ମର୍ଯ୍ୟାଦାର ସହ ବଞ୍ଚିବାର ଅଭିଯାନ, ଓଡ଼ିଶା (ସିଏସ୍ଡି, ଓଡ଼ିଶା) ତରଫରୁ ଏକ ରାଜ୍ୟସ୍ତରୀୟ ସାମ୍ୱାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ବାହାନାରେ ପ୍ରଶାସନ ଦ୍ୱାରା ମନୋମୁଖୀ ଭାବେ ନାକଚ କରାଯାଇଥିବା ଜଙ୍ଗଲ ଅଧିକାର ଦାବିଗୁଡ଼ିକୁ ପୁନଃବିଚାର କରିବା ଓ ଓଡ଼ିଶା ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରିବା ଘଟଣାର ପ୍ରତିବାଦ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାର ଜଙ୍ଗଲ ଅଧିକାର ପାଇଁ ଲଢେଇ କରୁଥିବା ଆଦିବାସୀ ନେତୃତ୍ୱ ଯଥା ସିଏସ୍ଡି ରାଜ୍ୟ ଆବାହକ ଗୋପୀନାଥ ମାଝୀଙ୍କ ସମେତ ଆଦିବାସୀ ନେତ୍ରୀ ଆନ୍ନା କୁଜୁର, ବିରଞ୍ଚି ବରହା, ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ ସାହୁ, ନରେନ୍ଦ୍ର ମହାନ୍ତି, ବିଜୟ ସ୍ୱାଇଁ, ଶ୍ରୀଚରଣ ବେହେରା ପ୍ରମୁଖ ଏହି ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ର କାର୍ଯ୍ୟକାରିତାରେ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟକୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ନାକଚ ହୋଇଥିବା ମୋଟ ୧,୪୮,୮୭୦ ବ୍ୟକ୍ତିଗତ ଦାବି ମଧ୍ୟରୁ ୧,୨୨,୨୫୦ ଜଣ ଆଦିବାସୀ ଓ ୨୬,୬୨୦ ଜଣ ଅନ୍ୟ ପାରମ୍ପରିକ ବନବାସୀଙ୍କର ତଥ୍ୟ ପ୍ରଦାନ କରିଥିଲେ। ଏହି ଦାବିଗୁଡ଼ିକର ସ୍ଥିତି ଉପରେ ଶୁଣାଣୀ କରି ଗତ ଫେବୃୟାରୀ ୨୮ ତାରିଖରେ ମାନ୍ୟବର ସୁପ୍ରିମ କୋର୍ଟ ତାଙ୍କର ୧୩ ଫେବୃୟାରୀ ୨୦୧୯ରେ ଦେଇଥିବା ଜଙ୍ଗଲ ଜମିରୁ ଉଚ୍ଛେଦ ଆଦେଶ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବା ସହିତ ରାଜ୍ୟ ସରକାରଙ୍କୁ ସବିଶେଷ ସତ୍ୟପାଠ ୧୨ ଜୁଲାଇ ୨୦୧୯ ସୁଦ୍ଧା ଦାଖଲ କରିବାକୁ ଆଦେଶ ଦେଇଥିଲେ। ଏଥିରେ ଦାବିଗୁଡ଼ିକ ନାକଚରେ କେଉଁ ପ୍ରକ୍ରିୟା ଅବଲମ୍ୱନ କରିଥିଲେ, କେଉଁ ସବୁ ମୁଖ୍ୟ କାରଣଯୋଗୁ ଦାବିଗୁଡ଼ିକ ନାକଚ ହୋଇଥିଲା ଏବଂ ଆଇନର କେଉଁ ଧାରା ଅନୁସାରେ ଉଚ୍ଛେଦ କରାଯିବ ଏବଂ କେଉଁ ଅଧିକାରୀ ଉଚ୍ଛେଦ ଆଦେଶ ଜାରି କରିପାରିବେ ଆଦି ଇତ୍ୟାଦି ତଥ୍ୟ ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ନାକଚ କରିଥିବା ଦାବୀଗୁଡ଼ିକର ପୁନର୍ବିବିଚାର କରିବା ପରିବର୍ତ୍ତେ ନିଜର ଭୁଲକୁ ଲୁଚାଇବା ପାଇଁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସତ୍ୟପାଠ ଦେବା ବାହାନାରେ ଓଡ଼ିଶା ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରିଛନ୍ତି। ପ୍ରଶାସନିକ କଳ ଦ୍ୱାରା ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଆଇନର ପ୍ରକ୍ରିୟାକୁ ଉଲ୍ଲଙ୍ଘନ କରି କିପରି ସରକାରୀ ପଦାଧିକାରୀମାନେ ଦାବିଦାରମାନଙ୍କ ଉପରେ ଚାପ ପ୍ରୟୋଗ କରି ପୂର୍ବରୁ ଛପା ହୋଇଥିବା ଫର୍ମାଟରେ ସେମାନଙ୍କର ଦସ୍ତଖତ ନେଇ ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକୁ ପ୍ରାୟୋଜିତ ଭାବରେ ନାକଚ କରିବାକୁ ଚେଷ୍ଟା ଚଳାଇଛନ୍ତି ସେ ସମ୍ପର୍କରେ ବିଭିନ୍ନ ଜିଲ୍ଲାର ପ୍ରତିନିଧିମାନେ ସମ୍ୱାଦିକ ସମ୍ମିଳନୀରେ ଉପସ୍ଥାପନ କରିଥିଲେ। ଗ୍ରାମସଭାକୁ ସମ୍ପୂର୍ଣ୍ଣ ଅଣଦେଖା କରି ବେଆଇନ ଭାବେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣୀର ଆୟୋଜନ କରାଯାଉଛି ଯାହା ଜଙ୍ଗଲ ଅଧିକାର ଆଇନର ବିରୋଧୀ। ଦାବି ବାତିଲ କିମ୍ୱା ପରିବର୍ତ୍ତନର ସ୍ୱତଃ ଶୁଣାଣୀ ପାଇଁ ସଂଶୋଧିତ ନିୟମ ୨୦୧୨ ଧାରା ୧୪ (୨) ଓ ୧୫ (୨)ରେ ପଠାଯାଇଥିବା ନୋଟିସକୁ ଅନଧିକାର ଭାବରେ ବ୍ୟବହାର କରାଯାଇଛି। ଧାରା ୧୪ (୨)ରେ ଉପଖଣ୍ଡ ସ୍ତରୀୟ କମିଟିର ଗ୍ରାମସଭା କିମ୍ୱା ଦାବିଦାରଙ୍କ ଅଭିଯୋଗ ଶୁଣାଣୀ କରିବାର କ୍ଷମତା ରହିଛି ଏବଂ ଧାରା ୧୫(୨)ରେ ଜିଲ୍ଲାସ୍ତରୀ କମିଟିର ଉପଖଣ୍ଡ ସ୍ତରୀୟ କମିଟି ବିରୁଦ୍ଧରେ ଅଭିଯୋଗ ଶୁଣାଣୀ କରିବାର କ୍ଷମତା ରହିଛି। କିନ୍ତୁ ଭଞ୍ଜନଗର ଉପଜିଲ୍ଲାପାଳ ଏହି ଦୁଇଟିକୁ ଏକସାଥୀରେ ଅନଧିକାର ଓ ବେଆଇନ୍ ଭାବେ ନୋଟିସ୍ କରି ଶୁଣାଣୀ କରିଛନ୍ତି, ଅର୍ଥାତ୍ ତାଙ୍କ ବିରୁଦ୍ଧରେ ଅଭିଯୋଗ ଶୁଣିବା କ୍ଷମତାକୁ ସେ ନିଜ ଅପବ୍ୟବହାର କରିଛନ୍ତି। ପଠାଇଥିବା ନୋଟିସ୍ ଅନେକ ଜାଗାରେ ଦାବିଦାରମାନଙ୍କୁ ନୋଟିସ୍ କରି ଦାବି ନାକଚ କରିବାର ଆଇନ ବିରୁଦ୍ଧ କାରଣମାନ ଉଲ୍ଲେଖ କରାଯାଇଛି। ଅନେକ ଜିଲ୍ଲାରେ (ବଲାଙ୍ଗୀର, ଗଞ୍ଜାମ) ଆଦିବାସୀ ଦାବିଦାରମାନଙ୍କ ପାଖକୁ ଦୀର୍ଘ ୭୫ ବର୍ଷ ଧରି ଜଙ୍ଗଲ ଜମି ଅଧିକାର କରିଥିବା ପ୍ରମାଣ ନଥିବା ହେତୁ ନାକଚ ହୋଇଥିବାର ନୋଟିସ୍ ପଠାଯାଇଛି। ଯଦିଓ ଆଇନଗତ ଭାବେ ୧୩ ଡିସେମ୍ୱର, ୨୦୦୫ ମସିହା ପୂର୍ବରୁ ଆଦିବାସୀମାନେ ଚାଷ ଓ ବାସ କରୁଥିଲେ ଦାବିଦାର ପାଇଁ ଯୋଗ୍ୟ ଅଟନ୍ତି। ଦାବି ଦାଖଲ ପରେ କ୍ଷେତ୍ର ଯାଞ୍ଚ ନକରି ଓ ଜମି ଚିହ୍ନଟ ନ କରି ଉପଖଣ୍ଡ ଓ ଜିଲ୍ଲା ସ୍ତରରୁ ଦାବିଦାରମାନଙ୍କ ପାଖକୁ ପଠାଯାଇଥିବା ନୋଟିସ୍ରେ ଅଣ ଜଙ୍ଗଲ କସମ ଜମିରେ ଦଖଲ ହେତୁ ନାକଚ କରାଯାଇଥିବା କାରଣ ଦର୍ଶାଯାଇଛି। ସରଜମିନ ତଦନ୍ତକୁ ନ ଯାଇ ଆବେଦନକାରୀ ଜଙ୍ଗଲ ଜମି ଦଖଲ କରିନାହାଁନ୍ତି ବୋଲି ନାକଚର କାରଣ ଦର୍ଶାଯାଇଛି। ଜମିର ପରିମାଣ ଦେଖାଯାଇଛି ଅଥଚ ଜମିର କିସମ, ପ୍ଲଟ କିମ୍ୱା ଖତିୟାନ ନମ୍ୱର ଉଲ୍ଲେଖ କରାଯାଇ ନାହିଁ। ଅନେକ ଜାଗାରେ ନୋଟିସ୍ଗୁଡ଼ିକ କେବଳ ପୁରୁଷମାନଙ୍କ ନାମରେ ପଠାଯାଇଛି ଯଦିଓ ଦାବିଦାର ହିସାବରେ ଉଭୟ ମହିଳା ଓ ପୁରୁଷ ଦାବି ଦାଖଲ କରିଛନ୍ତି। ଅନ୍ୟ କାରଣ ଭିତରେ ଜନଶୁଣାଣୀରେ ଅନୁପସ୍ଥିତ ରହିଲେ ଦାବିଗୁଡ଼ିକ ଖାରଜ ହେଲା ବୋଲି ଧରି ନିଆଯିବାକୁ ଦାବିଦାରମାନଙ୍କୁ ପଠାଯାଇଥିବା ନୋଟିସ୍ରେ ଉଲ୍ଲେଖ କଯାଯାଇଛି। ସଂଶୋଧନ ନିୟମର ୨୦୧୨ର ନିୟମ ୧୨ (କ) ଉପଧାରା ୧୧ (୧) ଓ (୨) ଅନୁସାରେ ବୈଷୟିକ ଜ୍ଞାନ, ପ୍ରଯୁକ୍ତି ବିଜ୍ଞାନ ଓ ନିର୍ଦ୍ଦିଷ୍ଟ ପ୍ରମାଣକୁ ବାଧ୍ୟତାମୂଳକ କରି କାହାକୁ ତାର ଅଧିକାରରୁ ବଞ୍ଚିତ ନକରିବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ସରକାର ମନଇଚ୍ଛା ତଥା ବାଧ୍ୟତାମୂଳକ ଭାବେ ଦାବିଗୁଡ଼ିକୁ ନାକଚ କରି ଚାଲିଛନ୍ତି। ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ଆଗରୁ ମୁଦ୍ରିତ ଫର୍ମାଟରେ ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଆଦେଶନାମା (ଅର୍ଡ଼ର ସିଟ୍)ରେ ଦାବିଦାରମାନଙ୍କ ଠାରୁ ବାଧ୍ୟତାମୂଳକ ଦସ୍ତଖତ ନିଆଯାଇଛି। ଗ୍ରାମସଭାର ପ୍ରିକ୍ରିୟାକୁ ସମ୍ପୂର୍ଣ୍ଣ ପ୍ରଭାବିତ କରି ଆଇନର ପ୍ରକ୍ରିୟାକୁ ଉଲଂଘନ ଓ ଅଣଦେଖା କରାଯାଉଛି ଯାହା ଜଙ୍ଗଲ ଜମିରୁ ଲୋକଙ୍କୁ ହଟାଇ ଦେଶର ପ୍ରାକୃତିକ ସମ୍ୱଳକୁ କମ୍ପାନୀମାନଙ୍କ ହାତକୁ ସହଜରେ ଟେକି ଦେବା ପାଇଁ ଉଦ୍ଦିଷ୍ଟ। ଆଇନର ପ୍ରକ୍ରିୟାକୁ ଅଣଦେଖା କରି ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଗଲା ପରେ ମଧ୍ୟ ବେଳ ସୁପ୍ରିମ କୋର୍ଟର ନିଦ୍ଦେର୍ଶ ପରେ ଗ୍ରାମସଭାକୁ ନାକଚ ନୋଟିସ୍ ତରବରିଆ ଭାବେ ପଠାଯାଉଛି, ଯାହା ସରକାରଙ୍କ ଖାମଖିଆଲ ଓ ଜାଣିଶୁଣି ଗ୍ରାମସଭାର କ୍ଷମତାକୁ ଲଗାତର ଭାବେ ଉଲ୍ଲଙ୍ଘନ କରିବାର ପ୍ରମାଣ କରୁଛି। ସିଏସ୍ଡି ଓଡ଼ିଶା ପକ୍ଷରୁ ଗତ ୨୭ ଜୁନ୍ରେ ମୁଖ୍ୟ ଶାସନ ସଚିବଙ୍କୁ ଏହି ସମସ୍ୟା ଓ ଦାବିଗୁଡ଼ିକ ଉପରେ ପତ୍ର ମାଧ୍ୟମରେ ଅବଗତ କରାଯିବା ପରେ ମଧ୍ୟ ଏହାକୁ ଅଣଦେଖା କରାଯାଉଛି। ଏହି ଚିଠିକୁ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଅନୁସୂଚିତ ଜନଜାତି କମିଶନରଙ୍କୁ ଗତ ୩ ଜୁଲାଇରେ ମଧ୍ୟ ପ୍ରେରଣ କରାଯାଇଛି। ଏହି ସମ୍ୱାଦିକ ସମ୍ମିଳନୀରେ ସିଏସ୍ଡି ପକ୍ଷରୁ ଗ୍ରାମସଭାର କ୍ଷମତାକୁ ସମ୍ମାନ ଦେବା ଓ ସୁପ୍ରିମ କୋର୍ଟକୁ ଅଧିକ ସମୟ ମାଗି ନାକଚ ହୋଇଥିବା ସମସ୍ତ ଜଙ୍ଗଲ ଅଧିକାର ଦାବି ଉପରେ ପୁନଃ ପ୍ରକ୍ରିୟା ଆରମ୍ଭ କରିବାକୁ ଦାବି କରାଯାଇଥିଲା। ସମସ୍ତ ନାକଚ ଓ ଅନୁମୋଦନ ହୋଇଥିବା ଦାବିଗୁଡ଼ିକୁ ଜିଲ୍ଲାସ୍ତରୀୟ କମିଟି ଗ୍ରାମସଭା ଓ ଦାବିଦାରଙ୍କୁ ଫେରସ୍ତ କରି ଜମି ଚିହ୍ନଟ ଓ ଉପଯୁକ୍ତ ମାପ ପ୍ରକ୍ରିୟା ଆରମ୍ଭ କରିବାକୁ ସେମାନେ ଦାବି କରିଥିଲେ। ଉପଖଣ୍ଡ ଓ ଜିଲ୍ଲା ସ୍ତରୀୟ କମିଟି ନକ୍ସା ତିଆରି, ଜମି ମାପ, କ୍ଷେତ୍ର ଯାଞ୍ଚ ଇତ୍ୟାଦି କ୍ଷେତ୍ରରେ ସମ୍ପୂର୍ଣ୍ଣ ସହଯୋଗ କରି ଗ୍ରାମସଭାର ନିଷ୍ପତ୍ତି ଓ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ସମ୍ମାନ ଦେବା ସହିତ ଏହି ପ୍ରକ୍ର୍ରିୟାକୁ ସରକାରୀ କର୍ମଚାରୀମାନଙ୍କ ପ୍ରଭାବରୁ ମୁକ୍ତ ରଖିବାକୁ ସେମାନେ ଦାବି କରିଥିଲେ। ସେହିପରି ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଦାବି ଦାଖଲକୁ ବିରୋଧ କରୁଥିବା କର୍ମଚାରୀଙ୍କ ବିରୋଧରେ ଦଣ୍ଡ ବିଧାନ କରିବାକୁ ସେମାନେ ଦାବି କରିଥିଲେ। ଏହା ବିରୁଦ୍ଧରେ ଜୁଲାଇ ୨୨ ତାରିଖରେ ଦେଶବ୍ୟାପୀ ପ୍ରତିବାଦ ଅବସରରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।