ଖଣି ଲିଜ୍‌ରୁ ୮୦ ହଜାର କୋଟି ଟଙ୍କା ହଡ଼ପ ଯୋଜନା!

ଖଣି ଲିଜ୍‌ରୁ ୮୦ ହଜାର କୋଟି ଟଙ୍କା ହଡ଼ପ ଯୋଜନା!

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୨୦ ମାର୍ଚ୍ଚ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ଓଡ଼ିଶାର ୩୧ଟି ଖଣିର ନିଲାମ ନଡାକି ସେଗୁଡ଼ିକୁ ପୁଣି ଥରେ ସଂପୃକ୍ତ ଲିଜ୍‌ଧାରୀଙ୍କ ହାତରେ ଟେକି ଦେବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଏକ ମିଳିତ ଚକ୍ରାନ୍ତ ଚାଲିଛି। ଲିଜ୍‌ ଅବଧି ଶେଷ ହେଉଥିବା ଖଣିଗୁଡ଼ିକୁ ସରକାର ନିଲାମ ଜରିଆରେ ପୁଣି ଥରେ ଘରୋଇ କମ୍ପାନୀଙ୍କ ହାତରେ ଟେକି ନଦେଇ ସରକାରୀ ଉଦ୍ୟୋଗକୁ ଲିଜ୍‌ ଦେଲେ ରାଜ୍ୟ ସରକାର ବିପୁଳ ଲାଭର ଅଧିକାରୀ ହୁଅନ୍ତେ। ତା’ କରି ଖୋଲା ବଜାରରେ ନିଲାମ ଡାକିଲେ ମଧ୍ୟ ଅନ୍ୟୁନ ୮୦ ହଜାର କୋଟି ଟଙ୍କାର ରାଜସ୍ବ ମିଳନ୍ତା। ମାତ୍ର, ଏହା ନକରି ଏସବୁ ଖଣିର ଲିଜ୍‌ ଅବଧି ବୃଦ୍ଧି କରିବାକୁ ବାଣିଜ୍ୟିକ ଖଣି କମ୍ପାନୀଗୁଡ଼ିକ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ତରରେ ଲବି ଆରମ୍ଭ କରିଛନ୍ତି। ଭାରତୀୟ ଖଣିଜ ଶିଳ୍ପ ସଂଘ ବା ଫିମି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ପ୍ରଚାର ଚଳେଇଛି ଯେ ଯଦି ବାଣିଜ୍ୟିକ ଖଣିଗୁଡ଼ିକର ଲିଜ୍‌ ଅବଧି ଉର୍ତ୍ସଗୀକୃତ ଖଣି ଭଳି ୨୦୩୦ ପର୍ଯ୍ୟନ୍ତ ବୃଦ୍ଧି କରା ନଯାଏ ତେବେ ଦେଶର ଅନେକ ଇସ୍ପାତ ଓ ଲୁହା କାରଖାନା କଞ୍ଚାମାଲ ଅଭାବର ସମ୍ମୁଖୀନ ହେବେ। ଖଣିଜ ଉତ୍ତୋଳନ ଓ ବିପଣନ କ୍ଷେତ୍ରରେ କୋଳାହଳ ଓ ବିଶୃଙ୍ଖଳା ସୃଷ୍ଟି ହେବ। କାରଣ ଏବେ ବି ଦେଶର ପ୍ରାୟ ୭୦ ପ୍ରତିଶତ ଇସ୍ପାତ ଓ ଲୁହା କାରଖାନା ନିକଟରେ କ୍ୟାପ୍ଟିଭ ବା ଉତ୍ସର୍ଗୀକୃତ ଖଣି ନାହିଁ। ଏସବୁ କାରଖାନା ବାଣିଜ୍ୟିକ ଖଣି ଲିଜ୍‌ଧାରୀଙ୍କଠାରୁ କଞ୍ଚାମାଲ କିଣିଥାନ୍ତି। ଓଡ଼ିଶା ଓ ଝାଡ଼ଖଣ୍ଡରେ ସର୍ବାଧିକ ବାଣିଜ୍ୟିକ ଖଣି ରହିଛି। ଏସବୁ ଖଣି ପୂର୍ବ ଭାରତର ୪୫ ପ୍ରତିଶତ ଲୁହା ପଥର ଆବଶ୍ୟକତା ପୂରଣ କରିଥାନ୍ତି। ଏ ଦୁଇ ରାଜ୍ୟର ବାଣିଜ୍ୟିକ ଖଣି ନିଲାମ ପ୍ରକ୍ରିୟା ପାଇଁ ବନ୍ଦ ରହିଲେ ଇସ୍ପାତ ଓ ଲୌହ ଶିଳ୍ପ କ୍ଷତିଗ୍ରସ୍ତ ହେବ ବୋଲି ଯୁକ୍ତି କରାଯାଉଛି। ତେଣୁ ୨୦୨୦ ମାର୍ଚ୍ଚ ସୁଦ୍ଧା ଯେଉଁ ଖଣିଗୁଡ଼ିକର ଲିଜ୍‌ ଅବଧି ଶେଷ ହେଉଛି ସେଗୁଡ଼ିକୁ ନିଲାମରେ ନଦେଇ ଲିଜ୍‌ ଅବଧି ବୃଦ୍ଧି କରିବାକୁ ସଂଘ ଦାବି କରିଛି। ଅନ୍ୟପକ୍ଷରେ ଇସ୍ପାତ ଓ ଲୌହ ଶିଳ୍ପର ଯୁକ୍ତି ହେଉଛି ୨୦୧୫ ମସିହାରେ ଏମଏମଡିଆର ଆଇନରେ ସଂଶୋଧନ ହେବା ପରେ ସରକାର ପୁରୁଣା ପ୍ରକ୍ରିୟାରେ ଲିଜ୍‌ ନଦେଇ ଖଣିଗୁଡ଼ିକୁ ନିଲାମରେ ଲିଜ୍‌ ଦେଲେ ସରକାର ବିପୁଳ ରାଜସ୍ବ ଅର୍ଜନ କରିବେ। ଆସୋସିଏଟେଡ଼ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ବା ଅସୋଚାମ୍‌ର ଏକ ଆକଳନ ଅନୁସାରେ ଓଡ଼ିଶା ସରକାର ଯଦି ଲିଜ୍‌ ଅବଧି ଶେଷ କରୁଥିବା ଖଣିଗୁଡ଼ିକୁ ନିଲାମ ନକରି ଲିଜ୍‌ ଅବଧି ବୃଦ୍ଧି କରନ୍ତି ତେବେ ୭୯,୫୦୦ କୋଟି ଟଙ୍କା ହରେଇବେ। ନୂଆ ଖଣିର ଅନ୍‌ ଲାଇନ୍‌ ନିଲାମ ସମୟରେ ଦାଖଲ ହୋଇଥିବା ୧୦୦ ପ୍ରତିଶତ ପ୍ରିମିୟମ ଭିତ୍ତିରେ ଆସୋଚାମ୍‌ ଏହି ହିସାବ କରିଛି। ପୁରୁଣା ଖଣିର ଅନ୍‌ ଲାଇନ୍‌ ନିଲାମ ହେଲେ ଅତିକମ୍‌ରେ ୫୦ ପ୍ରତିଶତ ପ୍ରିମିୟମ ଦାଖଲ ହେବ। ଅସନ୍ତା ବର୍ଷ ଲିଜ୍‌ ଅବଧି ପୂରଣ କରୁଥିବା ୩୧ ଖଣିରୁ ଅତିକମ୍‌ରେ ୧୦ଟି ଖଣିର ନିଲାମ ଚଳିତ ଜୁଲାଇ ମାସରେ ଡକାଯିବ ବୋଲି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ସେ ଦିଗରେ ଏଯାଏଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ଓଡ଼ିଶାର ଶାସକ ବିଜୁ ଜନତା ଦଳ ସମେତ ଅନ୍ୟ କେତେକ ରାଜନୀତିକ ଦଳ ତଥା ରାଜ୍ୟ ପ୍ରଶାସନକୁ ବିବିଧ ଉପାୟରେ ପ୍ରଭାବିତ ଓ ନିୟନ୍ତ୍ରିତ କରୁଥିବା ଖଣି ଲବି ରାଜ୍ୟର ଖଣିଜ ସଂପଦ ଲୁଟିବା ପାଇଁ ବିଭିନ୍ନ ବ୍ୟାବସାୟିକ କୌଶଳ ପ୍ରୟୋଗ କରୁଛି। ରାଜ୍ୟର ଉତ୍ସର୍ଗୀକୃତ ଖଣି ତୁଳନାରେ ବାଣିଜ୍ୟିକ ଖଣିଗୁଡ଼ିକର ଲାଭ ଅଧିକ। ଏସବୁ ଖଣି ପୁଣି ବେଆଇନ ଭାବେ ଠିକା ବା ମିଛିମିଛିକା ଅଂଶୀଦାରୀରେ ଚାଲିଛି। ଏମସିଆର ଅନୁସାରେ ଲିଜ୍‌ ନେଇଥିବା କମ୍ପାନୀ ଖଣିଜ ଉତ୍ତୋଳନ ଓ ବିପଳନ ଦାୟିତ୍ବ ଅନ୍ୟ କାହାକୁ ଠିକା ଦେଇପାରିବ ନାହିଁ। ମାତ୍ର ଓଡ଼ିଶାରେ ଅନେକ ଖଣିର ଠିକା ଏକ ପ୍ରଭାବଶାଳୀ ଦକ୍ଷିଣୀ କମ୍ପାନୀ ପାଇଛି। ଏହି କମ୍ପାନୀ ଏବେ ରାଜ୍ୟ ଶାସନକୁ ନିୟନ୍ତ୍ରିତ କରୁଛି ବୋଲି ଅନେକ ସମୟରେ ବିରୋଧୀ ରାଜନୀତିକ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ଏହି କମ୍ପାନୀ ଯେଉଁସବୁ ଖଣିର ଠିକା ନେଇଛି ଅନ୍ତତଃ ସେହି ଖଣିଗୁଡ଼ିକର ଲିଜ୍‌ ଅବଧି ବୃଦ୍ଧି କରିବାକୁ କିମ୍ବା ତାହା ସମ୍ଭବ ନହେଲେ ନିଲାମ ଜରିଆରେ ସେହି କମ୍ପାନୀଗୁଡ଼ିକୁ ପୁଣିଥରେ ଲିଜ୍‌ ଦେବାକୁ ଚାପ ପ୍ରୟୋଗ କରୁଛି। ଏହିଭଳି କେତେକ ଖଣି ଓ ଖଣିଜ ଭିତ୍ତିକ ଶିଳ୍ପ କମ୍ପାନୀ ରାଜ୍ୟକୁ ଏକ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବା ଆଳରେ ଖଣିଜ ରପ୍ତାନୀ ବୃଦ୍ଧି କରିବାକୁ ଓଡ଼ିଶାର ଶାସକ ଦଳ ଏବଂ ପ୍ରଶାସକମାନଙ୍କୁ ପ୍ରଲୋଭନ ଜରିଆରେ ପ୍ରରୋଚିତ କରିଚାଲିଛନ୍ତି। ତେବେ ସରକାର ଘରୋଇ ଖଣି କମ୍ପାନୀଙ୍କ ପାଲରେ ନପଡ଼ି ରାଜ୍ୟର ମୂଲ୍ୟବାନ ଖଣିଗୁଡ଼ିକୁ ରାଜ୍ୟ ସରକାରଙ୍କ ଅଧୀନସ୍ତ ଉଦ୍ୟୋଗ ଅଧୀନକୁ ଆଣିବା ପାଇଁ ମଧ୍ୟ ସେହି ବିଜୁ ଜନତା ଦଳ ଭିତରୁ ସ୍ବର ଉଠିଲାଣି। ସରକାର ସେହି ସ୍ବର ଶୁଣିବେ କି ନାହିଁ ତାହା ଅବଶ୍ୟ ଅଲଗା କଥା। ଲିଜ୍‌ ଅବଧି ପୂରଣ ହେଉଥିବା ଖଣିଗୁଡ଼ିକୁ ନିଲାମ ନକରି ସେଗୁଡ଼ିକୁ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଏମସି କିମ୍ବା ଆଇଡିସିକୁ ଦେବା ସପକ୍ଷରେ ଯୁକ୍ତି କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଏମଏମଡିଆର ଆକ୍ଟ ୨୦୧୫ର ସଂଶୋଧନ ଅନୁଯାୟୀ ୨୦୨୦ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟର ୩୪ଟି ଖଣି ନିଲାମ ହେବାକୁ ଥିବା ବେଳେ ସେଥିମଧ୍ୟରେ ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଅଂଚଳରେ ଥିବା ଟାଟା କମ୍ପାନୀର ସୁକିନ୍ଦା କ୍ରୋମାଇଟ ମାଇନ୍ସ, ମିଶ୍ରିଲାଲ ମାଇନ୍ସ ଏବଂ ବି.ସି. ମହାନ୍ତି ଆଣ୍ଡ ସନ୍ସ ମାଇନ୍ସ ନିଲାମ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଏକ ପ୍ରେସ ବିବୃତ୍ତିରେ ଡକ୍ଟର ଘଡ଼ାଇ କହିଛନ୍ତି ଯେ ଭାରତରେ କ୍ରୋମାଇଟ ଏକ ଦୁର୍ମୂଲ୍ୟ ସଂପଦ ହୋଇଥିବା ବେଳେ ଏବଂ ଦେଶରେ ଥିବା ମୋଟ ୩୩୪ ନିୟୁତ ଟନ୍ କ୍ରୋମାଇଟ ମଧ୍ୟରୁ ୩୩୦.୭୧୪ ନିୟୁତ ଟନ୍ ଅର୍ଥାତ୍ ୯୬ ପ୍ରତିଶତରୁ ଅଧିକ କେବଳ ଓଡିଶାର ଯାଜପୁର ଜିଲ୍ଲାରେ ଗଚ୍ଛିତ ଅଛି। ନିଲାମ ହେବାକୁ ଥିବା ଟାଟା କମ୍ପାନୀର ସୁକିନ୍ଦା କ୍ରୋମାଇଟ ମାଇନ୍ସ, ମିଶ୍ରିଲାଲ ମାଇନ୍ସ ଏବଂ ବି.ସି. ମହାନ୍ତି ଆଣ୍ଡ ସନ୍ସ ମାଇନ୍ସରେ ପ୍ରାୟ ୬୦ ନିୟୁତ ଟନ୍ କ୍ରୋମାଇଟ ଗଛିତ ଥିବା ବେଳେ ଏହା ପ୍ରଚଳିତ ହାରରେ ଖନନ କରି ଚାଲିଲେ ୬୦ରୁ ୭୦ ବର୍ଷ ପର୍ଯ୍ୟନ୍ତ ଚାଲି ପାରିବ। ମାତ୍ର ସରକାର ଯଦି ଏହାକୁ ନିଲାମ କରନ୍ତି ତେବେ ବେସରକାରୀ କମ୍ପାନୀମାନେ ଏଥିରେ ଭାଗନେବେ ଏବଂ ସେମାନେ ସେଥିରେ କେବଳ ନିଜର ସ୍ୱାର୍ଥ କଥା ହିଁ ଚିନ୍ତା କରିବେ। ଯାହା ଫଳରେ ସେମାନେ ଅଧିକ ପରିମାଣରେ କ୍ରୋମାଇଟ ଉତ୍ତୋଳନ କରି ରପ୍ତାନୀ କରିବେ ଏବଂ ୩୦ରୁ ୪୦ ବର୍ଷ ମଧ୍ୟରେ ଏହି ଖଣିଗୁଡିକରୁ କ୍ରୋମ ପଥର ଶେଷ ହୋଇଯିବ। ତେଣୁ ଏଭଳି ପରିସ୍ଥିରେ ଏମଏମଡିଆର ଆକ୍ଟରେ ଥିବା ଆଇନ ଅନୁଯାୟୀ ଏହି ଖଣିଗୁଡିକୁ ନିଲାମ ନକରି ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଡିଶା ଖଣି ନିଗମ(ଓ.ଏମ.ସି) କିମ୍ୱା ଓଡିଶା ଶିଳ୍ପ ଉନ୍ନୟନ କର୍ତ୍ତୃପକ୍ଷ(ଆଇ.ଡି.ସି)ଙ୍କୁ ଖଣି ଲିଜ ଦେବା ପାଇଁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଉପସଭାପତି ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏକ ପତ୍ର ଲେଖି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଡଃ. ଘଡାଇ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ଖଣିଗୁଡିକ ଓଡିଶା ଖଣି ନିଗମ କିମ୍ୱା ଓଡିଶା ଶିଳ୍ପ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ଦେବା ଫଳରେ ରାଜ୍ୟ ସରକାରଙ୍କର ଆର୍ଥିକ ଉନ୍ନତି ହେବା ସହିତ ଓଡିଶା ଶିଳ୍ପ ଉନ୍ନୟନ ନିଗମ ଅଧୀନସ୍ଥ ଫେରୋକ୍ରୋମ କାରଖାନାର ନିଜସ୍ୱ ବ୍ୟବହାର ପାଇଁ ଉପେଯାଗୀ ହୋଇ ପାରନ୍ତା।

Share :