ମଦୁଆ କ’ଣ ନିଆଁରେ ମୁତିଛନ୍ତି?

ମଦୁଆ କ’ଣ ନିଆଁରେ ମୁତିଛନ୍ତି?

Share :

ଦେବେନ୍ଦ୍ର ପୃଷ୍ଟି ଅଧିକ ମଦ ବିକୁଥିବା ଦୋକାନୀ ପାଇଁ ସରକାରୀ ପୁରସ୍କାର ବ୍ୟବସ୍ଥା କରିବାକୁ ବିଜୁ ଜନତା ଦଳର ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ସ୍ଥାୟୀ କମିଟି ସୁପାରିଶ କରିଛନ୍ତି। ଏ ଖବର ଜଣାପଡ଼ିବା ପରେ ରାଜ୍ୟ ସାରା ମଦ୍ୟପଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେବାର ଯଥେଷ୍ଟ କାରଣ ଅଛି। ସେମାନେ ଅଧିକରୁ ଅଧିକ ମଦ ପିଉଛନ୍ତି ବୋଲି ସିନା ମଦ ଦୋକାନୀର ଅଧିକ ବିକ୍ରି ହେଉଛି! ତେଣୁ ମଦ୍ୟପଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ନହୋଇ ଦୋକାନୀ ପାଇଁ କାହିଁକି ହେଉଛି? ଅଧ୍ୟକ୍ଷଙ୍କ ସମେତ କମିଟିର ସଦସ୍ୟମାନଙ୍କ ମଧ୍ୟରୁ କେତେ ଜଣ ବିଧାୟକ ନିୟମିତ ମଦ୍ୟପାନ କରନ୍ତି ତାହା ଜଣାନହିଁ। ତେବେ ରାଜ୍ୟର ଅବକାରୀ ରାଜସ୍ବ ବୃଦ୍ଧି ତଥା ମଦ ବିକ୍ରିକୁ ଅଧିକ ଶୃଙ୍ଖଳିତ ଓ ସୁଲଭ କରିବା ପାଇଁ ମାନ୍ୟବର ବିଧାୟକମାନେ ୧୦ଟି ପ୍ରସ୍ତାବ ଦେଇଛନ୍ତି। ମାତ୍ର ବିଧାନସଭା ପରିସରରେ ଗୋଟେ/ଦି’ଟା ମଦ ଦୋକାନ ଖୋଲିବାକୁ ସେମାନେ ସୁପାରିଶ କରିନାହାନ୍ତି। ରାଜ୍ୟବାସୀ ମଦ୍ୟପାନ କରିବେ, ଆଉ ସେମାନଙ୍କର ପ୍ରତିନିଧିମାନେ ସେହି ଅମୃତରୁ ବଂଚିତ ରହିବେ- ଏହା ଏକ ଗାଣତନ୍ତ୍ରିକ ଅନ୍ୟାୟ ବ୍ୟବସ୍ଥା। ମଦ ଦୋକାନୀକୁ ପୁରସ୍କାର ଦେବା ସହିତ ମଦୁଆଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା ଏବଂ ସଚିବାଳୟ ତଥା ବିଧାନସଭା ପରିସରରେ ଏକାଧିକ ମଦ ଦୋକାନ ଖୋଲିବାକୁ ମାନ୍ୟବର ବିଧାୟକମାନେ ସୁପାରିଶ କରିଥିଲେ ଅନେକ ଗ୍ରାହକ ବିନା ତକଲିଫ୍‌ରେ ସଂପୂର୍ଣ୍ଣ ସୁରକ୍ଷା ବଳୟ ଭିତରେ ଶୃଙ୍ଖଳାର ସହିତ ଏହା ଗଳାଧକରଣ କରିବାର ସୁବିଧା ପାଇଥାନ୍ତେ। ସରକାରୀ ଖବର ବେସରକାରୀ ଖବରକାଜଗୁଡ଼ିକରୁ ପାଠ କରିବା ପରେ ମଦୁଆମାନେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିପାରନ୍ତି, ଆମେ କ’ଣ ନିଆଁରେ ମୁତିଛୁ? ପଇସା ଖର୍ଚ୍ଚ ମଦ ପିଇବୁ ଆମେ, ଘରେ ଗାଳିଫଜିତ ଶୁଣିବୁ ଆମେ, ନିଶାରେ ଟଳିବୁ ଆମେ, ଗାଡ଼ି ଧକ୍କା କରିବୁ ଆମେ, ବାଟରେ ପଡ଼ି ଖଣ୍ଡିଆଖାବରା ହେବୁ ଆମେ, ଦୁର୍ଘଟଣା ମଲେ ମରିବୁ ଆମ ମାରିବୁ ଆମେ, ଜେଲ୍‌ ଭୋଗିବୁ ଆମେ, ଡାକ୍ତରଖାନାରେ ଦହଗଞ୍ଜ ହେବୁ ଆମେ, ହାତଗୋଡ଼ ହରେଇଲେ ସାରା ଜୀବନ ବିକଳାଙ୍ଗ ରହିବୁ ଆମେ...ଆଉ ପୁରସ୍କାର ନେବ ଦୋକାନୀ? ଏହା ଅନ୍ୟାୟ ନୁହଁ ଆଉ କ’ଣ? କିଛି ଦିନ ତଳେ ଫେସବୁକ୍‌ରେ ଜଣେ କେହି ଭଲ ପ୍ରସ୍ତାବଟିଏ ଦେଇଥିଲେ। ତାହା ବୋଧହୁଏ ମାନ୍ୟବର ବିଧାୟକମାନଙ୍କ ଦୃଷ୍ଟିକୁ ଆସିନାହିଁ। ସେମାନେ ବିଧାନସଭାରେ ବା ଅବକାରୀ ସ୍ଥାୟୀ କମିଟି ବୈଠକରେ ବସି ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ତଥା ତତ୍କାଳୀନ ବିଧାୟକ ନବ ଦାସଙ୍କ ପରି ସ୍ମାର୍ଟ ଫୋନ୍‌ ଉପରେ ଅଙ୍ଗୁଳି ଚାଳନା କରିନାହାନ୍ତି ନହେଲେ ଏ ବିଷୟରେ ନିଶ୍ଚୟ ଅବଗତ ହୋଇଥାନ୍ତେ। ଏ ଅବଗତିକୁ ସେ ଯଦି ସେମାନଙ୍କର ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାଣ୍ଟିଥାନ୍ତେ ତେବେ ସେ ବି ଦାନ୍ତ ନ ନେଫେଡ଼େଇ ରହିପାରି ନଥାନ୍ତେ। କଥାଟି ହେଲା ଜଣେ ପ୍ରସ୍ତାବ ଦେଇଛନ୍ତି, ଏଣିକି ମଦ ଦୋକାନରେ ଆଧାର କାର୍ଡ଼ ଜରିଆରେ ମଦ ବିକ୍ରି ହେଉ। ସରକାର ମଦ ଦାମ ଦୁଇ ଗୁଣ କରିଦିଅନ୍ତୁ ଏବଂ ଆଧାର କାର୍ଡ଼ ଜରିଆରେ ମଦ ବିକନ୍ତୁ। ଗୋଟେ ଗୁଣ ଦାମ ମଦ ଗରାଖର ସ୍ତ୍ରୀ କିମ୍ବା ଅନ୍ୟ ସଂପର୍କୟଙ୍କ ଖାତାକୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର ବା ଡିବିଟି ବା ପ୍ରତ୍ୟକ୍ଷ ହସ୍ତାନ୍ତର କରାଯାଉ। ତା’ ଫଳରେ ମଦ ବିକ୍ରି ସହିତ ମଦ୍ୟପ ମଦଖର୍ଚ୍ଚର ଗୋଟେ ଭାଗ ତା’ ପରିବାର ନିକଟକୁ ଫେରିଯିବ ଓ ସେମାନେ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ ହେବେ। ବିଶେଷ କରି ମଦ୍ୟପଙ୍କ ପତ୍ନୀମାନେ ଏଭଳି ଏକ ସ୍କିମ ଦ୍ବାରା ଉପକୃତ ହୋଇ ନବୀନ ସରକାରର ପ୍ରଶଂସାରେ ଅଧିକ ମୁଖର ହେବେ ଏବଂ ୨୦୨୪ ନିର୍ବାଚନରେ ଶତ ପ୍ରତିଶତ ଭୋଟ ଅଜାଡ଼ି ଦେବେ। ମାନ୍ୟବର ବିଧାୟକମାନେ ସୁପାରିଶ କରିଛନ୍ତି ଯେ ରାଜ୍ୟରେ ରାଜ୍ୟରେ ଅବାରିତ ମଦ ପ୍ରସାରଣ ପାଇଁ ଗଞ୍ଜେଇ ବିରୋଧୀ ଅଭିଯାନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବାକୁ ହେବ। ଲୋକେ ଗଞ୍ଜେଇ ପିଉଥିବାରୁ ଅଧିକ ମଦ ବିକ୍ରି ହେଉନାହିଁ। ଗଞ୍ଜେଇର ବେଆଇନ କାରବାର ବନ୍ଦ ହୋଇଗଲେ ବଳେ ବଳେ ଅଧିକ ଲୋକ ମଦ ପିଇବେ। ଗଞ୍ଜୋଡ଼ମାନେ ଚିଲମ ଛାଡ଼ି ବୋତଲ ଧରିଲେ ବଜାରରେ ଅଧିକ ଅର୍ଥ କାରବାର ହେବ। ଅଧିକ ଗାଡ଼ି ଧକ୍କା ହେଲେ, ଡାକ୍ତର ଓ ଡାକ୍ତରମାନଙ୍କର ବେପାର ବଢ଼ିବ, ଔଷଧ ବେପାରୀଙ୍କର ଲାଭ ବଢ଼ିବ। ପୁଲିସବାବୁମାନେ ବି ଏକ୍ସଟ୍ରା ଦି’ ପଇସା ରୋଜଗାର କରିପାରିବେ। ରାଜନୀତିକ ଦଳଗୁଡ଼ିକୁ ଅଧିକ ଚାନ୍ଦା ମିଳିବ। ଏହିପରି ଭାବେ ବଜାରରେ ଅର୍ଥ କାରବାର ବୃଦ୍ଧି ପାଇଲେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପି ମଧ୍ୟ ବୃଦ୍ଧି ପାଇବ। ରାଜ୍ୟ ସରକାରଙ୍କର ଏହି ଉଦ୍ଦେଶ୍ୟ ସଂପର୍କରେ ମାନ୍ୟବର ବିଧାୟକମାନେ ନିଶ୍ଚୟ ଅବଗତ ଅଛନ୍ତି। ତେଣୁ ସେମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନରେ ରାଜ୍ୟରେ ମଦ୍ୟପାନ ଓ ବିପଣନ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ତଥ୍ୟ ଅନୁସାରେ ୨୦୦୧-୦୨ ମସିହାରୁ କ୍ରମାଗତ ଭାବେ ରାଜ୍ୟରେ ମଦ ବିକ୍ରି ଓ ମଦ ରାଜସ୍ବ ବୃଦ୍ଧି ପାଇଚାଲିଛି। ଗତ ୧୦ ବର୍ଷର ତଥ୍ୟର ତୁଳନା କଲା ଜଣାଯାଏ ଯେ ରାଜ୍ୟର ମଦ ବେପାରର ଏକଚାଟିଆ ଠିକା ନେଇଥିବା ସରକାରୀ ମଦ ନିଗମର ମୋଟ କାରବାର ୨୦୦୭-୦୮ ବର୍ଷରେ ୭୩୫.୨୮ କୋଟି ଟଙ୍କା ଥିଲାବେଳେ ୨୦୧୮-୧୯ ବର୍ଷରେ ୪୭୩୮.୩୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ୨୦୦୯-୧୦ ବର୍ଷରେ ରାଜ୍ୟର ମଦ ରାଜସ୍ବ ୮୪୯ କୋଟି ଟଙ୍କା ଥିଲାବେଳେ ୨୦୧୮-୧୯ ବର୍ଷରେ ତାହା ୩୯୨୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏଠି ଗୋଟେ ହିସାବ ଲକ୍ଷ୍ୟ କରିବାର କଥା- ୨୦୧୮-୧୯ ବର୍ଷରେ ସରକାର ୪୭୩୮ କୋଟି ଟଙ୍କାର ମଦ କାରବାର କରି ୩୯୨୫ କୋଟି ଟଙ୍କାର ରାଜସ୍ବ ଅର୍ଜନ କରିଛନ୍ତି। ତା’ ମାନେ ମଦୁଆମାନେ ୮୦୦ କୋଟି ଟଙ୍କାର ମଦକୁ ତାହାର ୭ ଗୁଣ ଅଧିକ ଦାମରେ କିଣିକି ପିଇଛନ୍ତି। ବଢ଼ିଆ! ସରକାର ମଦୁଆମାନଙ୍କୁ ଶୋଷଣ କରି ଜଣେଇ ଦେଇଛନ୍ତି ଯେ ମଦ ବିକିବା ସରକାରଙ୍କ ଲକ୍ଷ୍ୟ ନୁହେଁ, ମଦୁଆଙ୍କ ପକେଟ ଖାଲି କରିବା ମଧ୍ୟ ଏକ ଭିତିରି ଉଦ୍ଦେଶ୍ୟ, ଭୋଟ କଥାଟା ଗୋପନୀୟ। ରାଜ୍ୟ ସରକାରଙ୍କର ଅନ୍ୟ ଏକ ପରିସଂଖ୍ୟାନରୁ ମଧ୍ୟ ଜଣାପଡ଼ିଛି ଯେ ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ହାରଠାରୁ ମଦର ବିକ୍ରି ବୃଦ୍ଧି ହାର ଅଧିକ। ଦଶନ୍ଧି ହିସାବରେ ରାଜ୍ୟରେ ୧୪ ପ୍ରତିଶତ ଜନସଂଖ୍ୟା ବୃଦ୍ଧି ଘଟିଥିବାବେଳେ ବିଦେଶୀ ମଦ ବିକ୍ରି ପରିମାଣ ୧୦୦ ପ୍ରତିଶତ ବୃଦ୍ଧି ପାଇଛି। ସରକାରୀ ତଥ୍ୟାନୁସାରେ ୨୦୦୯-୧୦ ବର୍ଷରେ ରାଜ୍ୟରେ ୨୬୫.୨୬ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି ହୋଇଥିଲା। ୨୦୧୮-୧୯ ବର୍ଷକୁ ଏହା ୫୨୮.୯୨ ଲକ୍ଷ ଲିଟରକୁ ବୃଦ୍ଧି ପାଇଛି। ବିଦେଶୀ ମଦ ତୁଳନାରେ ଅବଶ୍ୟ ଦେଶୀ ମଦ ଓ ବିଅର ବିକ୍ରି ବଢ଼ି ନାହିଁ। ଏ ଦୁଇଟିର ଦଶନ୍ଧି ବୃଦ୍ଧିହାର ୫୦ ପ୍ରତିଶତ ତଳେ। ଓଡ଼ିଶା ସରକାରଙ୍କର ଏ ସଫଳତା ଭାରତବର୍ଷରେ ଅନନ୍ୟ ବି ହୋଇପାରେ। ଏ ସଂପର୍କରେ ଖବରକାଗଜଗୁଡ଼ିକରେ ଏକ ପୂରା ପୃଷ୍ଠାର ବିଜ୍ଞାପନ ଫାବୁଥିଲେ ବି ସରକାର କୌଣସି ଅଜଣା ଆଶଙ୍କା କରି ତାହା ମଞ୍ଜୁର କରିନାହାନ୍ତି ବୋଧହୁଏ। ମଦବିକ୍ରିର ଶ୍ରେୟ ମଦୁଆଙ୍କୁ ନଦେଇ ଖାଲି ମଦ ନିଗମ ଏବଂ ଦୋକାନୀଙ୍କୁ ଦେବା ପାଇଁ ବୋଧହୁଏ ସରକାର ଏଭଳି ବିଜ୍ଞାପନ ପ୍ରସାରଣ କରିନାହାନ୍ତି। ରାଜ୍ୟରେ ଯଦି ମଦ ବିକ୍ରି ଓ ମଦ ରାଜସ୍ବ ବଢ଼ୁଛି ତେବେ ସରକାର ପଞ୍ଚାୟତ ଭିତ୍ତିରେ ଶ୍ରେଷ୍ଠ ମଦ୍ୟପ ବାଛି ସାଧାରଣ ସଭାରେ ପଦକ ପ୍ରଦାନ କରିବା ପାଇଁ ମାନ୍ୟବର ବିଧାୟକମାନେ ଅନ୍ୟ ଗୋଟିଏ ସୁପାରିଶ କରିଥିଲେ ଆହୁରି ଭଲ ହୋଇଥାନ୍ତା! ସରକାରଙ୍କ ପାଇଁ ଆଉ କେତୋଟି ପ୍ରସ୍ତାବ ଫେସବୁକ୍‌ ମାଧ୍ୟମରେ ରାଜ୍ୟର ଜଣେ ସଚେତନ ନାଗରିକ ରୁଦ୍ର ପ୍ରସନ୍ନ ରଥ ବି ଦେଇଛନ୍ତି। ତାଙ୍କ ପ୍ରସ୍ତାବଗୁଡ଼ିକ ନିମ୍ନରେ ଉଲ୍ଲେଖ କରାଗଲ। ସେ ଲେଖିଛନ୍ତି, ସରକାର ଦଶଟି ଆଦର୍ଶ ଅବକାରୀ ଥାନା ପ୍ରତିଷ୍ଠା ହେବାପାଇଁ ଘୋଷଣା କରିଛନ୍ତି। ମଦୁଆ ଜଣେ ବେଆଇନ ମଦପିଇ ଧରା ପଡ଼ିଲା ପରେ ସେ ଥାନାକୁ ଯିବ ଆଉ ବୋଧହୁଏ ଆଦର୍ଶ ଅବକାରୀ ଥାନାରେ ମଦୁଆ ଜଣଙ୍କୁ ନିମ୍ନଲିଖିତ ଭାବେ ସେବା ଯୋଗାଇ ଦିଆଯିବ। ୧. ସେ ଥାନାରେ ସବୁ ମଦରୁ ଗୋଟିଏ ଲେଖା ବୋତଲ ରହିବ। ମଦୁଆ ସେ ବୋତଲକୁ ଛୁଇଁ ଜଣେଇଦେବ ଯେ ସେ କ’ଣ ପିଇଛି। ୨. ମଦୁଆ ଥାନାରେ ପହଞ୍ଚିଲା ପରେ ହୋମଗାର୍ଡମାନେ ମଦୁଆର ପଟେ ଜୋତା, ସାର୍ଟ ବେଲ୍ଟ ଆଉ ପର୍ସକୁ ମଦୁଆଠାରୁ କାଢି ଅଲଗା ରଖିବେ। ୩. ପଟେ ଜୋତା, କ୍ରେଡିଟ କାର୍ଡ ପଇସା ମଦୁଆ ନିଜେ ହଜାଇଛି ବୋଲି ରାଇଟର ସାର୍‌ ଅଣ୍ଡରଟେକିଂ ଲେଖି ରଖିବେ। ୪. ଥାନାରେ ଥିବା ଲେଡି କନେଷ୍ଟବଳ ନିଜ କ୍ବାର୍ଟରକୁ ଯାଇ ମଦୁଆର ଗାଧେଇବା ପାଇଁ ଗରମପାଣି ନେଇ ଆସିବେ। ୫. ସବ-ଇନିସପେକ୍ଟର ଯାଇ ଥାନା ପାଖ ଦୋକାନରୁ କେବେ ଶୁଝାଯାଉନଥିବା ବାକିରେ ମଦୁଆପାଇଁ ଚାହା ଆଣିବେ। ମଦୁଆ ହୋସକୁ ଆସିଲେ ଅଠରକପ ଚାହାର ପଇସା ନିଜେ ଦେବ। ୬. ଇନିସପେକ୍ଟର ସାର୍‌ ନିଜ ହାତରେ ତେନ୍ତୁଳିକୁ ଚକଟି ପାଣି ତିଆରି କରିବେ ଏବଂ ଥାନାରେ ଥିବା ସୁନ୍ଦରୀ ସବ୍-ଇନିସପେକ୍ଟର ମହିଳା ମଦୁଆକୁ ଧୀରେ ଧୀରେ ପିଆଇବେ। ୭. ଥାନାରେ ଗୋଟିଏ ପାଇଲଟ ଗାଡ଼ି ରହିବ ଯାହା ନିଶା ଛାଡ଼ିଥିବା ମଦୁଆଙ୍କୁ ନେଇ ତାଙ୍କ ଘରେ ଛାଡ଼ିବ। ଏଥିପାଇଁ ମଦୁଆଠାରୁ ପଇସା ନିଆଯିବ ନାହିଁ। ୮. ମଦୁଆ ଥାନା ଛାଡ଼ିଲାବେଳେ ଆଇଆଇସି ତାଙ୍କୁ ଫୁଲତୋଡ଼ା ସହ ବିଦାୟ ଜଣାଇବେ। ମଦୁଆ ସକୁଶଳେ ଘରେ ପହଂଚି ଫୋନ କରିବାକୁ ଆଇଆଇସି ଅନୁରୋଧ କରିବେ। ଆଗକୁ ସୁବିଧା ସୁଯୋଗ ମିଳିଲେ ଏମିତି ନିୟମିତ ଆସିବାକୁ ଅନୁରୋଧ କରିବେ। ୯. ମଦୁଆ ସେ ଆଦର୍ଶ ଥାନା ଛାଡ଼ିବା ପୂର୍ବରୁ ସମସ୍ତଙ୍କ ସହ କରମର୍ଦ୍ଦନ କରିବ ଏବଂ ସେଲ୍ଫି ଉଠାଇବ। ମଦୁଆ ଜନ ସାଧାରଣଙ୍କୁ ଏ ସମୟରେ ବାର୍ତ୍ତା ଦେବାକୁ ଚାହିଁପାରେ, ଦେଇପାରେ। ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡାକିବା କାମ ବି ସେଇ ଥାନାର। ୧୦. ଦେହ ଭଲ ନଥିଲେ କିମ୍ବା ରାତିରେ ଥାନାରେ ରହିବାକୁ ଚାହୁଁଥିଲେ ମଦୁଆକୁ ଥାନାରୁ ତଡ଼ି ଦିଆଯାଇ ପାରିବ ନାହିଁ। ଏଥିପାଇଁ ମଶାଧୂପ, ଖଟ, ଏସି ସହ ମଦୁଆର ଗୋଡ଼ ମୋଡ଼ିବାପାଇଁ ଗୋଟିଏ ଲୋକର ବ୍ୟବସ୍ଥା ଥାନା ଅଧିକାରୀଙ୍କୁ କରିବାକୁ ପଡ଼ିବ। ବି ଦ୍ର: ଏହି ସୁବିଧାରୁ କୌଣସି ଗୋଟିଏ କମ ହେଲେ ମଦୁଆମାନେ ଏହାକୁ ଆଦର୍ଶ ଥାନା ବୋଲି ମାନିବେ ନାହିଁ। ସରକାରୀ ଘୋଷଣାରେ ମଦୁଆଙ୍କର କିଛି ଯାଏ ଆସେ ନାହିଁ।

Share :