ବାତ୍ୟା ଓ ବିପର୍ଯ୍ୟସ୍ତ ମାନବିକତା

ବାତ୍ୟା ଓ ବିପର୍ଯ୍ୟସ୍ତ ମାନବିକତା

ସୁବାସ କୁମାର ତାରଣିଆଁ ସମାଜରେ ବଞ୍ଚି ରହିବାକୁ ହେଲେ କିଛି ସୁଖ, ଦୁଃଖ, ସ୍ମୃତି, ଅନୁଭତି, ଦୈବୀ ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେଥିମଧ୍ୟରୁ କିଛି ମଣିଷକୃତ ଓ କିଛି ପ୍ରାକୃତିକ। ପ୍ରକୃତିର ତାଣ୍ଡବ ଆଗରେ ହାର ମାନିଥାଏ ମଣିଷ, ହରାଇଥାଏ ନିଜର ସବୁକିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ବାତ୍ୟା, ବନ୍ୟା, ଭୂମିକମ୍ପ ଇତ୍ୟାଦି। ଓଡ଼ିଶାରେ ବନ୍ୟା ଓ ଭୂମିକମ୍ପ ଖୁବ୍ କମ୍ ଅନୁଭୂତ ହୋଇଥାଏ, ତେବେ ସବୁଠୁ ବେଶୀ ଅନୂଭୂତ ହୋଇଥାଏ ବାତ୍ୟା। ବହୁ ପୂର୍ବରୁ ବାତ୍ୟା ଏତେ ଭୟଙ୍କର ରୂପ ଧାରଣ କରୁନଥିଲା, ସାମାନ୍ୟ ପବନରେ କିଛି ଗଛର ଡାଳ ଭାଙ୍ଗୁଥିଲା, ଛୋଟ ଛୋଟ ଗଛ ଯଥା କଦଳୀ, ସଜନା, ଅମୃତଭଣ୍ଡା ଭଳି ଗଛ ଭାଙ୍ଗୁଥିଲା ଓ ଘରର ଚାଳ ଉଡ଼ାଇ ନେଉଥିଲା ଓ ଲୋକମାନେ ଏହାକୁ ଏତେ ଗୁରୁତ୍ୱ ଦେଉନଥିଲେ। କିନ୍ତୁ ୧୯୯୯ ମସିହା ଓଡ଼ିଶା ବାତ୍ୟା ଥିଲା ସମ୍ପୂର୍ଣ୍ଣ ଭିନ୍ନ ଯାହାକୁ ସୁପର ସାଇକ୍ଲୋନ ବା ମହାବାତ୍ୟାର ଆଖ୍ୟା ଦିଆଯାଇଥିଲା। ୧୯୯୯ ଅକ୍ଟୋବର ୨୯ ତାରିଖ ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସତର୍କ ସୂଚନା ପ୍ରଦାନ କରିଥିଲେ ମଧ୍ୟ ଲୋକମାନେ ଏହାକୁ ଗୁରୁତ୍ୱ ନଦେଇ ହାଲକା ଭାବେ ଗ୍ରହଣ କରିଥିଲେ। କିନ୍ତୁ ୨୯ ତାରିଖ ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ଏହି ବାତ୍ୟା ଏତେ ଭୟଙ୍କର ଥିଲା ଯେ, ଓଡ଼ିଶାର ଚିତ୍ର ବଦଳେଇ ଦେଇଥିଲା। ଏହି ବାତ୍ୟା ପ୍ରଭାବରେ ଓଡ଼ିଶାର ବହୁ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ। ୩୦୦ କି.ମି. ପବନ ସାଙ୍ଗକୁ ମାଡ଼ି ଆସିଥିଲା ଭୟଙ୍କର ଜୁଆର। ଯାହାଫଳରେ ଏହି ଜିଲ୍ଲାଟି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା। ବିଶେଷକରି ଏରସମା, ତିର୍ତ୍ତୋଲ, ବାଲିକୁଦା, ନାଉଁଗା ଓ ଜଗତସିଂହପୁର ଅଞ୍ଚଳର ଲୋକମାନେ ହରାଇ ବସିଥିଲେ ନିଜର ସବୁକିଛି। ୯୯ ଭାଗ ଚାଳଘର ମାଟିରେ ମିଶି ଯାଇଥିବା ବେଳେ ବହୁସଂଖ୍ୟାରେ ଛାତଘର ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ଆଖି ଆଗରେ ଶହ ଶହ ଲୋକ ଜୁଆରରେ ଭାସି ଯାଇ ପ୍ରାଣ ହରାଇଥିଲେ ଆଉ କିଛି କାନ୍ଥତଳେ, ଛାତ ତଳେ ଚାପି ହୋଇ ପ୍ରାଣ ହରାଇଥିଲେ। କିଏ ମାଆକୁ ହରାଇଥିଲା ତ କିଏ ପୁଅକୁ ହରାଇଥିଲା, କିଏ ସ୍ତ୍ରୀକୁ ହରାଇଥିଲା ତ କିଏ ସ୍ୱାମୀକୁ ହରାଇଥିଲା, କେହି କେହି ଉଭୟ ବାପା ମାଆଙ୍କୁ ହରାଇ ଅନାଥ ହୋଇଥିଲା। ଆଉ ଗୋଟିଏ ଗୋଟିଏ ପରିବାରର ସମସ୍ତ ସଦସ୍ୟ ପ୍ରାଣ ହରାଇଥିଲେ। ଲୋକଙ୍କ ଆଖି ଆଗରେ ଏଭଳି ଘଟଣା ଘଟି ଯାଇଥିଲା ଯାହା ଥିଲା ଅତି ହୃଦୟ ବିଦାରକ ଦୃଶ୍ୟ। ଉଜୁଡ଼ି ହଯାଇଥିଲା କୃଷକର କଷ୍ଟାର୍ଜିିତ କୃଷିଜାତ ଦ୍ରବ୍ୟ ସାଙ୍ଗକୁ ନିଜର ମୁଣ୍ଡଝାଳ ତୁଣ୍ଡରେ ମାରି ନିଜ କ୍ଷେତରେ କରିଥିବା ଫସଲ ସବୁ। କେତେ ପଶୁପକ୍ଷୀ ଏ ସମାଜରୁ ବିଦାୟ ନେଇଥିଲେ। ଚାରିଆଡେ଼ କୁଢ କୁଢ ମଣିଷ ଓ ପଶୁପକ୍ଷୀଙ୍କ ଶବ ପରିବେଶ ପୂତିଗନ୍ଧମୟ ହୋଇଉଠିଥିଲା। ସେହି ୧୯୯୯ ଭୟଙ୍କର ବାତ୍ୟା ପରଠାରୁ କିଛି ପଶୁ ଓ ପକ୍ଷୀଙ୍କର ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯାଇଛି। ଭୟଙ୍କର ବାତ୍ୟା ସମୟରେ ଶତୃ, ମିତ୍ର, ଛନ୍ଦ, କପଟ, ହିଂସା, ଗର୍ବ, ଅହଙ୍କାର ସବୁକିଛି ଭୁଲିଯାଇ ଲୋକମାନେ ବଞ୍ଚିବାକୁ ପରସ୍ପରକୁ ସାହାଯ୍ୟ ସହଯୋଗ କରିଥିଲେ। ୫/୭ ଦିନ ପର୍ଯ୍ୟନ୍ତ ଲୋକମାନେ ଭୋକ ଉପାସରେ ଆଉଟୁ ପାଉଟୁ ହୋଇ ଖୋଲା ଅକାଶ ତଳେ ଚାତକ ପରି ଚାହିଁ ରହିଥିଲେ ମୁଠାଏ ଖାଦ୍ୟ ପାଇଁ ଓ ଟିକିଏ ମୁଣ୍ଡ ଗୁଞ୍ଜିବା ପାଇଁ। ବାତ୍ୟା ପରେ ପରେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ ସହିତ ପିନ୍ଧିବା ପାଇଁ ବସ୍ତ୍ର ଯୋଗାଇ ଦିଆଯାଇଥିବା ବେଳେ ଭାରତର ବିଭିନ୍ନ ରାଜ୍ୟରୁ ବହୁମାତ୍ରାରେ ରିଲିଫ୍ ସାମଗ୍ରୀ ଓ ପିନ୍ଧିବା ପାଇଁ ବସ୍ତ୍ର, ଅନ୍ୟାନ୍ୟ ସାମଗ୍ରୀ ଯଥା ଚୁଡ଼ା, ଗୁଡ଼, ବିସ୍କୁଟ, ଦିଆସିଲ, ମହମବତୀ ଅନେକ କିଛି ସାମଗ୍ରୀ ବାତ୍ୟା ପ୍ରପୀଡ଼ିଙ୍କ ପାଇଁ ଆସିଥିଲା ଓଡ଼ିଶାକୁ। ଏହିସବୁ କାର୍ଯ୍ୟକୁ ସୁସ୍ଖରୁ ରୂପେ ସମ୍ପାଦନ କରିଥିଲେ ବିଭିନ୍ନ ଅନୁଷ୍ଠାନ ଓ େସ୍ୱଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ। ଏହି େସ୍ୱଚ୍ଛାସେବୀ ଓ ସାମାଜିକ କର୍ମୀମାନେ ବାତ୍ୟା ଅଞ୍ଚଳକୁ ଯାଇ ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ କାଟି ରାସ୍ତାଘାଟ ସଫା କରିବା, ପରିବେଶ ପ୍ରଦୂଷଣରୁ ଦୂରେଇ ରଖିବା ପାଇଁ ପ୍ରୟାସ ଜାରି ରଖିଥିଲେ ଓ ଲୋକମାନଙ୍କ ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚିବାରେ ପୂର୍ଣ୍ଣ ସହଯୋଗ କରିଥିଲେ। କିନ୍ତୁ ଏହି ଭୟଙ୍କର ପରିସ୍ଥିତି ସମୟରେ କିଛି ଖଳ ପ୍ରକୃତିର ଲୋକ ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିବା ବଦଳରେ ସେମାନଙ୍କୁ ଲୁଟିବାରେ ଲାଗିଥିଲେ। ଲୋକମାନଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଥିଲେ। ବୋଝ ଉପରେ ନଳିତା ବିଡ଼ା ସଦୃଶ ପରି ଗୋଟିଏ ପଟେ ବାତ୍ୟାରେ ସବୁକିଛି ହରାଇ ସର୍ବସ୍ୱାନ୍ତ ହୋଇଥିବା ବେଳେ ଏହି ଲୁଟେରାମାନଙ୍କ ଦ୍ୱାରା ଲୁଟ୍‌ର ଶିକାର ହୋଇ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଥିଲା। ଅଧିକଂାଶ ଲୋକ ନିଜର କର୍ମ ସଂସ୍ଥାନ ହରାଇଥିଲେ, ଉପୁଡ଼ି ପଡ଼ିଥିଲା ବରାଟକାୟ ଗଛମାନ, ଶ୍ରୀହୀନ ହୋଇ ଯାଇଥିଲା ସବୁ ଅଞ୍ଚଳ। ୧୯୯୯ ମସିହା ମହାବାତ୍ୟାର ଦୁଃଖଦ ସ୍ମୃତି ଲୋକମାନଙ୍କ ମନରୁ ସମ୍ପୂର୍ଣ୍ଣ ଲିଭିନଥିବା ଓଡ଼ିଶା ଉପକୂଳରେ ଆଇଲା, ହୁଡ଼ହୁଡ଼, ଫାଇଲିନ୍‌ ଓ ତିତିଲି ପରେ ଫନି ବାତ୍ୟା ଲୋକମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ୨୦୧୯ ମଇ ୩ ତାରିଖରେ ଘଟିଯାଇଥିବା ପ୍ରଳୟକାରୀ ବାତ୍ୟା ଫନି ପ୍ରଭାବରେ ଓଡ଼ିଶାର ୧୪ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଥିଲା ବେଳେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲ୍ଳା ସମେତ ରାଜଧାନୀ ଭୁବନେଶ୍ୱର। ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା ବେଳେ ରାଜଧାନୀ ଭୁବନେଶ୍ୱରରେ ଅନେକ ଘର ଭାଙ୍ଗିଥିଲା ଏବଂ ୮୦ ପ୍ରତିଶତ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା। ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ଉପୁଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ବାତ୍ୟା ସମୟରେ ଲୋକମାନେ ଟୋପେ ପାଣି ଓ ଖାଦ୍ୟ ପାଇଁ ରାଜଧାନୀବାସୀ ଡ଼ହଳ ବିକଳ ହେଉଥିବା ବେଳେ ଏହାର ଫାଇଦା ନେଇଥିଲେ କିଛି ଅସାଧୁ କଳାବେପାରୀ ଓ ଖଳ ପ୍ରକୃତିର ଲୋକ। ଏହି ଦୁର୍ଦ୍ଦିନ ସମୟରେ ଅତ୍ୟାବଶ୍ୟକୀୟ ଜିନିଷର ଅଭାବ ଦେଖା ଦେଇଥିବା ବେଳେ କିଛି ଅସାଧୁ ବେପାରୀ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯଥା : ବିସ୍କୁଟ୍, ମିକ୍ସର, ପାଉଁରୁଟି, ପାଣି ବୋତଲ, ମହମବତୀ, ଦିଆସିଲି ସମେତ ରାସନ ସାମଗ୍ରକୁ ଚଢା ଦରରେ ବିକି କରି ଲୋକମାନଙ୍କୁ ଲୁଟି ଚାଲିଥିଲେ। ବାଧ୍ୟ ହୋଇ ଲୋକମାନେ ନିଜର ଭୋକ ମେଣ୍ଟାଇବା ପାଇଁ ୫ ଟଙ୍କାର ବିସ୍କୁଟ୍‌କୁ ୧୦ଟଙ୍କା, ୧୦ ଟଙ୍କାର ବିସ୍କୁଟ୍‌କୁ ୨୦ ଟଙ୍କା, ୧୦ ଟଙ୍କାର ପାଣିବୋତଲକୁ ୨୦/୩୦ ଟଙ୍କା ଏବଂ ୧୦ ଟଙ୍କାର ମହମବତୀକୁ ୪୦/୫୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଥିଲେ। ସେପଟେ ଗଛବୃଛ, ବିଦ୍ୟୁତ୍ ଖୁ୍ଣ୍ଟ ଓ କେବୁଲ ତାର ଛିଣ୍ଡି ରାସ୍ତା ଅବରୋଧ କରି ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି କରୁଥିବା ବେଳେ ରାସ୍ତାକଡ଼ର ଅନେକ ଦୋକାନ ଗୃହ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଗୋଟିଏ ପଟେ ପ୍ରଶାସନ ତରଫରୁ ତଥା କିଛି େସ୍ୱଚ୍ଛାସେବୀ ସଂଗଠନ ଓ ସାମାଜିକ କର୍ମୀମାନେ ଆଗେଇ ଆସି ଗଛ କାଟି ଲୋକମାନଙ୍କର ଯାତାୟାତ ପାଇଁ ସୁବିଧା କରିଥିଲେ। ଧନ୍ୟବାଦ ଦେବାକୁ ପଡ଼ିବ ସେହିମାନଙ୍କୁ ଯେଉଁ ସମାଜସେବୀ, େସ୍ୱଚ୍ଛାସେବୀ ସଂଗଠନ ଓ ବ୍ୟକ୍ତିବିଶେଷମାନେ ନିଜ ଜୀବନକୁ ବାଜି ଲଗାଇ ବାତ୍ୟା ଅଞ୍ଚଳ ଗସ୍ତ କରି ବାତ୍ୟା ପ୍ରପୀଡ଼ିତ ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ଅତ୍ୟାବଶ୍ୟକୀୟ ରିଲିଫ୍ ସାମଗ୍ରୀ ଯଥା : ଚୁଡ଼ା, ଚାଉଳ, ଡାଲି, ତେଲ, ମହମବତୀ, ବିସ୍କୁଟ୍, ତିଆସିଲ, ପିନ୍ଧିବା ପାଇଁ ବସ୍ତ୍ର ପ୍ରଦାନ କରୁଥିଲେ। ସେମାନେ ସମାଜ ପାଇଁ ଚିରନମସ୍ୟ। ଏହି େସ୍ୱଚ୍ଛାସେବୀ ଓ ସମାଜସେବୀମାନଙ୍କ ପାଇଁ ଆଜି ଆମ ସମାଜ ଗର୍ବିତ। ଏମାନେ ଲୋକମାନଙ୍କ ବିପଦ ଆପଦ ବେଳେ, ସବୁ ସମୟରେ, ସବୁ ସ୍ଥାନରେ ସାହା ହୋଇ ଆସିଛନ୍ତି। ଅନ୍ୟପଟେ କିଛି ଲୁଟେରା ଛିଣ୍ଡି ପଡ଼ିଥିବା କେବୁଲ୍ ତାର ଓ ବିଦ୍ୟୁତ୍ ତାରକୁ କାଟି ନେଇଥିଲେ ଆଉ କିଛି ଲୁଟେରା ଭାଙ୍ଗି ଯାଇଥିବା ଦୋକାନଗୃହରୁ ଟଙ୍କା ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ। ଅନ୍ୟପଟେ ବାତ୍ୟା ସମୟରେ ବିଜୁଳି ବିଭ୍ରାଟ ଯୋଗୁ ସାଧାରଣ ଲୋକମାନେ ଚାର୍ଜ ସରି ଯାଇଥିବା ନିଜର ମୋବାଇଲ୍ ଟିକେ ଚାର୍ଜ କରିବା ପାଇଁ ଡ଼ହଳ ବିକଳ ହେଉଥିବା ବେଳେ ଏହାର ଫାଇଦା ନେଇଥିଲେ କିଛି ଦଲାଲ। ଏହି ଦଲାଲମାନେ ଲୋକମାନଙ୍କ ମୋବାଇଲ୍ ଚାର୍ଜ କରିବା ପାଇଁ ଜୋର ଜବରଦସ୍ତ ୧୦୦ ଟଙ୍କା ଆଦାୟ କରୁଥିଲେ। ବାତ୍ୟା ପରବର୍ତ୍ତୀ ସମୟରେ ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ପାଇଁ ବହୁ କମ୍ପାନୀ, େସ୍ୱଚ୍ଛାସେବୀ ସଂଗଠନ, ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତିବିଶେଷମାନେ ନିଜର ସାମର୍ଥ୍ୟ ମୁତାବକ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ମୁକ୍ତ ହସ୍ତରେ ଆର୍ଥିକ ସାହାଯ୍ୟ ଦାନ କରିଥିବା ବେଳେ ଅନ୍ୟପଟେ କିଛି ଲାଞ୍ଚଖୋର ଅଫିସର, କିରାଣୀମାନେ ଏହି ଦୁର୍ଦ୍ଦିନ ସମୟରେ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ନିଜେ ହଡ଼ପ କରି ନେଇଥିଲେ। ସରକାରଙ୍କ ତରଫରୁ ଭାଙ୍ଗିଯାଇଥିବା ଘରଗୁଡ଼ିକ ମରାମତି ପାଇଁ ମିଳୁଥିବା ଅର୍ଥକୁ କିଛି ଅସାଧୁ ଅଫିସର ଓ ଦଲାଲମାନେ ମିଶି ଲୋକଙ୍କୁ ଘରଭଙ୍ଗା ସାହାଯ୍ୟ କରାଇ ଦେବାକୁ କହି ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଘରଭଙ୍ଗା ସାହାଯ୍ୟରୁ ବଞ୍ଚିତ ହୋଇଛନ୍ତି। ସେହିପରି ଉଜୁଡ଼ି ଯାଇଥିବା କୃଷିଜାତ ଦ୍ରବ୍ୟ ପାଇଁ କୃଷକଙ୍କୁ ମିଳୁଥିବା ଅର୍ଥକୁ ଏହି ଦଲାଲମାନେ ହଡ଼ପ କରି ପ୍ରକୃତ ଚାଷୀଙ୍କୁ ନ ଦେଇ ନିଜେ ହଡ଼ପ କରିଥାନ୍ତି। ଏହି ଦଲାଲମାନେ ସବୁବେଳେ ଚିନ୍ତା କରନ୍ତି, ଏହିଭଳି ବାତ୍ୟା ପ୍ରତିବର୍ଷ ହୁଅନ୍ତା କି, ଲୋକମାନଙ୍କର ସର୍ବନାଶ ହେଉ ପଛେ, ଆମର କିନ୍ତୁ ପୁଷମାସ। କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର ମୋ : .୯୭୭୬୫୧୦୭୯୪

Share :