ଓଡ଼ିଶା ବଜେଟରେ ସାମାଜିକ ବିକାଶ ଅବହେଳିତ

ଓଡ଼ିଶା ବଜେଟରେ ସାମାଜିକ ବିକାଶ ଅବହେଳିତ

ସ୍ବତନ୍ତ୍ର ପ୍ରତିନିଧି ଚଳିତ ଆର୍ଥିକ ବର୍ଷର ଓଡ଼ିଶା ବଜେଟ୍ ବ୍ୟୟବରାଦ ଗତ ବର୍ଷ ତୁଳନାରେ ୧୫.୭% ବୃଦ୍ଧି ଘଟିଛି। ସେହି ଅନୁସାରେ ସାମାଜିକ କ୍ଷେତ୍ରର ବ୍ୟୟ ବରାଦ ମଧ୍ୟ ବଢିଛି। ମାତ୍ର କାଳିଆ, ପାର୍ବତୀ ଗିରି ବୃହତ ଉଠା ଜଳସେଚନ, ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା ସଶକ୍ତିକରଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ବସୁଧା ଓ ପାନୀୟ ଜଳ ଯୋଗାଣ ଭଳି ପୂର୍ବ ଘୋଷିତ ଯୋଜନା ବାବଦକୁ ବ୍ୟୟ ବରାଦ ଚଳିତ ବଜେଟ୍ର ସିଂହ ଭାଗ ଅକ୍ତିଆର କରିଛି। ସାମାଜିକ ବିକାଶର ଅନ୍ୟ ଦିଗଗୁଡିକରେ ବ୍ୟୟବରାଦରେ ବିଶେଷ ଫରକ ନାହିଁ। ଅନେକ କ୍ଷେତ୍ରରେ ବ୍ୟୟବରାଦ କମିଛି ଏବଂ ପୂର୍ବ ଘୋଷିତ ଯୋଜନା ପାଇଁ ଏହି କ୍ଷେତ୍ରଗୁଡିକ ଅଣଦେଖା କରାଯାଇଛି ବୋଲି ସେଣ୍ଟର ଫର୍ ୟୁଥ୍ ଆଣ୍ଡ ସୋସିଆଲ ଡେଭେଲପ୍ମେଣ୍ଟ (ସିୱାଇଏସ୍‌ଡି)ର ଓଡିଶା ବଜେଟ୍ ଆଣ୍ଡ ଏକାଉଣ୍ଟେବିଲିଟି ସେଣ୍ଟର ଦ୍ୱାରା ରାଜ୍ୟ ବଜେଟ ୨୦୧୯-୨୦କୁ ନେଇ କରାଯାଇଥିବା ଏକ ଅନୁଶୀଳନରୁ ଜଣାଯାଏ। ୨୦୧୯-୨୦ ଆର୍ଥିକ ବର୍ଷର ମୋଟ ରାଜ୍ୟ ବଜେଟ୍ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ରହିଛି। ଏହା ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍ ଠାରୁ ୧୫.୭% ଅଧିକ। ଚଳିତ ବର୍ଷ ୧୮୮୭୭ କୋଟି ଟଙ୍କାର ବିତ୍ତୀୟ ନିଅଣ୍ଟ ରହିବ ବୋଲି ଆକଳନ କରାଯାଇଛି ଯାହାକି ୨୦୧୭-୧୮ ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟ (୯୩୫୯.୩୯ କୋଟି ଟଙ୍କା)ର ଦୁଇ ଗୁଣ। ବଜେଟର ଆକାର ବୃଦ୍ଧି ସହ ବିତ୍ତୀୟ ନିଅଣ୍ଟ ଚିନ୍ତାଜନକ ବୋଲି ଆଜି ଅନୁଷ୍ଠିତ ବଜେଟ୍ ପରବର୍ତ୍ତୀ ବିତର୍କରେ ଉପସ୍ଥିତ ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ୨୦୧୯-୨୦ରେ କେନ୍ଦ୍ରୀୟ ରାଶି (କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶଧନ ଓ କେନ୍ଦୀୟ ସହାୟତା) ୬୯୭୬୬ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି ଯାହାକି ୨୦୧୮-୧୯ ସଂଶୋଧିତ ବଜେଟ୍ ଆକଳନ ରାଶି ୬୧୩୮୨.୩୨ କୋଟି ଟଙ୍କାଠାରୁ ଅଧିକ। ୨୦୧୯-୨୦ରେ ରାଜ୍ୟ ସରକାର ନିଜସ୍ୱ ସମ୍ୱଳ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ଓଡିଶାର ମୋଟ ଆୟର ରାଜ୍ୟ ନିଜସ୍ୱ ଆୟ ୨୦୧୫-୧୬ରେ ୪୫%ରୁ ୨୦୧୯-୨୦ରେ ୩୯% ହ୍ରାସ ପାଇଛି। ତେଣୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠି ବୃଦ୍ଧି ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଛନ୍ତି। ରାଜ୍ୟର ଅନେକ ବିଭାଗରେ ବଜେଟ୍ ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ମଧ୍ୟରେ ଅନେକ ଫରକ ରହୁଛି। ଅନେକ ବିଭାଗରେ ଟଙ୍କା ଖର୍ଚ୍ଚ ହୋଇପାରୁନଥିବା ଅନୁଶୀଳନରୁ ଜଣାଯାଇଛି। ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ସେବା ବଜେଟ୍ ଅନୁଶୀଳନରୁ ଜଣାଯାଇଛି ଯେ ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ରେ ପାଇଁ ଯଥାକ୍ରମେ ୧୮୭୫, ୨୦୦୩ ଓ ୨୨୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ମାତ୍ର ଏହି ବର୍ଷଗୁଡିକରେ ବାସ୍ତବ ଖର୍ଚ୍ଚ ଯଥାକ୍ରମେ ୧୬୩୯, ୧୯୨୭ ଓ ୧୯୮୦ କୋଟି ଟଙ୍କା ରହିଛି। ପ୍ରତି ବର୍ଷ ୧୨ ରୁ ୧୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇନପାରିବା ଚିନ୍ତାଜନକ। ୨୦୧୯-୨୦ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୨୩୨.୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ଯାହାକି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ ବଜେଟ୍‌ର ୧୮ ପ୍ରତିଶତ। ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ପ୍ରାଥମିକତା ଦେଉଥିବା ଦର୍ଶାଉଛି। ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ରାଜ୍ୟର ପ୍ରଥାମିକ ସ୍ୱାସ୍ଥ୍ୟ ସେବା ଆବଶ୍ୟକତାକୁ ଅଣଦେଖା କରାଯାଉଛି କି ବୋଲି ଅର୍ଥନୀତିଜ୍ଞମାନେ ପ୍ରଶ୍ନ କରିଛନ୍ତି। ୨୦୧୯-୨୦ର କୃଷି କ୍ଷେତ୍ର ପାଇଁ ୨୦୭୧୪ କୋଟି ଟଙ୍କାର ବ୍ୟୟବରାଦ ରହିଛି ଯାହାକି ଗତ ବର୍ଷ ତୁଳନାରେ ୨୩.୫% ଅଧିକ ଏବଂ ରାଜ୍ୟର ମୋଟ ବଜେଟ୍‌ର ୧୪.୯%। କିନ୍ତୁ କାଳିଆ ଯୋଜନାରେ ୫୬୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଯାହାକି ଏହି ବିଭାଗର ସିଂହ ଭାଗ। କୃଷି ବିଭାଗରୁ କାଳିଆ ଯୋଜନାକୁ ବାଦ ଦେଲେ ଏହି ବିଭାଗର ମୋଟ ବଜେଟ୍ ୧୫୨୧୩ କୋଟି ଟଙ୍କା ରହିଛି ଯାହାକି ଗତ ବର୍ଷର ବଜେଟ୍ ୧୬୭୬୫ କୋଟି ଟଙ୍କାରୁ କମ୍। ୨୦୧୮-୧୯ରେ ମହାମତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୩,୭୫,୩୪୦ ପରିବାର କାମ ମାଗିଥିଲେ ସେଥିରୁ ୨୩,୭୧,୬୬୨ ପରିବାରର ୩୯,୨୦,୪୯୨ ଜଣ କାମ କରିଛନ୍ତି। ମାତ୍ର ୪୭,୩୩୩ ପରିବାର ୧୦୦ ଦିନର କାମ ପାଇଛନ୍ତି ଯାହାକି ମାତ୍ର ୨%। ୨୦୧୯-୨୦ରେ ଯଦି ଏହି ସମସ୍ତ ପରିବାର ୧୦୦ ଦିନର କାମ ମାଗନ୍ତି ତେବେ ରାଜ୍ୟକୁ କେବଳ ଶ୍ରମିକ ମଜୁରୀ ବାବଦକୁ ୪୪୬୫.୬୪ କୋଟି ଟଙ୍କା ଆବଶ୍ୟକ ପଡିବ ମାତ୍ର ୨୦୧୯-୨୦ରେ ଏହି ବଜେଟ୍ ୧୨୦୦ କୋଟି ଟଙ୍କା ରହିଛି। ୨୦୧୮-୧୯ ଆଥିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହାରାହାରି ୧୫ ଦିନର କାମ କରିଛନ୍ତି। ତେଣୁ ବଜେଟ୍‌କୁ ଲକ୍ଷ୍ୟ କଲେ ଜଣାଯାଏ ସରକାର ଏହି ହାରାହାରି ଦିନକୁ ନଜରରେ ରଖି ବ୍ୟୟବରଦା କରିଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅଣ କୁଶଳୀ ମଜୁରୀ ବାବଦକୁ ଦୈନିକ ୧୮୮ ଟଙ୍କା ଧାର୍ଯ୍ୟ କରାଯାଇଛି ଯାହାକି ଲୋକମାନଙ୍କୁ କାମ କରିବା ପାଇଁ ନିରୁତ୍ସାହିତ କରୁଛି। ରାଜ୍ୟ ସରକାର ମୁଦ୍ରାସ୍ଫୀତି ଓ ବଜାର ଦରକୁ ନଜରରେ ରଖି ୧୫ଟି କ୍ଷେତ୍ରରେ ଅଣ କୁଶଳୀ ମଜୁରୀ ବାବଦକୁ ଦୈନିକ ୨୦୦ ଟଙ୍କାକୁ ୨୮୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରୁଥିବା ଦିନମଜୁରିଆମାନେ କ’ଣ ମୁଦ୍ରା ସ୍ପୀତି ଓ ବଜାରର ଦରରେ ପ୍ରଭାବିତ ହେଉ ନାହାଁନ୍ତି କି ବୋଲି ବକ୍ତାମାନେ ପ୍ରଶ୍ନ ଉଠାଇଛନ୍ତି। ଅଭିବୃଦ୍ଧି, ସମାନତା, ଆଞ୍ଚଳିକ ସମାନତା ଓ ନିଯୁକ୍ତି ଆଦି କ୍ଷେତ୍ରଗୁଡିକୁ ଲକ୍ଷ୍ୟ ରଖି ସରକାର ବର୍ତ୍ତମାନ ଏହାର ଗୁଣାତ୍ମକ ଫଳାଫଳ ଉପରେ ଧ୍ୟାନ ଦେବା ଆବଶ୍ୟକ। ଉଠା ଜଳସେଚନ, କୃଷକ କଲ୍ୟାଣ ଭଳି ସରକାରୀ ଯୋଜନା ନିଶ୍ଚିତ ଭାବେ ଭଲ ପଦକ୍ଷେପ। ମାତ୍ର ଏହି ଯୋଜନାଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ଅନେକାଂଶରେ ସମସ୍ୟା ରହିଛି ବୋଲି ରାଜ୍ୟ ସରକାରଙ୍କ ରାଜସ୍ୱ ପର୍ଷଦର ପ୍ରାକ୍ତନ ସଦସ୍ୟ ଅରବିନ୍ଦ ବେହେରା କହିଛନ୍ତି। ବିଗତ ୧୫ ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ବିକାଶ, ମାନବ ସମ୍ୱଳ ନିୟୋଜନ ଓ ଅନ୍ୟାନ୍ୟ ବିକାଶ କ୍ଷେତ୍ରରେ ବ୍ୟାପକ ବିନିଯୋଗ କରାଯାଇଛି ମାତ୍ର ପିଲାମାନଙ୍କ ଶୈକ୍ଷିକ ବିକାଶ ଦିଗରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଆସିପାରି ନାହିଁ। ଗୁଣାତ୍ମକ ଶିକ୍ଷା ବିକାଶ ଦିଗରେ ଧ୍ୟାନ ଦିଆଯିବା ଆବଶ୍ୟକ। ଏପରି ସ୍ଥଳେ ଗୁଣାମିକ ଶିକ୍ଷା ବିକାଶ ପାଇଁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି। ରାଜ୍ୟ ବର୍ତ୍ତମାନ ସାମାଜିକ କ୍ଷେତ୍ରରେ ପୁଞ୍ଜି କ୍ଷେତ୍ରରେ ଅଧିକ ବିନିଯୋଗର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ଅର୍ଥନିତିଜ୍ଞ ପ୍ରଫେସର୍ ଭାଗବତ ପାତ୍ର ମତ ପୋଷଣ କରିଛନ୍ତି। ନିରନ୍ତର ବିକାଶ ଲକ୍ଷ୍ୟକୁ ନଜରରେ ରଖି ବର୍ତ୍ତମାନ ରାଜ୍ୟ ପାଞ୍ଚ ବର୍ଷ ପାଇଁ ଆୟ ଓ ବ୍ୟୟ ଅଟକଳ ଭଳି ପ୍ରକ୍ରିୟା ଆପଣେଇବା ଆବଶ୍ୟକ ବୋଲି ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ ମତ ବ୍ୟକ୍ତ କରିଛନ୍ତି। କେନ୍ଦ୍ରରେ ନିତି ଆୟୋଗ ଭଳି ରାଜ୍ୟର ଯୋଜନା ବୋର୍ଡକୁ ପୁନଃ ସକ୍ରିୟ କରାଯିବା ଆବଶ୍ୟକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି। ୨୦୧୯-୨୦ରେ ସରକାର ଶିଶୁ ଓ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯାହାକି ଏକ ଉତ୍ତମ ପଦକ୍ଷେପ। ଏହି ପୃଥକ ବଜେଟ୍ ତଥ୍ୟାବଳୀଟି ଶିଶୁ ଓ ମହିଳାମାନଙ୍କ ବାସ୍ତବ ବିକାଶ ପାଇଁ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟାନ୍ୱୟନରେ ସହାୟକ ହେବ। ମାତ୍ର ଆଗାମୀ ଦିନରେ ସରକାର ବଜେଟ୍ ସହ ଏହାକୁ କିପରି ଯୋଡୁଛନ୍ତି ତାହା ଦେଖିବାକୁ ବାକି ରହିଛି। ନାରୀ ସଶକ୍ତିକରଣ କ୍ଷେତ୍ରରେ ସରକାର ଅନେକ ଅର୍ଥ ବ୍ୟୟବରାଦ କରିଛନ୍ତି ଏବଂ ଏହା ମୁଖ୍ୟତଃ ମିଶନ୍ ଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଦଳମାନଙ୍କ ଆର୍ଥିକ ବିକାଶ ଦିଗରେ ଖର୍ଚ୍ଚ ହେବ। ମାତ୍ର ଏହି ଦଳଗୁଡିକ ସ୍ୱଳ୍ପ ମିଆଦୀ ରୋଜଗାର କାର୍ଯୟକ୍ରମ ଭିତରେ ସୀମିତ ରହିଯାଉଛନ୍ତି। ତେଣୁ ନିରନ୍ତର ଦଳ ଓ ସ୍ଥାୟୀ ରୋଜଗାର ପନ୍ଥା ପ୍ରୋତ୍ସାହନ ଦିଗରେ ଠୋସ୍ ପଦକ୍ଷେପ ଜରୁରୀ ବୋଲି ରମାଦେବୀ ବିଶ୍ୱ ବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଅପରାଜିତା ବିଶ୍ୱାଳ ମତ ବ୍ୟକ୍ତ କରିଛନ୍ତି। ଏହି ଅବସରରେ ‘ବଜେଟ୍ ଟକ୍ସ ଆୱାର ପ୍ରାୟରିଟି: ରେସପନ୍ସ ଟୁ ଷ୍ଟେଟ୍ ବଜେଟ୍ ୨୦୧୯-୨୦’ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ଉପ ସଚିବ ସତ୍ୟପ୍ରିୟ ରଥ, ସିୱାଇଏସ୍ଡିର ସହ-ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ପ୍ରଫୁଲ୍ କୁମାର ସାହୁ, ସମାଜ ରିଲିଫ୍ କମିଟୀର ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Share :