୨୦୧୯-୨୦ ବର୍ଷରେ ଜିଡିପି ଅଭିବୃଦ୍ଧି ୭% ହେବ!

୨୦୧୯-୨୦ ବର୍ଷରେ ଜିଡିପି ଅଭିବୃଦ୍ଧି ୭% ହେବ!

ପିଆଇବି ନିବେଶ ଏବଂ ଉପଯୋଗ କ୍ଷେତ୍ରରେ ଆଶାନୁରୂପ ଅଭିବୃଦ୍ଧି କାରଣରୁ ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ଘରୋଇ ଉପିାଦ (ଜିଡିପି)ର ବାସ୍ତବ ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବ ବୋଲି ସରକାର ଆକଳନ କରିଛନ୍ତି। ଜୁଲାଇ ୪, ୨୦୧୯ ତାରିଖରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ଅର୍ଥନୈତିକ ସମୀକ୍ଷା ରିପୋର୍ଟ ସଂସଦରେ ଉପସ୍ଥାପନ କରିଥିଲେ। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ୨୦୧୯-୨୦ରେ ସରକାରଙ୍କୁ ଏକ ବିପୁଳ ଜନମତ ମିଳିଛି ଯାହା ଉଚ୍ଚ ଆର୍ଥିକ ଅଭିବୃଦ୍ଧିକୁ ଭଲ ଭାବେ ସୁହାଇବ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର ୱାର୍ଲଡ୍‌ ଇକୋନୋମିକ ଆଉଟଲୁକ ରିପୋର୍ଟରେ ଭାରତର ଅଭିବୃଦ୍ଧି ହାର ୨୦୧୯ରେ ୭.୩ ପ୍ରତିଶତରୁ ଅଧିକ ରହିବ ବୋଲି ଆକଳନ କରାଯାଇଥିଲା। ବିଶ୍ୱର ଉତ୍ପାଦନ ଅଭିବୃଦ୍ଧି ଏବଂ ଉଦୀୟମାନ ବଜାର ଓ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ଅଭିବୃଦ୍ଧି ହାର ଯଥାକ୍ରମେ ୦.୩ ଓ ୦.୧ ପ୍ରତିଶତ ହ୍ରାସ ପାଇବା ସତ୍ତ୍ବେ ଭାରତ ଜିଡିପି ଅଭିବୃଦ୍ଧି ହାସଲ କରିବ ବୋଲି ଏହି ରିପୋର୍ଟରେ କୁହାଯାଇଥିଲା। ୨୦୧୭-୧୮ରେ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ୬.୮ ପ୍ରତିଶତକୁ ଖସି ଆସିଥିଲା ଏହାସତ୍ତ୍ବେ ୨୦୧୮-୧୯ରେ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାର ମାନ୍ୟତା ହାସଲ କରିଚାଲିଥିଲା। ଅନ୍ୟପକ୍ଷରେ ବିଶ୍ୱର ଉତ୍ପାଦନ ଅଭିବୃଦ୍ଧି ୨୦୧୭ରେ ୩.୮ ପ୍ରତିଶତରୁ ହ୍ରାସ ପାଇ ୨୦୧୮ରେ ୩.୬ ପ୍ରତିଶତରେ ପହଁଚିଥିଲା। ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ, ଚୀନର କଡ଼ା ଋଣ ନୀତି ଏବଂ ବୃହତ ବିକଶିତ ଅର୍ଥବ୍ୟବସ୍ଥାଗୁଡ଼ିକର ସାଧାରଣ ମୁଦ୍ରା ନୀତି ସହିତ ଆର୍ଥିକ କଟକଣା କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥା ଓ ଉଦୀୟମାନ ବଜାର ଏବଂ ବିକାଶାୀଳ ଅର୍ଥବ୍ୟବସ୍ଥାଗୁଡ଼ିକର ଅଭିବୃଦ୍ଧି ହ୍ରାସ ପାଇଥିଲା। ୨୦୧୪-୧୫ ଆର୍ଥିକ ବର୍ଷର ପରବର୍ତ୍ତୀ ୫ ବର୍ଷ ଲାଗି ଭାରତର ହାରାହାରୀ ଜିଡିପି ଅଭିବୃଦ୍ଧି ହାର ୭.୫% ରହିଆସିଛି। ତେବେ ୨୦୧୮-୧୯ରେ ପୂର୍ବ ଆର୍ଥିକ ବର୍ଷଗୁଡ଼ିକ ତୁଳନାରେ ଭାରତୀୟ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ୬.୮% ରହିଥିଲା। ଏହାର କାରଣ ଥିଲା, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର, ବାଣିଜ୍ୟ, ହୋଟେଲ, ପରିବହନ, ଭଣ୍ଡାରଣ, ସଂଚାର, ଯୋଗାଯୋଗ ଏବଂ ସେବା, ସାଧାରଣ ପ୍ରଶାସନ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ହାର ନିମ୍ନଗାମୀ ହେବା। ବାହ୍ୟ କ୍ଷେତ୍ରକୁ ଦେଖିଲେ, ଚଳନ୍ତି ଖାତା ନିଅଂଟ ୨୦୧୭-୧୮ରେ ଜିଡିପିର ୧.୯%ରୁ ବୃଦ୍ଧି ପାଇଁ ଏପ୍ରିଲ-ଡିସେମ୍ୱର ୨୦୧୮ରେ ୨.୬%ରେ ପହଁଚିଥିଲା। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ଦେଖାଦେଇଥିବା ଉଚ୍ଚ ବାଣିଜ୍ୟ ନିଅଂଟ କାରଣରୁ ଚଳନ୍ତି ଖାତା ନିଅଂଟ ପରିମାଣ ବୃଦ୍ଧି ପାଇଥିଲା। ବାଣିଜ୍ୟ ନିଅଂଟ ପରିମାଣ ୨୦୧୭-୧୮ରେ ୧୬୨୧୦ କୋଟି ଡଲାରରୁ ବୃଦ୍ଧି ପାଇ ୨୦୧୮-୧୯ରେ ୧୮୪୦୦ କୋଟି ଆମେରିକୀୟ ଡଲାରରେ ପହଁଚିଥିଲା। ବ୍ୟବସାୟିକ ଆମଦାନୀ ୨୧.୧ ପ୍ରତିଶତରୁ କମି ୧୦.୪ ପ୍ରତିଶତରେ ପହଁଚିଥିଲା। ଆମେରିକୀୟ ଡଲାର ଆଧାରରେ ସେବା ରପ୍ତାନି ଏବଂ ଆମଦାନୀ ୨୦୧୮-୧୯ରେ ଯଥାକ୍ରମେ ୫.୫ ପ୍ରତିଶତ ଏବଂ ୬.୭ ପ୍ରତିଶତ ରହିଥିଲା। ୨୦୧୭-୧୮ରେ ଏହା ଯଥାକ୍ରମେ ୧୮.୮ ପ୍ରତିଶତ ଏବଂ ୨୨.୬ ପ୍ରତିଶତ ଥିଲା। ଭାରତୀୟ ମୁଦ୍ରାର ମୂଲ୍ୟ ଆମେରିକୀୟ ଡଲାର ତୁଳନାରେ ୭.୮%, ୟେନ ତୁଳନାରେ ୭.୭%, ୟୁରୋ ଏବଂ ପାଉଣ୍ଡ ଷ୍ଟର୍ଲିଂ ତୁଳନାରେ ୬.୮%କୁ ବୃଦ୍ଧି ପାଇଥିଲା। ୨୦୧୮-୧୯ରେ ଗୋଟିଏ ଆମେରିକୀୟ ଡଲାର ତୁଳନାରେ ଅକ୍ଟୋବର ୨୦୧୮ରେ ୭୪.୪ଟଙ୍କାରେ ଭାରତୀୟ ମୁଦ୍ରାର କାରବାର ହୋଇଥିବା ବେଳେ ମାର୍ଚ୍ଚ ୨୦୧୯ ଏହା ହ୍ରାସ ପାଇ ୬୯.୨ ଟଙ୍କାରେ ପହଁଚିଥିଲା। ବିଦେଶୀ ମୁଦ୍ରା ବିନିମୟ ଭଣ୍ଡାର ୨୦୧୮ ମାର୍ଚ୍ଚ ତୁଳନାରେ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ୧୧୬୦ କୋଟି ଆମେରିକୀୟ ଡଲାରକୁ ହ୍ରାସ ପାଇଥିଲା। ଏହାସତ୍ୱେ ୧୪ ଜୁନ ୨୦୧୯ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ସୁଦୃଢ଼ ସ୍ଥିତି ୪୨୨୨୦ କୋଟି ଆମେରିକୀୟ ଡଲାର ରହିଥିବା ଜଣାଯାଇଛି। ୨୦୧୮-୧୯ରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ) ପରିମାଣ ୧୪.୨% ବୃଦ୍ଧି ପାଇଥିଲା। ସେବା, ଅଟୋମୋବାଇଲ ଏବଂ କେମିକାଲ୍ସ କ୍ଷେତ୍ର ସର୍ବାଧିକ ଏଫଡିଆଇ ଆକୃଷ୍ଟ କରିଥିଲା। ସାମଗ୍ରିକ ଭାବେ ଦେଖିଲେ, ୨୦୧୫-୧୬ ପର ଠାରୁ ଏଫଡିଆଇ ପ୍ରବାହ ନିରନ୍ତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହା ଭାରତୀୟ ଅର୍ଥବ୍ୟବସ୍ଥା ପ୍ରତି ବିଦେଶୀ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବାକୁ ସୂଚାଉଛି। ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଦ୍ବୈତ ବାଲାନ୍ସ ସିଟ ସମସ୍ୟା ଦେଇ ଗତି କରୁଛି। ଯାହା ଉଭୟ କର୍ପୋରେଟ ଏବଂ ବ୍ୟାଙ୍କ ବାଲାନ୍ସ ସିଟକୁ ଇଙ୍ଗିତ କରୁଛି। ଅଚଳ ପରିସମ୍ପତି (ଏନପିଏ) ପରିମାଣ ବୃଦ୍ଧି ପାଇବା କାରଣରୁ ଏହା ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ ଉପରେ ଚାପ ପକାଇଚାଲିଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଉପରେ ଚାପ ଅଧିକ ରହିଛି। ଉପଯୋଗ ସର୍ବଦା ଅର୍ଥ୍ୟବ୍ୟବସ୍ଥାର ଦୃଢ଼ ଏବଂ ପ୍ରମୁଖ ବାହକ ରହିଆସିଛି। ଯଦିଓ ଜିଡିପିରେ ଘରୋଇ ଉପଯୋଗ ପରିମାଣ ଉଚ୍ଚ ହାରରେ ରହିଛି, ଉପଯୋଗର ଢାଂଚାରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଉତ୍ପାଦ ଠାରୁ ଆରମ୍ଭ କରି ସେବା ପର୍ଯ୍ୟନ୍ତ ଉପଯୋଗର ଢାଂଚା ଜରୁରୀ ଠାରୁ ବିଳାସପୂର୍ଣ୍ଣ ଦିଗରେ ଗତି କରିଛି। ନିବେଶ ହାର ଏବଂ ସ୍ଥାୟୀ ନିବେଶ ହାର ୨୦୧୧-୧୨ ପରଠାରୁ କ୍ରମାଗତ ହ୍ରାସ ପାଇଥିବା ବେଳେ ୨୦୧୭-୧୮ ଠାରୁ ଏଥିରେ ସାମାନ୍ୟ ଉନ୍ନତି ଦେଖିବାକୁ ମିଳିଛି। ସ୍ଥାୟୀ ନିବେଶ ଅଭିବୃଦ୍ଧି ୨୦୧୬-୧୭ରେ ୮.୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୭-୧୮ରେ ୯.୩ ପ୍ରତିଶତରେ ପହଁଚିଛି ଏବଂ ଏହା ଆହୁରି ବୃଦ୍ଧି ପାଇ ୨୦୧୮-୧୯ରେ ୧୦.୦ ପ୍ରତିଶତରେ ପହଁଚିଛି। ୨୦୧୬-୧୭ ପର୍ଯ୍ୟନ୍ତ ସ୍ଥାୟୀ ନିବେଶରେ ହ୍ରାସ ମୁଖ୍ୟତଃ ଘରୋଇ କ୍ଷେତ୍ରରେ ଦେଖିବାକୁ ମିଳିଥିବା ବେଳେ ରାଷ୍ଟ୍ରାୟତ୍ତ କ୍ଷେତ୍ର ଏବଂ ଘରୋଇ କର୍ପୋରେଟ କ୍ଷେତ୍ରରେ ସ୍ଥାୟୀ ନିବେଶ ପାଖାପାଖି ସମାନ ରହିଛି। ଉଭୟ ବୃହତ ଏବଂ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ଋଣ ଲଗାଣ ବୃଦ୍ଧି ପାଇଛି। ୨୦୧୬ ଏବଂ ୨୦୧୭ରେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ବ୍ୟାଙ୍କ ଋଣ ଲଗାଣ ପରିମାଣ ସାମାନ୍ୟ ନିମ୍ନଗାମୀ ହୋଇଥିଲେ ହେଁ ଏହା ୨୦୧୮ରେ ବୃଦ୍ଧି ପାଇଥିଲା। ମାର୍ଚ୍ଚ ୨୦୧୬ରେ ବୃହତ ଉଦ୍ୟୋଗଗୁଡ଼ିକୁ ଋଣ ଲଗାଣ ପରିମାଣ ହ୍ରାସ ପାଇଥିଲା ଏବଂ ଏହା ଅକ୍ଟୋବର ୨୦୧୬ ବେଳକୁ ନକାରାତ୍ମକ ସ୍ଥିତିକୁ ଚାଲିଆସିଥିଲା। ୨୦୧୭-୧୮ ପର ଠାରୁ ଏଥିରେ ଉନ୍ନତି ଆସିଛି। ୨୦୧୮ ବର୍ଷର ଦ୍ୱିତୀୟାର୍ଦ୍ଧରେ ଏହା ଊର୍ଦ୍ଧ୍ୱଗାମୀ ହୋଇଥିବା ଦେଖାଯାଇଛି। ୨୦୧୧-୧୨ରେ ଉଦ୍ୟୋଗ କ୍ଷେତ୍ରରେ ସର୍ବାଧିକ ନିବେଶ ହାର ଦେଖିବାକୁ ମିଳିଥିଲା। ଏହାପଛକୁ ସେବା କ୍ଷେତ୍ର ରହିଥିଲା। ଅନ୍ୟପକ୍ଷରେ କୃଷି କ୍ଷେତ୍ରରେ ନିବେଶ ହାର ସେବା କ୍ଷେତ୍ର ତୁଳନାରେ ଅଧା ଠାରୁ କମ ଥିଲା। ୨୦୧୭-୧୮ରେ ସେବା କ୍ଷେତ୍ରରେ ନିବେଶ ପରିମାଣ ସର୍ବୋଚ୍ଚ ସ୍ତରରେ ପହଁଚିଥିଲା। କୃଷି କ୍ଷେତ୍ରରେ ନିବେଶ ହାର ତଥାପି ପଛରେ ରହିଥିଲା ଏବଂ ବର୍ତ୍ତମାନ ଏହା ଶିଳ୍ପ କ୍ଷେତ୍ର ତୁଳନାରେ ଅଧା ସ୍ଥିତିରେ ରହିଛି। ସମାନ୍ତରାଳ ଭାବେ, ସଂଚୟ ହାରରେ ମଧ୍ୟ ହ୍ରାସ ଦେଖାଦେଇଛି। ପାରିବାରିକ କ୍ଷେତ୍ରରେ ହ୍ରାସ ସର୍ବାଧିକ ରହିଛି। ୨୦୧୧-୧୨ରେ ପାରିବାରିକ ସଂଚୟ ୨୩.୬%ରୁ ହ୍ରାସ ପାଇ ୨୦୧୭-୧୮ରେ ୧୭.୨%ରେ ପହଁଚିଛି। ମୁଦ୍ରା ଏବଂ ଆମେରିକୀୟ ଡଲାର ଆଧାରରେ ଆମଦାନୀ ଏବଂ ରପ୍ତାନି ଅଭିବୃଦ୍ଧି ହାର ଭିନ୍ନ ରହିଥିଲା। ୨୦୧୮-୧୯ରେ ଆମେରିକୀୟ ଡଲାରରେ ରପ୍ତାନି ଏବଂ ଆମଦାନୀ ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ମୁଦ୍ରାରେ ବୃଦ୍ଧି ପାଇଥିଲା। ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ କାରଣରୁ ଏହା ହୋଇଥିଲା। ମୋଟ ସମ୍ୱର୍ଦ୍ଧିତ ମୂଲ୍ୟ ଆର୍ଥିକ ଗତିବିଧିରେ ହ୍ରାସକୁ ସୂଚାଉଥିଲା ଏବଂ ୨୦୧୮-୧୯ରେ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ରହିଥିଲା, ଯାହାକି ୨୦୧୭-୧୮ ତୁଳନାରେ କମ। ୨୦୧୮-୧୯ ବର୍ଷରେ ପରୋକ୍ଷ ଟିକସରେ ଅଭିବୃଦ୍ଧି ୮.୮ ପ୍ରତିଶତ ରହିଥିଲା, ୨୦୧୭-୧୮ ତୁଳନାରେ ଆର୍ଥିକ ଗତିବିଧି କମ ହେବା କାରଣରୁ ଏହା ନିମ୍ନଗାମୀ ହୋଇଥିଲା। ଅର୍ଥବ୍ୟବସ୍ଥାରେ ସେବା କ୍ଷେତ୍ର ସବୁଠୁ ଗତିଶୀଳ ରହିଥିଲା ଏବଂ ଆର୍ଥିକ ଅଭିବୃଦ୍ଧି ହାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ସକଳ ସମ୍ୱର୍ଦ୍ଧିତ ମୂଲ୍ୟରେ ଏହାର ବଡ଼ ଭାଗୀଦାରୀ ରହିଥିଲା। ସେବା କ୍ଷେତ୍ରରେ ରପ୍ତାନିର ମୋଟ ଯୋଗଦାନ ୨୦୦୦-୦୧ର ୦.୭୪୬ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮-୧୯ରେ ୧୪.୩୮୯ ଲକ୍ଷ କୋଟି ଟଙ୍କାରେ ପହଁଚିଥିଲା। ଅର୍ଥାତ ମୋଟ ରପ୍ତାନିରେ ଏହାର ଭାଗୀଦାରୀ ୨୬.୮ ପ୍ରତିଶତ ରହିଥିଲା। କୃଷି କ୍ଷେତ୍ରରେ ଦୁଇ ବର୍ଷ ଭଲ ଅଭିବୃଦ୍ଧି ହାର ହାସଲ କରିବା ପରେ ୨୦୧୮-୧୯ରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ବାସ୍ତବିକ ଅଭିବୃଦ୍ଧି ହାର ହ୍ରାସ ପାଇ ୨.୯ ପ୍ରତିଶତ ହୋଇଯାଇଥିଲା। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ତୃତୀୟ ପୂର୍ବାନୁମାନ ଅନୁଯାୟୀ ୨୦୧୮-୧୯ରେ ଖାଦ୍ୟଶସ୍ୟର ମୋଟ ଉତ୍ପାଦନ ୨୦୧୭-୧୮ (ଅନ୍ତିମ ଅନୁମାନ) ୨୮୩.୪ ନିୟୁତ ଟନ ରହିବ। ୨୦୧୮-୧୯ରେ ଖାଦ୍ୟ ସାମଗ୍ରୀର ମୂଲ୍ୟରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖିବାକୁ ମିଳିଥିଲା। ୨୦୧୮-୧୯ରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି, ଉତ୍ପାଦନ ଏବଂ ନିର୍ମାଣ ଗତିବିଧିରେ ସୁଧାର ଆସିବା କାରଣରୁ ସମ୍ଭବ ହୋଇଛି। ଏହି କାରଣରୁ ଦୁଇଟି ଉପକ୍ଷେତ୍ର, ଖନନ ଏବଂ ଉତଖନନ ଏବଂ ବିଦ୍ୟୁତ, ଗ୍ୟାସ, ଜଳଯୋଗାଣ ଏବଂ ଅନ୍ୟ ଉପଯୋଗୀ ସେବାରେ ବୃଦ୍ଧି ହୋଇଛି। ୨୦୧୮-୧୯ରେ ଉପିାଦନ ମୋଟ ଜିଭିଏ ୧୬.୪ ପ୍ରତିଶତ ଲାଗି ଉତ୍ତରଦାୟୀ ଥିଲା, ଯାହା କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ଠାରୁ ସାମାନ୍ୟ ଅଧିକ ଥିଲା। ୨୦୧୮-୧୯ରେ ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ହାର ଉଚ୍ଚ ରହିଥିଲା। ତେବେ ଆର୍ଥିକ ବର୍ଷର ଶେଷରେ ଏହାର ଗତି ସାମାନ୍ୟ ହ୍ରାସ ପାଇଥିଲା। ବର୍ଷର ଚତୁର୍ଥ ତ୍ରୈମାସରେ ଏହାର ବୃଦ୍ଧି ହାର ୩.୧ ପ୍ରତିଶତ ଥିଲା। ଯାହା ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ତ୍ରୈମାସରେ ଯଥାକ୍ରମେ ୧୨.୧ ପ୍ରତିଶତ, ୬.୯ ପ୍ରତିଶତ ଏବଂ ୬.୪ ପ୍ରତିଶତ ରହିଥିଲା। ବର୍ଷ ୨୦୧୮-୧୯ର ଚତୁର୍ଥ ତ୍ରୈମାସରେ ଏନବିଏଫସି ପକ୍ଷରୁ କମ ଋଣ ଦିଆଯିବା କାରଣରୁ ଅଟୋ କ୍ଷେତ୍ରରେ ବିକ୍ରି ବୃଦ୍ଧି ପାଇଥିଲା। ସିମେଂଟ ଉତ୍ପାଦନ ଏବଂ ଇସ୍ପାତର ଉପଯୋଗରେ ବୃଦ୍ଧିକୁ ବ୍ୟବହାର କରି ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ସମ୍ପର୍କରେ ପୂର୍ବାନୁମାନ କରାଯାଇଥାଏ। ସିମେଂଟର ଉତ୍ପାଦନ ଏବଂ ଇସ୍ପାତର ଉପଯୋଗ ୨୦୧୮-୧୯ରେ ଯଥାକ୍ରମେ ୧୩.୩ ପ୍ରତିଶତ ଏବଂ ୭.୫ ପ୍ରତିଶତ ହାରରେ ବୃଦ୍ଧି ହୋଇଥିଲା, ଯାହାକି ୨୦୧୭-୧୮ ତୁଳନାରେ ଅଧିକ ଥିଲା। ତେଣୁ ୨୦୧୮-୧୯ରେ ନିର୍ମାଣ କ୍ଷେତ୍ରରେ ଉଚ୍ଚ ଅଭିବୃଦ୍ଧି ପ୍ରତି ଏହା ଇଙ୍ଗିତ କରୁଛି। ଆର୍ଥିକ, ରିଅଲ ଇଷ୍ଟେଟ ଏବଂ ବ୍ୟବସାୟିକ ସେବା କ୍ଷେତ୍ରରେ ୨୦୧୮-୧୯ ବର୍ଷରେ ୭.୪ ପ୍ରତିଶତ ହାରରେ ଅଭିବୃଦ୍ଧି ହୋଇଥିଲା ଯାହାକି ୨୦୧୭-୧୮ରେ ହୋଇଥିବା ୬.୨ ପ୍ରତିଶତ ବୃଦ୍ଧି ଠାରୁ ଅଧିକ। ଏହି କ୍ଷେତ୍ର ଅର୍ଥବ୍ୟବସ୍ଥାର ସମଗ୍ର ଜିଭିଏ ଠାରୁ ୨୦ ପ୍ରତିଶତ ଠାରୁ ଅଧିକ।

Share :