ ବିକ୍ରି ବୃଦ୍ଧି ଯୋଗୁଁ ଅପରାଧ ବୃଦ୍ଧି ହେଉଛି। ଏହାକୁ ଦୃଢ଼ ବିରୋଧ କରିବା ଅଛି। ମମତା ବିଷୋୟୀ- ବରିଷ୍ଠ ବିଜେଡ଼ି ନେତ୍ରୀ ତଥା ରାଜ୍ୟ ମହିଳା ଉପସଂପାଦିକା ମମତା ବିଷୋୟୀ କହିଛନ୍ତି ଯେ ଗୋଟିଏ ପଟେ ସରକାରଙ୍କ ନାରୀ ସଶକ୍ତିକରଣ ଯୋଜନା ଅନ୍ୟପଟେ ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଯାହାକି ନାରୀକୁ ପଛପଟୁ ଛୁରା ଭୁଷିବା ସଦୃଶ୍ୟ। ଏଭଳି ପଦକ୍ଷେପକୁ ସେ ନାପସନ୍ଦ କରିଛନ୍ତି। ଏହି କ୍ଷେତ୍ରକୁ ନେଇ ପୁଣି ବିଚାର କରାଯିବା ଉଚିତ ବୋଲି ସେ ମତାମତ ଦେଇଛନ୍ତି। ପୀତାବାସ ପଣ୍ଡା- ଆଇନଜୀବୀ ତଥା କଂଗ୍ରେସ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା କହିଛନ୍ତି ଯେ ଭାରତବର୍ଷରେ ଏହା ଏକ ନିର୍ବାଚିତ ସରକାର ଯିଏକି ପ୍ରଥମଥର ପାଇଁ ମଦ ବିକ୍ରିକୁ ପ୍ରୋତ୍ସାହିତ କରିବାକୁ ଏଭଳି ସୁପାରିଶ କରିଛନ୍ତି। ଏହା ଅତି ଦୁର୍ଭାଗ୍ୟଜନକ। ଓଡ଼ିଶା ଗରିବରେ ଏକନମ୍ୱର ଥିବାବେଳେ ସରକାର କହୁଛନ୍ତି ଯିଏ ମଦ ବେଶୀ ବିକିବ ତାକୁ ପୁରସ୍କାର ଦିଆଯିବ। ଏହା ନିନ୍ଦନୀୟ। ନିଜେ ନବୀନ ବାବୁ କହୁଛନ୍ତି ମା’ଙ୍କୁ ସମ୍ମାନ ଏବଂ ଗାଁକୁ କାମ, ମଦ ବିକ୍ରି କରିବା ଦ୍ୱାରା କେଉଁ ମା’କୁ କେତେ ସମ୍ମାନ ମିଳିବ ତାହା ଭଲ ଭାବେ ସରକାର ଜାଣିଛନ୍ତି। ଏମିତିରେ ଦିନକୁ ୬ଟା ଦୁଷ୍କର୍ମ ହେଉଛି, ମଦ ଅଧିକା ବିକ୍ରି ହେଲେ ନାରୀମାନେ ଅସୁରକ୍ଷିତ ହେବେ ଏବଂ ଦେଖିବାକୁ ଗଲେ ରାଜ୍ୟ ଆହୁରି ଗରିବରୁ ଗରିବ ହେବ। ଡ. ସାଗର ରଂଜନ ତ୍ରିପାଠୀ- ଭାଷା, ସଂସ୍କୃତି ଓ ସାହିତ୍ୟପ୍ରେମୀ ଆୟୁର୍ବେଦ ଡାକ୍ତର ସାଗର ରଂଜନ ତ୍ରିପାଠୀ ମଦ ଦୋକାନୀଙ୍କୁ ସମ୍ମାନ ଦେଇ ସମ୍ୱର୍ଦ୍ଧିତ କରିବାର ମାନସିକତା ଆମର ସାମାଜିକ ଜୀବନର ଶୃଙ୍ଖଳିତ ଧାରା ପ୍ରତି ଦୁର୍ବାର ଆକ୍ରମଣର ପ୍ରୟାସ ବୋଲି କହିଥିଲେ। ଓଡ଼ିଶାରେ ସଂପ୍ରତି ମଦକୁ ପ୍ରୋତ୍ସାହନ ଦେବାର ଅର୍ଥ ଆମର ଜୀବନ ସଂସ୍କୃତିକୁ ବିପନ୍ନ କରି ଏକ ନକରାତ୍ମକ ଛବି ଶାସନ ବ୍ୟବସ୍ଥାରେ ଅଙ୍କୁରାରୋପଣ କରିବା। ମହାତ୍ମାଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କ ପବିତ୍ର ଭୂମି ଭାରତର ଓଡ଼ିଶା ଭୂଖଣ୍ଡରେ ମଦ ବେପାରୀଙ୍କୁ ସମ୍ୱର୍ଦ୍ଧିତ କରିବା ଉଠୁଥିବା ସ୍ୱର ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଏ ଘଟଣା ଆମର ବୌଦ୍ଧିକ ସଂପଦ ପ୍ରତି କେବଳ ଉପହାସ ନୁହଁ, ବରଂ ନିଶାଖୋର ମନୋବୃତ୍ତି ଯୁବ ସମାଜ ପାଖରେ ତିଆରି କରିବାର ଏକ ସୁପରିକଳ୍ପିତ ଭୟାନକ ଷଡ଼ଯନ୍ତ୍ର। ସୁଧୀର ରାଉତ- ବରିଷ୍ଠ ଶିକ୍ଷାବିତ୍ ସୁଧୀର ରାଉତ ଏହାକୁ ନିନ୍ଦନୀୟ ବୋଲି କହିଛନ୍ତି। ପୂର୍ବରୁ ବିଜୁ ଯୁବ ବାହିନୀ ମଦ ବିରୋଧୀ ଆନ୍ଦୋଳନ ଚଳାଇଥିବାବେଳେ ଆଜି ଏହାର ଠିକ୍ ବିପରୀତ ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁ ସରକାରଙ୍କ ଏହିଭଳି ପଦକ୍ଷେପକୁ ବିରୋଧ କରିବା ସହ ଏହା ଅତି ଶୀଘ୍ର ହଟାଇବାକୁ ସେ କହିଛନ୍ତି। ଏଠାରେ ସୂଚନାଥାଉକି ସରକାର ମଦ ପାଇଁ ଯେଉଁ ସମ୍ୱର୍ଦ୍ଧନା ଘୋଷଣା କରିଛନ୍ତି ଏନେଇ ଜିଲ୍ଲାର କୌଣସି ବିଜେଡ଼ି ନେତା କିମ୍ୱା କର୍ମୀ ଏହାକୁ ବିରୋଧ କରିନଥିଲେ ସୁଦ୍ଧା ଏକରକମ ନୀରବ ରହିଛନ୍ତି। ଯାହାକି ଇଙ୍ଗିତ କରୁଛି ଯେ ଏହି ସମ୍ୱର୍ଦ୍ଧନାକୁ ଏମାନେ ନାପସନ୍ଦ କରିବା ସହ ପୁନର୍ବାର ଏହାକୁ ନେଇ ବିଚାର କରାଯାଉ ବୋଲି ଇଙ୍ଗିତ କରିଛନ୍ତି।

Share :