ବିଜେପି-ବିଜେଡି ବନ୍ଦୀଘରୁ ମୁକ୍ତ ହେଲେ ମଧୁବାବୁ!

ବିଜେପି-ବିଜେଡି ବନ୍ଦୀଘରୁ ମୁକ୍ତ ହେଲେ ମଧୁବାବୁ!

Share :

ପାରାଦୀପ ତୈଳ ବିଶୋଧନାଗାର ପ୍ରତିଷ୍ଠାର ଶ୍ରେୟ ନେବା ସଙ୍ଗେସଙ୍ଗେ ଆତ୍ମ ପ୍ରଚାରର ସୁଯୋଗ ନଷ୍ଟ ନକରିବାକୁ ଶାସକ ବିଜୁ ଜନତା ଦଳ ଓ ଏହାର ଗୋପନ ସାଥୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ହୋଇଥିବା ନିକୃଷ୍ଟ ରାଜନୀତିକ ଉଦ୍ୟମରେ ଓଡ଼ିଆ ଜାତିର ଜନକ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ବନ୍ଦୀ ହେବାକୁ ପଡ଼ିଥିଲା । ଏକଥା ଲକ୍ଷ୍ୟ କରିବା ପରେ ହାତଗଣନ୍ତା କେତେ ଜଣ ସ୍ବାଭିମାନୀ ଓଡ଼ିଆ ତାହାର ପ୍ରତିବାଦ କରିବା ସଙ୍ଗେସଙ୍ଗେ ବିଜେଡି-ବିଜେପିର ପୋଷ୍ଟର ଘରୁ ମଧୁବାବୁଙ୍କୁ ମୁକ୍ତ କରିଛନ୍ତି । ଏହି ଘଟଣା ଛତରଖିଆ ଓଡ଼ିଆଙ୍କ ପାଇଁ ଏକ ପ୍ରେରଣା ଓ ଆଦର୍ଶ ହୋଇଥିଲେ ମଧ୍ୟ ଭବିଷ୍ୟତରେ କିଏ ଏଭଳି ପ୍ରତିବାଦର ପୁନରାବୃତ୍ତି କରିବ ସେନଇ ଯଥେଷ୍ଟ ସନ୍ଦେହ ରହିଛି । ଜନ ସାଧାରଣଙ୍କ ଜମି, ଜଳ ଓ ଆଥିର୍କ ସମ୍ବଳରେ ପାରାଦୀପରେ ପ୍ରତିଷ୍ଠା ହୋଇଛି ଭାରତୀୟ ତୈଳ ନିଗମର ବିଶୋଧନାଗାର । ଏହି ବିଶୋଧନାଗାରକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୭ ତାରିଖରେ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରୁଛନ୍ତି । କିନ୍ତୁ ଏହି ଲୋକାର୍ପଣ ଉତ୍ସବରୁ ଆତ୍ମପ୍ରଚାର ଓ ରାଜନୀତିକ ଫାଇଦା ପାଇବାକୁ ରାଜ୍ୟର ପ୍ରାୟ ସବୁ ପ୍ରମୁଖ ଦଳ ନିକୃଷ୍ଟ ରାଜନୀତି ଚଳାଇଛନ୍ତି । ଗଲା ସପ୍ତାହେ ହେବ ଉଭୟ ଭାରତୀୟ ଜନତା ପାର୍ଟି ଓ ଏହାର ଗୋପନ ସାଥୀ ଓଡ଼ିଶାର ଶାସକ ବିଜୁ ଜନତା ଦଳ ମଧ୍ୟରେ ଏଥିନେଇ ପୋଷ୍ଟର ପ୍ରତିଯୋଗିତା ଚାଲିଛି । ପାରାଦୀପରେ ଆଇଓସିଏଲ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଉଭୟ ଦଳର ପୋଷ୍ଟର ଓ ବ୍ୟାନରରେ ରାଜଧାନୀ ଭୁବନେଶ୍ବରର ଗଳିକନ୍ଦି ଭର୍ତ୍ତି ହୋଇଯାଇଛି । ଓଡ଼ିଶାରେ ଆଗରୁ ବି ଅନେକ କେନ୍ଦ୍ରୀ ପ୍ରକଳ୍ପ ଉଦଘାଟିତ ହୋଇଛି । ପାରାଦୀପ ବନ୍ଦର, ଗୋପାଳପୁର ବନ୍ଦର, ରାଉରକେଲା ଇସ୍ପାତ କାରଖାନା, ହୀରାକୁଦ ନଦୀବନ୍ଧ, ଜାତୀୟ ତାପଜ ବିଦ୍ୟୁତ କେନ୍ଦ୍ର ପରି ଅନେକ ଜାତୀୟ ପ୍ରକଳ୍ପ ଉଦଘାଟିତ ହୋଇଥିଲେ ମଧ୍ୟ ପାରାଦୀପ ତୈଳ ବିଶୋଧନାଗାରର ଉଦଘଟାନ ରାଜନୀତି ଯେମତି କାଦୁଅ ଖେଳରେ ପରିଣତ ହୋଇଛି ତାହା ପୂର୍ବରୁ କେବେ ବି ଦେଖାଯାଇ ନଥିଲା । ଏହି ପ୍ରକଳ୍ପର ଶ୍ରେୟ ସଙ୍ଗେସଙ୍ଗେ ରାଜନୀତିକ ଫାଇଦା ଉଠାଇବାକୁ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଓ ରାଜ୍ୟରେ କ୍ଷମତାରେ ଥିବା ବିଜୁ ଜନତା ଦଳ ମଧ୍ୟରେ ଯେଉଁ ନିକୃଷ୍ଣ ମାନ ଓ ରୁଚିର ପ୍ରଚାର ପ୍ରତିଯୋଗିତା ଚାଲିଛି ସେଥିରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଛି । ଏ ଟଙ୍କା କୋଉ ନରେନ୍ଦ୍ର କି ନବୀନ ନିଜ ପକେଟରୁ ଖର୍ଚ୍ଚ କରି ନାହାନ୍ତି । ଏହା ସରକାରୀ ଏବଂ ସରକାରଙ୍କଠାରୁ ବିଭିନ୍ନ ବାଟରେ ହଡ଼ପ ହୋଇଥିବା ଅର୍ଥର ଅପଚୟ । ତେବେ ସବୁଠୁ ଗୁରୁତର ଅପରାଧ ହେଲା ଏହି ପ୍ରତିଯୋଗିତା ଭିତରେ ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପ୍ରତି ଭୟଙ୍କର ଅସମ୍ମାନ । ବିଜେପି ଓ ବିଜେଡି ଦଳ ଦୁଇଟି ନିଜର ପ୍ରଚାର କରିବାକୁ ଯାଇଁ ମଧୁବାବୁଙ୍କ ପ୍ରତିମୂର୍ତ୍ତିକୁ ପୋଷ୍ଟର ଓ ବ୍ୟାନର ଘେରରେ ବନ୍ଦୀ କରି ପକାଇଥିଲେ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ କର୍ଣ୍ଣଧାର ତଥା ଏକ ସ୍ବାଭିମାନୀ ଓ ସମୃଦ୍ଧ ଓଡ଼ିଆ ଜାତିର ପ୍ରଥମ ସ୍ବପ୍ନ ଦେଖିଥିବା ମଧୁବାବୁଙ୍କୁ ଓଡ଼ିଆଙ୍କୁ ହୀନମନ୍ୟ କରିଦେଇଥିବା ଏଇ ଦୁଇଟି ଦଳର ପ୍ରଚଳିତ ନେତୃତ୍ବ ପକ୍ଷରୁ ହୋଇଥିବା ଏହି ଅସମ୍ମାନକୁ କିନ୍ତୁ କେତେ ଜଣ ସ୍ବାଭିମାନୀ ଓଡ଼ିଆ ସହ୍ୟ ନକରି ତାହାର ପ୍ରତିବାଦ କରିଛନ୍ତି । ସେମାନେ କେଇ ଜଣ ମିଶି ରାଜଭବନ ଛକକୁ ଯାଇଁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଚାରିପଟୁ ବିଜେପି ଓ ବିଜେଡି ପୋଷ୍ଟର ହଟେଇ ଦେଇଛନ୍ତି । ଏହାକୁ ପୁଲିସ ପ୍ରଥମେ ରୋକିବାକୁ ଚେଷ୍ଟା କରିଥିଲା । କିନ୍ତୁ ସ୍ବାଭିମାନୀ ଓଡ଼ିଆଙ୍କ ଯୁକ୍ତିରେ ଶେଷରେ ପୁଲିସ ବି ପରାସ୍ତ ହୋଇ ପୋଷ୍ଟର ହଟାଇବା କାର୍ଯ୍ୟରେ ସହଯୋଗ କରିଥିଲା । ଏହି ପ୍ରତିବାଦରେ ଯେଉଁ କତିପୟ ସ୍ବାଭିମାନୀ ଓଡ଼ିଆ ଅଂଶ ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସ୍ତମ୍ଭକାର ତୁଷାରକାନ୍ତ ଓ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ।

Share :