ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଆ ଲୋକଙ୍କୁ ଶାସନ ଓ ପ୍ରଶାସନରେ ଅଂଶୀଦାର ହେବାର ସୁଯୋଗରୁ ବଂଚିତ କରି ଓଡ଼ିଶାର ତଥାକଥିତ ଲୋକପ୍ରିୟ ସରକାର ଗତ କୋଡ଼ିଏ ବର୍ଷ ଭିତରେ ପ୍ରାୟ ୪୨ ହଜାର ପଦବୀ ଉଚ୍ଛେଦ କରିଥିବାବେଳେ ୧.୩୨ ଲକ୍ଷ ପଦବୀ ପୂରଣ କରି ନାହାନ୍ତି। ପ୍ରଥମେ ବ୍ୟୟ ସଂକୋଚନ ଆଳରେ ପଦବୀ ପୂରଣ କରିନଥିବା ସରକାର ଆର୍ଥିକ ସ୍ଥିତିରେ ସୁଧାରଣ ଆସିଥିଲେ ସୁଦ୍ଧା ମୁଷ୍ଟିମେୟ ଅଫିସରଙ୍କ ହାତରେ କ୍ଷମତା କେନ୍ଦ୍ରୀଭୂତ କରିବା ପାଇଁ ଖାଲି ପଦବୀ ପୂରଣ କରୁ ନାହାନ୍ତି। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ସେଥିରୁ ରାଜ୍ୟ ସରକାର ରାଜ୍ୟର ଲକ୍ଷଲକ୍ଷ ଶିକ୍ଷିତ ବେକାର ଯୁବତୀଙ୍କୁ ନିଯୁକ୍ତ ନକରି କିପରି ସରକାରୀ ପଦପଦବୀ ଫାଙ୍କା ପକେଇ ରଖିଛନ୍ତି ତାହାର ଆଭାସ ମିଳେ। ଅର୍ଥମନ୍ତ୍ରୀ ପ୍ରଦାନ କରିଥିବା ଉତ୍ତର ଅନୁସାରେ ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାରରେ ମଞ୍ଜୁରପ୍ରାପ୍ତ ପଦବୀ ସଂଖ୍ୟା ହେଉଛି ୪ ଲକ୍ଷ ୯୭ ହଜାର ୨୫୭। ଏଥି ମଧ୍ୟରୁ ସେହି ସମୟ ସୁଦ୍ଧା ୧ ଲକ୍ଷ ୨୦ ହଜାର ୫୧୨ ପଦବୀ ଖାଲି ପଡ଼ିଛି। ସରକାର ଏସବୁ ପଦବୀର କାର୍ଯ୍ୟ କରିବାକୁ ଲୋକ ନିଯୁକ୍ତ କରିନାହାନ୍ତି। ସେହିପରି ସରକାରଙ୍କ ଅନୁଦାନରେ ଚାଲୁଥିବା ସଂସ୍ଥାଗୁଡ଼ିକରେ ୨୦୧୮ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମୋଟ ୮୫ ହଜାର ୭୬୪ ମଞ୍ଜୁରପ୍ରାପ୍ତ ପଦବୀ ରହିଥିଲେ ହେଁ ସେଥିମଧ୍ୟରୁ ୧୧ ହଜାର ୬ ପଦବୀ ଖାଲି ପଡ଼ିଛି। ଏହିପରି ଭାବେ ଓଡ଼ିଶା ସରକାରରେ ମଞ୍ଜୁରୀପ୍ରାପ୍ତ ମୋଟ ୫ ଲକ୍ଷ ୮୩ ହଜାର ପଦବୀ ମଧ୍ୟରୁ ୧ ଲକ୍ଷ ୩୨ ହଜାର ଖାଲି ପଡ଼ିଛି। ମନ୍ତ୍ରୀ କହିଛନ୍ତି ୧୯୯୯ ମସିହାରୁ ୨୦୦୮ ମଧ୍ୟରେ ପଦବୀ ସବୁ ଉଚ୍ଛେଦ ହୋଇଛି। ଅର୍ଥାତ ଏଇ ସରକାରଙ୍କ ସମୟରେ ହିଁ ଏତେ ସରକାରୀ ଚାକିରି ଉଚ୍ଛେଦ କରାଯାଇଛି। ନବୀନ ପଟ୍ଟନାୟକ ସରକାର ୨୦୦୦ ମାର୍ଚ୍ଚ ମାସରେ ଦାୟିତ୍ବ ନେଇଥିଲେ। ତାଙ୍କ ପଦବୀ ଏଯାଏଁ ଖାଲି ହୋଇନାହିଁ। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମଞ୍ଜୁରପ୍ରାପ୍ତ ଓ ଖାଲି ପଡ଼ିଥିବା ପଦବୀ ସଂଖ୍ୟା ସର୍ବାଧିକ। ଏହି ବିଭାଗର ୨,୧୬,୦୭୪ ପଦବୀ ମଧ୍ୟରୁ ୩୦,୨୯୯ ପଦବୀ ଖାଲି ପଡ଼ିଛି। ସେହିପରି ଗୃହ ବିଭାଗର ୮୮,୧୮୧ ମଞ୍ଜୁରପ୍ରାପ୍ତ ପଦବୀ ମଧ୍ୟରୁ ୧୬,୭୩୧ ଖାଲି ପଡ଼ିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୫୪,୮୮୦ ମଞ୍ଜୁରପ୍ରାପ୍ତ ପଦବୀ ମଧ୍ୟରୁ ୧୬,୦୭୧ ପଦବୀ ଖାଲି ପଡ଼ିଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମୋଟ ୨୫,୫୧୮ ମଞ୍ଜୁରପ୍ରାପ୍ତ ପଦବୀ ମଧ୍ୟରୁ ୭,୩୯୦ ଖାଲି ପଡ଼ିଛି। ପଂଚାୟତିରାଜ ବିଭାଗର ୨୪,୯୯୩ ମଞ୍ଜୁରପ୍ରାପ୍ତ ପଦବୀ ମଧ୍ୟରୁ ୩,୯୬୫ ଖାଲି ପଡ଼ିଥିବାବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୪,୬୭୬ ମଞ୍ଜୁରପ୍ରାପ୍ତ ପଦବୀ ମଧ୍ୟରୁ ୫,୪୬୨ ଖାଲି ପଡ଼ିଛି। ଆନୁପାତିକ ଦୃଷ୍ଟିରୁ ଦେଖିଲେ କୃଷି ବିଭାଗର ଖାଲି ପଡ଼ିଥିବା ପଦବୀ ସଂଖ୍ୟା ଅନେକ ଅଧିକ। ଏହି ବିଭାଗର ପ୍ରାୟ ୨୫ ପ୍ରତିଶତ ପଦବୀ ଖାଲି ପଡ଼ିଛି। କୃଷି ବିଭାଗରେ ଲୋକ ନଥିବାବେଳେ ଓଡ଼ିଶାରେ କୃଷି ଓ କୃଷକର ବିକାଶ କାର୍ଯ୍ୟ କିଏ ପରିଚାଳନା କରୁଛି ତାହା ନିଶ୍ଚୟ ଏକ କୌତୁହଳଗତ ପ୍ରଶ୍ନ। ଉଚ୍ଚ ଶିକ୍ଷା ବିଭାଗରେ ୨୪,୦୯୯ ମଞ୍ଜୁରପ୍ରାପ୍ତ ପଦବୀ ମଧ୍ୟରୁ ୭,୩୫୧ ଫାଙ୍କା ପଡ଼ିଥିବାବେଳେ ଜଳ ସଂପଦ ବିଭାଗର ୧୬,୪୬ ମଞ୍ଜୁରପ୍ରାପ୍ତ ପଦବୀରୁ ୬,୧୫୮ ଫାଙ୍କା। ସେହିପରି ଜଙ୍ଗଲ ଓ ପରିବେଶ ବିଭାଗର ମଞ୍ଜୁରପ୍ରାପ୍ତ ୧୨,୭୯୮ ପଦବୀ ମଧ୍ୟରୁ ୮,୫୯୦ ଖାଲି। ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ୧୧,୦୩୭ ମଞ୍ଜୁରପ୍ରାପ୍ତ ପଦବୀ ମଧ୍ୟରୁ ୩,୯୬୫ ଫାଙ୍କା। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ମଧ୍ୟ ୪,୭୦୧ ପଦବୀରୁ ୧,୯୭୮ ପଦବୀ ଖାଲି। ଇସ୍ପାତ ଓ ଖଣି ବିଭାଗର ୧,୬୫୭ ପଦବୀ ମଧ୍ୟରୁ ୭୨୫ ଫାଙ୍କା ଥିବାବେଳେ ଶିଳ୍ପ ବିଭାଗର ୧୭୯ ପଦବୀରୁ ମଧ୍ୟ ୯୯ ଖାଲି। ପୂର୍ତ୍ତ ବିଭାଗରେ ୧୦,୪୩୫ ପଦବୀ ମଧ୍ୟରୁ ୩,୪୮୦ ଖାଲି ଥିଲାବେଳେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧୪,୨୯୬ ପଦବୀରୁ ୩,୫୧୪ ଖାଲି। ଶକ୍ତି ବିଭାଗରେ ବି ୭୧୩ ମଞ୍ଜୁରପ୍ରାପ୍ତ ପଦବୀରୁ ୩୯୨ ଫାଙ୍କା ପଡ଼ିଛି। ଏଭଳି ଫାଙ୍କା ପଦବୀ ଯୋଗୁଁ ଶାସନ କଳର ଦକ୍ଷତା ହ୍ରାସ ପାଇଥିବାବେଳେ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। ବିଶେଷକରି ଆବଶ୍ୟକ କର୍ମଚାରୀ ଅଭାବରୁ ଓଡ଼ିଶାର ଲୋକମାନେ ଶିକ୍ଷା ଓ ସ୍ବାସ୍ଥ୍ୟ ପରି ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଉଭୟ ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରଚୁର ପଦବୀ ଖାଲି ଥିବାରୁ ସରକାରୀ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି କହିଲେ ଚଳେ। ସେହିପରି ବେଷୟିକ ଶିକ୍ଷା ବିଭାଗରେ ମଧ୍ୟ ଏକ ଚତୁର୍ଥାଂଶ ପଦବୀ ଖାଲି ଥିବାରୁ ବେସରକାରୀ ବୈଷୟିକ ଶିକ୍ଷା ସଂସ୍ଥାଗୁଡ଼ିକର ଶିକ୍ଷାର ମାନ ଓ ଅସାଧୁ କାରବାର ଉପରେ ଆବଶ୍ୟକ ଯାଞ୍ଚ ଓ ଅନୁଶୀଳନ ହୋଇପାରୁ ନାହିଁ। ଫଳରେ ରାଜ୍ୟର ହଜାର ହଜାର ବିଟେକ୍ ଛାତ୍ରଛାତ୍ରୀ ଡିଗ୍ରୀ ଧରି ବସିଛନ୍ତି, ରାଜ୍ୟ ଓ ଦେଶର ନିଯୁକ୍ତି ବଜାରରେ ସେମାନେ ଅଯୋଗ୍ୟ। କୃଷି, ଜଙ୍ଗଲ ଓ ପରିବେଶ, ଗ୍ରାମ ଉନ୍ନୟନ ଆଦି ବିଭାଗରେ ପ୍ରଚୁର ପଦବୀ ଫାଙ୍କା ଥିବାରୁ ଏସବୁ ବିଭାଗରୁ ଲୋକେ ଆବଶ୍ୟକ ସେବା ଓ ସୁବିଧା ପାଉନାହାନ୍ତି। ଏହି କାରଣରୁ ଜଙ୍ଗଲରୁ କାଠଚୋରୀ ବଢ଼ୁଛି ପଛେ କମୁନାହିଁ। ସେହିପରି ଇସ୍ପାତ ଓ ଖଣି ଏବଂ ଶିଳ୍ପ ବିଭାଗରେ ଘୋର କର୍ମଚାରୀ ଅଭାବ ଥିବାରୁ ସରକାରଙ୍କ ଦ୍ରୁତ ଶିଳ୍ପାୟନ ଅଭିଯାନ ଆଶାନୁଯାୟୀ ସଫଳ ହୋଇନାହିଁ, କିନ୍ତୁ ଖଣି କ୍ଷେତ୍ରରେ ଦୁର୍ନୀତି ଓ ବେଆଇନ କାରବାର ବୃଦ୍ଧି ପାଇଛି। ରାଜସ୍ବ ବିଭାଗରେ କର୍ମଚାରୀ ଅଭାବ ଥିବାରୁ ସହରାଞ୍ଚଳରେ ଖୁଲମଖୁଲା ଜମି ହଡ଼ପ ଚାଲିଥିଲେ ବି ତାହା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ। ଶାସନ କଳରେ ଏତେ ଅଧିକ କର୍ମଚାରୀ ଓ ଅଫିସର ଅଭାବ ଥିବାରୁ ମୋଟ ଉପରେ ରାଜ୍ୟ ପ୍ରଶାସନ ଅତ୍ୟନ୍ତ ଦୁର୍ବଳ ହୋଇଯାଇଛି। ଏହି ସୁଯୋଗରେ ଅସାଧୁ ବେପାରୀ, ଠିକାଦାର, ଶିଳ୍ପପତିମାନେ ରାଜ୍ୟକୁ ବିଭିନ୍ନ ବାଟରେ ଲୁଟି ଚାଲିଛନ୍ତି। ପ୍ରଶାସନରେ ଆଭ୍ୟନ୍ତରୀଣ ଭାବେ ଯାଞ୍ଚ ଓ ଭାରସାମ୍ୟ ବା ଚେକ୍ ଆଣ୍ଡ ବାଲାନ୍ସର ଅଭାବ ପରିଲକ୍ଷିତ ହେଉଛି। ଅଳ୍ପ କିଛି ଲୋକଙ୍କ ହାତରେ ପ୍ରଶାସନର ଗୁରୁତ୍ବପୂର୍ଣ୍ଣ କ୍ଷମତା ଠୁଳ ହେଉଥିବାରୁ ରାଜ୍ୟରେ ପ୍ରାଶସନିକ ଏକଛତ୍ରବାଦ ବୃଦ୍ଧି ପାଇଛି। ଶାସନରେ ଓଡ଼ିଆ ଲୋକଙ୍କର ସଂପୃକ୍ତି ଓ ସହଭାଗୀତା ହ୍ରାସ ପାଇଥିବାରୁ ଓଡ଼ିଶାରେ ଅଣଓଡ଼ିଆଙ୍କ ଲାଭ ଓ ଫାଇଦା ବୃଦ୍ଧି ପାଇଛି।