ପିସି ସରକାରର କୋଟିପତି ସରପଞ୍ଚ!

ପିସି ସରକାରର କୋଟିପତି ସରପଞ୍ଚ!

Share :

ଦେବେନ୍ଦ୍ର ପୃଷ୍ଟି ୨୦୧୯ ଜୁଲାଇ ୧୦ ତାରିଖରେ ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଆଙ୍କରଡ଼ା ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଏବଂ ଅନ୍ୟ ୫ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଖାନତଲାସ ହୋଇଥିଲା। ବ୍ରହ୍ମପୁର କେସ ନଂ ୧/୧୯ରେ ୱାରେଣ୍ଟ ଜାରି ହୋଇ ଦିଗପହଣ୍ଡି ଆଞ୍ଚଲ କଲୋନୀ ଦ୍ୱିତୀୟ ଲେନ୍ ନିଳାଦ୍ରୀ ବିହାରର ଦୁଇମହଲା ବାସଗୃହ, ନିଜ ପୁଅ ନାମରେ ଥିବା ଦିଗପହଣ୍ଡି ପୁଂଜିକୟାଁ ଛକରେ ନିର୍ମିତ ହେଉଥିବା ୩ ତାଲା କୋଠା, ପୋଡ଼ାମାରି ରୋଡ୍‌ରେ ଥିବା ଛାତବାଲା ଗ୍ୟାରେଜ, ପୁଅ ସାଗର ସାହୁ ନାମରେ ଥିବା ଆସିକା ରୋଡ଼୍ ରାଜପୁରର ଏକ ଘର, ଆଙ୍କରଡ଼ା ସରପଞ୍ଚଙ୍କ କାର୍ଯ୍ୟାଳୟ, ପୈତୃକ ଗ୍ରାମ ନବରଙ୍ଗପୁରରେ ଥିବା ଦୁଇମହଲା ଘର ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ଆୟ ବର୍ହିଭୂତ ସଂପତ୍ତିର ଆକଳନ କରାଯାଇଛି। ଉଷାନ୍ତ ଏବଂ ତାଙ୍କ ସ୍ତ୍ରୀ ନାମରେ ୧୦ ଲକ୍ଷ ୩୪ ହଜାର ୭୪୫ ଟଙ୍କାର ଜାଗା, ୯ ଲକ୍ଷ ୫୧ ହଜାର ୧୯୨ ଟଙ୍କାର ରାଜପୁର ମୌଜାରେ ଏକ ଘର, ୧୪ ଲକ୍ଷ ୫୨ ହଜାର ୩୬ ଟଙ୍କାର ତାଙ୍କ ସ୍ତ୍ରୀ ନାମରେ ଥିବା ଦୁଇ ମହଲା ଘର, ୨୫ ଲକ୍ଷ ୭ ହଜାର ୭୬୦ ଟଙ୍କାର ନିର୍ମାଣାଧୀନ ତିନିମହଲା ଘର, ୨ ଲକ୍ଷ ୭ ହଜାର ୫୩୭ ଟଙ୍କାର ଏକ ଛାତ ଥିବା ଗ୍ୟାରେଜ, ନିଳାଦ୍ରୀ ବିହାର ଘରେ ୮ ଲକ୍ଷ ୧୦ ହଜାର ୨୮୧ ଟଙ୍କା ଘର ଉପକରଣ, ୧୩ ଲକ୍ଷ ୮୯ ହଜାର ୬୨୯ ଟଙ୍କାର ବୋଲେରୋ ଗାଡ଼ି, ୧୮ ଲକ୍ଷ ୪୫ ହଜାର ୪୦୫ ଟଙ୍କାର ମହିନ୍ଦ୍ରା ଏସ୍‌ୟୁଭି ଗାଡ଼ି, ୧ ଲକ୍ଷ ୫୦ ହଜାର ଟଙ୍କାର ବୁଲେଟ, ୭୧ ହଜାର ୮୦୦ ଟଙ୍କା ହୋଣ୍ଡା ୟନିକନ ଗାଡ଼ି, ୧୦ ଲକ୍ଷ ୩୦ ହଜାର ଟଙ୍କାର ସୁନା ଅଳଙ୍କାର, ୩୦ ହଜାର ଟଙ୍କାର ରୂପା ଅଳଙ୍କାର, ୨୮ ଲକ୍ଷ ୭୯ ହଜାର ୫୫୮ ଟଙ୍କା ଏସ୍‌ବିଆଇ, କାନାରା ବ୍ୟାଙ୍କ, ଏକ୍ସିସ ବ୍ୟାଙ୍କ, ଆନ୍ଧ୍ରାବ୍ୟାଙ୍କ, ଋଷିକୂଲ୍ୟା ବ୍ୟାଙ୍କରେ ଥିବା ଜମାରାଶି, ୪୪ ହଜାର ୬୦୦ ଟଙ୍କାର ନଗର ଟଙ୍କା, ୫ ଲକ୍ଷ ଟଙ୍କାର ବିଭିନ୍ନ କଂପାନୀରେ ନିବେଶ ରହିଛି। ତାଙ୍କର ସମୁଦାୟ ୧ କୋଟି ୪୯ ଲକ୍ଷ ୦୪ ହଜାର ୫୪୩ ଟଙ୍କାର ସଂପତ୍ତି ଆକଳନ ହୋଇଛି। ଏହା ସହ ଚଢ଼ାଉ ବେଳେ ତାଙ୍କ ଦିଗପହଣ୍ଡି ବାସଗୃହରୁ ଏକ ଅଟୋମେଟିକ୍ ପିସ୍ତଲ ଏବଂ ୬ଟି ଜୀବନ୍ତ ଗୁଳି ଜବତ ହୋଇଛି। ଅନୁସନ୍ଧାନ ପରେ ଏହା ବିନା ଲାଇସେନସ ଥିବା ଭିଜିଲାନସ ବିଭାଗ କହିଛି। ଏହି ବନ୍ଧୁକକୁ ସ୍ଥାନୀୟ ପୋଲିସ୍କୁ ହସ୍ତାନ୍ତର କରାଯାଇଛି। ଆହୁରି ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିବେ ବୋଲି ଭିଜିଲାନସ ଏସ୍ପି ସୂଚନା ଦେଇଛନ୍ତି। ସରପଞ୍ଚ ଉଷାନ୍ତ ସାହୁକୁ ଭିଜିଲାନସ ବିଭାଗ ଅଟକ ରଖିଛି। ଉଷାନ୍ତ ସାହୁ ଗତ ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ଥିବାବେଳେ ୨୦୧୨ ରୁ ୨୦୧୭ ସରପଞ୍ଚ ଥିଲେ। ୨୦୧୭ରେ ମଧ୍ୟ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଦାୟିତ୍ବରେ ଅଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ସେ ଶାସକ ବିଜୁ ଜନତା ଦଳର ଜଣେ ସକ୍ରୀୟ କର୍ମୀ। ବିଜେଡି ସମର୍ଥୀତ ପ୍ରାର୍ଥୀ ଭାବେ ସେ ଗଲା ତିନିଟି ପଞ୍ଚାୟତ ନିର୍ବାଚନ ଜିତିଛନ୍ତି। ଏ ୧୫ ବର୍ଷ ଜନସେବା କରି କରି ସେ ଏତିକି ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଛନ୍ତି। ଉଷାନ୍ତ ସାହୁ ଭାତ ହାଣ୍ଡିରୁ ଗୋଟିଏ ହୋଇପାରନ୍ତି। ହାଣ୍ଡିଟା ଯାକର ଭାତ ନ ଚିପି ବି ସବୁ ଭାତ ହୋଇଗଲା ବୋଲି ଯେମିତି ଜଣାଯାଏ ସେହିପରି ଉଷାନ୍ତ ସାହୁଙ୍କ ଉଦାହରଣରୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଜରିଆରେ କିପରି ନବୀନ ପ୍ରଶାସନ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଦୁର୍ନୀତିର ବିକେନ୍ଦ୍ରୀକରଣ କରିଛନ୍ତି ତାହା ସ୍ପଷ୍ଟ ହୋଇଯାଏ। ଗ୍ରାମାଞ୍ଚଳର ଉନ୍ନତି, କୃଷି ଓ କୃଷକର ବିକାଶ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ, ପାନୀୟ ଜଳ ଯୋଗାଣ ଆଦି ଅନେକ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରରୁ ଆସୁଥିବା ହଜାର ହଜାର କୋଟି ଟଙ୍କାର ଅନୁଦାନକୁ ଶାସକ ଦଳ ସମର୍ଥୀତ ସରପଞ୍ଚ ଓ ଅନ୍ୟ ସରକାର କାର୍ଯ୍ୟକର୍ତ୍ତାମାନେ କିପରି ହଡ଼ପ କରି ବ୍ୟକ୍ତିଗତ ସଂପତ୍ତିରେ ପରିଣତ କରୁଛନ୍ତି ତାହା ଏଥିରୁ ଅନୁମାନ କରିହୁଏ। ରାଜ୍ୟର ଦୁର୍ନୀତିଗ୍ରସ୍ତ ସରକାରର ଅମନଯୋଗୀ ଶାସନର ସୁଯୋଗ ନେଇ ତୃଣମୂଳ ସ୍ତରରେ ଦୁର୍ନୀତି ବାଟରେ ବାର୍ଷିକ ଲକ୍ଷଲକ୍ଷ ଟଙ୍କା ହଡ଼ପ କରିବାର ସୁଯୋଗ ରହିଥିବାରୁ ଗଲା ତିନିଟି ପଞ୍ଚାୟତିରାଜ ନିର୍ବାଚନରେ ପ୍ରାର୍ଥୀମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅନେକ ସରପଞ୍ଚ ପ୍ରାର୍ଥୀ ଉଷାନ୍ତ ସାହୁଙ୍କ ପରି ବନ୍ଧୁକ ବି ରଖିଛନ୍ତି। ଡରେଇ ଧମକେଇ ଭୋଟ ଆଦାୟ କରି କିପରି ନିର୍ବାଚନ ଜିଣି ହୁଏ ତାହା ଏପରି ବ୍ୟକ୍ତିଙ୍କଠାରୁ ଏବଂ ତାଙ୍କ ଦଳଠାରୁ ସ୍ପଷ୍ଟ ହୋଇଯାଏ। ବିଶ୍ବନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ କେନ୍ଦ୍ର ବଜେଟର ପ୍ରାୟ ୫୦ ପ୍ରତିଶତ ଅର୍ଥ ଗ୍ରାମାଞ୍ଚଳ ବିକାଶ ପାଇଁ ମଂଜୁର ହୋଇଥିଲା। ତା’ପରଠୁଁ ଭାରତର ପରବର୍ତ୍ତୀ ସରକାରମାନେ ଗାମାଞ୍ଚଳକୁ ବରଂ ଅଧିକ ଦେଇଛନ୍ତି, କମ ନୁହେଁ। ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ରାଷ୍ଟ୍ରପତି କାଲାମଙ୍କ ପରିକଳ୍ପିତ ପ୍ରୋଭିଜନ ଅଫ୍‌ ଅର୍ବାନ ଆମେନିଟିଜ ଇନ୍‌ ରୁରାଲ ଏରିଆ ବା ପୁରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଗାଁ ଗାଁରେ ବିଜୁଳି, ସଡ଼କ ଓ ପାଣିର ସୁବ୍ୟବ୍ୟସ୍ଥା ପାଇଁ ପ୍ରତିବର୍ଷ ପଞ୍ଚାୟତଗୁଡ଼ିକ ଲକ୍ଷଲକ୍ଷ ଟଙ୍କାର ଅନୁଦାନ ଆସୁଛି। ସମର୍ଥ ଶ୍ରମିକକୁ ବାର୍ଷିକ ୧୦୦ ଦିନର ନିଶ୍ଚିତ କର୍ମନିଯୁକ୍ତି ସୁଯୋଗ ଦେବା ପାଇଁ ଏମଜିଏନଆରଜିଏ ଯୋଜନାରେ ରାଜ୍ୟ ସରକାର ଯେତେ ଚାହିଁବେ କେନ୍ଦ୍ର ସରକାର ସେତେ ଟଙ୍କା ଦେବାର ବ୍ୟବସ୍ଥା ହୋଇଛି। ପ୍ରଧାନମନ୍ତ୍ରୀ ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ, ପୁଷ୍ଟି ଯୋଜନା, ମଧ୍ୟାହ୍ନ ଭୋଜନ, ଅଙ୍ଗନବାଡ଼ି, ସ୍ବୟଂ ସହାୟକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମ ଜରିଆରେ ଗ୍ରାମାଞ୍ଚଳକୁ ଲକ୍ଷଲକ୍ଷ ଟଙ୍କା ଆସୁଛି। ଏସବୁ ଅର୍ଥ କିନ୍ତୁ ଗ୍ରାମାଞ୍ଚଳର ବାସ୍ତବ ସମସ୍ୟା ଦୂର କରିବାରେ କିମ୍ବା ସ୍ଥାୟୀ ସଂପତ୍ତି ସୃଷ୍ଟି କରିବା ଦିଗରେ ଖର୍ଚ୍ଚ ହେଉ ନାହିଁ। ଏହାକୁ ଜନ ପ୍ରତିନିଧିମାନେ ସରକାରୀ କର୍ମଚାରୀମାନଙ୍କ ସହିତ ମିଶି ହଡ଼ପ କରୁଛନ୍ତି। ଏହି ଅର୍ଥରେ ସେମାନେ ଓ ସେମାନଙ୍କର ଦଳ ନିର୍ବାଚନ ପ୍ରଚାର ଓ ଭୋଜିଭାତ ଖର୍ଚ୍ଚ ତୁଲାଉଛନ୍ତି। ତା’ ପରେ ବି ଜଣେ ଜଣେ ସରପଂଚ ବର୍ଷକୁ ୫-୧୦ ଲକ୍ଷ ଟଙ୍କା ଉପାର୍ଜନ କରୁଛି। ଏକ ହିସାବରୁ ଜଣାଯାଇଛି ଯେ ରାଜ୍ୟର ପ୍ରତି ପଞ୍ଚାୟତକୁ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାରେ ବର୍ଷକୁ ହାରାହାରି ୮୦ ଲକ୍ଷ ଟଙ୍କା ଆସୁଛି। କେତେକ ପଞ୍ଚାୟତକୁ ବର୍ଷକୁ କୋଟିଏ ଟଙ୍କା ବି ଯାଉଛି। ଓଡ଼ିଶାରେ ୬୭୦୦ ପଞ୍ଚାୟତ, ପ୍ରାୟ ୫୦ ହଜାର ଗାଁ। ଅର୍ଥାତ ପଞ୍ଚାୟତ ପିଛା ହାରାହାରି ୭ଟି ଗାଁ। ଆଦିବାସୀ ଅଞ୍ଚଳରେ ଅଧିକ ଗାଁକୁ ନେଇ ପଞ୍ଚାୟତ, କାରଣ ସେଠି ଗାଁ ଓ ଘରଗୁଡ଼ିକ ବିକ୍ଷିପ୍ତ, ଲୋକସଂଖ୍ୟା କମ। ଉପକୂଳ ତଥା ଅନ୍ୟ ଉନ୍ନତ ଅଞ୍ଚଳରେ ୪-୫ଟି ଗାଁକୁ ନେଇବି ପଞ୍ଚାୟତ ଅଛି। ଗୋଟେ ଗୋଟେ ଗାଁକୁ ନେଇ ଗୋଟେ ପଞ୍ଚାୟତ ବି ତାଲିକାରେ ମିଳେ। ଯଦି ଏସବୁ ପଞ୍ଚାୟତକୁ ବର୍ଷକୁ ୮୦-୧୦୦ ଲକ୍ଷ ଟଙ୍କା ଯାଏ ସେଥିରେ ସେହି ପଞ୍ଚାୟତର କି କି କାମ କରାଯାଇ ପାରିବ ତାହା ସାଧାରଣ ପାଠପଢ଼ିଥିବା ଲୋକଟିଏ ବି କହିପାରିବ। ଗାଁ ପିଛା ବର୍ଷକୁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ୨୦ ବର୍ଷ ଭିତରେ ସବୁ ଗାଁରେ କଟକ/ଭୁବନେଶ୍ବରରେ ରହିଥିବା ଇଂରାଜୀ ମାଧ୍ୟବ ପବ୍ଲିକ ସ୍କୁଲ ପରି ଉନ୍ନତ ସରକାରୀ ବିଦ୍ୟାଳୟ, ଶିକ୍ଷିତ ଓ ନିଷ୍ଠାପର ଶିକ୍ଷକ, ଜଣେ ଡାକ୍ତରଙ୍କୁ ନେଇ ହେଲେ ବି ସହରର ଘରୋଇ କ୍ଲିନିକ ପରି ଏକ ଡାକ୍ତରଖାନା, ସବୁ ସଡ଼କରେ ବିଜୁଳି ଆଲୁଅ, ଘରେ ଘରେ ପାଇପ ପାଣି, ଖେଳ ପଡ଼ିଆ, ଗୋଷ୍ଠୀ ଗୃହ, ବିବାହ ମଣ୍ଡପ, ଗୋଷ୍ଠୀ ଜଙ୍ଗଲ, ଜମିକୁ ଜଳସେଚନ ସୁବିଧା...ଏମିତି କେତେ କ’ଣ ହୋଇପାରିବ। ଜଣେ ଲୋକ ପାଖରେ ବର୍ଷକୁ ୧୦ ଲକ୍ଷ ଟଙ୍କା ହେଲେ ସେ ନିଜ ପାଇଁ କେତେ କ’ଣ କରିପାରୁଛି। ଗାଁକୁ ଯଦି ବର୍ଷକୁ ୧୦ ଲକ୍ଷ ମିଳେ ୫ ବର୍ଷରେ ୫୦ ଲକ୍ଷ, ନବୀନବାବୁଙ୍କ ୨୦ ବର୍ଷ ଭିତରେ ୨ କୋଟି ଟଙ୍କା ମିଳିଥିବ। ଓଡ଼ିଶାର କେଉଁ ଗାଁରେ ଏ ୨୦ ବର୍ଷ ଭିତରେ ୨ କୋଟି ଟଙ୍କା ଖର୍ଚ୍ଚ ହୋଇ ସର୍ବସାଧାରଣଙ୍କ ପାଇଁ ସ୍ଥାୟୀ ସଂପତ୍ତି ଓ ସୁବିଧା ସୃଷ୍ଟି ହୋଇଛି? ଏସବୁ ଟଙ୍କାର ସିଂହ ଭାଗ ପର୍ସେଣ୍ଟ ବା ପିସି ଆକାରରେ ଶାସକ ଦଳର ନେତା, କର୍ମୀ, ଠିକାଦାର ଓ ସରକାରୀ କର୍ମଚାରୀମାନଙ୍କ ପକେଟକୁ ଯାଇଛି। ପଞ୍ଚାୟତିରାଜ ପ୍ରଶାସନରେ ୨୦-୨୫ ପ୍ରତିଶତ ପିସି ଚାଲିବା ଏକ ସ୍ଥାୟୀ ବ୍ୟବସ୍ଥାରେ ପରିଣତ ହୋଇଗଲାଣି। ବିଡିଓ ୨ ପର୍ସେଣ୍ଟ, ଚେୟାରମ୍ୟାନ ୩ ପର୍ସେଣ୍ଟ, ଜେଇ ୫ ପର୍ସେଣ୍ଟ, ଏଇ ୨ ପର୍ସେଣ୍ଟ, ଆକାଉଣ୍ଟାଣ୍ଟ ୩ ପର୍ସେଣ୍ଟ, ଏଷ୍ଟିମେଟର ୧ ପର୍ସେଣ୍ଟ, ଅଫିସ ୫ ପର୍ସେଣ୍ଟ... ହିସାବ ଏମିତି ଗଡ଼ି ଚାଲିଛି। ଅଫିସ ପର୍ସେଣ୍ଟ ଟଙ୍କା ବିଧାୟକଙ୍କ ପାଖକୁ ଯାଏ। ସେଥିରୁ କିଛି ବ୍ଲକକୁ ଭିଆଇପିଙ୍କ ଗସ୍ତ ସମୟରେ ଖର୍ଚ୍ଚ ହୁଏ। ଉପର ଅଫିସର ବା ନେତାମାନେ ଆସିଲେ ଯେଉଁ ଭୋଜିଭାତ ଆଦିର ଆୟୋଜନ ହୋଇଥାଏ ସେ ବାବଦ ଖର୍ଚ୍ଚ ମଧ୍ୟ ଏଇ ପିସିରୁ ଯାଏ। ଏସବୁ ପିସି ବାଦ ସରପଞ୍ଚଙ୍କର ପ୍ରତି କାମରେ ଅନ୍ୟୁନ ୧୦ ପର୍ସେଣ୍ଟ। ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କର ଅଲଗା ହିସାବ। ସେମାନଙ୍କର ଟିକେ କମ୍‌। ସେମାନେ ବ୍ଲକ୍‌ ପିସିରୁ ଭାଗ ବସିଥାନ୍ତି। ଏଇ ହିସାବରେ ପଞ୍ଚାୟତକୁ ପ୍ରତିବର୍ଷ ଯାଉଥିବା ୧ କୋଟି ଟଙ୍କାର ୩୫-୪୦ ଲକ୍ଷ ଟଙ୍କା ପିସି ଆକାରରେ ହଡ଼ପ ହୁଏ। ବାକି ୬୦-୬୫ ଲକ୍ଷ ଟଙ୍କାରୁ ଦଳୀୟ ଠିକାଦାରଙ୍କର ଲାଭ ୨୦-୩୦ ପ୍ରତିଶତ। ଏମିତି ପିସି, ଲାଭ ଓ ଗାଁ ଟୋକାମାନଙ୍କୁ ଭୋଜିଭାତ କିମ୍ବା କ୍ରିକେଟ ସରଂଜାମ ଇତ୍ୟାଦି ବାଣ୍ଟିବାରେ କୋଟିଏ ଟଙ୍କାରୁ ୬୦-୭୦ ଲକ୍ଷ ପଳାଏ। ବାକି ୩୦-୪୦ ଲକ୍ଷରେ ଯେଉଁ କାମହୁଏ ତାହା ଅଧାପନ୍ତରିଆ ଓ ନିମ୍ନମାନର ହେବାକୁ ବାଧ୍ୟ। ସେଇଥିପାଇଁ ଦୁଇ ମାସରେ କଂକ୍ରିଟ ଢଳେଇ ଉଠିଯାଏ, ସ୍କୁଲ ଘର ଭୁଶୁଡ଼ି ପଡ଼େ, କେନାଲରେ ପାଣି ଆସେ ନାହିଁ, ଲଗାଯାଉଥିବା ଗଛଚାରା ବଂଚେ ନାହିଁ, ମଧ୍ୟାହ୍ନ ଭୋଜନ ଡାଲି ଓ ଚାଉଳରୁ ପୋକ ବାହାରେ, ଅଣ୍ଡା ପଚା ପଡ଼େ, ଛତୁଆ ବିଣ୍ଡିମାରି ଯାଇଥାଏ, ପୋଖରୀ ଦଳଭର୍ତ୍ତି ରହେ, ପ୍ରତିବର୍ଷ ନଦୀବନ୍ଧ ଓ କେନାଲ ବନ୍ଧ ମରାମତି ହେଉଥିଲେ ବି ଘାଇ ଦୁର୍ବଳ ରହେ, ଯେତେ ଖୋଳିଲେ ବି ଶୀତଦିନ ଆରମ୍ଭରୁ ପୋଖରୀସବୁ ଶୁଖିଯାଏ, ସରକାରୀ ସ୍କୁଲରେ ଭଲ ରେଜଲ୍ଟ ହୁଏ ନାହିଁ କି ସରକାରୀ ଡାକ୍ତରଖାନାରେ ଉନ୍ନତ ମାନର ଔଷଧ ମିଳେ ନାହିଁ...ଏମିତି ହଜାର ହଜାର ସମସ୍ୟା ଓ ଅସୁବିଧା। ଏଇଥିପାଇଁ ହିଁ ୧୯୮୪ ମସିହାରୁ ପ୍ରତିବର୍ଷ ପ୍ରତି ପଂଚାୟତକୁ ଡଜନ ଡଜନ ଇନ୍ଦିରା ଆବାସ ଯାଇଥିଲେ ବି ଗାଁର ସବୁ ଘର ପକ୍କା ହୋଇନାହିଁ। ୧୯୯୯ ମହାବାତ୍ୟା ପରଠୁଁ ଓଡ଼ିଶାକୁ ଯେତେ ପକ୍କାଘର ଆସିଲାଣି ରାଜ୍ୟରେ ଆଉ ଗୋଟିଏ ବି ଚାଳ ଘର ରହିବା କଥା ନୁହେଁ। ତଥାପି ଫଣୀ ବାତ୍ୟାରେ ୫.୬ ଲକ୍ଷ ଚାଳଘର ଭାଙ୍ଗିଗଲା ବୋଲି ହିସାବ ହୁଏ। ଏଭଳି ବ୍ୟବସ୍ଥାରେ କ’ଣ ଖାଲି ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅଫିସରମାନେ କୋଟିପତି ହେବେ? ରାଜଧାନୀରେ ତ୍ରିତଳ ପ୍ରାସାଦ କରିବେ? ଏସୟୁଭି ଚଢ଼ିବେ? ଆଉ ଦଳ ପାଇଁ ପ୍ରତି ନିର୍ବାଚନରେ ଭୋଟ ଗୋଟଉଥିବା ସରପଞ୍ଚମାନେ ନିଜ ପାଇଁ କିଛି କରିବେ ନାହିଁ? ସେମାନଙ୍କର ବି କ’ଣ ଭୁବନେଶ୍ବରରେ ରହିବାର ସ୍ବପ୍ନ ନାହିଁ? ତେଣୁ ଭୁବନେଶ୍ବରରେ ସରକାରୀ ଜମି ହଡ଼ପ ହେଉ ତ କୃତ୍ରିମ ଭାବେ ଦର ବଢ଼ୁ- କିଏ ପଚାରୁଛି ନା ବୁଝୁଛି? ରାଜଧାନୀରେ ଘରଭଡ଼ା ଓ ପରିବା ଦର ରାଜ୍ୟର ଅନ୍ୟ ସହରଠୁଁ ଦୁଇ ତିନି ଗୁଣ ଅଧିକ ହେଲେ ବି କାହାକୁ ବାଧେ ନାହିଁ। ଏ ଗରୀବ ରାଜ୍ୟର ରାଜଧାନୀରେ ଏସିଆର ସର୍ବବୃହତ ସୁନା ଓ ହୀରା ଅଳଙ୍କାର ଦୋକାନ ବି ଭଲ କାରବାର କରେ। ଏଠିକା ରାସ୍ତାରେ ମାଳମାଳ ଅଡ଼ି ଓ ବିଏମଡବ୍ଲୁ ବି ଚାଲେ। ଖଣି ଓ ଚିଟ୍‌ ଫଣ୍ଡ ଟଙ୍କା ସହିତ ପିସି ଓ ଠକ ଟଙ୍କା ମିଶିଗଲେ ଏସବୁ ଯାହାକୁ ଯେତେ। ତେଣିକି କିଛି ଲୋକ ଆହାର ସହିତ ଆର୍ଥିକ ପାହାର ବି ଖାଉଥାନ୍ତୁ, କିଏ ବୁଝେ, କାହାକୁ ବାଧେ?

Share :