ଖଣି ଲୁଟିବାର ଦସ୍ତାବିଜ୍‌

ଖଣି ଲୁଟିବାର ଦସ୍ତାବିଜ୍‌

Share :

ସ୍ବତନ୍ତ୍ର ପ୍ରତିନିଧି ୨୦୧୯ ଜୁଲାଇ ୧୦ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖାକଲେ ଜିନ୍ଦଲ ଗୋଷ୍ଠୀର ସାଜନ ଜିନ୍ଦଲ, ପ୍ରାଇସ୍‌ ୱାଟରହାଉସ କୁପର ସଂସ୍ଥାର ରନେନ ବାନାର୍ଜୀ। ସେମାନଙ୍କ ସହିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କେତେ ଜଣ ପ୍ରିୟ ଅଫିସର। ସେମାନଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷାରେ ଏକ ଭିଜନ ଡକୁମେଣ୍ଟ ବା ଓଡ଼ିଆରେ କହିଲେ ଦୂରଦୃଷ୍ଟିର ଦସ୍ତାବିଜ ଉନ୍ମୋଚନ କରିଥିଲେ। ଏହି ଦସ୍ତାବିଜକୁ ସେ ନିଜେ କିମ୍ବା ତାଙ୍କର କୌଣସି ଅଫିସର ସାଥୀ ପ୍ରସ୍ତୁତ କରିଥିବା ମନେ ହେଉ ନାହିଁ। ତାହା ହୋଇଥିଲେ ସେଠାରେ ସାଜନ ଜିନ୍ଦଲ ଓ ରନେନ ବାନାର୍ଜୀଙ୍କର ଉପସ୍ଥିତି ଆବଶ୍ୟକ ନଥିଲା। ଏହି ଦସ୍ତାବିଜର ଶୀର୍ଷକ ହେଉଛି ‘ଇକୋନୋମିକ୍‌ ପସିବିଲିଟି ଫର୍‌ ଓଡ଼ିଶା- ଟୁୱାର୍ଡ଼ସ ଏ ଟ୍ରିଲିଅନ ଡଲାର ଇକୋନୋମି’ ଅର୍ଥାତ ଓଡ଼ିଶା ପାଇଁ ଆର୍ଥିକ ସମ୍ଭାବନା- ଏକ ଲକ୍ଷ କୋଟି ଡଲାର ଅର୍ଥନୀତି ଆଡ଼କୁ। ଏହି ଦସ୍ତାବିଜରେ ମୁଖ୍ୟତଃ ଓଡ଼ିଶା କିପରି ଏକ ଲକ୍ଷ କୋଟି ଡଲାରର ଅର୍ଥନୀତି ହୋଇପାରିବ ସେ ସଂପର୍କରେ ସୂଚନା ଦିଆଯାଇଛି। ଏହାକୁ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଗଲା ୨୦ ବର୍ଷ ଧରି ଯେଉଁ ଶୂକପାଠ ପଢ଼ି ଚାଲିଛନ୍ତି ତାହାକୁ ଆଉ ଥରେ ପଢ଼ିଲେ ଏବଂ କହିଲେ ଯେ ଓଡ଼ିଶା ଭାରତର ମାନୁଫାକ୍ଚରିଂ ହବ୍‌ ହୋଇପାରିବ। ଭାରତର ଅର୍ଥନୀତିରେ ଓଡ଼ିଶା କେନ୍ଦ୍ରୀୟ ଭୂମିକା ଗ୍ରହଣ କରିପାରିବ। ଓଡ଼ିଶାରେ ପ୍ରଚୁର ପ୍ରାକୃତିକ ସଂପଦ ରହିଛି। ଓଡ଼ିଶାର ପୁଞ୍ଜି-ପ୍ରେମୀ ବାତାବରଣ, ଭିତ୍ତିଭୂମି ସଂଯୋଗ ଓ ଦକ୍ଷ ଶ୍ରମବଳ ରହିଛି। ଖଣିଜଭିତ୍ତିକ ଶିଳ୍ପ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଓ ଅନ୍ୟାନ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଜରିଆରେ ଓଡ଼ିଶାର ଆର୍ଥନୀତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିହେବ। ଏହି ଅବସରରେ ଜେଏସଡବ୍ଲୁ ସଂସ୍ଥାର ମୁଖ୍ୟ ସାଜନ ଜିନ୍ଦଲ କହିଥିଲେ ଯେ ଓଡ଼ିଶାକୁ ଏକ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଏହାର ଖଣିଜ ପଦାର୍ଥର ରପ୍ତାନୀ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯିବା ଦରକାର। ଓଡ଼ିଶା ସମେତ ଅନେକ ରାଜ୍ୟରେ ବିଭିନ୍ନ ଦୁର୍ନୀତି ଓ ବିବାଦରେ ଜଡ଼ିତ ପ୍ରାଇସ୍‌ ୱାଟହାଉସ କୁପର ସଂସ୍ଥାର ଅଂଶୀଦାର ରନେନ ବାନାର୍ଜୀ ମଧ୍ୟ ଓଡ଼ିଶାର ଖଣିଜ ସମ୍ବଳ ବିକ୍ରି ଉପରେ ଗୁରୁତ୍ବ ଦେଇଥିଲେ। ଏହି ତଥାକଥିକ ଦୂରଦୃଷ୍ଟିର ଦସ୍ତାବିଜରେ କିଛି ନୂତନତ୍ବ ନାହିଁ। ନବୀନ ପଟ୍ଟନାୟକଙ୍କ ସରକାର ଗଲା ୨୦ ବର୍ଷ ଧରି ଏହି କଥା ହିଁ କରି ଆସୁଛନ୍ତି। ରାଜ୍ୟର ଖଣିଜ ପଦାର୍ଥ ସବୁ କିପରି ଅଧିକ ପରିମାଣରେ ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶକୁ ରପ୍ତାନୀ ହେବ କେବଳ ତାହାରି ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଏଠାରେ ନିଯୁକ୍ତିକୈନ୍ଦ୍ରିକ ଶିଳ୍ପ ଉପରେ ନବୀନ ସରକାର କେବେ ବି ଗୁରୁତ୍ବ ଦେଇନାହାନ୍ତି। ଏହି କାରଣରୁ ୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସତ୍ତ୍ବେ ରାଜ୍ୟରେ ୩୦ ଲକ୍ଷ ଯୁବକଯୁବତୀ ବେକାର ବୁଲୁଛନ୍ତି। ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଯେଉଁ ତଥ୍ୟ ଉପସ୍ଥାପନ କରିଛନ୍ତି ସେଥିରୁ ସ୍ପଷ୍ଟ ହୋଇଯାଇଛି ଯେ ଶିଳ୍ପସଂସ୍ଥାରେ ପୁଞ୍ଜିନିବେଶ ଅନୁସାରେ ନିଯୁକ୍ତି ସୃଷ୍ଟି ହୋଇନାହିଁ। ତାଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ଏବେ ସୁଦ୍ଧା ପ୍ରତିଷ୍ଠା ହୋଇଥିବା ୫୫୦ ଶିଳ୍ପାନୁଷ୍ଠାନରେ ମାତ୍ର ୨.୬୬ ଲକ୍ଷ ଲୋକ କାମ କରୁଛନ୍ତି। ସେଥିରୁ ୪୦ ହଜାର ଅନ୍ୟ ରାଜ୍ୟର। ଏସବୁ ଶିଳ୍ପରେ ୧୦ ଲକ୍ଷ କୋଟି ଟଙ୍କାରୁ କମୋ ପୁଞ୍ଜି ନିବେଶ ହୋଇନାହିଁ। ଏତିକି ଟଙ୍କା କୃଷି କ୍ଷେତ୍ରରେ ନିବେଶ କରାଯାଇଥିଲେ ରାଜ୍ୟରେ କେହି ଜଣେ ବେକାର ନଥାନ୍ତେ। ନବୀନ ପଟ୍ଟନାୟକଙ୍କ ଦୁଇ ଦଶନ୍ଧିର ମୁଖ୍ୟମନ୍ତ୍ରିତ୍ବ କାଳରେ ୧୦ ଲକ୍ଷ କୋଟି ଟଙ୍କାର ଖଣିଜ ପଦାର୍ଥ ବିକ୍ରି ହୋଇଛି। ତଥାପି ରାଜ୍ୟର ୩.୫୦ ଲକ୍ଷ ଲୋକ ଟଙ୍କିକିଆ ଚାଉଳ ଉପରେ ନିର୍ଭରଶୀଳ। ଖଣିଜ ପଦାର୍ଥର ଉତ୍ତୋଳନ, ପରିବହନ ଓ ବିପଣନ ଅନୁପାତରେ ରାଜ୍ୟବାସୀଙ୍କ ରୋଜଗାର ବୃଦ୍ଧି ହୋଇନାହିଁ। ତେଣୁ ସେମାନଙ୍କର କ୍ରୟଶକ୍ତି ବୃଦ୍ଧି ପାଇନାହିଁ। ଲୋକଙ୍କର କ୍ରୟଶକ୍ତି ବୃଦ୍ଧି ପାଇଥିଲେ ସେମାନେ ଟଙ୍କିକିଆ ସରକାରୀ ଚାଉଳ ପରିବର୍ତ୍ତେ ୪୦ ଟଙ୍କିଆ ଜିରା ରାଇସ୍‌ କିଣି ଖାଇଥାନ୍ତେ। ଗଲା ଚାରି ଥର ଯେଉଁ ପରି ରାଜ୍ୟର ଖଣିଜ ସଂପଦ ବିକ୍ରି କରି ନବୀନ ସରକାର ରାଜ୍ୟର ଅର୍ଥନୀତି ସୁଦୃଢ଼ ହୋଇଛି ଓ ଆର୍ଥିକ ଅଭିବୃଦ୍ଧି ଘଟିଛି ବୋଲି ପ୍ରଚାର କରି ଆସିଛନ୍ତି ପଞ୍ଚମ ପାଳିରେ ମଧ୍ୟ ତାହାର ପୁନରାବୃତ୍ତି କରିବାକୁ ଯାଉଥିବା ଏହି ‘ଅଦୂରଦୃଷ୍ଣି ଦସ୍ତାବିଜ’ରୁ ସ୍ପଷ୍ଟ ହୋଇଯାଏ। ଏହି ଦସ୍ତାବିଜ୍‌ ଖଣି ଓ ଖଣିଜ ଭିତ୍ତିକ ଶିଳ୍ପ କମ୍ପାନୀ ସହିତ ରାଜ୍ୟର ମୁଷ୍ଟିମେୟ ଅମଲା ଓ କେତେକ ବେପାରୀ ପରିବାରର ଦୌଲତ ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ଏହା ଫଳରେ ରାଜ୍ୟ ବଜେଟର ଅକାର ବଢ଼ିଲେ ବି ସାଧାରଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ିବ ନାହିଁ। ତା’ ହୋଇଥିଲେ ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାର ଜଣେ ନାବାଳିକା ପରିବାର ପ୍ରତିପୋଷଣ କରିବାକୁ ସୁଦୂର ପୁରୀର ମାଳତୀପାଟପୁରରେ ଥିବା ୱାଟର ପାର୍କରେ କାମ କରିବାକୁ ଆସି ଧର୍ଷଣର ଶିକାର ହୋଇନଥାନ୍ତା। ଓଡ଼ିଶାକୁ ଏକ ଲକ୍ଷ କୋଟି ଡଲାରର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଧାତବ କ୍ଷେତ୍ର ୨୫୦୦୦ କୋଟି ଡଲାର ବା ଏକଚତୁର୍ଥାଂଶ ର ଅଂଶ ଦେବ। ସେଥିପାଇଁ ଓଡ଼ିଶାରେ ବାର୍ଷିକ ୧୦୦ ନିୟୁତ ଟନ ଇସ୍ପାତ ଉତ୍ପାଦିତ ହେବ। ଏହା ସହିତ ଆଲୁମିନିୟମ ତଥା ଅନ୍ୟାନ୍ୟ ଧାତବ ଶିଳ୍ପ ମଧ୍ୟ ଅଗ୍ରାଧିକାର ପାଇବ। ଠିକ ଏଇକଥା ଗଲା ୬୦ ବର୍ଷ ଧରି ଚାଲି ଆସିଛି। ୧୯୬୦ ଦଶକରେ ବିଜୁ ପଟ୍ଟନାୟକଙ୍କର ଶିଳ୍ପାୟନ ସ୍ବପ୍ନ, ଡିକେଡ ଅଫ୍‌ ଡେଷ୍ଟିନି ଦସ୍ତାବିତ, ୧୯୮୦ ଦଶକରେ ଜାନକୀ ପଟ୍ଟନାୟକଙ୍କର ହଜାରେ ଦିନରେ ହଜାରେ କୋଟିରେ ହଜାରେ ଶିଳ୍ପ, ପୁଣି ୧୯୯୦ ଦଶକରେ ବିଜୁ ଓ ଜାନୀକଙ୍କର ଦ୍ବିତୀୟ ଇସ୍ପାତ କାରଖାନା ପ୍ରୟାସ ଏବଂ ୨୦୦୦ ମସିହାରୁ ନବୀନ ପଟ୍ଟନାୟକଙ୍କର ଦ୍ରୁତ ଶିଳ୍ପାୟନ ନିଶା ଶିକ୍ଷିତ ଓ ତାଲିମପ୍ରାପ୍କ ଓଡ଼ିଆ ପିଲାମାନଙ୍କୁ ରୋଜଗାରକ୍ଷମ କରିବାରେ ସଫଳ ହୋଇଥିଲେ ରାଜ୍ୟର ଇଂଜିନିଅରିଂ କଲେଜଗୁଡ଼ିକରେ ସିଟ୍‌ ସଂଖ୍ୟା କମୁଛି କାହିଁକି? କାହିଁକି ପିଲାମାନେ ଇଂଜିନିଅରିଂ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି?

Share :