ଓଏସ୍‌ସିବି ଦୁର୍ନୀତିର ତଦନ୍ତ ପାଇଁ ଲୋକାୟୁକ୍ତରେ ଅଭିଯୋଗ

ଓଏସ୍‌ସିବି ଦୁର୍ନୀତିର ତଦନ୍ତ ପାଇଁ ଲୋକାୟୁକ୍ତରେ ଅଭିଯୋଗ

Share :

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ହୋଇଥିବା ବ୍ୟାପକ ଜାଲିଆତି, ଠକାମୀ, ୬୦୦ କୋଟି ଟଙ୍କାର ଲୁଟ୍‌ର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୂଚନାଧିକାର କର୍ମୀମାନେ ମିଳିତ ଭାବେ ଓଡ଼ିଶା ଲୋକାୟୁକ୍ତରେ ଅଭିଯୋଗ ଦାଖଲ କରିଛନ୍ତି। ୨୦୧୫ ମସିହାରୁ ରାଜ୍ୟ ସମବାୟ ବ୍ୟାଙ୍କରେ ଚାଲିଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ ଅନେକ ତଥ୍ୟ ଖୋଲାସା ହେଲା ପରେ ସୂଚନାଧିକାର କର୍ମୀମାନଙ୍କ ତରଫରୁ ଏ ସମ୍ପର୍କରେ ଲଗାତର ଅଭିଯୋଗ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ରାଜ୍ୟ ଭିଜିଲାନ୍ସ ନିକଟରେ ଦାଖଲ ହୋଇ ଆସୁଥିଲା। ୨୦୧୭ ମସିହାରେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ ମଧ୍ୟ ବ୍ୟାଙ୍କର ଜାଲିଆତି ତଦନ୍ତ ପାଇଁ ସମବାୟ ରେଜିଷ୍ଟ୍ରାର ଏବଂ ଭିଜିଲାନ୍ସ ନିଦ୍ଦେର୍ଶକଙ୍କୁ ଲେଖିଥିଲେ। ଏହି ଦୁର୍ନୀତିରେ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜମେଣ୍ଟ-ଇନ୍-ଚାର୍ଜ ବିଷ୍ଣୁପଦ ସେଠୀ ଏବଂ ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତି ପଣ୍ଡା ସମ୍ପୃକ୍ତ ଥିବା ଅଭିଯୋଗ ଥିଲା। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏହିସବୁ ଦୁର୍ନୀତିକୁ ଚାପି ଦେଇଥିଲେ। ଫଳରେ ଦୁର୍ନୀତିର ତଦନ୍ତ ହୋଇନଥିଲା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ସୂଚନାଧିକାର କର୍ମୀ ପ୍ରଦୀପ ପ୍ରଧାନ, ଶ୍ରୀମତୀ ସଞ୍ଜୁକ୍ତା ପାଣିଗ୍ରାହୀ ଏବଂ ଆଇନଜୀବୀ ସୁଧୀର ମହାନ୍ତି ପ୍ରମୁଖ ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ବ୍ୟାଙ୍କର ଦୁର୍ନୀତି ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଚାଷ ଏବଂ ଚାଷୀର ଉନ୍ନତି ପାଇଁ ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ଋଣ ବଣ୍ଟନ କରିବା କଥା। ଏହି ସମବାୟ ବ୍ୟାଙ୍କ ଅଧୀନରେ ସମଗ୍ର ରାଜ୍ୟରେ ୧୭ଟି କେନ୍ଦ୍ରୀୟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ୨୭୦୦ ପ୍ରାଥମିକ ସମବାୟ ବ୍ୟାଙ୍କ ରହିଛି। ଏସବୁ ବ୍ୟାଙ୍କ ଉପରେ ରାଜ୍ୟର ୫୦ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ନିର୍ଭରଶୀଳ। ଚାଷର ବିକାଶ ପାଇଁ ଚାଷୀମାନଙ୍କୁ ସ୍ୱଳ୍ପ ସୁଧରେ ଋଣ ଦେବା ଏହି ବ୍ୟାଙ୍କର ମୂଳ ଲକ୍ଷ୍ୟ। କିନ୍ତୁ ବ୍ୟାଙ୍କରେ ବ୍ୟାପକ ଜାଲିଆତି, ଠକେଇ ଯୋଗୁଁ ବ୍ୟାଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଚାଷୀ ମଧ୍ୟ ଠିକ ସମୟରେ ଋଣ ନପାଇ ହତାଶ। ଲୋକାୟୁକ୍ତଙ୍କ ନିକଟରେ ଦାଖଲ ହୋଇଥିବା ଅଭିଯୋଗ ପତ୍ରରେ ସୂଚନାଧିକାର କର୍ମୀମାନେ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜମେଣ୍ଟ-ଇନ୍-ଚାର୍ଜ ବିଷ୍ଣୁପଦ ସେଠୀ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିବା, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଣ୍ଡାଙ୍କ ଚାକିରୀ ସମୟସୀମା ବେଆଇନ୍ ଭାବେ ବାରମ୍ୱାର ବଢାଇବା, ପ୍ରାଥମିକ ସମବାୟ ବ୍ୟାଙ୍କ ପାଇଁ କମ୍ପ୍ୟୁଟର କିଣାରେ ବ୍ୟାପକ ଜାଲିଆତି, ଅତ୍ୟଧିକ ଅନୁକମ୍ପା ଦେଖାଇ ଏବଂ ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି କରି ହାଇଦ୍ରାବାଦସ୍ଥିତ ଭି-ସଫ୍ଟ କମ୍ପାନୀକୁ ସିବିଏସ୍ ସଫ୍ଯୱେୟାର ଅର୍ଡ଼ର ଦେଇ ବ୍ୟାପକ କ୍ଷତି ଘଟାଇବା, ଟେଣ୍ଡର ନ କରି ମାଡ଼୍ରାସ ପ୍ରିଣ୍ଟର ନାମକ ଏକ ବେସରକାରୀ ସଂସ୍ଥାକୁ ରପି କାର୍ଡ଼ ଛାପିବା ପାଇଁ କାମ ଦେଇ ଅର୍ଥ ଲୁଟ୍ କରିବା ଇତ୍ୟାଦି ସଂପର୍କରେ ତଥ୍ୟମୂଳକ ଅଭିଯୋଗ ଦାଖଲ କରିଛନ୍ତି। ବ୍ୟାଙ୍କରେ ଉପରୋକ୍ତ ଦୁଇ ଅଫିସରଙ୍କ ସମେତ ବ୍ୟାଙ୍କର ଜଣେ ନିର୍ଦ୍ଦେଶକ ୬୦୦ କୋଟି ଟଙ୍କାର ଲୁଟ୍‌ରେ ସାମିଲ ଥିବା ସେମାନେ ଅଭିଯୋଗ କରିଛନ୍ତି।

Share :