ବିକାଶର ସବା ତଳ ପାହାଚରେ ଆଦିବାସୀ- କେତେକ ପ୍ରଶ୍ନ

ବିକାଶର ସବା ତଳ ପାହାଚରେ ଆଦିବାସୀ- କେତେକ ପ୍ରଶ୍ନ

Share :

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ସରକାରଙ୍କର ସମସ୍ତ ଦାବି ସତ୍ତ୍ବେ ରାଜ୍ୟର ସବୁଠୁଁ ବଡ଼ ଜନଗୋଷ୍ଠୀ ଆଦିବାସୀମାନେ ଏବେ ବି ବିକାଶର ସବା ତଳ ପାହାଚରେ। କାହିଁକି? କାହିଁକି ସେମାନେ ସବୁଠୁ କମ୍‌ ସାକ୍ଷର, ଶିକ୍ଷିତ ଓ ବିକଶିତ? କାହିଁକି ସେମାନଙ୍କର ଜୀବିକା ଓ ସମ୍ବଳର ଅଧିକାର ଏତେ ଦୁର୍ବଳ? କାହିଁକି ବିକାଶମୂଳକ ପ୍ରକଳ୍ପ ନାମରେ ସେମାନେ ହିଁ ସର୍ବାଧିକ ବିସ୍ଥାପିତ? ମନ୍ତ୍ରୀ କହୁଛନ୍ତି ଆଦିବାସୀଙ୍କ ଶିକ୍ଷା ପାଇଁ ରାଜ୍ୟରେ ୧୬୭୦ ସ୍କୁଲ ଓ ୬୫୦୦ ହଷ୍ଟେଲ ଖୋଲିଛନ୍ତି। ସରକାରୀ ୱେବସାଇଟ୍‌ର ତଥ୍ୟ ଅନୁସାରେ ରାଜ୍ୟରେ ଆଦିବାସୀ ପିଲାଙ୍କ ପାଇଁ ୧୬୪ ବାଳକ ବିଦ୍ୟାଳୟ, ୧୭୩ ବାଳିକା ବିଦ୍ୟାଳୟ, ୬୧ ହାଇସ୍କୁଲ, ୭୬୬ ଆଶ୍ରମ ସ୍କୁଲ, ୫୦୬ ସେବାଶ୍ରମ ଅଛି। ମନ୍ତ୍ରୀଙ୍କ ହିସାବ ଅନୁସାରେ ସରକାରୀ ଆଦିବାସୀ ସ୍କୁଲଗୁଡ଼ିକରେ ୫ ଲକ୍ଷ ୯୩ ହଜାର ପିଲା ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୩୦ ହଜାର ହେଉଛନ୍ତି ବାଳିକା। ବାକି ଆଦିବାସୀ ପିଲା କେଉଁଠି ପଢ଼ୁଛନ୍ତି? ପଢ଼ୁଛନ୍ତି ତ? ନା ବଣଜଙ୍ଗଲରେ ଖାଦ୍ୟ ସଂଗ୍ରହ କରିବାକୁ ଯାଇଁ ବିପଦପୂର୍ଣ୍ଣ ଜୀବନ ବିତାଉଛନ୍ତି? ୨୦୧୧ ଜନ ଗଣନା ରିପୋର୍ଟ ଅନୁସାରେ ରାଜ୍ୟ ଜନସଂଖ୍ୟାର ୨୨.୧ ପ୍ରତିଶତ ବା ୮୧ ଲକ୍ଷ ୪୫ ହଜାର ହେଉଛନ୍ତି ଆଦିବାସୀ। ଏମାନଙ୍କ ମଧ୍ୟରେ କେତେ ପ୍ରତିଶତ ସାକ୍ଷର ବା ଶିକ୍ଷିତ? ସର୍ବଭାରତୀୟ ସ୍ତରରେ ସାଧାରଣ ସାକ୍ଷରତା ହାର ୭୩ ପ୍ରତିଶତ ଓ ଆଦିବାସୀ ସାକ୍ଷରତା ହାର ୫୯ ପ୍ରତିଶତ। ଓଡ଼ିଶାରେ ଏହି ହାର ଯଥାକ୍ରମେ ୭୩.୪୫ ପ୍ରତିଶତ ଓ ୫୨ ପ୍ରତିଶତ କାହିଁକି? କାହିଁକି ସର୍ବଭାରତୀୟ ହାର ତୁଳନାରେ ଓଡ଼ିଶାରେ ଆଦିବାସୀ ସାକ୍ଷରତା ହାର ୭ ପ୍ରତିଶତ କମ୍‌? ଏହା ଓଡ଼ିଶା ସରକାରଙ୍କର ବିଫଳତା ନୁହେଁ କି? ଓଡ଼ିଶାର ମାଲକାନଗିରି ଜିଲ୍ଲା ଜନସଂଖ୍ୟାର ୫୭ ପ୍ରତିଶତ ହେଉଛନ୍ତି ଆଦିବାସୀ। ମୟୂରଭଞ୍ଜ ଜିଲ୍ଲା ଜନସଂଖ୍ୟାର ମଧ୍ୟ ୫୭ ପ୍ରତିଶତ ହେଉଛନ୍ତି ଆଦିବାସୀ। ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ଜନସଂଖ୍ୟାର ଯଥାକ୍ରମେ ୫୬ ଓ ୫୫ ପ୍ରତିଶତ ହେଲେ ଆଦିବାସୀ। ଏ ଚାରିଟି ଜିଲ୍ଲାର ସ୍ଥିତି ଆଜି କ’ଣ? ଏ ଚାରିଟି ଜିଲ୍ଲାର ବିକାଶର ମାନଦଣ୍ଡର କେତେ ଉପରେ ବା କେତେ ତଳେ? ରାଜ୍ୟ ସରକାର ଏହି ନିର୍ଦ୍ଦିଷ୍ଟ ଚାରିଟି ଜିଲ୍ଲାର ବିକାଶ ପାଇଁ କି କି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି? କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଆଦି ଆଦିବାସୀ ଅଧ୍ୟୁସିତ ଜିଲ୍ଲାରୁ ରାଜ୍ୟ ସରକାର ସର୍ବାଧିକ ଖଣି ରାଜସ୍ବ ଆଦାୟ କରୁଛନ୍ତି। ମାତ୍ର, ଆଦିବାସୀଙ୍କର ଆର୍ଥିକ, ବୌଦ୍ଧିକ ଓ ଶୈକ୍ଷିକ ବିକାଶ ଦିଗରେ ସେହିସବୁ ରାଜସ୍ବର କେତେ ପ୍ରତିଶତ ଖର୍ଚ୍ଚ ହେଉଛି? ଆଦିବାସୀ ଜିଲ୍ଲାଗୁଡ଼ିକର ସଂପଦ ବ୍ୟବହାର କରି ଲକ୍ଷ ଲକ୍ଷ କୋଟ ଟଙ୍କାର ଶିଳ୍ପ ତଥା ବ୍ୟବସାୟ ସାମ୍ରାଜ୍ୟ ବିସ୍ତାର କରୁଥିବା କମ୍ପାନୀଗୁଡ଼ିକର ସିଏସଆର ପାଣ୍ଠିରୁ କେତେ ପ୍ରତିଶତ ଏହିସବୁ ଜିଲ୍ଲାର ଆଦିବାସୀଙ୍କ ବିକାଶ ଓ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉଛି? ପ୍ରକୃତି ଓ ଈଶ୍ବର ଆଦିବାସୀମାନଙ୍କୁ ଜଳ, ଜଙ୍ଗଲ ଓ ଖଣି ପରି ପ୍ରାକୃତିକ ସମ୍ବଳର ପ୍ରାଚୁର୍ଯ୍ୟ ମଧ୍ୟରେ ସୃଷ୍ଟି କରିଛନ୍ତି। ଆଜି କିନ୍ତୁ ଏହିସବୁ ସଂପଦ ବ୍ୟବହାର କରି ସହରୀ ଲୋକମାନେ ବିକାଶର ଶୀର୍ଷ ସୋପାନରେ ଅୟସ ଆରାମ କରୁଛନ୍ତି, ଅଥଚ ଆଦିବାସୀମାନେ ଆଦିମ ସଭ୍ୟତାର ଅଭାବ ଓ କଷଣ ଭିତରୁ ଏଯାଏଁ ଉଦ୍ଧାର ପାଇପାରି ନାହାନ୍ତି। ଏବେ ବି ରାଜ୍ୟର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଆଦିବାସୀ ସଂପ୍ରଦାୟ ଯଥା- କନ୍ଧ, ସାନ୍ତାଳ, କୋହ୍ଲ, ମୁଣ୍ଡା, ସଉରା ଓ ଶବର ଆଦି ସଂପ୍ରଦାୟ ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥ ଓ ବିକାଶ କ୍ଷେତ୍ରରେ ଅନେକ ପଛରେ। କାହିଁକି ଅନ୍ୟମାନେ ବିକାଶର ଫଳ ଭୋଗ କରିବାବେଳେ ଏହି ବର୍ଗର ଲୋକମାନେ ସବୁବେଳେ ବିସ୍ଥାପିତ ଓ ଯାଯାବର ଜୀବନ ବିତାଇବେ। କାହିଁକି ଏମାନଙ୍କର ଜଳ, ଜଙ୍ଗଲ ଓ ଜମି ଅଧିକାର ଦିନକୁ ଦିନ ସଙ୍କୁଚିତ ହେଉଥିଲାବେଳେ ସରକାର ପୁଞ୍ଜିପତିମାନଙ୍କୁ ଏସବୁ ସମ୍ବଳ ଉପରେ ଅଧିକରୁ ଅଧିକ ଅଧିକାର ହସ୍ତାନ୍ତର କରିଚାଲିଛନ୍ତି? ସରକାର ଆଦିବାସୀଙ୍କ ଶିକ୍ଷା ପାଇଁ ନାମକୁ ମାତ୍ର ସ୍କୁଲ ଖୋଲୁଛନ୍ତି। କିନ୍ତୁ ସେସବୁ ସ୍କୁଲରେ ନିୟମିତ ଶିକ୍ଷକ ରହୁଛନ୍ତି କି? ସେସବୁ ସ୍କୁଲର ପାଠପଢ଼ା କେତେ ଉନ୍ନତ ମାନର? ଆଦିବାସୀ ସ୍କୁଲ ଓ ହଷ୍ଟେଲଗୁଡ଼ିକର ଖାଦ୍ୟର ମାନ କେତେ ଉପଯୁକ୍ତି? କେବେ ସରକାରୀ ଅଧିକାରୀମାନେ ସେସବୁ ଖାଦ୍ୟର ମାନ ପରୀକ୍ଷା କରିଛନ୍ତି? ସରକାରଙ୍କ ଖାଦ୍ୟ ନିରୀକ୍ଷକମାନେ ମାସରେ କେତେ ଥର ଆଦିବାସୀ ହଷ୍ଟେଲ ଯାଇଁ ଖାଦ୍ୟମାନ ଯାଞ୍ଚ କରିଛନ୍ତି? ମନ୍ତ୍ରୀ କହୁଛନ୍ତି ଆଦିବାସୀ ବିଦ୍ୟାଳୟର ପିଲାମାନଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି? ସେଥିପାଇଁ କେତେ ଡାକ୍ତର ଓ ନର୍ସ ନିଯୁକ୍ତ ହୋଇଛନ୍ତି? ନିଜେ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ସରକାର ହଷ୍ଟେଲରେ ଆଦିବାସୀ ପିଲାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ୩ ହଜାର ମାଟ୍ରନ ନିଯୁକ୍ତ କରିଛନ୍ତି। ଏହା କ’ଣ ଯଥେଷ୍ଟ? ୫ ଲକ୍ଷ ୯୩ ହଜାର ପିଲାଙ୍କ ପାଇଁ ମାତ୍ର ୩ ହଜାର ମାଟ୍ରନ! ସେହିପରି ୬୫୦୦ ହଷ୍ଟେଲ ଓ ୬ ଲକ୍ଷ ପିଲାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ମାତ୍ର ୩୩୬ ଏଏନଏମ? ଏମାନେ ଦିନକୁ କେତେ ଜଣ ପିଲାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରନ୍ତି? କେତେ କରିପାରିବେ? ସରକାର କହିପାରିବେ କି ଗଲା ୨୦ ବର୍ଷ ଭିତରେ କେତେ ଆଦିବାସୀ ସ୍କୁଲର ନିରୀହ ପିଲାମାନେ ନିମ୍ନ ମାନର ଖାଦ୍ୟର ପ୍ରତିବାଦ କରିବା ପାଇଁ ମାଇଲ ମାଇଲ ଚାଲି ଚାଲି ଜିଲ୍ଲାପାଳଙ୍କ ପାଖକୁ ଯାଇଛନ୍ତି? କେତେ ହଷ୍ଟେଲର ଛାତ୍ରଛାତ୍ରମାନେ ରାତିରେ ପାଚେରୀ ଡେଇଁ ପଳାଇବାକୁ ବାଧ୍ୟ ହୋଇଛନ୍ତି? ଯଦି ହଷ୍ଟେଲରେ ଭଲ ଖାଇବାକୁ ଓ ପିନ୍ଧିବାକୁ ମିଳୁଥାନ୍ତା, ଖେଳିବାକୁ ଓ ପଢ଼ିବାକୁ ଭଲ ସୁଯୋଗ ଥାଆନ୍ତା, ମାଷ୍ଟର ଓ କର୍ମଚାରୀମାନେ ଭଲ ବ୍ୟବହାର ପ୍ରଦର୍ଶନ କରୁଥାଆନ୍ତେ ତେବେ ପିଲାମାନେ ହଷ୍ଟେଲ ଛାଡ଼ି ଅଭାବ ଅନଟନରେ ଦୁଃଖପୂର୍ଣ୍ଣ ଜୀବନ ବିତାଉଥିବା ବାପାମା’ଙ୍କ ପାଖକୁ କାହିଁକି ଫେରିବାକୁ ଇଚ୍ଛା କରନ୍ତେ? ଅଦିବାସୀ ଶିଶୁ ଓ ମହିଳାଙ୍କ ମଧ୍ୟରେ ରକ୍ତହୀନତା ହାର ଏତେ ଅଧିକ କାହିଁକି? କାହିଁକି ସେମାନେ ଅଧିକ ମାତ୍ରାରେ ପୁଷ୍ଟିହୀନ? ଖାଦ୍ୟର ଭଣ୍ଡାର ଜଙ୍ଗଲ ଭିତରେ ଜନ୍ମ ନେଇଥିବା ଆଦିବାସୀମାନେ ଅନାହାର କଷଣ ସହନ୍ତି କାହିଁକି? ସେମାନଙ୍କ ଖାଦ୍ୟ ଭଣ୍ଡାରକୁ କିଏ ନଷ୍ଟ କରିଛି? ସରକାର ଯେତେ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଦେଇଛନ୍ତି ସେଥିରୁ କେତେ ପାଇଛନ୍ତି ଆଦିବାସୀ? କେତେ ଆଦିବାସୀ ଗାଁରେ ଉପଲବ୍ଧ ହୋଇଛି ସରକାରଙ୍କର ବିଜୁଳି, ସଡ଼କ, ପାଣି କାର୍ଯ୍ୟକ୍ରମ? ସରକାର ଯଦି ଆଦିବାସୀ ଶିକ୍ଷା ଓ ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ତେବେ ସ୍ବାଧୀନତାର ୭୨ ବର୍ଷ ପରେ କାହିଁକି ଏହି ଆଦିମ ଜନଗୋଷ୍ଠୀ ନିୟମଗିରିରେ ନିଜର ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ଲଢ଼େଇ କରୁଛି? କାହିଁକି ଖଣ୍ଡାଧାର ଓ ଦେଓମାଳିର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରୁଛି? କାହିଁକି ଶିମିଳିପାଳର ଆଦିବାସୀ ଅଧିକାର ପାଇଁ ଆନ୍ଦୋଳନ କରୁଛି? କାହିଁକି ଆରମ୍ଭ ହୋଇଛି ସୁନ୍ଦରଗଡ଼ର ପଥଲଗାଡ଼ି ଆନ୍ଦୋଳନ? କାହିଁକି ଏଯାଏଁ ଓଡ଼ିଶାର ତଫସିଲଭୁକ୍ତ ଅଞ୍ଚଳରେ ପେସା ଆଇନ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇନାହିଁ? କାହିଁକି ତଫସିଲଭୁକ୍ତ ଅଞ୍ଚଳର ଶାସନ ବ୍ୟବସ୍ଥାରେ ରାଜ୍ୟର ଶାସନ କଳ ବାରମ୍ବାର ଆଇନ ବ୍ୟବସ୍ଥା ଉଲ୍ଲଙ୍ଘନ କରିଚାଲିଛି?

Share :