ବିଲୁପ୍ତ ହେବ ବିଜେଡି!

ବିଲୁପ୍ତ ହେବ ବିଜେଡି!

Share :

ସ୍ବତନ୍ତ୍ର ପ୍ରତିନିଧି ଜନ୍ମରୁ ଶକ୍ତିଶାଳୀ ବିଜୁ ଜନତା ଦଳ। ଓଡ଼ିଶାର ସବୁଠୁ ଡେଙ୍ଗା ଓ ଚଉଡ଼ା ନେତା ବିଜୁ ପଟ୍ଟନାୟକଙ୍କ ଆଦର୍ଶ ନହେଲେ ବି ଲିଗାସି ଥିଲା ଏହାର ଭିତ୍ତି। ବିଜୁଙ୍କ ଜନତା ଦଳର ପ୍ରାୟ ସମସ୍ତ ବଡ଼ ବଡ଼ ନେତା ପର୍ଯ୍ୟାୟକ୍ରମେ ଜନତା ଦଳ ଛାଡ଼ି ବିଜୁ ଜନତା ଦଳର ଶକ୍ତିବୃଦ୍ଧି କଲେ। ମୂଳରୁ ଦଳକୁ ଆର୍ଥିକ ଓ ରାଜନୀତିକ ସାଧନ ଯୋଗାଇଲା ଭାରତୀୟ ଜନତା ପାର୍ଟି। ବାଜପେୟୀ ଓ ଆଡ଼ଭାନୀ ଥିଲେ ନବୀନ ପଟ୍ଟନାୟକଙ୍କର ପ୍ରଥମ ମାର୍ଗଦର୍ଶକ। ବାଜପେୟୀଙ୍କ କ୍ୟାବିନେଟର ସଦସ୍ୟ ଭାବେ ହିଁ ଶାସନ ଓ ରାଜନୀତିର ଖଡ଼ିପାଠ ପଢ଼ିଥିଲେ ନବୀନ। ଏହା ପରେ ବିତିଗଲାଣି ବାଇଶି ବର୍ଷ। ଏଇ ବାଇଶି ବର୍ଷ ଭିତରେ ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ବିଜେଡି ହୋଇଛି ଅଧିକରୁ ଅଧିକ ଶକ୍ତିଶାଳୀ। ଏହି ସମୟ ମଧ୍ୟରେ ନବୀନଙ୍କ ଲୋକପ୍ରିୟତା ବଢ଼ିଛି, ବିଜେଡିର ଭୋଟ ହାର ବଢ଼ିଛି, ଥରେ ଦି’ ଥର ଛାଡ଼ିଦେଲେ ଅନ୍ୟ ସବୁ ଥର ଦଳର ବିଧାନସଭା ଓ ଲୋକସଭା ଆସନସଂଖ୍ୟା ମଧ୍ୟ ବଢ଼ିଛି। ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ। ଏବେ ଦଳର ଅଛନ୍ତି ୧୧୨ ବିଧାୟକ, ୧୯ ସାଂସଦ। ଏଭଳି ସ୍ଥଳେ ଏ ଦଳ ରାଜ୍ୟ ଓ ଦେଶର ରାଜନୀତିକ ଦୃଶ୍ୟପଟ୍ଟରୁ ନିଶିହ୍ନ ହୋଇଯିବ ବୋଲି କିଏ କହିବ? କିନ୍ତୁ ଏଭଳି ଆକଳନ କରିଛନ୍ତି ସାମ୍ବାଦିକ ସବା ନକଭି। ଡେଲିଓ.ଇନ୍‌ ନିଉଜ ପୋର୍ଟାଲରେ ସେ ଏ ସଂପର୍କରେ ଏକ ବିଶ୍ଳେଷଣ ଉପସ୍ଥାପନ କରିଛନ୍ତି। ‘ଦ ଡାଇଂ ପଲିଟିକାଲ ପାର୍ଟିଜ ଅଫ୍‌ ଇଣ୍ଡିଆ- ଦିଜ୍‌ ସିକ୍ସ ପାର୍ଟିଜ୍‌ ଫେସ୍‌ ଟୋଟାଲ୍‌ ଏକ୍ସିଙ୍କସନ୍‌ ଅର୍‌ କ୍ୟାନ୍‌ ଦେ ରାଇଡ୍‌ ଆଉଟ୍‌ ଦ ସାଫ୍ରନ୍‌ ଟାଇଡ୍‌?’ ଶୀର୍ଷକରେ ସେ ଏହି ୱେବ ପୋର୍ଟାଲରେ ଏକ ରାଜନୀତିକ ବିଶ୍ଳେଷଣ ଉପସ୍ଥାପନ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ ତାମିଲନାଡ଼ୁର ଏଆଇଏଡିଏମକେ, କର୍ଣ୍ଣାଟକର ଧର୍ମନିରପେକ୍ଷ ଜନତା ଦଳ, ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି, ଉତ୍ତର ପ୍ରଦେଶର ସମାଜବାଦୀ ଜନତା ପାର୍ଟି, ବିହାରର ରାଷ୍ଟ୍ରୀୟ ଜନତା ଦଳ ଓ ଓଡ଼ିଶାର ବିଜୁ ଜନତା ଦଳ ବିଲୁପ୍ତ ହେବେ। ସବାଙ୍କ ମତରେ ଜୟାଲଳିତାଙ୍କ ମୃତ୍ୟୁ ପରେ ଶାସନ କ୍ଷମତାରେ ଥାଇ ବି ଦୁର୍ବଳ ହେବାରେ ଲାଗିଛି। ଏବେ ଏ ଦଳର ନେତୃତ୍ବ ନେବା ପାଇଁ ସେପରି କୌଣସି ଲୋକପ୍ରିୟ ନେତା ନାହାନ୍ତି। ଦଳର ଦୁଇ ନେତା ମୁଖ୍ୟମନ୍ତ୍ରୀ ପାଲାନିସ୍ବାମୀ ଓ ଉପମୁଖ୍ୟମନ୍ତ୍ରୀ ପନିରସେଲଭାମଙ୍କର ରାଜ୍ୟବ୍ୟାପୀ ଲୋକପ୍ରିୟତା ନାହିଁ। ଏ ଦୁଇ ଜଣ ଯାକ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶୀର୍ବାଦରେ ତିଷ୍ଠି ରହିଛନ୍ତି। ନହେଲେ ଦଳରେ ଯେତେ ଫାଟ କୌଶଳୀ ବିଜେପି କେବେଠାରୁ ଏଆଇଏଡିଏମକେରେ ବିଭାଜନ ଘଟାଇ ରାଜ୍ୟ କ୍ଷମତା ଦଖଲ କରିସାରନ୍ତାଣି। ଆସନ୍ତା ବିଧାନସଭା ନିର୍ବାଚନରେ ପରାସ୍ତ ହେଲେ ଦଳ ଭାଙ୍ଗିବା ନିଶ୍ଚିତ। ସେତେବେଳେ ଦଳର କିଛି ନେତା ବିଜେପିରେ ମିଶିଯିବାର ସମ୍ଭାବନା ଅଛି। କର୍ଣ୍ଣାଟକ ରାଜନୀତିରେ ଏବେ ଯେପରି ଘଡ଼ିକେ ଘୋଡ଼ା ଛୁଟୁଛି ସେଥିରେ ଧର୍ମନିରପେକ୍ଷ ଜନତା ଦଳର ନେତା କୁମାରସ୍ବାମୀଙ୍କ ମୁଖ୍ୟମନ୍ତ୍ରୀ ପଦ ସୂତାଖିଅରେ ଝୁଲୁଛି ବୋଲି କୁହାଯାଇପାରେ। କେଉଁ ମୁହୂର୍ତ୍ତରେ ବିଜେପି ବିକଳ୍ପ ସରକାର ଗଢ଼ିପାରେ। ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା ଏବେ ପରିଣତ ବୟସରେ ଉପନୀତ। ଦଳକୁ ସେ ଆଉ ପୂର୍ବ ପରି ନେତୃତ୍ବ ଦେଇପାରିବେ ନାହିଁ। ଦେବଗୌଡ଼ାଙ୍କ ପରିବାରବାଦ ଦଳ ଉପରେ ବୋଝ ବୋଧ ହେଲାଣି। ବିଜେପି ଯଦି ସରକାର ଗଢ଼ିବାକୁ ସମର୍ଥ ହୁଏ ତେବେ ଏ ଦଳର ବହୁ ନେତା କ୍ଷମତାସୀନ ଦଳକୁ ଡିଆଁ ମାରିବା ବିଚିତ୍ର ନୁହେଁ। ସେଭଳି ହେଲେ ଏ ଦଳଟି ମଧ୍ୟ ଅଚିରେ ନିଶ୍ଚିହ୍ନ ହେଇଯିବ। ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି ସଂପର୍କରେ ସବା ଲେଖିଛନ୍ତି ଯେ ଦଳର ନେତା ଏନ. ଚନ୍ଦ୍ରବାବୁ ନାଇଡ଼ୁ ଶେଷରେ ବିଜେପିର ଶରଣାପନ୍ନ ହୋଇ ନିଜର ରାଜନୀତିକ ଅସ୍ତିତ୍ବ ବଜାୟ ରଖିପାରନ୍ତି। ନାଇଡ଼ୁ ଜଣେ ଚରମ ମୋଦି ବିରୋଧୀ ନେତା ଭାବେ ଜଣାଶୁଣା। ମୋଦିଙ୍କୁ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ନକରାଇ ଦେବା ପାଇଁ ସେ ଏକ ବିକଳ୍ପ ମେଣ୍ଟ ଗଠନ କରିବାକୁ କମ୍‌ ଧାଁଦଉଡ଼ କରିନାହାନ୍ତି! ତେବେ ତାଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା ଓ ରାଜ୍ୟ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଶୋଚନୀୟ ଭାବେ ପରାସ୍ତ ହେଲା। ଏବେ ତାଙ୍କ ଦଳ ଅସ୍ତାଚଳରେ ଝୁଲୁଛି। ଦଳର ୪ ରାଜ୍ୟସଭା ସଦସ୍ୟ ବିଜେପିରେ ମିଶି ସାରିଲେଣି। ଆଗକୁ ଆହୁରି ଟିଡିପି ନେତା ସେଆଡ଼କୁ ଡିଆଁ ମାରିପାରନ୍ତି। ଶେଷରେ ନିଜେ ନାଇଡ଼ୁ ବିଜେପିକୁ ଡେଇଁ ରାଜ୍ୟରେ ବିକଳ୍ପ ନେତୃତ୍ବ ହୋଇପାରିବେ। କାରଣ ଏବେ ଆନ୍ଧ୍ରରେ ବିଜେପି ସେତେ ଶକ୍ତିଶାଳୀ ହୋଇନାହିଁ। ନାଇଡ଼ୁ ସେହି ସ୍ଥାନ ପୂରଣ କରିପାରିବେ। ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ଓ ବିହାରର ରାଷ୍ଟ୍ରୀୟ ଜନତା ଦଳ ମଧ୍ୟ ବିଲୋପ ଅଭିମୁଖୀ ବୋଲି ସବା ଲେଖିଛନ୍ତି। ଉଭୟ ଦଳ ଗତ ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ଫଳଲାଭ କରିଛନ୍ତି। ଉଭୟ ଦଳରେ ପାରିବାରିକ ବିବାଦ ଲାଗିରହିଛି। ଉଭୟ ଦଳ ମେଣ୍ଟ କରିଛନ୍ତି ଓ ଭାଙ୍ଗିଛନ୍ତି। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ପରିଣତ ବୟସରେ। ତାଙ୍କ ପୁଅ ଅଖିଳେଶ ଏବେ ଦଳର ନେତା। ତାଙ୍କ ସହିତ ତାଙ୍କ ଦାଦା ଓ ଭାଇବହୂଙ୍କର ପଡ଼ୁ ନାହିଁ। ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ମଧ୍ୟ ବୁଢ଼ା ହେଲେଣି। ଏବେ ସେ ଜେଲ୍‌ରେ। ଦଳର ନେତୃତ୍ବ ସମ୍ଭାଳିଛନ୍ତି ତାଙ୍କ ସାନ ପୁଅ ତେଜସ୍ବୀ ପ୍ରତାପ। ଓଡ଼ିଶାର ବିଜୁ ଜନତା ଦଳକୁ ଏହି ତାଲିକାରେ ରଖିଥିବାରୁ ଅନେକେ ଆଶ୍ଚର୍ଯ୍ୟ ହୋଇପାରନ୍ତି ବୋଲି ସବା ଲେଖିଛନ୍ତି। ତେବେ ଦଳର ନେତା ନବୀନବାବୁଙ୍କର ବୟସ ୭୦ ଟପିଲାଣି। ସ୍ବାସ୍ଥ୍ୟ ଭଲ ରହୁନାହିଁ। ତାଙ୍କର ଉତ୍ତରାଧିକାରୀ କେହି ନାହାନ୍ତି। ତାଙ୍କ ପରିବାରର କେହି ତାଙ୍କର ରାଜନୀତିକ ଉତ୍ତରାଧିକାରୀ ହେବେନି ବୋଲି ସେ ପୂର୍ବରୁ କହିସାରିଛନ୍ତି। ଏଭଳି ସ୍ଥିତିରେ ଓଡ଼ିଶାରେ ବିଜେପି କାୟା ମେଲାଇ ଚାଲିଛି। ତାଙ୍କ ପରେ ଦଳର ଅବସ୍ଥା ଏଆଇଏଡିଏମକେ ପରି ହୋଇପାରେ। ଏହି ଦଳଟି ପୁଣି ଥରେ ବିଜେପି ଦୟାରେ ବଂଚିପାରେ ନତୁବା ବିଜେପିରେ ବିଲୀନ ହୋଇଯାଇପାରେ। ସବା ନକଭିଙ୍କର ଏହି ମର୍ମରେ ଏକ ଆଲେଖ୍ୟ ଡେଲିଓ.ଇନ୍‌ରେ ୨୦୧୯ ଜୁନ୍‌ ୨୬ ତାରିଖରେ ପ୍ରକାଶ ପାଇଛି। ତାଙ୍କ ଅନୁଶୀଳନ ସତ ହେବ କି ମିଛ ତାହା ଭବିଷ୍ୟତ କହିବ। ମାତ୍ର, ଏବେ ବିଜେଡି ଅବସ୍ଥା ଏଅଇଏଡିଏମକେଠାରୁ ଭିନ୍ନ ନୁହେଁ। ନିଜେ ନବୀନ ପଟ୍ଟନାୟକ ଏବେ ତାଙ୍କ ଗୋଠକୁ ବିଜେପି ଆଡ଼କୁ ଅଡ଼େଇ ନେଇଚାଲିଛନ୍ତି। ନିର୍ବାଚନ ପୂର୍ବର ବିଜେଡି-ବିଜେପି ଘମାଘୋଟ ଯୁଦ୍ଧ ନିର୍ବାଚନ ପରେ ରାଜନୀତି ସନ୍ଧିରେ ରୂପାନ୍ତରିତ ହୋଇଛି। ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ନବୀନଙ୍କ ସମର୍ଥନ, ମୋଦିଙ୍କ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ, ୨୦୧୯-୨୦ ବଜେଟକୁ ନବୀନଙ୍କ ପ୍ରଶଂସା, ବିଜେପିର ବାଚସ୍ପତି ପ୍ରାର୍ଥୀ ଓମ୍‌ ବିର୍ଲାଙ୍କୁ ଦଳର ସମର୍ଥନ, ବିଜେପିର ପୂର୍ବସୂରୀ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ପାଇଁ ବିଜେଡି ଏମପି ଭର୍ତ୍ତୃହରି ମହତାବଙ୍କ ଦାବି ଆଦି ଅନେକ ଘଟଣାରୁ ବିଜେଡି ଯେ ବିଜେପି ସହିତ ମିଶି ସାରିଛି ତାହା ବାସୁଛି। କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି ବୋଲି କେହି କେହି କହୁଛନ୍ତି। ତେବେ ଖଣି ଦୁର୍ନୀତି ଓ ଚିଟ୍‌ ଫଣ୍ଡ ଦୁର୍ନୀତିରେ ବିଜେଡିର ବହୁ ନେତା ସଂପୃକ୍ତ ଥିବାରୁ ଏବଂ ନିରପେକ୍ଷ ସିବିଆଇ ତଦନ୍ତ ହେଲେ ସେମାନେ ଜେଲ୍‌ ଯିବାର ଆଶଙ୍କା ଥିବାରୁ ଦଳ ଏବେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି ଖସିଯିବା ବାଟ ତିଆରି କରୁଛି, ସ୍ଥିତି ବଦଳିଲେ ଦଳର ଆଭିମୁଖ୍ୟ ମଧ୍ୟ ବଦଳିବ ବୋଲି ଦଳର ଜଣେ ପ୍ରଭାବଶାଳୀ ବିଧାୟକ କହିଛନ୍ତି।

Share :